• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Kausik Mohapatra

ଆଜି ଭାଦ୍ରବ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ। ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି "ଶ୍ରୀମଦ୍‌ଭାଗବତ" । ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା। ସେଇଥିପାଇଁ ‘ଭାଦ୍ରବ ପୂର୍ଣ୍ଣମୀ’କୁ ‘ଭାଗବତ ଜନ୍ମ’ ଭାବରେ କାହିଁ କେଉଁ କାଳରୁ ପାଳିନ କରାଯାଉଛି।

ଶ୍ରୀମଦ ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ ବୋଲି ସମସ୍ତେ ପ୍ରାୟତଃ ଜାଣନ୍ତି । ଭାଗବତ ପାଠ କଲେ ସମସ୍ତ ପାପ ତାପ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି। ଭାଗବତରେ ଭଗବାନଙ୍କ ଲୀଳା, ରୂପ, ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା କରାଯାଇଛି । ଭଗବାନ ଅନେକ ରୂପ ଧାରଣ କରି ନାନା ପ୍ରକାର ଲୀଳା କରନ୍ତି । ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଯାବତୀୟ ଦୁଃଖ ତଥା ବହୁବିଧ ବିଘ୍ନ ଦୂର ହୋଇଥାଏ । ମହର୍ଷି ବ୍ୟାସଦେବଙ୍କ କୃତ ଶ୍ରୀମଦ୍ ଭାଗବତ ସଂସ୍କୃତ ଭାଷାରେ ଧର୍ମୋପନିଷେଦ ମଧ୍ୟରେ ଏକ ସର୍ବୋକଷ୍ଟ ପରିଣତି l ଏହାର ଆଧ୍ୟାତ୍ମିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନା ଭକ୍ତି, ଜ୍ଞାନ, ବୌରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ଵ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର କଲ୍ୟାଣ ନିମନ୍ତେ ବ୍ୟାସଦେବ ଏହି ଗ୍ରନ୍ଥକୁ ରଚନା କରିଥିଲେ। ଏହି ଦୃଷ୍ଟିରୁ ଶ୍ରୀମଦ ଭାଗବତ ଗ୍ରନ୍ଥ ସାକ୍ଷାତ ଭଗବାନଙ୍କର ପରମ ମଙ୍ଗଳମୟ ମୂର୍ତ୍ତି ବୋଲି କୁହାଯାଏ।

‘ଶ୍ରୀମଦଭାଗବତ’ ରଚନା

ଦିନେ ବ୍ୟାସଦେବ ଅନ୍ୟମନସ୍କ ଭାବରେ ବସିଥିଲେ। ତାଙ୍କ ପାଖରେ ପହଞ୍ଚିଥିଲେ ନାରଦ ମୁନି। ନାରଦ ମୁନି ବ୍ୟାସଦେବଙ୍କ ମୁହଁକୁ ଦେଖି ପଚାରିଥିଲେ ତୁମ ମୁହଁ ଦେଖିଲେ ମନେ ହେଉଛି ତୁମେ ଦୁଖରେ ଅଛ ? ତୁମ ଭଳି ମହାନ ଜ୍ଞାନି, ଗୁଣୀ, ପଣ୍ଡିତ, ରୁଷିବରଙ୍କର ପୁଣି ମନଦୁଖ କାହିଁକି ? ବେଦ, ପୁରାଣ ମହାଭାରତ ଭଳି ମହାନ ଗ୍ରନ୍ଥ ଯିଏ ରଚନା କରିଛନ୍ତି ତାଙ୍କଠାରୁ ଆଉ କିଏ ମହାନ ଅଛନ୍ତି ? ସେତେବେଳେ ନାରଦ ମୁନିଙ୍କ କଥା ଶୁଣି ବ୍ୟାସଦେବ କହିଛନ୍ତି । ହଁ ମୁନିବର ତୁମ କଥାଅନୁସାରେ ମୁଁ ବୋହୁତ କିଛି ରଚନା କରିସାରିଛି । କିନ୍ତୁ କାହିଁକି କେଜାଣି ମୋ ମନରେ ଅବସୋସ ରହିଯାଇଛି। ଆହୁରି କିଛି ରଚନା କରିବା ପାଇଁ, ଯଦିଓ ମୁଁ ବେଦ, ମହାଭାରତ ଇତ୍ୟାଦି ରଚନା କରିଛି କିନ୍ତୁ ମୁଁ ଚାହୁଁଛି ଏଭଳି ଏକ ଗ୍ରନ୍ଥ ରଚନା କରିବା ପାଇଁ ଯାହାକୁ ସାଧାରଣ ଲୋକମାନେ ପଢିପାରିବେ, ବୁଝିପାରିବେ ଏବଂ କୃଷ୍ଣଙ୍କର ଗୁଣ ଗାନ କରି ସୁଖରେ ରହିପାରିବେ। ସେତେବେଳେ ନାରଦ ମୁନି ଓ ବ୍ୟାସଦେବ ଉଭୟ ଆଲୋଚନା କରି ସ୍ଥିର କଲେ ଭାଗବତ ନାମକ ମହାନ ଗ୍ରନ୍ଥ ରଚନାର କଥା। ତାପରେ ବ୍ୟାସଦେବ ଆରମ୍ଭ କରିଥିଲେ ଭାଗବତ ରଚନା ଏବଂ ତାକୁ ଖୁବ ଶୀଘ୍ର ସାରିଥିଲେ ମଧ୍ୟ।

ଭାଗବତ ମାହାପୁରାଣରେ ଜନ୍ମମୃତ୍ୟୁ କଥା କୁହା ଯାଇଛି । ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବାକୁ ନିର୍ବାଣ, ମୋକ୍ଷ ବା ସ୍ଵର୍ଗପ୍ରାପ୍ତି କୁହାଯାଏ। ଭାଗବତ ମହାପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ ଚଉରାଶି ଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ।

ନଅ ଲକ୍ଷ ପ୍ରକାର ଜଳ ଜୀବ

କୋଡିଏ ଲକ୍ଷ ପ୍ରକାର ବୃକ୍ଷ

ଏଗାର ଲକ୍ଷ ପ୍ରକାର କୃମି କୀଟ

ଦଶ ଲକ୍ଷ ପ୍ରକାର ପକ୍ଷୀ

ତିରିଶ ଲକ୍ଷ ପ୍ରକାର ପଶୁ

ଚାରି ଲକ୍ଷ ପ୍ରକାର ମନୁଷ୍ୟ ଯୋନି

ଭାଗବତ ଶବ୍ଦର ଅର୍ଥ

"ଭା"ର ଅର୍ଥ ଭାବ, "ଗ"ର ଅର୍ଥ ଜ୍ଞାନ "ବ" ର ଅର୍ଥ ବୌରାଗ୍ୟ ଏବଂ "ତ"ର ଅର୍ଥ ତତ୍ତ୍ଵ କିନ୍ତୁ ବ୍ୟାକରଣ ସୂତ୍ରାନୁସାରେ ଭାଗବତ କୃତଂ ଭାଗବତମ୍, ଅର୍ଥାତ୍ ଯାହା ଭଗବାନଙ୍କ କୃତ ତାହାହିଁ ଭାଗବତ। ଏହି ଭାଗବତରେ ଭଗବାନଙ୍କ କିର୍ତ୍ତୀ ଏବଂ ମାହାତ୍ମ୍ୟ ବର୍ଣ୍ଣିତ।

ଷୋଡଶ ଶତାବ୍ଦୀରେ ଯେଉଁ ମହାମନିଷୀମାନେ ଶ୍ରୀମଦ ଭାଗବତକୁ ଆଧାରକରି ପ୍ରାନ୍ତୀୟ ଭାଷାରେ ନିଜନିଜ ଭକ୍ତିପୂର୍ଣ୍ଣ କୃତିସମୂହ ଦ୍ଵାରା ସମାଜରେ ଭକ୍ତିଧାରା ସୃଷ୍ଟି କରିବାରେ ମହାନ କାର୍ଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡିଶାର ମାହାନ ସନ୍ଥ ଅତିବଡୀ ଜଗନ୍ନାଥ ଦାସ ଅନ୍ୟତମ। ତାଙ୍କ ପ୍ରଣୀତ ଓଡିଆ ଭାଗବତ ଉତ୍କଳୀୟ ଜନଜୀବନ ଓ ଉତ୍କଳୀୟ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ ପାଲଟି ଯାଇଛି ।

‘ଓଡ଼ିଆ ଭାଗବତ’ ରଚନା

ଇତିହାସ କହେ ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ। ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ ।

ଏବେବି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିଇତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଓଡିଶାର ପୁରପଲ୍ଲୀରେ ଭାଗବତ ଜନ୍ମକୁ ବେଶ ଆଡମ୍ବରର ସହ ପାଳନ କରାଯାଏ । ଏହି ମହାନ ଧର୍ମ ଗ୍ରନ୍ଥକୁ ସ୍ଵୟଂ ଭଗବାନଙ୍କ ବିଗ୍ରହ ମନେକରି ଆଜି ମଧ୍ୟ ଘରେ ଘରେ ସମସ୍ତେ ପୂଜା କରୁଛନ୍ତି । ଏହା ହିଁ ଉକ୍ତ ଗ୍ରନ୍ଥର ମହାନାତାର ପ୍ରମାଣ । ଭଗବତରେ ଅତିବଡୀ ଜଗନ୍ନାଥ ଦାସ ମନୁଷ୍ୟ ଜନ୍ମକୁ ପ୍ରଶଂସା କରିଅଛନ୍ତି।

ଅନେକ ଜନ୍ମ ତପ ଫଳେ

ମନୁଷ୍ୟ ଜନ୍ମ ମହୀତଳେ

ଦୁର୍ଲ୍ଲଭ ମନୁଷ୍ୟ ଜନମ

ପାଇ କିମ୍ପାଇ ହେଉ ଭ୍ରମ

ସର୍ବ ଶରୀର ମଧ୍ୟେ ସାର

ଦୁର୍ଲ୍ଲଭ ନର କଳେବର

ଦୁର୍ଲ୍ଲଭ ମନୁଷ୍ୟ ଶରୀର

ନରକ ନିସ୍ତାରଣ ଦ୍ଵାର

ଜଗନ୍ନାଥଙ୍କର ଷୋଳକଳା ମଧ୍ୟରୁ ଶ୍ରୀକୃଷ୍ଣ ଏକ କଳାରେ ଅବତାରୀ ହୋଇଛନ୍ତି । ସେହି ଗୋଟିଏ କଳାକୁ ପୁଣି ଷୋହଳ କଳା କରି ତହିଁରୁ ଏକ କଳା ଅର୍ଜୁନକୁ ପ୍ରଦାନ କରିଛନ୍ତି ଏବଂ ପନ୍ଦର କଳା ଘେନି ନିଜେ ଗୋପ ମଥୁରା ତଥା ଦ୍ଵାରିକାଦି କ୍ଷେତ୍ରରେ ଚିରନ୍ତନ ଲୀଳାମାନ ସମ୍ପର୍ଣ୍ଣ କରିଛନ୍ତି। ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟରେ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।

ମଙ୍ଗଳାଚରଣ

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।

ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||

ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।

ବିଶ୍ୱ ସର୍ଗବିସର୍ଗାଦିନବ ଲକ୍ଷଣ ଲକ୍ଷିତମ୍

ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||

ଭାବାର୍ଥ:- ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ।

ମାଧବୋ ମାଧବା ବୀଶୌ ସର୍ବସିଦ୍ଧି ବିଧାୟିନୌ ।

ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||

ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।

ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍ | ୪ ||

ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-

ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।

ଧ୍ୟାନାବତ୍ସିତଦ୍‌ଗତେନ ମନସା ପଶଂନ୍ତି ଯଂ ଯୋଗିନୋ

ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||

ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି, ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି, ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।

ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମମ୍ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||

ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ।

“ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।

ପଦୁ ଗଳୁଛି ମକରନ୍ଦ ॥

ସେ ମକରନ୍ଦ ପାନ କରି ।

ହେଳେ ତରିଲେ ବ୍ରଜନାରୀ ॥

ସେ ବ୍ରଜନାରୀଙ୍କ ପୟରେ ।

ମନ ମୋ ରହୁ ନିରନ୍ତରେ ॥

ମନ ମୋ ନିରନ୍ତରେ ଥାଉ ।

ହା କୃଷ୍ଣ ବୋଲି ଜୀବ ଯାଉ ॥”

--ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଜି ସେହି ମହାନ ତଥା ପବିତ୍ର ଗ୍ରନ୍ଥର ଜନ୍ମଦିନ। ଓଡିଆ ପୁରପଲ୍ଲୀରେ ଏହା ଭାଗବତ ଜନ୍ମ ଭାବେ ବେଶ ପ୍ରସିଦ୍ଧ। ପ୍ରତ୍ୟହ ଓଡିଆ ଭାଗବତ ପଢିବାଦ୍ୱାରା ଅନେକ ଅସାଧ୍ୟ କାର୍ଯ୍ୟ ସାଧନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।