• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଘୋଷଣା ପରେ, ସାରା ଦେଶରେ ଉତ୍ସାହ । ତେଣେ ରୁଷର ମୁନ୍ ମିଶନ ଲୁନା-୨୫ ବିଫଳ ହେବା ପରେ, ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶର ମାନ୍ୟତା ହାସଲ ଲାଗି, ଭାରତ ପାଖରେ ରହିଛି ବଡ଼ ସୁଯୋଗ ।

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ । ତେବେ ଏହି ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ସନ୍ଧ୍ୟା ୫ଟା ୪୫ରେ । ଅର୍ଥାତ୍ ୧୯ ମିନିଟର ଅଗ୍ନିପରୀକ୍ଷା । ମାତ୍ର ୧୯ ମିନିଟ୍ ଭିତରେ ୨୫ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଚେଷ୍ଟା କରିବ ଲ୍ୟାଣ୍ଡର୍ ।

ନିଜର ବେଗ କମ୍ କରିବ, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବ ଏବଂ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବ । ୪ ବର୍ଷ ତଳେ ଏହି ଜଟିଳ ପ୍ରକ୍ରିୟାର ଶେଷ ୨ ମିନିଟ ଘାତକ ସାବ୍ୟସ୍ତ ହୋଇଥିଲା ଚନ୍ଦ୍ରୟାନ-୨ ପାଇଁ । ତେବେ ଏଥର ଚନ୍ଦ୍ରୟାନର ଲ୍ୟାଣ୍ଡର ପୂର୍ବାପେକ୍ଷା ଅଧିକ ମଜବୁତ, ଉନ୍ନତ ଏବଂ ସବୁ ସମ୍ଭାବ୍ୟ ତ୍ରୁଟିର ତତ୍କାଳ ସମାଧାନ ପାଇଁ ନିଜେ ହିଁ ସକ୍ଷମ । ସଫ୍ଟଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରିବା ଏବଂ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ାଇ ବୈଜ୍ଞାନିକ ତଥ୍ୟ ହାସଲ କରିବା ବି ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ ।

ଏଣେ ଚନ୍ଦ୍ରୟାନ-୩କୁ ନେଇ ଭାରତର ଉତ୍କଣ୍ଠା ଶୀର୍ଷରେ ଥିବା ବେଳେ, ରୁଷ ପାଇଁ ନିରାଶା ଆଣିଛି ଲୁନା-୨୫ର ବିଫଳତା । ଦୀର୍ଘ ୪୭ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଆଡ଼କୁ ଚାହିଁଥିଲା ରୁଷ । ୟୁକ୍ରେନ ଯୁଦ୍ଧସ୍ଥିତିରେ ବ୍ୟୟବହୁଳ ମୁନ୍ ମିଶନକୁ ନେଇ ଖୁବ୍ ଆଶାବାଦୀ ଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଲକ୍ଷ୍ୟ ଥିଲା ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡରକୁ ଓହ୍ଲାଇ, ସାରା ବିଶ୍ୱରେ ଖ୍ୟାତି ଅର୍ଜିବା ।

ଅଗଷ୍ଟ ୨୧ କିମ୍ବା ୨୨ରେ ଅର୍ଥାତ୍ ଚନ୍ଦ୍ରୟାନ ଆଗରୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଲୁନା । ହେଲେ ପାଣିରେ ପଡ଼ିଗଲା ସବୁ ପରିଶ୍ରମ । ଗତକାଲି ଲୁନା-୨୫ ସହିତ ରୁଷୀୟ ସ୍ପେଶ୍ ଏଜେନ୍ସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଆଜି ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ । ଏହା ପ୍ରି-ଲ୍ୟାଣ୍ଡିଂ ପର୍ଯ୍ୟାୟରେ ହିଁ ଭୁଲ୍ କକ୍ଷପଥରେ ପ୍ରବେଶ କରିବାରୁ ଚନ୍ଦ୍ରପୃଷ୍ଠରେ ଧକ୍କା ହୋଇ ନଷ୍ଟ ହୋଇଯାଇଛି ।

ଚନ୍ଦ୍ରୟାନକୁ ଜହ୍ନରେ ପହଞ୍ଚିବାକୁ ୪୨ ଦିନ ଲାଗୁଥିବା ବେଳେ, ଲୁନା ମାତ୍ର ୧୨ ଦିନରେ ଏହା କରି ଦେଖାଇବାକୁ ଚେଷ୍ଟା କରିଥିଲା । ହେଲେ ଏହା ବିଫଳ ହେବା ପରେ, ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶର ମାନ୍ୟତା ହାସଲ ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି । ଠେକୁଆ-କଇଁଛ କାହାଣୀ ଭଳି ଭାରତ-ରୁଷ ମୁନରେସ୍ ରେ ବି ଭାରତର ଚନ୍ଦ୍ରୟାନ ଜିତିବ ବୋଲି ଦେଶବାସୀ ଆଶାବାଦୀ ଅଛନ୍ତି ।

  • Reported by:
  • ARACHANA SATPATHY , CHANDAN PAIKRAY