• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ଜୁନ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦ୍ୱିତୀୟ ସ୍ତର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଏଭଳି ସୂଚନା ଦେଇଛି ଆଞ୍ଚଳିର ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ତେବେ ଜୁନ ମାସରେ କେବଳ ନିଅଣ୍ଟିଆ ବର୍ଷା ନୁହେଁ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ତେବେ ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ । ଚଳିତ ବର୍ଷା ସ୍ୱାଭାବିକ ବର୍ଷା ହେବା ଆକଳନ କଲା ଆଇଏମଡି ।

ଅନ୍ୟପଟେ ଗତକାଲି ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଥିଲା କାଳବୈଶାଖୀ ବର୍ଷା । ତାସହ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା, ପବନ ଓ ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା ।

ପ୍ରାୟ ୨ ଘଣ୍ଟା ଧରି ଲାଗି ରହିଥିଲା କାଳବୈଶାଖୀର ପ୍ରଭାବ । ବିଶେଷକରି ଭୁବନେଶ୍ବର, କଟକ, ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ମୁଷଳ ଧାରାରେ ବର୍ଷିଥିଲା ବର୍ଷା ।

ବର୍ଷା ଓ ପବନ ପ୍ରଭାବରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ସେହିଭଳି ପୁରୀ ଜିଲ୍ଲା ପିପିଲିରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। କଟକ ଜିଲ୍ଲା ଆଠଗଡ଼ରେ ବର୍ଷା ଓ ପବନରୁ କିଛି ଘର ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଏପଟେ କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । କୋରାପୁଟ ନାରାୟଣପାଟଣାର ଲଙ୍ଗଳଳବେଡା ପଞ୍ଚାୟତରେ ବର୍ଷା ପବନରେ ବହୁ ଘରର ଆଜବେଷ୍ଟସ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।