ରେଡିଓ ଠାରୁ ଟେଲିଭିଜନ୍ ଏବଂ ବର୍ତ୍ତମାନ ଡିଜିଟାଲ୍ ମିଡିଆ ପର୍ଯ୍ୟନ୍ତ ପ୍ରସାରଣ କ୍ଷେତ୍ର କ୍ରମାଗତ ଭାବରେ ବିକଶିତ ହେଉଛି। ନୂତନ ଟେକ୍ନୋଲୋଜୀର ଆଗମନ ସହିତ, ସୂଚନା ପହଞ୍ଚିବା ଆହୁରି ସହଜ ହୋଇଯାଇଛି। ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଦାୟୀତ୍ୱବାନ ଦର୍ଶକ ଏବଂ ଶ୍ରୋତା ହେବା ଏବଂ ସତ୍ୟ ଏବଂ ସଠିକ୍ ସୂଚନାକୁ ବାଛିବା।
ଏହାକୁ ନେଇ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୩ ଜୁଲାଇରେ ‘ଜାତୀୟ ପ୍ରସାରଣ ଦିବସ’ ପାଳନ କରାଯାଏ। ଏହି ଦିନ ଅଲ୍ ଇଣ୍ଡିଆ ରେଡିଓ ଦ୍ୱାରା ଦେଶରେ ସଂଗଠିତ ରେଡିଓ ପ୍ରସାରଣର ଆରମ୍ଭର ଦିନ ମଧ୍ୟ। ତେବେ ଆସନ୍ତୁ ଏହି ଦିନକୁ କିପରି ପାଳିବା ସେ ବିଷୟରେ ଜାଣିନେବା।
Also Read
ଇତିହାସ:
୨୩ ଜୁଲାଇ ୧୯୨୭ରେ, ଭାରତୀୟ ପ୍ରସାରଣର ପ୍ରଥମ କାର୍ଯ୍ୟକ୍ରମ ବମ୍ବେ (ମୁମ୍ବାଇ) ରେଡିଓରେ ଭାରତୀୟ ପ୍ରସାରଣ କମ୍ପାନୀ ଦ୍ୱାରା ପ୍ରସାରିତ ହୋଇଥିଲା। ଏହି ଦିନ ଭାରତୀୟ ପ୍ରସାରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ‘ଜାତୀୟ ପ୍ରସାରଣ ଦିବସ’ ଭାବରେ ପାଳନ କରାଯାଏ। ୮ ଜୁନ୍ ୧୯୩୬ରେ, "ଅଲ୍ ଇଣ୍ଡିଆ ରେଡିଓ" ପ୍ରତିଷ୍ଠା କରାଯାଇଥିଲା, ଯାହା ଭାରତୀୟ ପ୍ରସାରଣ ଦିଗକୁ ଆହୁରି ଦୃଢ କରିଥିଲା।
କେବେ ହେଲା ଉଦ୍ଭାବନ:
୧୮୮୦ରେ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆବିଷ୍କୃତ ହୋଇଥିଲା। ୧୮୯୦ ମସିହାରେ ମାର୍କୋନୀଙ୍କ ଦ୍ୱାରା ରେଡିଓ ଉଦ୍ଭାବନ କରାଯାଇଥିଲା, କିନ୍ତୁ ତାଙ୍କୁ ଏହାର ପେଟେଣ୍ଟ୍ ରେକର୍ଡ ୧୮୯୬ରେ ମିଳିଥିଲା। ଏହା ପରେ ମାର୍କୋନୀ ରେଡିଓର ଉଦ୍ଭାବକ ଭାବରେ ବିବେଚିତ ହୋଇଥିଲେ।
ମହତ୍ତ୍ୱ:
- ‘ଜାତୀୟ ପ୍ରସାରଣ ଦିବସ’ ଆମକୁ ଭାରତୀୟ ରେଡିଓ ପ୍ରସାରଣର ଇତିହାସ ଏବଂ ଏହାର ଯାତ୍ରାକୁ ବୁଝିବାର ଏକ ସୁଯୋଗ ପ୍ରଦାନ କରେ:
- ଏହି ଦିନ ରେଡିଓ ମାଧ୍ୟମରେ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ଗୁରୁତ୍ୱକୁ ମଧ୍ୟ ସୂଚିତ କରେ।
- ବିଶେଷକରି ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଆଜି ମଧ୍ୟ ଏହା ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାର ଉତ୍ସ ହୋଇରହିଛି।
- ଏହି ଦିନ ରେଡିଓର ବିକାଶ, ଏହାର ଆହ୍ୱାନ ଏବଂ ଭବିଷ୍ୟତର ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନା କରାଯାଏ।
କିପରି ପାଳନ କରିବେ:
- ରେଡିଓ ଶୁଣିବା – ନିଜର ପ୍ରିୟ ରେଡିଓ ଷ୍ଟେସନ୍କୁ ଟ୍ୟୁନ୍ କରନ୍ତୁ ଏବଂ ପୁନର୍ବାର ରେଡିଓର ଯାଦୁକୁ ଅନୁଭବ କରନ୍ତୁ
- ପ୍ରସାରଣର ଇତିହାସ ବିଷୟରେ ଜାଣିବା – ରେଡିଓ ଏବଂ ଟେଲିଭିଜନର ବିକାଶ ଏବଂ ଏହା ସମାଜ ଉପରେ କିପରି ପ୍ରଭାବ ପକାଇଲା ସେ ବିଷୟରେ ଜାଣନ୍ତୁ।
- ପ୍ରସାରଣ ବୃତ୍ତିଧାରୀଙ୍କୁ ସମ୍ମାନ ପ୍ରଦର୍ଶନ – ଏହି ଦିନ ରେଡିଓ ଜକୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ପ୍ରସାରଣ ବୃତ୍ତିଧାରୀମାନଙ୍କୁ ସେମାନଙ୍କର ଅବଦାନ ପାଇଁ ସମ୍ମାନ ପ୍ରଦର୍ଶନ କରନ୍ତୁ।