• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି ଇଏ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ୍ ବିଭିନ୍ନ ସ୍ତରରେ ରାଜ୍ୟକୁ ଶୋଷଣ କରି ଶାସକ ଦଳ ସାଢ଼େ ୪ ହଜାର କୋଟିର କଳାଧନ ରଖିଥିବା ଅଭିଯୋଗ କରିଛି ବିଜେପି । କଂଗ୍ରେସ ମଧ୍ୟ ବିଜେଡି ପାଖରେ ବିପୁଳ ବ୍ଲାକମନି ଥିବାର ଅଭିଯୋଗ ସହ ଟାର୍ଗେଟ୍ କରିଥିଲା ବେଳେ ଜବାବ ରଖିଛି ବିଜେଡି ।

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି। ଅର୍ଥାତ ୩୬ ଆଞ୍ଚଳିକ ଦଳଙ୍କ ସର୍ବମୋଟ୍ ଆୟର ୨୫.୩୩ ପ୍ରତିଶତ ଆୟ ଏକା ବିଜେଡିର । ତେବେ ସବୁଠୁ ବଡ଼ କଥା ହେଉଛି ମୋଟ ଆୟରୁ ୨୯୧ କୋଟି ଅର୍ଥାତ ପାଖାପାଖି ୯୪ ପ୍ରତିଶତ ଅର୍ଥ ଦଳକୁ ଡୋନେସନ୍, କଣ୍ଟ୍ରିବ୍ୟୁସନ୍ ଓ ଗ୍ରାଣ୍ଟ ଜରିଆରେ ମିଳିଛି ।

ଏମିତିକି କୋଭିଡ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗିନି । ତେବେ ୨୦୨୧ ମସିହାରେ ଇଲେକ୍ସନ ପ୍ରଚାର ସମେତ ବିଭିନ୍ନ ବାଟରେ ମାତ୍ର ୨୮.୬୩ କୋଟି ଖର୍ଚ୍ଚ ହୋଇଥିଲା ବେଳେ ମୋଟ୍ ଆୟରୁ ଦଳ ପାଖରେ ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତ ଅର୍ଥ ବଳକା ରହିଛି । ଆଉ ଏଡିଆରର ଏଇ ରିପୋର୍ଟ ସାମ୍ନାକୁ ଆସିବା ପରେ ବିଜେଡିକୁ ଘେରିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି ବ୍ଲାକମନିରେ ବୁଡିଛି ବିଜେଡି ।

ଲିଗାଲ ଫଣ୍ଡିଂ ବାଦ୍ ଦଳ ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ନିଜ ପାଖରେ ସାଢ଼େ ୪ ହଜାର କୋଟିର କଳାଧନ ରଖିଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏମିତିକି ଶିଳ୍ପସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର ବେଳେ ଟଙ୍କା ପାଇଁ ଚାପ ପକାଯାଉଛି, ସେଥିପାଇଁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ । ସେହିପରି କଂଗ୍ରେସ ମଧ୍ୟ ବିଜେଡିକୁ ଏତେ ଟଙ୍କା କେଉଁଠି ଆଣିଲ ବୋଲି ପ୍ରଶ୍ନ କରିବା ସହ ବ୍ଲାକମନିର ଅଭିଯୋଗ ଆଣିଛି । ଯାହାର ଜବାବ ରଖିଛି ବିଜେଡି ।

ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ଅକ୍ଟୋବର ସୁଦ୍ଧା ଆଞ୍ଚଳିକ ଦଳମାନେ ଦାଖଲ କରିଥିବା ଆୟବ୍ୟୟ ତାଲିକାର ସମୀକ୍ଷା କରି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ- ଏଡିଆର୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଡିଏମକେ ୩୧୮.୭୪୫ କୋଟି ଟଙ୍କା ଆୟ ସହ ସବୁଠୁ ଧନୀ ଭାବେ ତାଲିକାର ୧ ନମ୍ବରରେ ଥିଲା ବେଳେ ବିଜେଡି ତଳକୁ ତୃତୀୟରେ ଟିଆରଏସ୍ ଓ ଚତୁର୍ଥରେ ୱାଇଏସଆର କଂଗ୍ରେସ ରହିଛି ।

ସାଲେପୁରରୁ ମନୋଜ ଆଚାର୍ଯ୍ୟ, ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି