• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦେଶରେ କାୟା ବଢ଼ାଉଛି ଓମିକ୍ରନ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ମୁହାଁ ହୋଇଛି । ନୂଆ ଭାରିଆଣ୍ଟର କ୍ଷୀପ୍ର ସଂକ୍ରମଣକୁ ଚେକ୍ ଦେବାକୁ ପୁଣି ସକ୍ରିୟ ହୋଇଛନ୍ତି ସରକାର । କୋଭିଡର ୫ସୂତ୍ରୀ ନିୟମ ପାଳନ ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଏଣେ କିଶୋର ଟିକାକରଣକୁ ନେଇ ବି ବଢ଼ିଛି ତତ୍ପରତା ।

ଜାନୁଆରୀ ପହିଲାରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ କରୋନା ଟିକା ଲାଗି କୋ-ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ । ଆବଶ୍ୟକ ହେଲେ ସ୍କୁଲ-କଲେଜରେ ବି ଟିକା ଦିଆଯିବାକୁ ଯୋଜନା ରହିଛି । ରାଜ୍ୟରେ ଏହି ବର୍ଗଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେପଟେ ଦ୍ୱିତୀୟ ଡୋଜର ୯ ମାସ ପରେ ହିତାଧିକାରୀ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କୋ-ଓ୍ୱିନ୍ ଆପ୍ ମୁଖ୍ୟ କହିଛନ୍ତି ।

ତେଣୁ ପୁଣି କୋଭିଡ଼ ଗାଇଡଲାଇନ୍ କଡ଼ାକଡ଼ି କରିବା ସହ ପଞ୍ଚସୂତ୍ରୀ ନିୟମ ପାଳନ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ଚିଠି । ସଂକ୍ରାମକ ନୂଆ ଭ୍ୟାରିଆଣ୍ଟ ପାଇଁ ଅଧିକ ସତର୍କ ରହିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପଞ୍ଚସୂତ୍ରୀ ନିୟମ କ୍ରମେ- ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ ସତର୍କତା ପାଳନ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଭଲ୍ଲା ।

 

ତାସହ ସବୁଠି ଭିଡ଼ ଏଡ଼ାଇବାକୁ ଯଥାସମ୍ଭବ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କହିବା ସହ ଆବଶ୍ୟକତାକୁ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ବି ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନକୁ ନେଇ ଲୋକଙ୍କୁ ନଡରାଇ ସଚେତନ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି କେନ୍ଦ୍ର ଗୃହ ସଚିବ ।

ସେପଟେ ଦେଶରେ କେବଳ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୬ଶହ ମୁହାଁ ହୋଇଥିବାବେଳେ କରୋନାରେ ଗତ ୨୪ ଘଣ୍ଟାରେ ୬,୫୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୩୧୫ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ଭିତରୁ ୮ ଜଣ ଓମିକ୍ରନ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ସୂଚନା ଦେବା ସହ ଏବେ ରାଜ୍ୟରେ ଲକଉନର ଆବଶ୍ୟକତା ନାହିଁ ଓ ନିୟମ ଅନୁସାରେ ପଜିଟିଭିଟି ୧୦ ପ୍ରତିଶତ ଟପିଲେ ଯାଇ କଟକଣା ଲାଗୁ ହେବ ବୋଲି କହିଛନ୍ତି । ସେପଟେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ କଟକର ଏକ ଘରୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ତଥାପି ତାଙ୍କୁ ୭ ଦିନ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ବଢୁଥିବା ଓମିକ୍ରନ ଟେନସନ୍ ଭିତରେ କିଶୋରଙ୍କୁ ଟିକାକରଣ ନେଇ ବଢିଛି ସରକାରଙ୍କ ତତ୍ପରତା । ଜାନୁଆରୀ ପହିଲାରୁ ୧୫ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ କରୋନା ଟିକା ଦେବା ପାଇଁ ଆରମ୍ଭ ହେବ ରେଜିଷ୍ଟ୍ରେସନ । ଏଥି ଲାଗି କୋଓ୍ବିନ୍ ଆପରେ ପଂଜୀକରଣ ପାଇଁ ଦିଆଯାଇଛି ପରାମର୍ଶ । ଯେଉଁ ପିଲାଙ୍କ ଆଧାରକାର୍ଡ ନଥିବ, ସେମାନେ ଷ୍ଟୁଡେଣ୍ଟ ଆଇକାର୍ଡ ବ୍ୟବହାର କରି ନାଁ ପଂଜୀକରଣ କରିପାରିବେ ବୋଲି କୋ-ଓ୍ୱିନ୍ ଆପ୍ ମୁଖ୍ୟ ଡାକ୍ତର ସୂଚନା ଦେଇଛନ୍ତି ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର । ଆବଶ୍ୟକ ହେଲେ ସ୍କୁଲ, କଲେଜରେ ବି ଟିକା ଦିଆଯିବ ଓ ଦରକାର ପଡ଼ିଲେ ଅଭିଭାବକମାନଙ୍କୁ ବି ପିଲାଙ୍କ ସହ ଆସିବାକୁ ପଡ଼ିବ । ତାସହ କହିଛନ୍ତି ରାଜ୍ୟରେ ଏବେ ବି ୨୯ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଏମାନଙ୍କୁ ଟିକାକରଣ ପାଇଁ ପ୍ରତି ବ୍ଲକରେ ୮ଟି ମୋବାଇଲ୍ ଟିମ୍ ବୁଲୁଛନ୍ତି ।