• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୁରତ: କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲରେ ଗୁଜରାଟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ନେଇ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଗୁଜରାଟର ବନାସକାଣ୍ଠାରେ ଏଭଳି କିଛି ଘଟିଛି, ଯାହା ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ପଦାରେ ପକାଇଛି। ସୂଚନା ଅନୁସାରେ, କିଛିଦିନ ପୂର୍ବେ ବନାସକାଣ୍ଠାର ବର୍ସିଭାଇ ପରମାରଙ୍କ ମୋବାଇଲ୍‌କୁ ଏକ ଶୁଭେଚ୍ଛା ମେସେଜ୍‌ ଆସିଥିଲା। ଏଥିରେ ଲେଖା ଯାଇଥିଲା, ଆପଣଙ୍କୁ ଶୁଭେଚ୍ଛା, ଆପଣଙ୍କ ବାପା କରୋନାର ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ମେସେଜ୍‌ ପଢ଼ି ବର୍ସିଭାଇ କ୍ରୋଧାନ୍ୱିତ ହୋଇଯାଇଥିଲେ। କାରଣ ଚଳିତ ବର୍ଷ ଏପ୍ରିଲ ୨୩ରେ ତାଙ୍କ ବାପା ୭୦ ବର୍ଷୀୟ ହରିଜୀ ଲକ୍ଷ୍ମଣ ପରମାରଙ୍କ ମୃତ୍ୟୁ ହୋଇଥିଲା।

କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇ ୧୪ରେ ମୋବାଇଲକୁ ଏଭଳି ମେସେଜ ଆସିବା ତାଙ୍କ ପାଇଁ କଟା ଘା’ରେ ଚୂନ ଲଗାଇବା ସହ ସମାନ ବୋଲି ମୃତ ଲକ୍ଷ୍ମଣଙ୍କ ପୁଅ ବର୍ସିଭାଇ କହିଛନ୍ତି। ଏଥିପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହି ସମୟରେ ଯଦି ହସ୍ପିଟାଲ୍‌ରେ ବେଡ୍‌ ଓ ଅକ୍ସିଜେନ୍‌ ମିଳି ଯାଇଥାନ୍ତା, ହୁଏତ ବାପାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ବର୍ସିଭାଇ କହିଛନ୍ତି। ବାପାଙ୍କ ମୃତ୍ୟୁ ପାଇଁ ସେ ସିଷ୍ଟମକୁ ଦାୟୀ କରିଛନ୍ତି। 

ଟାଇମ୍ସର ରିପୋର୍ଟ ଅନୁସାରେ, ବର୍ସିଭାଇ କହିଛନ୍ତି, ବାପାଙ୍କୁ କରୋନାର ପ୍ରଥମ ଡୋଜ୍‌ ମଧ୍ୟ ଲଗା ଯାଇନଥିଲା। ହେଲେ ମୋବାଇଲ୍‌କୁ ଏଭଳି ମେସେଜ୍‌ ଆସିବା କଟା ଘା’ରେ ଚୂନ ଲଗାଇବା ସହ ସମାନ। ଗୁଜରାଟରେ ଏଭଳି ମାମଲା ପ୍ରଥମ ନୁହେଁ। ଅନେକ ଲୋକଙ୍କୁ କୋୱିନ୍‌ ଆପ୍‌ରୁ ମେସେଜ୍‌ ଯାଉଛି। ହେଲେ ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇ ସାରିଛି। ଜଣେ ବ୍ୟକ୍ତି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି, ହେଲେ ବିଡମ୍ବନାର ବିଷୟ ସିଷ୍ଟମ ଏମିତି ଯେ, ସେମାନଙ୍କୁ କରୋନା ଭ୍ୟାକ୍‌ସିନ୍‌ ଦିଆଯାଇଥିବା ନେଇ ମେସେଜ୍‌ ଆସୁଛି।

ବର୍ସିଭାଇ ଆହୁରି କହିଛନ୍ତି, ବାପାଙ୍କ ଚିକିତ୍ସା ପାଇଁ ୩ ଦିନ ପର୍ଯ୍ୟନ୍ତ ଗୋଟିଏ ହସ୍ପିଟାଲ୍‌ରୁ ଆଉ ଗୋଟିଏ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିଥିଲା। ପାଲନପୁର ସିଭିଲ୍‌ ହସ୍ପିଟାଲ ଓ ହସ୍ପିଟାଲ ବାହାରେ ଶହ ଶହ ସଂଖ୍ୟକ ରୋଗୀ ଏଣେତେଣେ ପଡ଼ିଥିଲେ। ଅଧିକାଂଶ ଲୋକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ବାପାଙ୍କ ପାଇଁ ସେଠାରେ ବେଡ୍‌ ମିଳି ନଥିଲା। ୩ ଦିନ ଧରି ସଂଘର୍ଷ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ବାପାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଅକ୍ସିଜେନ୍‌ କମ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଯେଉଁ ଦିନ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ଏହାର ଠିକ୍‌ ୩ ଦିନ ପରେ ଏପ୍ରିଲ ୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରକୃତରେ ଯେଉଁ ଲୋକମାନଙ୍କୁ ଟିକା ପ୍ରଦାନ କରାଯାଇଛି, ସେମାନଙ୍କ ନିକଟକୁ ଏସମ୍ପର୍କିତ ମେସେଜ୍‌ ପଠା ଯାଉ। ଏନେଇ ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଲକ୍ଷ୍ମଣଙ୍କ ପରିବାର ଲୋକ କହିଛନ୍ତି।