/odishatv-khabar/media/post_attachments/uploadimage/library/16_9/16_9_0/s_1651977966.jpg)
Rainfall Lkely From May 10 Due To Impact Of Cyclone
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ଏବେ ପୁରୀଠୁ ୧୧୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବା ଗଭୀର ଅବପାତ ଅଉ କିଛି ସମୟ ପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି। ବିଶେଷକରି କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଅଞ୍ଚଳରେ ଶହ ଶହ ଏକର ଜମିରେ ମୁଗ ଫସଲ କରିଥିବା ଚାଷୀମାନେ ଅମଳ ପୂର୍ବରୁ ବର୍ଷାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି।
ଚଳିତ ରବି ଋତୁରେ ଅଞ୍ଚଳରେ ମୁଗ ଫସଲ ଆଶାନୁରୂପକ ହୋଇଥିବା ବେଳେ ଏବର୍ଷ ଏଥିରୁ ଭଲ ଦି ପଇସା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଥିଲେ। ହେଲେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପାଇଁ ଫସଲ ଆଉ ଜମିରୁ ଅମଳ ହେବାର ଆଶା ଛାଡ଼ି ଦେଇଛନ୍ତି ଚାଷୀ। ଯେଉଁଠି ମୁଗ ଅମଳ ଯୋଗ୍ୟ ହୋଇଛି, ସେଠାରେ ତରତର ହୋଇ ଅମଳ କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ। କିନ୍ତୁ ଲୋକ ଅଭାବରୁ ଏତେ ଶୀଘ୍ର ବିଲରୁ ଫସଲ ଆସିବା ସମ୍ଭାବନା ନଥିବାରୁ ଆଗକୁ ଫସଲ ଅବସ୍ଥା କ’ଣ ହେବ ତାକୁ ନେଇ ଆଶା ଓ ଆଶଙ୍କାରେ ଧାର କରଜ କରି ମୁଗ ଚାଷ କରିଥିବା ବହୁ ଚାଷୀ ଅଛନ୍ତି।
ଗତ ବର୍ଷ ସେପ୍ଟେମ୍ବରରେ ଲଗାଣ ବର୍ଷା ଓ ଡିସେମ୍ବରରେ ସାମୁଦ୍ରିକ ବାତ୍ୟା ଜଓ୍ୱାଦ ପ୍ରଭାବରେ ପୁରୀ ଜିଲ୍ଲାର ନିମାପଡା, ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକର ହଜାର ହଜାର ଚାଷୀ କ୍ଷତି ସହିଥିଲେ। ତେବେ ଏ ପର୍ଯ୍ୟନ୍ତ ଏବର୍ଷ ଚାଷୀ କ୍ଷତିପୂରଣ ପାଇ ନାହାନ୍ତି । ଖରା ଦିନିଆ ଧାନ, ମୁଗ ଓ ପନିପରିବା ଚାଷ କରି ପରିବାର ପୋଷଣ ପାଇଁ ଆଶା ରଖିଥିଲେ। ହେଲେ ପୁଣି ଏକ ବାତ୍ୟା ଆଶଙ୍କା ଏବେ ଚାଷୀଙ୍କ ମନରେ ଆତଙ୍କ ଖେଳାଇ ଦେଇଛି। କ୍ଷେତରେ ସୁନାର ଫସଲ ଲହଡି ମାରୁଛି।
ଅମଳ ପାଇଁ ସମୟ ହୋଇନଥିବା ବେଳେ ବର୍ଷା ଭୟରେ କଞ୍ଚା ଧାନକୁ କିଏ ହାତରେ କାଟି ନେଉଛି ତ ଆଉ କିଏ ମେସିନ ସାହାଯ୍ୟରେ କାଟି ନେଇ ଧାନ ଶୁଖେଇବାରେ ବ୍ୟସ୍ତ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)