• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାକ୍ ମାନ୍ୟତା ପାଇବାରେ ପଛରେ ପଡିଛି ରାଜ୍ୟ। ଭିତ୍ତିଭୂମି ଓ ଶିକ୍ଷକ ମରୁଡି ମୁଖ୍ୟ କାରଣ । ଅଟକୁଛି ଅନୁଦାନ, ପ୍ରଭାବିତ ହେଉଛି ଉଚ୍ଚ ଶିକ୍ଷା । ବିଶ୍ୱବିଦ୍ୟାଳୟ ସହ ରାଜ୍ୟର ଅଧିକାଂଶ ଡିଗ୍ରୀ କଲେଜର ନାହିଁ ନାକ୍ ମାନ୍ୟତା । ଯାହାକି ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲଗାଇଛି । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ବିବ୍ରତ କଲାଭଳି ।

ରାଜ୍ୟର ୧୬ ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୭ଟିର ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ୍ ବା ନାକ୍ ମାନ୍ୟତା ଅଛି । ସେହିପରି ୫୧୭ ପଞ୍ଜୀକୃତ ଡିଗ୍ରୀ କଲେଜରୁ ମାତ୍ର ୧୮୮ଟିକୁ ନାକ୍ ମାନ୍ୟତା ମିଳିଛି । ଜିଲ୍ଲାୱାରୀ ତଥ୍ୟ ତ ଆହୁରି ସାଂଘାତିକ । ନବରଙ୍ଗପୁରର କୌଣସି ଡିଗ୍ରୀ କଲେଜ ନାକ୍ ମାନ୍ୟତା ପାଇନଥିବାବେଳେ ଦେବଗଡ, ମାଲକାନଗିରି, ସୋନପୁର ଓ କନ୍ଧମାଳରେ ଗୋଟିଏ ଲେଖାଏଁ ନାକ୍ ମାନ୍ୟତା ଥିବା କଲେଜ ରହିଛି । ସରକାର ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଆଶ୍ଚର୍ଯ୍ୟର କଥା ହେଉଛି ଅଧିକାଂଶ ଶିକ୍ଷାନୁଷ୍ଠାନ ନାକ୍ ପ୍ରକ୍ରିୟାରେ ସାମିଲ ହୋଇପାରୁନାହାଁନ୍ତି।

ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅନୁନ୍ନତ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଲାଗି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ନାକ୍ ନିଜ ମାନ୍ୟତା ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନର ତିନିଟି ଦିଗ ଉପରେ ତର୍ଜମା କରିଥାଏ। ପ୍ରଥମଟି ହେଲା ଭିତ୍ତିଭୂମି ଓ ଶିକ୍ଷକ, ଦ୍ବିତୀୟଟି ହେଲା ଗବେଷଣା ଓ ତୃତୀୟଟି ହେଲା ପାରଦର୍ଶିତା। ଏହା ଅନୁଯାୟୀ, ୟୁଜିସି ଠାରୁ ଆରମ୍ଭ କରି, ରୁସା ଓ ବିଶ୍ୱବ୍ୟାଙ୍କ ପାଣ୍ଠି ଆସିଥାଏ। ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ପାଇଁ ପ୍ରସ୍ତୁତ କରି ବିଭିନ୍ନ ଅନୁଦାନ ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ପରିଷଦ ଗଠନ କରିଛି । ମାତ୍ର ପରିଷଦ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକୁ କେତେ ପ୍ରସ୍ତୁତ କରୁଛି ତାହା ଜଳଜଳ ଦେଖାଯାଉଛି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରୁ।

  • Reported by:
  • JAGDISH DAS