• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚୋରି ହେଉ କି ଲୁଟପାଟ୍ ବା ମାରପିଟ୍ । ସବୁ ଦେଖୁଛି ଉପରବାଲା । ଉପରବାଲାମାନେ ସିସିଟିଭି । ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ । ତେଣୁ ବ୍ୟାବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ କି ସାଧାରଣ ଘର ଆଗରେ ଯେତେ ସିସିଟିଭି ଲାଗିଛି ଅପରାଧ ନିୟନ୍ତ୍ରଣରେ ତାର ପୁରା ସଦୁପଯୋଗ କରିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି 'ସହଭାଗିତା' କାର୍ଯ୍ୟକ୍ରମ ।

ରାଜଧାନୀ ଶିଶୁପାଳଗଡ଼ ଆତଙ୍କରାଜର ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଥିଲା ଯେ ରାତିରେ କିଛି ଦୁର୍ବୃତ୍ତ ଖଣ୍ଡା କାତିରେ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିଥିଲେ । ପାଖ ଘର ଓ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା ପୁରା ଘଟଣା । ଏହି ସିସିଟିଭି ଭିଜୁଆଲ ଆଧାରରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଛି । ସିସିଟିଭି ନ ଥିଲେ ହୁଏତ ଅନ୍ଧାର ରାତିରେ ଆତଙ୍କରାଜ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଏତେ ସହଜ ହୋଇନଥାନ୍ତା ।

ଭୁବନେଶ୍ୱର ସହର ସାରା ସରକାର ୭ ଶହ କ୍ୟାମେରା ଲଗାଇଛନ୍ତି । ନିଜ ସୁରକ୍ଷା ପାଇଁ ଏବେ ସାଧାରଣ ଲୋକେ ନିଜର ଘରେ, ଆପାର୍ଟମେଣ୍ଟରେ କ୍ୟାମେରା ଲଗାଉଛନ୍ତି । ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍, ବ୍ୟାଙ୍କ୍ ପରି ସଂସ୍ଥାରେ ମଧ୍ୟ ସିସିଟିଭି ଲଗାଯାଉଛି । ରାଜଧାନୀରେ ଯେତେ ସିସିଟିଭି ଅଛି, ଅପରାଧ ନିୟନ୍ତ୍ରଣରେ, ଅପରାଧୀଙ୍କୁ ଚିହ୍ନଟ କରିବାରେ ଯେମିତି ସମସ୍ତ ସିସିଟିଭିର ସଦୁପଯୋଗ କରାଯାଇପାରିବ, ସେଥିପାଇଁ ସେଗୁଡ଼ିକର ଆଇପି ଆଡ୍ରେସ୍ ପୋଲିସକୁ ଦେବା ପାଇଁ ଅନୁରୋଧ କରିଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ ଏହି କାର୍ଯ୍ୟକ୍ରମର ନାଁ ରଖିଛି ସହଭାଗିତା । ଏଥିରେ ଯୋଡ଼ି ହେବା ପାଇଁ ଏକ ନମ୍ବର ଜାରି କରାଯାଇଛି । ତାହା ହେଲା ୯୪୩୯୨ ୨୪୪୪୧ । ସ୍ଥାନୀୟ ଥାନାର ଆଇଆଇସିଙ୍କୁ ଲୋକେ ଯୋଗାଯୋଗ କରି ନିଜ ସିସିଟିଭିର ଆଇପି ଆଡ୍ରେସ୍ ଦେଇପାରିବେ । ପୋଲିସ କମିଶନର୍ ପ୍ରତିଶ୍ରୁତି ଦେଇଛନ୍ତି,  ଏପରି ସିସିଟିଭିର ସବୁ ତଥ୍ୟ ଗୋପନ ରଖାଯିବ । ରାଜଧାନୀବାସୀ ଆଶା କରିଛନ୍ତି, ଏହା ଦ୍ୱାରା ଅପରାଧ ହ୍ରାସ ପାଇବ ।

୨୦୨୨ରେ ପ୍ରଥମେ କଟକରେ ଏହି ସହଭାଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ପୋଲିସ ସହିତ ଯୋଡ଼ି ହୋଇଥିଲା ୬୦୦ ପ୍ରାଇଭେଟ୍ ସିସିଟିଭି । ଏହାର ସଫଳତାକୁ ଦେଖି ଭୁବନେଶ୍ୱରରେ ମଧ୍ୟ ସହଭାଗିତାକୁ କାର୍ଯ୍ୟକାରୀ କରାଯାଉଛି ।

  • Reported by:
  • ATULYA BOUT