/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706017362.jpg)
Society's attitude towards women not changed
ମିଳିତ ଜାତିସଂଘର ସାଧାରଣ ସଭା ୧୯ ଡିସେମ୍ବର ୨୦୧୧ ରେ ସଂକଳ୍ପ ସଂଖ୍ୟା ୬୬/୧୭୦ ଗ୍ରହଣ କଲା ଏବଂ ୧୧ ଅକ୍ଟୋବରକୁ ‘ଆନ୍ତର୍ଜାତୀୟ ବାଳିକା ଦିବସ’ ଭାବରେ ଘୋଷଣା କଲା। ଏହି ସଂକଳ୍ପର ଉଦ୍ଦେଶ୍ୟ ଥିଲା ଝିଅମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମାଧାନ କରିବା ଏବଂ ସେମାନଙ୍କର ସଶକ୍ତିକରଣ ଏବଂ ସେମାନଙ୍କର ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବା।
ଭାରତ କିନ୍ତୁ ଏହା ପୂର୍ବରୁ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତାକୁ ଉଜାଗର କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣର ମହତ୍ତ୍ୱ ସହିତ ସେମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ନେଇ ୨୦୦୮ରେ ଜାନୁଆରୀ ୨୪କୁ ‘ଜାତୀୟ ବାଳିକା ଦିବସ’ ଭାବରେ ଘୋଷଣା କରିଥିଲା।
ତେଣୁ, ଆଜି ଭାରତରେ ଦୁଇଟି ବାଳିକା ଦିବସ ପାଳନ କରାଯାଉଛି। ‘ବେଟି ବାଚାଓ, ବେଟି ପଢାଓ’ ପରି ଭାରତ ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ଚାଲିଛି। ଏତେ ସବୁ ଯୋଜନା ପରେ ବି ଭାରତରେ କ’ଣ ଝିଅମାନେ ସୁରକ୍ଷିତ? ଆସନ୍ତୁ ଏ ବିଷୟରେ ନଜର ପକେଇବା।
ଅଧିକ ପଢ଼ନ୍ତୁ: କେଉଁମାନେ କରିପାରିବେ ସୁକନ୍ୟା ସମୃଦ୍ଧି ଯୋଜନା; କ’ଣ ମିଳିବ ଲାଭ
ଭାରତରେ ବାଳିକା ମୃତ୍ୟୁ ସଂଖ୍ୟା ଅଧିକ:
ୟୁନିସେଫ୍ ରିପୋର୍ଟ ଅନୁଯାୟୀ ଭାରତ ଏକ ବଡ ଦେଶ ଯେଉଁଠାରେ ପୁଅମାନଙ୍କ ଅପେକ୍ଷା ଅଧିକ ଝିଅମାନଙ୍କ ମୃତ୍ୟୁ ହୋଇଥାଏ। ଅଧିକ ମାତ୍ରାରେ ଝିଅମାନେ ଅଧାରୁ ବିଦ୍ୟାଳୟ ଛାଡିବା ଦେଖାଯାଏ।
ଏହାଛଡା ଭାରତରେ ରୋଜଗାର, ଭିକ୍ଷାବୃତ୍ତି, ଯୌନ ଶୋଷଣ ଏବଂ ଶିଶୁ ଶ୍ରମ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ଅନେକ ଶିଶୁଙ୍କୁ ଚାଲାଣ କରାଯାଏ। ଚାଲାଣ କରାଯାଉଥିବା ଝିଅ ଏବଂ ମହିଳାଙ୍କ ମଧ୍ୟରୁ ସର୍ବାଧିକ ପ୍ରତିଶତ ମୁମ୍ବାଇ ଏବଂ କୋଲକାତା ସହରରୁ ମିଳେ। ପ୍ରତିବର୍ଷ ୬୦ ହଜାରରୁ ଅଧିକ ପିଲା ନିଖୋଜ ହୁଅନ୍ତି ଯେଉଁଥିରେ ଝିଅମାନଙ୍କର ସଂଖ୍ୟା ଅଧିକ।
ପୁଅ-ଝିଅ ଭେଦଭାବ ମାନସିକତା:
ଭାରତରେ ଲିଙ୍ଗଗତ ଅସମାନତା ଝିଅମାନଙ୍କ ପାଇଁ ଭାରି ପଡେ। ବାଳିକା ଏବଂ ବାଳକମାନେ ସାରା ଦେଶରେ କିଶୋରାବସ୍ଥାକୁ ଭିନ୍ନ ଭାବରେ ଅନୁଭବ କରନ୍ତି। ପୁଅମାନେ ଅଧିକ ସ୍ୱାଧୀନତା ଅନୁଭବ କରୁଥିବାବେଳେ, ଝିଅମାନଙ୍କ କ୍ଷେତ୍ରରେ ଏହି ସୁଯୋଗ ମିଳେ ନାହିଁ। ସେମାନେ କାମ, ଶିକ୍ଷା, ବିବାହ ଏବଂ ସାମାଜିକ ସମ୍ପର୍କକୁ ପ୍ରଭାବିତ କରୁଥିବା ନିଷ୍ପତ୍ତି ଉପରେ ବ୍ୟାପକ ସୀମାବଦ୍ଧତାର ସମ୍ମୁଖୀନ ହୁଅନ୍ତି। ବିଭିନ୍ନ ସରକାରୀ ଯୋଜନା ସତ୍ତ୍ୱେ ଲୋକଙ୍କ ଏଭଳି ମାନସିକତାରେ ପରିବର୍ତ୍ତନ ନ ହେବା ମନେହୁଏ।
କନ୍ୟା ଭ୍ରୁଣ ହତ୍ୟା ଓ ବାଲ୍ୟ ବିବାହ:
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ ଭାରତର ମୋଟ ଲିଙ୍ଗ ଅନୁପାତ ୧୦୨୦ ବାଳିକାକୁ ବୃଦ୍ଧି ପାଇଛି। କିନ୍ତୁ ଏହି ଲିଙ୍ଗଗତ ପ୍ରଗତି ବିଶେଷ ତଥା ତଥାକଥିତ ଶିକ୍ଷିତ, ସଚେତନ ସହରୀମାନଙ୍କ ଘରେ ନୁହେଁ ବରଂ ଗ୍ରାମାଞ୍ଚଳରେ। ଆଜି ବି ସହରରେ ହଜାରେ ପୁଅ ପ୍ରତି ଝିଅଙ୍କ ସଂଖ୍ୟା ମାତ୍ର ୯୮୫। ଏହାର ଅର୍ଥ ହେଉଛି ଯେଉଁ ସହରଗୁଡ଼ିକରେ ଗର୍ଭାବସ୍ଥାରେ ଭ୍ରୁଣ ପରୀକ୍ଷା ପାଇଁ ସୁବିଧା ଅଛି, ତଥାପି ଗର୍ଭସ୍ଥ ଶିଶୁ କନ୍ୟା ସୁରକ୍ଷିତ ନୁହଁନ୍ତି।
ସେହିପରି ଦେଶର ୨୩ ପ୍ରତିଶତ କିଶୋର ୧୮ ବର୍ଷ ବୟସ ପୂର୍ବରୁ ବିବାହ କରନ୍ତି, ଯେଉଁଥିରେ ଅଧିକାଂଶ ଝିଅ ଅଟନ୍ତି। ଏହି ସର୍ବେକ୍ଷଣରେ, ବିବାହ କାରଣରୁ ୧୫ ରୁ ୧୯ ବର୍ଷ ବୟସର ୬.୮ ପ୍ରତିଶତ ବାଳିକା ଗର୍ଭବତୀ ହେବା କିମ୍ବା ମାଆ ହୋଇଥିବା ଜଣାପଡିଛି।
ଝିଅମାନଙ୍କ ବିରୋଧରେ ଅପରାଧ ବୃଦ୍ଧି:
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ୨୦୨୧-୨୨ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସମୁଦାୟ ୮୩,୩୫୦ ଶିଶୁ ନିଖୋଜ ଥିବା ଜଣାଯାଇଛି, ଯେଉଁଥିରୁ ୨୦,୩୮୦ ପୁଅ ଏବଂ ୬୨,୯୪୬ ଝିଅ ଅଛନ୍ତି। ୨୦୧୨ ତୁଳନାରେ ଏହ ୭.୫ ପ୍ରତିଶତ ଅଧିକ। ଏହି ନିଖୋଜ ଝିଅମାନଙ୍କ ମଧ୍ୟରୁ ୬୦,୨୮୧ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧,୬୬୫ ଜଣଙ୍କ କୌଣସି ପତା ମିଳି ନାହିଁ।
ଝିଅମାନଙ୍କ ପ୍ରତି ଦୁଷ୍କର୍ମ ବୃଦ୍ଧି:
ଭାରତୀୟ ସଂସ୍କୃତିରେ ଝିଅମାନଙ୍କୁ ଲକ୍ଷ୍ମୀ ଭାବରେ ବିବେଚନା କରାଯାଏ ଏବଂ ଅନେକ ସମୟରେ ପୂଜା କରାଯାଏ। କିନ୍ତୁ ସମାଜରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଦେଶରେ କନ୍ୟା ସନ୍ତାନଟିଏ ନିଜକୁ ଅସୁରକ୍ଷିତ ମନେ କରୁଛି। NCRB ର ୨୦୨୧-୨୨ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଶିଶୁ ଯୌନ ଅପରାଧ ଅଧିନିୟମ ୨୦୧୨ (POCSO Act) ଅଧୀନରେ ମୋଟ ୬୨,୦୯୫ ମାମଲା ପଞ୍ଜିକୃତ ହୋଇଛି।
୨୦୨୨ ମସିହାରେ ଏହି ମାମଲାଗୁଡ଼ିକର ସଂଖ୍ୟା ୬୩,୧୧୬ କୁ ବୃଦ୍ଧି ପାଇଛି, ଯାହା ୯.୩ ପ୍ରତିଶତ ବୃଦ୍ଧି ଦେଖାଏ। ୨୦୨୧ ମସିହାରେ, ୩୭,୫୧୧ ଜଣ ବାଳିକାଙ୍କୁ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୨ରେ ଏହା ୩୮,୦୩୦କୁ ବୃଦ୍ଧି ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)