/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692544147.jpg)
Koraput girl’s Independence Day speech
ଅଭିନୟ ମାଧ୍ୟମରେ ବ୍ୟବସ୍ଥାର ମୁଖା ଖୋଲିଥିବା କୋରାପୁଟର କୁନିଝିଅର କଥା କାନରେ ବାଜିବା ପରେ ଏବେ ଚେତା ପଶିଲା ଜିଳ୍ଲା ପ୍ରଶାସନର । ସ୍କୁଲରେ ନୂଆ ନୂଆ ବାରଣ୍ଢା ମାଡ଼ିଥିବା ସୋନାଲିର ଭିଡିଓ ଭାଇରାଲ୍ ହେବା ପରେ ଏବେ ସେହି ଅଭିଶପ୍ତ ଗାଁ ପଦୁଗୁଡ଼ାରେ ପାଦ ଦେଇଛନ୍ତି ସରକାରୀ ବାବୁ । ପାଣି କାଦୁଅରେ ବୁଲିବା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି, ତା’ସହ ଲୋକଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି ।
ଦରୋଟି ଓଠରେ ସେଦିନର ଏହି ଦୁଇ ପଦ ଆଜି ଦୋହଲାଇ ଦେଇଛି ସରକାରୀ ବାବୁଙ୍କୁ । ଅଭିନୟ ହେଉ ପଛେ, ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇବା ପରେ ଆଜି ନିଦ ଭାଙ୍ଗିଛି ଅଫିସରଙ୍କ । କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।
ନଳକୁଅଠୁ ଟ୍ୟାପ୍ ଯାଏଁ ଅନୁଧ୍ୟାନ କରି ପାନୀୟ ଜଳ ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ଘରକୁ ଘର ବୁଲି ମୌଳିକ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । କାରଣ ଇଏ ଏମିତି ଏକ ଇଲାକା, ଯେଉଁଠି ସ୍ୱାଧୀନତାର ୭୭ ବର୍ଷ ପରେ ବି ଏକପ୍ରକାର ଅଭିଶପ୍ତ ଜୀବନ ଜୀଇଁବାକୁ ପଡୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତଠାରୁ ପଦୁଗୁଡା ଗାଁର ଦୂରତା ମାତ୍ର ୩ କିଲୋମିଟର । ଗାଁରେ ବାସ କରନ୍ତି ୯୦ ଆଦିବାସୀ ପରିବାର । ଜୀବିକା କହିଲେ ପୋଡ଼ୁଚାଷ । ଏଠି ଲୋକେ କେତେ ଦୁର୍ଦ୍ଦଶାରେ ଚଳୁଛନ୍ତି ତାହା ଜଳଜଳ ହୋଇ ଦିଶୁଥିବା ବେଳେ ଗର୍ଭବତୀଙ୍କ ପାଇଁ ଏ ଗାଁକୁ ଆସିପାରେନି ଆମ୍ବୁଲାନ୍ସ । ସମସ୍ୟାର ପ୍ରତିକାର ପାଇଁ ବ୍ଲକଠୁ ଜିଲ୍ଲା ପ୍ରଶାସନ ଯାଏଁ ଦ୍ୱାରସ୍ଥ ହୋଇଛନ୍ତି ଗାଁ ଲୋକେ ।
ତଥାପି କେହି ଶୁଣିନଥିବା ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଗତ ସ୍ୱାଧୀନତା ଦିବସ ଉତ୍ସବରେ ଅଭିନୟ ମାଧ୍ୟମରେ କୁନି ଝିଅ ସୋନାଲି ଦାସ ସତ ବଖାଣି ଚେତାଇଦେଇଥିଲେ ମଞ୍ଚ ଉପରେ ଥିବା ଜିଲ୍ଲାପାଳ, ମନ୍ତ୍ରୀ ଆଉ ନେତାଙ୍କର । ଆଉ ଏବେ ବିକାଶଠୁ ଦୂରରେ ଗାଁରେ ପହଞ୍ଚି ସ୍ଥିତି ପରଖିଲେ ସରକାରୀ ବାବୁ । ଏବେ ଅପେକ୍ଷା, କୁନି ଝିଅଟିର ମୁହଁରୁ ଅଭିଯୋଗ ଶୁଣିବା ପରେ ତତ୍ପର ହୋଇଥିବା କୋରାପୁଟ ଜିଲ୍ଲା ପ୍ରଶାସନ, କେବେ ମୌଳିକ ସମସ୍ୟାର ସମାଧାନ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)