• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା ବି କହିଛନ୍ତି, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତି ତେଜିଛି । ଏହା ପଛରେ ବିଜେଡି ଷଡ଼ଯନ୍ତ୍ରର ଗନ୍ଧ ବାରୁଥିବା ବେଳେ ବିରୋଧୀ କହିଛନ୍ତି 5T ସଚିବ ଲକ୍ଷ୍ମଣ ରେଖା ଅତିକ୍ରମ ନକରନ୍ତୁ ।

5T ସଚିବଙ୍କୁ କାଳିମାଡ଼ ପରେ ଆରୋପ-ପ୍ରତ୍ୟାରୋପ । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ।ହେଲେ ସବୁଠି ଗୋଟିଏ ପ୍ରଶ୍ନ- କାହିଁକି ହେଲା କାଳିମାଡ଼ ? ଗତକାଲି ସତ୍ୟବାଦୀର UGS କଲେଜ୍ ପରିସରରେ ଆୟୋଜିତ ଏକ ସଭାରେ 5T ସଚିବ ଭି.କେ. ପାଣ୍ଡିଆନ୍ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରକୁ କାଳି ଫିଙ୍ଗିଥିଲେ କଣାସ ବ୍ଳକ୍ ହରିପୁର ଗାଁର ଭାସ୍କର ସାହୁ । ଅଟକ ଭାସ୍କରଙ୍କୁ ଗତକାଲି ରାତିରେ ପୋଲିସ୍ ଛାଡ଼ି ଦେବା ପରେ ଆଜି କ୍ୟାମେରା ଆଗରେ ମୁହଁ ଖୋଲି ଭାସ୍କର ।

ସେ କହିଛନ୍ତି, ତାଙ୍କ ଅଂଚଳର ବିଭିନ୍ନ ସମସ୍ୟାର ବର୍ଷ ବର୍ଷ ଧରି ସମାଧାନ ହେଉନାହଁ । ଅନ୍ୟପକ୍ଷରେ 5T କୌଣସି ସାମ୍ବିଧାନିକ ବିଧିବ୍ୟବସ୍ଥା ହୋଇନଥିବା ସତ୍ତ୍ୱେ 5T ସଚିବ ଯେଭଳି ମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି, ତାର ପ୍ରତିବାଦରେ ସେ କାଳି ମାଡ଼ କରିଥିବା ନିଜ ସଫେଇରେ କହିଛନ୍ତି । ଜିଲ୍ଲାପାଳଙ୍କ ଉପରେ କାଳି ପଡ଼ିଥିବାରୁ ସେ ଅନୁତପ୍ତ ବୋଲି କହିବା ସହ 5T ସଚିବ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିତାଙ୍କୁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସେ କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥିବା କହିଛନ୍ତି ।

ସେପଟେ କାଳିମାଡ଼ ଘଟଣାକୁ ନେଇ ତେଜିଛି ରାଜନୀତି । ବିଜେଡି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସୋସିଆଲ ମିଡିଆରେ ବି ଜୋରଦାର କ୍ୟାମ୍ପନ୍ ଚଳାଇଛି । ଭାସ୍କର ନିଜେ କୌଣସି ଦଳ ସହ ସେ ନାହାନ୍ତି ବୋଲି କହିବା ସତ୍ତ୍ୱେ, ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କିନ୍ତୁ ଭାସ୍କର ବିଜେପିର କର୍ମୀ ବୋଲି ଦୋହରାଇଛନ୍ତି । ଏଥିସହିତ ବିଜେଡିରେ କୌଣସି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ କି ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାକୁ ବି ଉମା ଖଣ୍ଡନ କରିଛନ୍ତି ।

ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, 5T ସଚିବଙ୍କୁ ଯେଉଁ ବିରୋଧ ହେଲା ତାକୁ ସେ ସମର୍ଥନ କରୁଛନ୍ତି କିନ୍ତୁ ବିରୋଧର ତରିକାକୁ ନାପସନ୍ଦ କରିଛନ୍ତି । ତା’ ସହିତ 5T ସଚିବଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଅପରାଜିତା । ସେପଟେ କଂଗ୍ରେସ କହିଛି ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, କେବଳ ଏକ ଡ୍ରାମା । ସେହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଥିବା ଦଳ ଅଭିଯୋଗ କରିଛି । କାଳିମାଡ଼ ଘଟଣାରେ ରାଜନୀତି ତେଜିଥିବା ବେଳେ ଆଗକୁ 5T ସଚିବଙ୍କ ଗସ୍ତ ଓ ରାଜନୀତି କେଉଁ ମୋଡ଼ ନେଉଛି ତା ଉପରେ ନଜର ।

  • Reported by:
  • MADHUSUDAN MISHRA , HARIHARA CHAND , JAGDISH DAS , Duti Krushna Pattnaik