• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ ଜଗନ୍ନାଥ ମନ୍ଦିରରେ ତିଆରି ହେଉଥିବା ଛପନ ଭୋଗ ଭିତରୁ ଗୋଟିଏ। ଖରା ଦିନର ତାତି ବେଳେ ପେଟରେ ଗଣ୍ଡେ ପଖାଳ ପଡିଗଲେ ତା’ର ମଜ୍ଜା ନିଆରା। ତାତିରୁ ଟିକେ ଆରାମ ପାଇବା ପାଇଁ ବା ପେଟ ଗରମ ଓ ଦେହରେ ଜଳୀୟ ଅଂଶ କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳକୁ ରାମବାଣ ଭଳି ଗ୍ରହଣ କରାଯାଏ।

ଭାତକୁ ପାଣିରେ ପଖାଳି ବା ଧୋଇ ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ। ଏହାର ପାଣିକୁ ତୋରାଣି କୁହାଯାଏ। ସାଧାରଣତଃ ଖରାବେଳେ ବା ଉପରଓଳି ଏହାକୁ ଖିଆଯାଏ। ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: ପଖାଳ...ନାଁ ଶୁଣିଲେ ମାତ୍ରେ ଓଡ଼ିଆଙ୍କ ପାଟିରୁ ଲାଳଗଡେ

ଆଉ କେଉଁ ରାଜ୍ୟରେ ପଖାଳ ଖିଆଯାଏ:

ପଖାଳ ଖାଲି ଓଡ଼ିଶାରେ ନୁହେଁ, ଏହାକୁ ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ମଧ୍ୟ ଖିଆଯାଏ। ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ୍‌ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କୁହନ୍ତି। ତାମିଲନାଡୁରେ ଏହା ‘ବକାଳ ବାତ’ ନାମରେ ଜଣା। ଏଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପଖାଳ ପରଷା ଯାଏ।

ପରମ୍ପରା:

ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର'। ଦେଖିବାକୁ ଗଲେ ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା।

ଖ୍ରୀଅ ୬୦୦ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ, ଗହମ ଓ ବାର୍ଲି। କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା। ଏହା ମଧ୍ୟ ସେହି ସମୟରେ ବଂଗଳାରେ ପ୍ରଚଳିତ ଥିଲା।

ବିଭିନ୍ନ ପ୍ରକାରର ପଖାଳ:

  • ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ। ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ଭଲ ଲାଗେ।
  • ଏହାକୁ ଭୃସଙ୍ଗ ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ।
  • ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ। ଏହା କିଛି ପରିମାଣରେ ଖଟା ମଧ୍ୟ ଲାଗିଥାଏ।
  • ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଜିରା ପଖାଳ ତିଆରି କରାଯାଇଥାଏ।
  • ଦହି ପଖାଳ: ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ।
  • ଚାଇଁ ପଖାଳ ବା ଗରମ ପଖାଳ : ସଜ ଭାତ ଗରମ ଥିବାବେଳେ ଏଥିରେ ପାଣି ମିଶାଇ ତିଆରି କରାଯାଏ ଓ ଗରମ ଗରମ ଖିଆଯାଏ।
  • ଟଭା ପଖାଳ
  • ଅଦା ପଖାଳ
  • କଞ୍ଚାଆମ୍ବ ପଖାଳ
  • କାକୁଡ଼ିକୋରା ପଖାଳ
  • ବଡ଼ି ପଖାଳ

ପଖାଳ ସହ ଆଉ କ’ଣ ଖିଆଯାଏ:

ପଖାଳ ସହ ବଡ଼ିଚୁରା ଓ ଭଜା ସହିତ ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ। ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ।

ବିଭିନ୍ନ ପ୍ରକାରର ଶାଗପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷକରି ରସୁଣ ବା ପିଆଜ ଦେଇ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ। ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ପଖାଳ ଖିଆଯାଏ। ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବାହାରେ ତାହା ପଖାଳ ଭାତରେ ବ୍ୟବହାର କଲେ ତା’ର ବାସ୍ନା ନିଆରା।

ଓଡ଼ିଶା ଇତିହାସରେ ପଖାଳ:

୧୯୩୪ ମସିହାରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରିଥିଲେ। ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନ କରି ପଖାଳ କରିଦେଇଥିଲେ। ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇଥିଲେ। ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକମାନେ ହିଁ ଠିକ ଜାଣିଛନ୍ତି ଖାଦ୍ୟର ସଦ୍‌ବ୍ୟବହାର”।

ଔଷଧୀୟ ଗୁଣ(କେଉଁମାନେ ଖାଇବେ, କେଉଁମାନେ ନ ଖାଇବେ):

  • ପଖାଳ ହେଉଛି ଏକ ପିତ୍ତ ନାଶକ ଖାଦ୍ୟ।
  • ଚାଇଁ ପଖାଳ ଖାଇ ତା’ର ତୋରାଣି ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ଦୂର ହୋଇଥାଏ। କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ।
  • ପିତ୍ତ ରୋଗ ବିସୂଚିକା, ଡାଏରିଆ ପାଇଁ ତୋରାଣି ଅତ୍ୟନ୍ତ ଉପକାରୀ।
  • ମୂତ୍ରଯନ୍ତ୍ରଣାରେ ପଖାଳ ଖୁବ ଉପକାରୀ।
  • ଯେଉଁ ବ୍ୟକ୍ତିଙ୍କ କଫ ଦୋଷଥାଏ ସେମାନେ ବାସି ପଖାଳରୁ ଦୂରେଇ ରହିବା ଭଲ।
  • ପିତ୍ତ ଓ ବାତ ଦୋଷ କ୍ଷେତ୍ରରେ ସ୍ଥାନ ବିଶେଷରେ ପଖାଳ ଖିଆଯାଇ ପାରିବ।

ପଖାଳରେ ଖାଦ୍ୟ ସାର:

ଆସାମ କୃଷି ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ପଖାଳ ୧୨ଘଣ୍ଟା ରହିବା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ିଯାଇଥାଏ। ସେହିପରି ସୋଡ଼ିୟମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିୟମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇଯାଏ।

ଏହା ସହିତ ସାଧା ଭାତରେ ଥିବା ଫାଇଟିକ୍‌ ଏସିଡ୍‌ ଓ ଓଲିଗୋସାକାରାଇଡ଼ସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖାଳରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ।