/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745837438.jpg)
ଘୋଳାବନ୍ଧାର ଉପଚାର
ଆପଣ ଦିନସାରା କାମ ସାରି ରାତିରେ ଶୋଇବା ପାଇଁ ବିଛଣାକୁ ଯାଇଥିବେ କିମ୍ବା ନିଘୋଡ଼ ନିଦରେ ବିଳମ୍ବିତ ରାତିରେ ହଠାତ ଆପଣଙ୍କ ଗୋଡ ବିଶେଷକରି ପେଣ୍ଡା କିମ୍ବା ଜଂଘର ମାଂସପେଷୀ ଶକ୍ତ ହୋଇ ଟାଣି ଧରିବ, ପାଦ ଝିମଝିମ ଲାଗି, ଗୋଡ ଅକାମୀ ହୋଇଗଲା ପରି ଲାଗିବ ଏବଂ ଆପଣ ଯନ୍ତ୍ରଣାରେ ଚିତ୍କାର କରି ନିଦରୁ ଉଠି ପଡିବେ….ହୁଏତ ଆପଣ ନିଜେ କିମ୍ବା କେହି ଆତ୍ମୀୟ ଏମିତି ଯନ୍ତ୍ରଣା ଭୋଗିଥିବା ଦେଖିଥିବେ। ଏହାକୁ ନକ୍ଚରନାଲ୍ ଲେଗ୍ କ୍ରାମ୍ପ (Nocturnal Leg Cramp) ବା ଚାର୍ଲି ହର୍ସ (Charley Horse) କୁହାଯାଏ। ଏହା ସପ୍ତାହେ, ମାସେ କିମ୍ବା ବର୍ଷରେ ଥରେ ଅଧେ କିମ୍ବା ବାରମ୍ବାର ମଧ୍ୟ ହୋଇପାରେ।
ନକ୍ଚରନାଲ୍ ଲେଗ୍ କ୍ରାମ୍ପ କ’ଣ: ଗୋଡର ଗୋଟିଏ କିମ୍ବା ଏକାଧିକ ମାଂସପେଷୀ ଶକ୍ତ ବା ଟାଣ ହୋଇ, ଗୋଟାଳିଆ ହୋଇ, ଟାଇଟ୍ ହୋଇଯାଇ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଗୋଡରେ ସାଧାରଣତଃ ପେଣ୍ଡାର ପଛ ପାଖରେ ଥିବା ମାଂସପେଷୀରେ ଏପ୍ରକାର ସ୍ପାଜମ୍ ବା କ୍ରାମ୍ପ ଦେଖାଯାଏ। କିନ୍ତୁ ଏହା ଜଂଘର ସାମ୍ନା ଏବଂ ପଶ୍ଚାତ ଭାଗରେ ଥିବା ମାଂସପେଷୀରେ ମଧ୍ୟ ଏପ୍ରକାର ସମସ୍ୟା ଦେଖାଯାଇ ପାରେ। ଏହି ମାଂସପେଷୀର ସ୍ପାଜମ୍ କିଛି ସେକେଣ୍ଡ ରୁ ଆରମ୍ଭ କି ଦଶ ମିନିଟ୍ ପର୍ଯ୍ୟନ୍ତ ରହିଥାଏ। ସ୍ପାଜମ୍ ଲାଘବ ହେଲା ପରେ ବା ମାଂସପେଷୀ ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ମଧ୍ୟ ଅନେକ ସମୟରେ ଦରଜ ରହିଥାଏ, ଯାହା କିଛି ଘଣ୍ଟାରୁ ଗୋଟିଏ ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ଚଲାବୁଲାରେ ଅସୁବିଧା ହୋଇଥାଏ।
ନକ୍ଚରନାଲ୍ ଲେଗ୍ କ୍ରାମ୍ପର ସାଧାରଣ କାରଣ:
ଦେହରେ ଜଳୀୟଅଂଶ କମିଯିବା ବା ଡିହାଇଡ୍ରେସନ୍
ଶରୀରରେ ଅତ୍ୟାବଶକୀୟ ଲବଣ ଯେମିତିକି ପୋଟାସିୟମ୍, ମ୍ୟାଗନେସିୟମ୍ କିମ୍ବା କ୍ୟାଲସିୟମ୍ ର ମାତ୍ରା କମିଯିବା
ଦିନରେ ଅତ୍ୟଧିକ କଠୋର ପରିଶ୍ରମ, ବହୁତ ଦୂର ଚାଲିବା, ଦୌଡିବା କିମ୍ବା ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବା ଦ୍ବାରା ମାଂସପେଷୀର ଫାଇବର ଗୁଡିକରେ ସୁକ୍ଷ୍ମ ଆଘାତ ସୃଷ୍ଟି ହୁଏ ଏବଂ ଏହା ରାତିରେ ଯନ୍ତ୍ରଣାର କାରଣ ହୋଇଥାଏ।
ଲଗାତାର ଗୋଟିଏ ସ୍ଥାନରେ ବସି ରହିବା
ଗୋଡର ରକ୍ତନଳୀ ସରୁ ହୋଇ, ରକ୍ତ ପ୍ରବାହ ବାଧା ପ୍ରାପ୍ତ ହେବା (ପେରିଫେରାଲ୍ ଆର୍ଟରୀ ଡିଜିଜ୍) ଏବଂ ଭାରିକୋଜ୍ ଭେନରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଥାଏ।
ମାଂସପେଷୀକୁ ଅସ୍ତି ସହ ଯୋଡୁଥିବା ଟେଣ୍ଡନ୍ ସମୟକ୍ରମେ ଛୋଟ ହୋଇଯିବା
ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ୍ (ଏହି ସମସ୍ୟାରେ ବିନା କୌଣସି ଠୋସ୍ କାରଣରେ ରାତିରେ ବିଛଣା କୁ ଯିବା ମାତ୍ରେ ଗୋଡ ଘୋଳାବିନ୍ଧା ହୁଏ ଏବଂ ଲଗାତାର ଏପଟସେପଟ କରିବା ଦ୍ବାରା ହିଁ ଆରାମ ମିଳିଥାଏ, ବିଶ୍ରାମ କିମ୍ବା ଗୋଡ ସ୍ଥିର ରହିଲେ ବ୍ୟଥା ଓ ଅସ୍ଥିରତା ବଢିଥାଏ। ଏହାର କୌଣସି ଚିକିତ୍ସା ନାହିଁ। ଏହା ବଂଶାନୁଗତ ମଧ୍ୟ ହୋଇ ପାରେ।
ସ୍ନାୟୁଗତ: ମେରୁଦଣ୍ଡର କୌଣସି ଭାଗରେ ସ୍ନାୟୁ ଉପରେ ଚାପ ପଡିଲେ କିମ୍ବା ମଧୁମେହରେ ରାତିରେ ଏମିତି ମାଂସପେଷୀ ସ୍ପାଜମ୍ ଏବଂ ଯନ୍ତ୍ରଣା ହୋଇଥାଏ।
ଔଷଧ ସେବନ: ଡାଇୟୁରେଟିକ୍ସ (ପରିସ୍ରା ହେବା ପାଇଁ ଉଦ୍ଦିଷ୍ଟ ଔଷଧ), ଷ୍ଟାଟିନ୍ ଏବଂ ଉଚ୍ଚ ରକ୍ତ ଚାପ ପାଇଁ ଉଦ୍ଦିଷ୍ଟ କିଛି ଔଷଧ ସବନ ନକ୍ଚରନାଲ୍ ଲେଗ୍ କ୍ରାମ୍ପର ଆଶଙ୍କା ବଢାଇ ଦିଏ।
ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା: ଗର୍ଭାବସ୍ଥା, ପେରିଫେରାଲ୍ ନ୍ୟୁରୋପାଥି, ପାର୍କିନ୍-ସନ୍ ଡିଜିଜ୍, ଅଷ୍ଟିଓ-ଆଥ୍ରାଇଟିସ୍, ମଧୁମେହ, ବୃକକ୍ କିମ୍ବା ଯକୃତର ସମସ୍ୟା, ଥାଇରଏଡ୍ ଗ୍ରନ୍ଥିର ସମସ୍ୟା, ଫ୍ଲାଟ୍ ଫିଟ୍ ଏବଂ ସ୍ପାଇନାଲ୍ ଷ୍ଟେନୋସିସ୍ ପରି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ନକ୍ଚରନାଲ୍ ଲେଗ୍ କ୍ରାମ୍ପ ଦେଖାଯାଇ ପାରେ।
ନକ୍ଚରନାଲ୍ ଲେଗ୍ କ୍ରାମ୍ପ ଉପଚାର:
ଷ୍ଟ୍ରେଚିଂ: ଶୋଇବା ପୂର୍ବରୁ ପେଣ୍ଡା ଏବଂ ଜଂଘର ମାଂସପେଷୀର ଷ୍ଟ୍ରେଚିଂ କରିବା ଦ୍ବାରା ଅତ୍ୟଧିକ ପରିଶ୍ରମ କିମ୍ବା ବ୍ୟାୟାମ କାରଣରୁ ଉପୁଜିଥିବା ଥକ୍କାପଣକୁ ଦୂର କରିବା ସହ ମାଂସପେଷୀ ସ୍ପାଜମ୍ କୁ ମଧ୍ୟ ରୋକି ହୁଏ। ଷ୍ଟ୍ରେଚିଂ କରିବା ପାଇଁ ବିଛଣା କିମ୍ବା ସମତଳ ସ୍ଥାନରେ ଚିତ୍ ହୋଇ ଶୋଇ, ଗୋଡ ଦୁଇଟିକୁ ଅଣ୍ଟା ପାଖରୁ ଭାଙ୍ଗି ଛାତ ଆଡକୁ ସିଧାକରି ଟେକନ୍ତୁ। ଗୋଡ ଦୁଇଟିକୁ ସିଧା ରଖିବା ସହ, ଗୋଇଠି ପାଖରୁ ପାଦକୁ ନିଜ ମୁହଁ ଆଡକୁ ମୋଡନ୍ତୁ, ଯେମିତି ପାଦର ଆଙ୍ଗୁଠି ଆପଣଙ୍କ ମୁହଁ ଆଡକୁ ରହିବ। ଏମିତି ଅବସ୍ଥାରେ 10 ପର୍ଯ୍ୟନ୍ତ ଗଣି ପୁଣି ପାଦକୁ ସ୍ବଭାବିକ ଅବସ୍ଥା କୁ ଆଣନ୍ତୁ।
- କିଛି କିଛି ସମୟ ଗୋଇଠିରେ ଚାଲନ୍ତୁ, ଏହା ଗୋଡର ସାମ୍ନା ପଟ ମାଂସପେଷୀକୁ ଆକ୍ଟିଭ କରି ସ୍ପାଜମରୁ ସୁରକ୍ଷା ଦିଏ।
- ଗୋଡକୁ ମୁଣ୍ଡ ଅପେକ୍ଷା ଉଚ୍ଚରେ, ବା ଦୁଇଟି ତକିଆ ଉପରେ ରଖନ୍ତୁ ।
- ଶୋଇବାକୁ ଯିବା ସମୟରେ ନିଜ ଦୁଇ ପାଦ ତଳିପାକୁ ପରସ୍ପର ସହ ଘର୍ଷଣ କରିବା ଦ୍ବାରା ମଧ୍ୟ ଆରାମ ମିଳିଥାଏ। ଆବଶ୍ୟକ ସ୍ଥଳେ ପାଦରେ କିଛି ତେଲ ଲଗାଇ ପାରନ୍ତି।
- ଉଷୁମ ପାଣିରେ ଗାଧୋଇବା କିମ୍ବା ପାଦ ବୁଡାଇବା ଦ୍ବାରା ମଧ୍ୟ ଆରାମ ମିଳିଥାଏ।
- ସ୍ପାଜମ୍ ବା କ୍ରାମ୍ପ ସମୟରେ, ଗୋଡକୁ ଦୁଇ ହାତରେ ହାଲକା ମାଲିସ କିମ୍ବା ଅଟା ଚକଟିଲା ପରି କଲେ ଯନ୍ତ୍ରଣା ରୁ ଉପସମ ମିଳେ।
- ଗରମ ପାଣି ସେକ ଏବଂ ବରଫ ସେକ ଉଭୟ ସ୍ପାଜମ୍ ପରର ମାଂସପେଷୀ ଦରଜକୁ ଦୂର କରେ।
- ଦିନରେ ଚଲାବୁଲା ସମୟରେ କମ୍ପ୍ରେସନ୍ ଷ୍ଟକିଂ ବ୍ୟବହାର କରନ୍ତୁ।
- ଡିହାଇଡ୍ରେସନର ଆଶଙ୍କା ରହିଥିଲେ ପାଣି, ଓ ଆର ଏସ୍, ଲେମ୍ବୁ ଲୁଣ ପାଣି, ଘୋଳଦହି, ପଇଡ ପାଣି ଆଦି ଅଧିକ ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)