• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଏବେ ଘୁରି ବୁଲୁଛନ୍ତି ମାଳ ମାଳ ଠକ । ମିଛିମିଛିକା ସରକାରୀ ପଦ ପଦବୀର ଅଧିକାରୀ କହି ଚୁନା ଲଗାଉଛନ୍ତି ଚାକିରୀ ଆଶାୟୀଙ୍କୁ । ଆଉ ରୋଜଗାର ପାଇବା ଆଶାରେ ଏହି ଠକଙ୍କ ପାଲରେ ପଡ଼ି ରାଜ୍ୟର ଯୁବକଯୁବତୀ ବି ସର୍ବସ୍ୱ ହରାଉଛନ୍ତି । ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଉଛି, ଏଭଳି ରାକେଟ୍ ପଛରେ ରହୁଛି ସରକାରୀ କର୍ମଚାରୀଙ୍କ ଲିଙ୍କ୍ । କ୍ରାଇମବ୍ରାଞ୍ଚ STF ଚାକିରୀ ନାଁରେ ମହାଠକେଇ ଗ୍ୟାଙ୍ଗର ଖୁଲାସା କରିବା ସହ ୨ ଠକଙ୍କୁ ବାନ୍ଧିବା ପରେ ସାମ୍ନାକୁ ଆସିଛି ସାଂଘାତିକ ସତ ।

ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ ! କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଚାକିରି ନାଁରେ ଚୁନା ଲଗାଉଥିବା ମହାଠକଙ୍କ ଚିତ୍ର ଆଉ ଚରିତ୍ରର କାହାଣୀ ।

କିଶୋର ମିଶ୍ର ଆଉ କାହ୍ନୁଚରଣ ପ୍ରଧାନ । ବିଲକିଲ୍ ସାଦାସିଧା ଲୁକ୍ସ । ହେଲେ ଏ ଚେହେରା ପଛର କେଳେଙ୍କାରୀ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ । କାରଣ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି ଏହି ୨ ଜଣଙ୍କ ବିରୋଧରେ । ଯାହାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

କିଶୋର ହେଉଛନ୍ତି ବ୍ରହ୍ମପୁରର ଆଉ କାହ୍ନୁଚରଣ ହେଉଛନ୍ତି ଖୋର୍ଦ୍ଧା ଟାଙ୍ଗି ଅଞ୍ଚଳର । ଏମାନଙ୍କ ଟାର୍ଗେଟରେ ଥିଲେ ଗ୍ରାମାଞ୍ଚଳର ଯୁବକ ଯୁବତୀ । ପଞ୍ଚାୟତରେ ବାହାରୁଥିବା ସରକାରୀ ଚାକିରିର ବିଜ୍ଞାପନକୁ ଟ୍ରାକ୍ କରିବା ସହ ଆବେଦନକାରୀଙ୍କ ପାଖରେ ପହଞ୍ଚିଯାଉଥିଲେ ଏମାନେ । ନିଜ ଫୋନ ନମ୍ବରକୁ ଟ୍ରୁ କଲରରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଦର୍ଶାଇ ସେଭ୍ କରିବା ସହ ସେହି ନମ୍ବରରେ କଲ୍ କରି ଆଦାୟ କରୁଥିଲେ ଟଙ୍କା । ବିଭିନ୍ନ ସମୟରେ ଏମାନେ ନକଲି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରୁଥିଲେ । କିଏ ଯଦି ପାଲରେ ପଡ଼ି ଟଙ୍କା ଗଣିଲା, ତାକୁ ନକଲି ନିଯୁକ୍ତିପତ୍ର ଧରାଇ ମାଲାମାଲ୍ ହୋଇଯାଉଥିଲେ ଏମାନେ ।

କିଶୋର ଓ କାହ୍ନୁ କେବେ କେବେ ନିଜକୁ ଆରଟିଆଇ କର୍ମୀର ପରିଚୟ ଦେଇ ବହୁ ଲୋକଙ୍କୁ ଚୁନା ଲଗାଇଥିବା ଅଭିଯୋଗ ହୋଇଛି । କୋରାପୁଟ ଟାଉନଥାନାରେ ଏକ ଅଭିଯୋଗ ଆଧାରରେ ତଦନ୍ତ କରି ଉଭୟଙ୍କୁ ଗିରଫ ପରେ କୋରାପୁଟ ଜେଲକୁ ପଠାଇଛି କ୍ରାଇମବ୍ରାଞ୍ଚ STF । କାହ୍ନୁଚରଣଙ୍କ ଠାରୁ ୪ କୋଟି ଟଙ୍କାର ବ୍ୟାଙ୍କ ଜମାର ତଥ୍ୟ ବି ମିଳିଛି ।

ଚାକିରି ଦେବା ନାଁରେ ଆଶାୟୀଙ୍କୁ ଏଭଳି ଠକେଇ ନୂଆ ନୁହେଁ କିମ୍ବା କେବଳ ଏହି ୨ ଅଭିଯୁକ୍ତ ନୁହଁନ୍ତି । ଗତ ଜାନୁୟାରୀରେ ଉତ୍ତରପ୍ରଦେଶର ଜାଫର୍ ଅହମ୍ମଦ ନାମକ ଜଣେ ଯୁବକ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରାୟ ୫୦ ହଜାର ଆଶାୟୀଙ୍କୁ ଚୁନା ଲଗାଇ ଧରାପଡ଼ିଥିଲା । ସେହିଭଳି ଗତ ଏପ୍ରିଲରେ ଅରୁଣ ମହାନ୍ତି ଏବଂ ରାଜକିଶୋର ପଟ୍ଟନାୟକଙ୍କୁ ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା ।

ତେବେ ଚାକିରି ନାଁରେ କାହିଁକି ସକ୍ରିୟ ହୋଇଉଠୁଛନ୍ତି ଠକ ? ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ରାଜ୍ୟରେ ବର୍ଷକୁ ହାରାହାରି ୫ ଲକ୍ଷ ଯୁବକ ଯୁବତୀ ଚାକିରି ପାଇଁ ନାମ ପଞ୍ଜୀକରଣ କରୁଛନ୍ତି । ୨୦୨୨ରେ ରାଜ୍ୟର ପଞ୍ଜୀକୃତ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଥିଲା ୮ ଲକ୍ଷ ୮୦ ହଜାର । ଅର୍ଥାତ ଚାକିରି ଖଣ୍ଡିଏ ପାଇବା ପାଇଁ ଲାଗିରହିଥିବା ପ୍ରତିଯୋଗିତାର ଫାଇଦା ଉଠାଉଛନ୍ତି କି ଠକ ଆଉ ଦଲାଲ ? ଯଦି ହଁ, ତେବେ ଏଭଳି ସର୍ଟକଟ୍ ଉପାୟରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

 

  • Reported by:
  • CHANDAN PAIKRAY