ମୁକ୍ତାକାଶ ରଙ୍ଗମଞ୍ଚର ବର୍ଷିଆନ୍ କମେଡିଆନ୍ ମଣିଭଦ୍ର ବିଶ୍ୱାଳ। ତାଙ୍କର ପରିଚୟ ପାଇଁ ଏତିକି ହିଁ ଯଥେଷ୍ଟ। ଦଶନ୍ଧୀ ଧରି ଯାତ୍ରା ପେଣ୍ଡାଲରେ ଯିଏ ରାଜ୍ କରୁଥିଲେ, ଯାହାଙ୍କ କମେଡି ଶୁଣି ହସି ହସି ବେଦମ୍ ହୋଇଯାଉଥିଲେ ଦର୍ଶକ, ଆଜି ଜରାଶ୍ରମର ଛାତ ତଳେ କଟୁଛି ତାଙ୍କ ଜୀବନ। ଦିନେ ମୁହଁରେ ରଙ୍ଗ ମାରି ଯାତ୍ରା ପେଣ୍ଡାଲକୁ ଉଠୁଥିଲେ... ପ୍ରତିଟି ଅଙ୍ଗଭଙ୍ଗୀ ଓ କଥାରେ କଥାରେ ଲୋକଙ୍କୁ ହସାଉଥିଲେ। ହେଲେ ଅଭିନୟରେ ସେଦିନ ହସାଉଥିବା କଳାକାର ଆଜି ସତେ ଯେପରି ଛାତିରେ ଚାପି ରଖିଛନ୍ତି ଅନେକ କୋହ, ଆଉ ଆଖିରେ ଆଖିଏ ଲୁହ।
ରସରାଜ ମଣିଭଦ୍ର ଏବେ ପାରାଦୀପର ଏକ ଜରାଶ୍ରମରେ କାଟୁଛନ୍ତି ଦିନ। ମନର ସବୁ ଦୁଃଖକୁ ହୃଦୟରେ ଚାପି ରଖିବାର ଚେଷ୍ଟା କରୁ କରୁ ଅନେକ କଥା ସ୍ପଷ୍ଟ ବାରି ହୋଇପଡୁଛି। ଗୋଟିଏ ପଟେ ସମ୍ପର୍କର ଦୁଃଖ, ଆଉ ଗୋଟିଏ ପଟେ ମନର କ୍ଷୋଭ। ବଡ ପୁଅକୁ ସବୁ ଦେଲି, ସେ ପଚାରିଲାନି...ସାନ ପୁଅକୁ କିଛି ଦେଇନି। ତେଣୁ ତା ଉପରେ କାହିଁକି ବୋଝ ହେବି? ତେଣୁ ଚାଲିଆସିଲି ବୋଲି କହୁଛନ୍ତି ମଣିଭଦ୍ର। ତାଙ୍କର ଏଇ କଥା ବୟାନ କରୁଛି ଯେ ଗୋଟେ ବାପ ମନର କ୍ଷୋଭ, ଅଭିମାନ ଆଉ ଦୁଃଖ।
ମଣିଭଦ୍ର କହିଛନ୍ତି ଯେ- ମୋର ସମସ୍ୟା କିଛି ନାହିଁ। ବଡ ପୁଅକୁ ଟଙ୍କା ଧନ ସବୁ ଦେଲି, ହେଲେ ସେ ପଚାରିଲାନି। ସେଥିପାଇଁ ମୁଁ ସାନ ପୁଅ ପାଖରେ ଥିଲି। ଖୁବ ଭଲରେ ସେ ମୋତେ ରଖିଥିଲା। ଖାଇବା ପିଇବାରେ କିଛି ବି ଅସୁବିଧା ନଥିଲା। ମୁଁ ଯେତିକି ଯାହା ପାଉଛି, ନିଜ ଖର୍ଚ୍ଚ ଚଳିଯାଉଛି। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ମୋତେ ଆନ୍ଦୋଳିତ କଲା। ଜୀବନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଯାହାଙ୍କୁ ମୁଁ ଟଙ୍କାଟିଏ ଦେଇନି, ତା ଉପରେ ମୁଁ ବୋଝ ହୋଇ କାହିଁକି ବା ରହିବି? ଶେଷରେ ମୁଁ ସାନ ପୁଅ ପାଖରୁ ବିଦାୟ ନେଇ ଜରାଶ୍ରମ ଚାଲିଆସିଲି।
ଘରକୁ ଫେରିବା କଥା ବିଷୟରେ ପଚାରିବାରୁ ମଣିଭଦ୍ର କହିଛନ୍ତି ଯେ- ସାଂସାରିକ କ୍ଷେତ୍ରରେ ମୁଁ କେବେବି ଭାଙ୍ଗି ପଡ଼େନି... ଯେବେ ସମୟ କହିବ ମୁଁ ଫେରିଯିବି। କ୍ଷୋଭ ପ୍ରକାଶ କରି ସେ କହିଛନ୍ତି- ବାପା କେତେ କଷ୍ଟରେ ତା ପିଲାକୁ ବଡ଼ କରିଛି, ପିଲାମାନେ ବୁଝିବା ଉଚିତ୍। ପ୍ରତ୍ୟେକ ପୁଅଝିଅ ମନେ ରଖିବା ଉଚିତ। ସେପଟେ ପାରିବାରିକ କଳହ ଓ ଆତ୍ମସ୍ୱାଭିମାନ ଦୃଷ୍ଟିରୁ ମଣିଭଦ୍ର ଘର ଛାଡ଼ି ଜରାଶ୍ରମ ଚାଲି ଆସିଥିବା କହିଛନ୍ତି ଜରାଶ୍ରମର ସଭାପତି।