• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟମାଟୋ ପରେ ପିଆଜ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଶଙ୍କା । ବେଲଗାମ ନହେଉ ପିଆଜ ଦର । କାହିଁକି ନା ଗତ ୨ ସପ୍ତାହରେ ପିଆଜ ଦାମ ବଢିଲାଣି ୧୦ ଟଙ୍କା । ଆଶଙ୍କା କରାଯାଉଛି ସେପ୍ଟେମ୍ୱରରେ କିଲୋ ୭୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ । ସେଥିପାଇଁ ଆଗୁଆ ସତର୍କ ହୋଇ ପିଆଜ ଉପରେ ରପ୍ତାନୀ ଶୁଳ୍କକୁ ୪୦ ପ୍ରତିଶତ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଦେଶରେ ପିଆଜ ଅଧିକ ମହଜୁଦ ରହିଲେ ନିୟନ୍ତ୍ରଣ ରହିବ ଦର ।

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ । ରାଜ୍ୟର ପ୍ରାୟ ସ୍ଥାନରେ ଦାମ ହାରାହାରି ୩୫ ଟଙ୍କା ରହୁଛି । ବଡ଼ କଥା ହେଲା ମାର୍କେଟରେ ଏବେ ଯେତିକି ମାଲ୍ ଅଛି କ୍ୱାଲିଟି ଭଲ ନୁହେଁ । ଅନ୍ୟପକ୍ଷରେ ଅସ୍ୱାଭାବିକ ବର୍ଷା ଯୋଗୁଁ ନୂଆ ଫସଲ ଅମଳ ପାଇଁ ବିଳମ୍ୱ ହେଉଛି । ତେଣୁ ନୂଆ ମାଲ ଆସିବା ଯାଏଁ ଖରାପ ହେଲେ ବି ପୁରୁଣା ପିଆଜ ରେଟ୍ ଆହୁରି ବଢିପାରେ ।

ଯାହାକୁ ନେଇ ଚିନ୍ତାରେ ଖାଉଟି । ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ ବ୍ୟବସାୟୀଙ୍କ ମତରେ ସାଧାରଣତଃ ଅଗଷ୍ଟ ସେପ୍ଟେମ୍ୱରରେ ପିଆଜ ଦାମ ଟିକେ ଅଧିକ ରୁହେ । ନଭେମ୍ୱରରେ ନୂଆ ମାଲ ଆସିଲେ ପୁଣି କମେ । ହେଲେ ଚିନ୍ତାର ବିଷୟ ହେଲା ଗତ ବର୍ଷର ଅଗଷ୍ଟ ମାସର ଦାମ ଠାରୁ ଚଳିତ ବର୍ଷ ଢେର ଅଧିକ ରହିଛି ଦର । ଏପଟେ ବର୍ଷା ଯୋଗୁଁ ନୂଆ ମାଲ ଆସିବାକୁ ବି ସମୟ ଲାଗିବ ।

ସେପଟେ ଟମାଟୋ ଭଳି ପିଆଜ ଯେପରକି ନିୟନ୍ତ୍ରଣ ବାହାରକୁ ନଯାଉ,ସେଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ରପ୍ତାନି ଶୁଳ୍କକୁ ୪୦ ପ୍ରତିଶତ ବୃଦ୍ଧି ପାଇଁ ନିଆଯାଇଛି ନିଷ୍ପତ୍ତି । ଏହି ବର୍ଦ୍ଧିତ ଶୁଳ୍କ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ରପ୍ତାନୀ ଶୁଳ୍କ ବଢିବା ଫଳରେ ଦେଶରେ ପିଆଜର ଉପଲବ୍ଧତା ବା ମହଜୁଦ ବଢିବ ।

ଦର ନିୟନ୍ତ୍ରଣରେ ରହିବ ବୋଲି ସରକାର ଆଶା ରଖିଛନ୍ତି । ଏହା ସହ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଆଉ କିଛି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଅକ୍ଟୋବରରେ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଫର ଷ୍ଟକ୍ ରୁ ପିଆଜ କାଢିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପିଏସଏଫ ଯୋଜନାରେ ସରକାରଙ୍କ ପାଖେ ୩ ଲକ୍ଷ ଟନର ପିଆଜ ଗଚ୍ଛିତ ରହିଛି । ଯାହାକୁ ଇ-କମର୍ସ, ଇ-ନିଲାମ ଏବଂ ରାଜ୍ୟ ସରକାରଙ୍କ ସହଯୋଗିତାରେ ସୁଲଭ ମୂଲ୍ୟରେ ଖାଉଟିଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

  • Reported by:
  • DEBASHISH MOHANTY , ASHOK BRAHMA , MANOJ SWAIN , SOUMYA RANJAN SAHOO