• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହେଲା ମହାପ୍ରଭୁଙ୍କ ଦେବସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ଆରମ୍ଭ ହୋଇଯାଇଛି । ସୁନା କୂଅକୁ ଆସିଥିବା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ଆସି ଆଜି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିଥିଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଥିଲେ ।

 ସ୍ନାନ ପରେ ତିନି ଠାକୁର ଓ ଅନ୍ୟାନ୍ୟ ବିଗ୍ରହ ମାନଙ୍କୁ ଗଣପତି ବେଶ କରା ଯାଇଥାଏ । ଏହା ଅତ୍ୟନ୍ତ ମନୋରମ ଧାରି ବେଶ ହୋଇଥାଏ । ଯାହାକୁ ନିଜ ଆଖିରେ ନ ଦେଖିଲେ ଅବର୍ଣ୍ଣନୀୟ । ପୁରାଣ ଶାସ୍ତ୍ର ମାନଙ୍କରେ ଏହି ମହାନ ପର୍ବକୁ ମହାଜ୍ୟେଷ୍ଠ ସ୍ନାନ ଭାବେ ଅଭିହିତ କରାଯାଇଛି । ରାଷ୍ଟ୍ରର କଲ୍ୟାଣ ପ୍ରାଣୀର ମଙ୍ଗଳ, ପାପ ବିନାଶ ପାଇଁ ଏହି ମହତ ଯାତ୍ରାର ଉଦେଶ୍ୟ ।

ସେହିପରି ବ୍ରହ୍ମଗିରି ଅଲାରନାଥ ପୀଠରେ ମଧ୍ୟ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପନ୍ନ ହୋଇଛି । ଜଗନ୍ନାଥଙ୍କ ପ୍ରତୀକ ଭାବରେ ଅଲାରନାଥ ଶଙ୍ଖ, ଚକ୍ର, ଗଦା ପଦ୍ମ ଧାରୀ ଚତ୍ରୁଭୂଜା ନାରାୟଣ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । କେନ୍ଦୁଝର ବଳଦେବଜିଉଙ୍କ ମନ୍ଦିରରେ ମଧ୍ୟ ସକାଳ ୫ଟାରେ ମନ୍ଦିର ଦ୍ୱାର ଫିଟାପରେ ମଙ୍ଗଳ ଆଳତୀ, ମଇଲମ ପରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା ।

ଏହାପରେ ୧୦୮ ସୁବାସିତ ଗରାଜଳ ଓ ୧୦୮ ପଇଡ ପାଣିରେ ଠାକୁରଙ୍କ ସ୍ନାନ କରାଯାଇଥିଲା । ସେହିପରି କୋରାପୁଟ ଶାବର ଶୀକ୍ଷେତ୍ରରେ ମଧ୍ୟ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଳିତ ହୋଇଛି କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ନୀତିକାନ୍ତି ସମାପନ ହୋଇଛି । ନୟାଗଡ଼ ରଣପୁରରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନପର୍ବ ପାଳନ ହୋଇଛି ।

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।