• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାହା ଛତ୍ରଛାୟା ତଳେ ଦୁର୍ନୀତି ?

  • ଜେଲ୍ ଗଲେ ୧୫ କୋଟି କଳାଧନର ମାଲିକ ପ୍ରତାପ ସାମଲ ।

  • କାହା ଛତ୍ରଛାୟାରେ ଏତେ ବର୍ଷ ଧରି ଚଳାଇଥିଲେ ଦୁର୍ନୀତି, ଉଠିଲା ପ୍ରଶ୍ନ ।

ଭୁବନେଶ୍ୱର, (ରିପୋର୍ଟ-ଆଲୋକ ମହାନ୍ତି ): ପୂରିଗଲା ପାପର ଘଡ଼ା । ଭୁଲ୍ ହୋଇଗଲା ପୋଲିସ୍ ହାଉସିଂ କର୍ପୋରେସନ୍ ଏଷ୍ଟିମେଟରଙ୍କ ଏଷ୍ଟିମେଟ୍ । ବନ୍ଧା ହେଲେ କୋଟିପତି ସରକାରୀ ବାବୁ ପ୍ରତାପ ସାମଲ । ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ, ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର୍ କର୍ପୋରେସନ୍‌ର ଏହି ଡେପୁଟି ମ୍ୟାନେଜରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ବି ହୋଇଛି କେସ୍ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ବଡ଼ ଆୟ ବହିର୍ଭୂତ ସଂପତ୍ତି ଧରପଗଡ଼ ବୋଲି କୁହାଯାଉଛି ।

ତେବେ କେବଳ ପ୍ରତାପ ନୁହଁନ୍ତି, ତାଙ୍କ ଭଳି ବହୁ ସରକାରୀ କର୍ମଚାରୀ ନିକଟ ଅତୀତରେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?

ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହେବା ପରେ, ପ୍ରତାପଙ୍କୁ ଗିରଫ କରିବା ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ପ୍ରାୟ ସାଢ଼େ ୩ କୋଟି ଟଙ୍କାର ୨୫ଟି ପ୍ଲଟ୍, ଭୁବନେଶ୍ୱର ଓ ଭଦ୍ରକରେ ଏକାଧିକ ଆଲିଶାନ୍ କୋଠା ଓ ଫ୍ଲାଟ୍ ଏବଂ ବ୍ୟାଙ୍କ୍ ବାଲାନ୍ସକୁ ମିଶାଇ ପ୍ରତାପଙ୍କ ମୋଟ ସଂପତ୍ତିର ମୂଲ୍ୟ ୧୬ କୋଟି ୩୦ ଲକ୍ଷରୁ ଅଧିକ । ସେଥିରୁ ୧୪ କୋଟି ୮୭ ଲକ୍ଷ ଆୟ ବହିର୍ଭୁତ । ଆୟଠୁ ପ୍ରାୟ ୧ହଜାର ୨୧ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଛନ୍ତି ଏହି କୁବେର ବାବୁ ।

ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ଥିବା ବେଳେ ତାକୁ ଅଚଳ କରାଯାଇଛି । ଗତକାଲି ଭୁବନେଶ୍ୱର ଓ ଭଦ୍ରକର ୧୦ଟି ସ୍ଥାନରେ ଭିଜିଲାନ୍ସ ଅଚାନକ୍ ଚଢ଼ାଉ କରି, ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହି ସର୍ବାଧିକ ଆୟ ବହିର୍ଭୂତ ସଂପତ୍ତି ଠୁଳ ଘଟଣାର ପର୍ଦ୍ଦାଫାସ୍ କରିଛି ।

ପୋଲିସ ହାଉସିଂ କର୍ପୋରେସନ୍‌ର ଏଷ୍ଟିମେଟର୍ ଭାବେ ଚାକିରି ଆରମ୍ଭ କରିଥିଲେ ପ୍ରତାପ ସାମଲ । ୩୩ ବର୍ଷ ଚାକିରିର ଦରମାକୁ ମିଶାଇଲେ ୫୦ ଲକ୍ଷ ଏବଂ ମୋଟ ସଂପତ୍ତି ବେଶିରୁ ବେଶି ଦେଢ଼ କୋଟି ହେବା କଥା । ହେଲେ ତାଙ୍କ ପାଖରେ ୧୬ କୋଟିର ସଂପତ୍ତି ଆସିଲା କେଉଁଠୁ ? ଟେଣ୍ଡର୍, କଣ୍ଟ୍ରାକ୍ଟରି ଓ ବିଭିନ୍ନ ପ୍ରୋଜେକ୍ଟରୁ ସେ ଏହି କଳା ଟଙ୍କା ହାତେଇ ଥିବା ସନ୍ଦେହ କରାଯାଉଛି ।

 

ତେବେ କେବଳ ପ୍ରତାପ କାହିଁକି ? ଜୁଲାଇ ୩୧ରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ ଏବଂ ଅକ୍ଟୋବର ୨୮ରେ କୋଟିପତି ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଠାରୁ ବି ମିଳିଥିଲା ଆଖି ତରାଟିଲା ଭଳି କୋଟି କୋଟିର କଳା ସଂପତ୍ତି । ପ୍ରଶ୍ନ ଉଠୁଛି, ଏହି ସବୁ ସରକାରୀ ବାବୁମାନଙ୍କ ଉପରେ ଏତେ ବିଳମ୍ବରେ କାହିଁକି ପଡ଼ୁଛି ଭିଜିଲାନ୍ସର ଆଖି ? ବର୍ଷ ବର୍ଷ ଧରି କେମିତି ନଜର ଆଢ଼ୁଆଳରେ ଚାଲିଥିଲା କଳା କାରନାମା ? ସବୁଠୁ ବଡ଼ ପ୍ରଶ୍ନ, କିରାଣୀ, ପିଏସ୍, କନଷ୍ଟେବଳ ଭଳି କର୍ମଚାରୀଙ୍କୁ ଧରି କେମିତି ଚୁପ୍ ବସିଯାଉଛି ବିଭାଗ ? ଏହା ପଛରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଭୂମିକାର ଖୋଳତାଡ଼ କରାଯାଉନି କାହିଁକି ? ବଡ଼ ମାଛଙ୍କୁ ଜାଲ ପାଉନି, ନା ବଳ ପାଉନି ?

ସୂଚନା ଅନୁସାରେ, ଭିଜିଲାନ୍ସ ୨୦୨୦ରେ ୨୪୫ଟି ମାମଲା ରୁଜୁ କରିବା ସହ ୧୮୭ ଜଣଙ୍କୁ ଗିରଫ କରିଥିଲା । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ୧୬୦ଟି ମାମଲା ରୁଜୁ ହୋଇଛି ଏବଂ ୧୨୭ ଜଣଙ୍କୁ ଗିରଫ କରାଯାଇଛି ।