• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆରେ ଗୋଟିଏ କଥା ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରିବେ ତାର ବଳବନ୍ତ । ଆଉ ହିନ୍ଦିରେ କୁହାଯାଏ, ଜାକୋ ରଖେ ସାୟାଁ ମାର୍‌ ସକେ ନା କୋଇ । ଏହାର ଅର୍ଥ ଭଗବାନ ଯାହାକୁ ବଞ୍ଚାଇ ରଖିବାକୁ ଚାହିଁବେ, ତାର କେହି କିଛି କ୍ଷତି କରିପାରିବେ ନାହିଁ । ତାକୁ କେହି ମାରିପାରିବେ ନାହିଁ । ଠିକ୍‌ ଏମିତି କିଛି ଘଟଣା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଜଣେ ଆମେରିକୀୟ ସୈନ୍ୟଙ୍କ ସହ ଏଭଳି କିଛି ଘଟିଥିଲା, ଯାହା ଶୁଣିଲେ ଆପଣ ବି ଏହି ଉକ୍ତିକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ସେହି ସୈନିକଙ୍କ ନାଁ ଏବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସୈନିକଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରେ ଗୁଳି କରାଯାଇଥିଲା । ମଥାରୁ ସାମନ୍ୟ ତଳକୁ ଆଉ ନାକଠାରୁ ସାମାନ୍ୟ ଉପରେ ଯେଉଁ ସ୍ଥାନ, ତାକୁ ପଏଣ୍ଟ ବ୍ଲାଙ୍କ୍‌ କୁହାଯାଏ । ଏହି ସ୍ଥାନରେ ଗୁଳି ବାଜିଲେ, ମଣିଷର ବଞ୍ଚିବା ଅସମ୍ଭବ । କିନ୍ତୁ ଆମେ ଯେଉଁ ସୈନିକଙ୍କ କଥା କହୁଛୁ, ତାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ମିଥ୍ୟା ସାବ୍ୟସ୍ତ ହେଲା । ଯାହାକୁ ଏକ ଚମତ୍କାର ବୋଲି କିହିଲେ ଭୁଲ ହେବ ନାହିଁ । ମଥାରେ ଗୁଳି ବାଜିବା ପରେ ବି ସେ ଜୀବିତ ଆଉ ସୁରକ୍ଷିତ ରହିଲେ ।

Point Blank Shot, BulletPoint Blank Shot, Bullet

ଟ୍ୱିଟରର ‘ହିଷ୍ଟ୍ରି ୱିଡ୍‌ସ’ରେ ଇତିହାସ ସହ ଜଡିତ କୌତୁହଳପୂର୍ଣ୍ଣ କାହାଣୀ ସବୁ ପୋଷ୍ଟ କରାଯାଇଥାଏ । ଆଉ ସେଥିରେ ଗତ କିଛି ଦିନ ପୂର୍ବେ ଜ୍ୟାକବ ମିଲର ନାମକ ଜଣେ ବ୍ୟକ୍ତି ବିଷୟରେ କୁହାଯାଇଥିଲା । ଯାହାଙ୍କ କପାଳରେ ଗୁଳି ବାଜିବା ପରେ ମଧ୍ୟ ସେ ବଞ୍ଚିଯାଇଥିଲେ । ଏହି ଘଟଣା ୧୮୬୩ ମସିହାରେ ଘଟିଥିଲା ।

ସେତେବେଳେ ଜ୍ୟାକବ ମିଲର ନବମ ଇଣ୍ଡିଆନା ଇନ୍‌ଫେଣ୍ଟ୍ରୀର ୟୁନିୟନ ଆର୍ମିର ସିପାହୀ ଥିଲେ । ଗୃହଯୁଦ୍ଧ ସମୟରେ ତାଙ୍କ କପାଳରେ ଗୁଳି ବାଜିଥିଲା । ସେ ଅନେକ ଯୁଦ୍ଧରେ ଭାଗ ନେଇଥିଲେ, କିନ୍ତୁ ‘Battle of Chickamauga’ ଯୁଦ୍ଧ ବେଳେ ତାଙ୍କ ମଥାରେ ଗୁଳି ବାଜିବା ପରେ ତାଙ୍କ କ୍ୟାପ୍ଟେନ୍‌ ଭାବି ନେଇଥିଲେ ଯେ, ମିଲର ମୃତ ବୋଲି । କିନ୍ତୁ କିଛି ଦିନ ପରେ ମିଲରଙ୍କ ଚେତା ଫେରିଲା । ସେ ୧୯୧୧ ରେ ନିଜର ଏହି ଅନୁଭବ ବିଷୟରେ ଲୋକଙ୍କୁ କହିଥିଲେ । 

ମଥାରେ ବାଜିଥିଲା ଗୁଳି

ମିଲର କହିଛନ୍ତି ଯେ, ଶତ୍ରୁପକ୍ଷ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ । ଗୁଳି ଯାଇ ସିଧା ତାଙ୍କ ମଥାରେ ବାଜିଥିଲା । ସେ ଅନୁଭବ କଲେ ଯେ ତାଙ୍କର ଗୋଟିଏ ଆଖି ତା’ଯାଗାରୁ ଖସି ଯାଇଛି । ସେ ଭଙ୍ଗା ହାଡ ଗୁଡ଼ିକୁ ସେଟ୍‌ କରି ବାମ ଆଖିକୁ ଠିକ୍‌ ସ୍ଥାନରେ ଲଗାଇଲେ । ଖାଲି ସେତିକି ନୁହେଁ ଏକ କପଡାକୁ ବ୍ୟାଣ୍ଡେଜ୍ ଭାବେ ବ୍ୟବହାର କରି ଆଖି ଓ କପାଳକୁ ମିଶାଇ ବାନ୍ଧିଦେଲେ । ଯେପରି ତାଙ୍କ ଆଖି ସୁରକ୍ଷିତ ରହିବ । ଏହା ପରେ ସେ ଯୁଦ୍ଧ ମଇଦାନରୁ ବାହାରି ଆସିଲେ । ଆଉ ପ୍ରାୟ ୨୪ କିଲୋମିଟର ଦୌଡ଼ି ଦୌଡ଼ି ଏକ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଅପରେସନ୍ କରାଯାଇଥିଲା ।

୮୮ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥିଲେ ମିଲର୍

ଡାକ୍ତରମାନେ କହିଥିଲେ ଯେ, ତାଙ୍କ ମଥାରେ ଲାଗିଥିବା ଗୁଳି ବା ମାସ୍କେଟ ବଲ୍‌କୁ ଯଦି ବାହାର କରାଯାଏ, ତେବେ ତାଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଅର୍ଥାତ ମଥାରୁ ଗୁଳି କାଢ଼ିଲେ ମିଲରଙ୍କ ଜୀବନ ଚାଲିଯିବାର ସମ୍ଭାବନର ଅଧିକ । ଏଥିପାଇଁ ମାତ୍ର ଏକ ତୃତୀୟାଂଶ ଗୁଳି ବାହାର କଲେ ଡାକ୍ତର । ପରେ ଆପେ ଆପେ ଅବଶିଷ୍ଟ ଗୁଳି ବାହାରକୁ ବାହାରି ଆସିଥିଲା ।

ମିଲରଙ୍କ ମଥାରେ ଲାଗିଥିବା ଆଘାତ ବା କ୍ଷତ ଚିହ୍ନ ସେହିଭଳି ସବୁଦିନ ପାଇଁ ରହିଗଲା । ଯାହାକି କେବେ ବି ପୂରଣ ହୋଇପାରିଲା ନାହିଁ । ଅନ୍ୟପଟେ ଲୋକମାନେ ଭାବିଥିଲେ ଯେ, ସେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବେ ନାହିଁ । କିନ୍ତୁ ସେ ସମସ୍ତଙ୍କୁ ଭୁଲ ସାବ୍ୟସ୍ତ କରି ଦୀର୍ଘ ଦିନ ଧରି ଜୀବିତ ଥିଲେ । ତାଙ୍କର ମୃତ୍ୟୁ ୮୮ ବର୍ଷ ବୟସରେ ହେଲା । କିନ୍ତୁ ତାଙ୍କ ମଥାରେ ସବୁଦିନ ପାଇଁ ସେହିଭଳି ଗୁଳିର ଦାଗ ରହିଗଲା, ଏମିତିକି ଏହା ହିଁ ତାଙ୍କ ପରିଚୟ ପାଲଟିଗଲା ।