• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସିବିଏସ୍ଇ, ଆଇସିଏସ୍ଇ ଏବଂ ଓଡିଶା ବୋର୍ଡର ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ପିଲାଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ବାର୍ଷିକ ପରୀକ୍ଷା ବଦଳରେ ଦୁଇଟି ସମ୍ମେଟିଭ ଓ ପ୍ରାକ୍ଟିକାଲ ପରୀକ୍ଷା ପଦ୍ଧତି ଅବଲମ୍ବନ କରିଛି । ସର୍ବମୋଟ ୮୦ ମାର୍କର ଲିଖିତ ଓ ୨୦ ମାର୍କ ପ୍ରାକ୍ଟିକାଲ ରହିଛି । ପିଲାଏ ସମ୍ମେଟିଭ୍ ୱାନ ପରୀକ୍ଷା ଦେଇସାରିଛନ୍ତି । ତଥାପି ମନରେ ଆଶା ଆଶଙ୍କା ରହିଛି ।

ମାର୍ଚ୍ଚ ୧ ରୁ ଏପ୍ରିଲ ୫ ଯାଏ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ ମାର୍ଚ୍ଚ ୧୦ରୁ । ମାଟ୍ରିକରେ ପ୍ରାୟ ସାଢେ ୫ ଲକ୍ଷ ପିଲା ପରୀକ୍ଷା ଦେବାକୁ ଥିବାବେଳେ ଯୁକ୍ତ ଦୁଇରେ ପ୍ରାୟ ସାଢେ ତିନି ଲକ୍ଷ ପିଲା ପରୀକ୍ଷା ଦେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଦୁଇ ଦୁଇଟି ବୋର୍ଡ ପରୀକ୍ଷା ଲାଗି ଏକାଧିକ ଚାଲେଞ୍ଜ ରହିଛି । ପ୍ରଥମ ଚାଲେଞ୍ଜ ହେଲା ପରୀକ୍ଷା ପୂର୍ବରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବା । ଠିକ୍ ସମୟରେ ଫଳ ପ୍ରକାଶନ କରିବା ।

ସେପଟେ ଏବେଠାରୁ ଗ୍ରୀଷ୍ମ ତାତି ଅନୁଭୂତ ହେଲାଣି । ପରୀକ୍ଷା ସମୟରେ ସତର୍କତା ମୂଳକ ପଦକ୍ଷେପ ନେବା ମଧ୍ୟ ବିଭାଗ ପାଇଁ ଚାଲେଞ୍ଜ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଲାଗି ଅଭିଭାବକ ଦାବି କରିଥିବାବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ରାଜ୍ୟ ବୋର୍ଡ ଅଧିନରେ ପରୀକ୍ଷା ଦେଇଥିବା ମାଟ୍ରିକ ଓ ଯୁକ୍ତ ଦୁଇ ପିଲାଙ୍କ ସବୁବେଳେ ଗୋଟିଏ ଅଭିଯୋଗ । ସିବିଏସ୍ଇ ଓ ଆଇସିଏସ୍ଇ ରେଜଲ୍ଟ ତୁଳନାରେ ରାଜ୍ୟ ବୋର୍ଡ ରେଜଲ୍ଟ ଅନେକ ବିଳମ୍ବରେ ପ୍ରକାଶ ପାଇଥାଏ । ତେବେ ଚଳିତ ବର୍ଷ ନୂଆ ପଦ୍ଧତିରେ ପରୀକ୍ଷା ହେଉଥିବାରୁ ରେଜଲ୍ଟ କେତେ ଶୀଘ୍ର ପ୍ରକାଶ ପାଉଛି ତାଉପରେ ନଜର ।