• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି । ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର ପୂର୍ବରୁ ଖୋଲାଯାଇଥିଲା ।

ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲା ଯାଇଥିଲା । ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ର ଗୁଡିକୁ ଲୁହା ବାକ୍ସରେ ରଖାଯାଇ ନଥିଲା ।

ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହ ଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।

ମାଟ୍ରିକ ପରୀକ୍ଷାରେ କପି ଧରିବା ହେଉ କି ବିଶୃଙ୍ଖଳା ରୋକିବା, ବିଭିନ୍ନ କ୍ଷେତ୍ରରେ ଫାଇଦା ଦେଉଛି ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା AI । କେଉଁଠି ମାଲ ପ୍ରାକ୍ଟିସ୍ ରୋକିଛି, ତ ଆଉ କେଉଁଠି ହଲ ଭିତରେ ଅନଧିକାର ପ୍ରବେଶ କରିଥିବା ପୋଲିସ କର୍ମଚାରୀଙ୍କୁ ଧରିଛି ଏହି ଅତ୍ୟାଧୁନିକ ଟେକନୋଲୋଜି ।

ମଣିଷ ଆଖିକୁ ଚକମା ଦେଇହେଉଛି, କିନ୍ତୁ AI କ୍ୟାମେରାକୁ ନୁହେଁ । ନଜର ପକାନ୍ତୁ ମାଟ୍ରିକ ପରୀକ୍ଷା ବେଳେ କେଉଁ କେଉଁ ପ୍ରମୁଖ ତ୍ରୁଟି ଓ ବିଶୃଙ୍ଖଳା ଉପରେ ନଜର ରଖିଛି AI...

- ପରୀକ୍ଷାର୍ଥୀଙ୍କ କପି, କଥାବାର୍ତ୍ତା କିମ୍ବା ଡେସ୍କବେଞ୍ଚ ଘୁଞ୍ଚାଘୁଞ୍ଚି

- ପରୀକ୍ଷା କେନ୍ଦ୍ରରେ ମୋବାଇଲର ବ୍ୟବହାର

- ହଲରେ ଇନଭିଜିଲେଟରଙ୍କ ଅନୁପସ୍ଥିତି କିମ୍ବା ଚଳପ୍ରଚଳ ନହେବା

- ଷ୍ଟ୍ରଙ୍ଗ ରୁମରେ ଆବଶ୍ୟକତା ଠାରୁ ଅଧିକ ଲୋକ ଏକାଠି ହେବା

- ଠିକ୍ ସମୟରେ ଫାଟକ ଖୋଲା ଓ ବନ୍ଦ ହେଉଛି କି ନାହିଁ

- ପ୍ରଶ୍ନପତ୍ର ଖୋଲା ଯିବା ଏବଂ ପରୀକ୍ଷା ଖାତା ବଣ୍ଟନ

- ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ପୋଲିସ କର୍ମଚାରୀ ଗପୁଥିଲେ ବି ଆସିବ ଆଲର୍ଟ

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।

ଏସବୁ ସିଧାସଳଖ ସଂଯୋଗ ହୋଇଛି ବୋର୍ଡ କାର୍ଯ୍ୟଳୟରେ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ସହ । ବିରାଟ ଏଲଇଡି ସ୍କ୍ରିନରେ ଭିଡିଓ ଲାଇଭ ଷ୍ଟ୍ରିମିଂ ହେଉଛି ଏବଂ AI ଆଲର୍ଟ ଆସୁଛି । ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ଏବଂ ୨୦ ଜଣିଆ ଅବଜର୍ଭର ଟିମ୍ ।

କେଉଁଠି ବିଶୃଙ୍ଖଳା ନଜର ଆସିଲେ ୩ ଜଣିଆ ଅଫିସର କମିଟିକୁ ଜଣାଇବେ ଏବଂ ଏହାର ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ । କେବଳ ମାଟ୍ରିକ୍ ନୁହେଁ, ୧୬ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷାରେ ବି ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସର୍ଭେଲାନ୍ସର ଉପଯୋଗ ବ୍ୟବସ୍ଥା ହୋଇଛି ।