• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଇଡା( ସୁନୀଲ କୁମାର ପଣ୍ଡା) : ସମସ୍ତେ ସ୍କୁଲ ଯାଉଛନ୍ତି, ମୁଁ ଯାଇପାରୁନି । ଦେଖିକି ଭଲ ଲାଗୁନି । କରୋନା କାଳରେ ଅଷ୍ଟମ ପାସ୍ କଲି । ହେଲେ କାଷ୍ଟ ସାର୍ଟିଫିକେଟ୍, ଇନକମ୍ ସାର୍ଟିଫିକେଟ୍ ବାହାର ହେଲାନି । ସେଥିପାଇଁ ପାଠ ପଢ଼ାରୁ ବଞ୍ଚିତ ହେଲି । ଏବେ ଘରେ ଅଛି । ଇଚ୍ଛା ଥିଲେ ବି ସ୍କୁଲ ଯାଇପାରୁନି ବୋଲି କହିଛନ୍ତି ଅଧାରୁ ପାଠ ଛାଡ଼ିଥିବା ଜଣେ ଛାତ୍ର ।

school probelmଅଧାରୁ ପାଠ ଛାଡ଼ିଥିବା ଜଣେ ଛାତ୍ର

ସେହିପରି ଜଣେ ଛାତ୍ରୀ କହିଛନ୍ତି, ପଇସା ପତ୍ର ଅଭାବରୁ ପାଠ ପଢ଼ି ହେଉନି । ସ୍କୁଲ ଦୂରରେ ଅଛି । ଜଙ୍ଗଲ ରାସ୍ତା ଦେଇ ଏକୁଟିଆ ଯିବାପାଇଁ ଭୟ । ସାଙ୍ଗମାନେ ପାଠ ପଢ଼ୁଛନ୍ତି, ହେଲେ ମୁଁ ଘରେ ରହୁଛି । ଦୁଇ ବର୍ଷ ହେଲା ଘରେ ଅଛି, ପାଠ ପଢ଼ିପାରୁନି ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ।

 

schoolଦୁଇ ବର୍ଷ ହେଲା ପାଠ ଛାଡ଼ି ବସିଛନ୍ତି ଏହି ଛାତ୍ରୀ ଜଣକ ।

ବିଚିତ୍ର ଶିକ୍ଷା ବ୍ୟବସ୍ଥା । ଖଣି ଅଞ୍ଚଳରେ ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ । ହାଇଟେକ ଟେକ୍ନୋଲୋଜିରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖାଉଥିବା ସରକାର କରୁଛନ୍ତି କ’ଣ ? ସାର୍ବଜନୀନ ପ୍ରାଥମିକ ଶିକ୍ଷାର ସିଦ୍ଧାନ୍ତ ମୂଳକ ଭୂମିକା ହେଉଛି ଗଣତନ୍ତ୍ରରେ ସାମାଜିକ ବ୍ୟବସ୍ଥା । କିନ୍ତୁ ଏ ବ୍ୟବସ୍ଥାରେ ଆସିଚି ଏକ ବଡ଼ ପରିବର୍ତ୍ତନ । ଖଣି ରାଜଧାନୀ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରୁ ଆସିଥିବା ଏକ ତଥ୍ୟ ଏବେ ଜିଲ୍ଲା ଶିକ୍ଷା ବିଭାଗକୁ କାଠଗଡାକୁ ଟାଣିଛି । ତଥ୍ୟ କହୁଛି ପ୍ରତ୍ୟେକ ବର୍ଷ ଏଠାରେ ପାଠପଢା ଛାଡ଼ୁଛନ୍ତି ୪୦୦ ଜଣ ଛାତ୍ରଛାତ୍ରୀ ।

ଜାତୀୟ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଆଇନ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିଛନ୍ତି । ୧୪ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏଥିପାଇଁ ସାମ୍ବିଧାନିକ ନିର୍ଦ୍ଦେଶ ରହିଛି । ଶିକ୍ଷା ସମସ୍ତଙ୍କର ଆବଶ୍ୟକତା ଓ ମୌଳିକ ଅଧିକାର । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନ ନିମନ୍ତେ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଥିଲା ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଚିତ୍ର । ବିଗତ କିଛି ବର୍ଷ ଧରି କୋଇଡା ବ୍ଲକ ରେ ନାନା କାରଣ ବସତ ପାଠ ପଢ଼ା ଛାଡିଛନ୍ତ ହଜାର ହଜାର ଛାତ୍ରଛାତ୍ରୀ । ତଥ୍ୟ ଅନୁସାରେ ପ୍ରତ୍ୟେକ ବର୍ଷ ଏଠାରେ ୪୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧାରେ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ବର୍ଷ କଥା ଛାଡନ୍ତୁ ଖାଲି ୨୦୨୦-୨୧ ଶିକ୍ଷା ବର୍ଷରେ କେବଳ ଅଷ୍ଟମ ଶ୍ରେଣୀରୁ ନବମ ଶ୍ରେଣୀ ନାମ ଲେଖାଇ ପାରିଲେ ନାହିଁ ୨୯୯ ଛାତ୍ରଛାତ୍ରୀ ।

ଆଧାର କାର୍ଡରେ ନାମ ଭୁଲ ରହିବା, ଅଭିଭାବକଙ୍କ ନାମ କି ଜନ୍ମ ତାରିଖରେ ତ୍ରୁଟି, ବ୍ୟାଙ୍କ୍ ଖାତା ନଥିବା, କିଛି ବିଦ୍ୟାଳୟରେ ସ୍ଥାନର ଅଭାବ, ଦୂରଦୁରାନ୍ତର ଯାଏଁ ବିଦ୍ୟାଳୟର ଅଭାବ ଓ ଗମନାଗମନର ଅସୁବିଧା ନେଇ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ କରିଛନ୍ତି ।

ବହୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଇଚ୍ଛୁକ ଥିଲେ ସୁଦ୍ଧା ପାଠ ପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ପଞ୍ଚମ ରୁ ଷଷ୍ଠ ନାମ ଲେଖା ଓ ଅଙ୍ଗନୱାଡିରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବହୁ ଛାତ୍ର ଛାତ୍ରୀ ବଞ୍ଚିତ ରହୁଛନ୍ତି । କୋଇଡା ହେଡକ୍ଵାଟରରେ ଥିବା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଯାହା ବର୍ତ୍ତମାନ ୫ଟି ରେ ରୂପାନ୍ତରିତ କରାଯାଇଛି ।

ଏହି ବିଦ୍ୟାଳୟ ପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଫଳରେ ଛାତ୍ରଛାତ୍ରୀ ଦିଗହରା ହୋଇ ବାଲ୍ୟବିବାହ, ଶିଶୁ ଶ୍ରମିକ ର ଶୀକାର ହେଉଥିବା ବୁଦ୍ଧିଜୀବୀ ଓ ଶିଶୁ ସୁରକ୍ଷା ବିକାଶ ମଞ୍ଚ ଏବଂ ସ୍ଥାନୀୟ ବିଧାୟକ ଅଭିଯୋଗ ଆଣିଛନ୍ତି । ପୂରା ଘଟଣା ଓ ତଥ୍ୟକୁ ଶୁଣିବା ପରେ ଜିଲ୍ଲା ଅଧିକାରୀ ଏହାର ତୁରନ୍ତ ତଦନ୍ତ କରିବେ ବୋଲି ମତ ଦେଇଛନ୍ତି ।