• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ନିର୍ବାଚନରେ ଫ୍ୟାମିଲି ଫାଇଟ୍ । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ହେଉଛି ରୋଚକ ଲଢ଼େଇ । ନିର୍ବାଚନୀ ମୈଦାନରେ ବାପ-ପୁଅ, ଭାଇ-ଭାଇ ମଧ୍ୟରେ ହେଉଛି ଜୋରଦାର ଟକ୍କର । ଗୋଟିଏ ପରିବାରରେ ରହିବି ଭିନ୍ନ ଭିନ୍ନ ଦଳର ଟିକଟ୍‌ରେ ଛିଡ଼ା ହୋଇ କିଏ କାହାକୁ ଛାଡ଼ିବା ମୁଡ୍‌ରେ ନାହାଁନ୍ତି ।

ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ । ନିଜ ନିଜ ଅନ୍ଦାଜରେ କରୁଛନ୍ତି ଭୋଟ୍ ଭିକ୍ଷା । ବାପା ଭୀମସେନ ସହରାଞ୍ଚଳର ସମସ୍ୟାକୁ ମୁଦ୍ଦା କରିଥିବାବେଳେ ପୁଅ ଜନସମ୍ପର୍କକୁ ଆଧାର କରି ପ୍ରଚାର ଚଳାଇଛନ୍ତି । ୨୩ଟି ୱାର୍ଡ ବିଶିଷ୍ଟ ଅନୁଗୁଳ ପୌରାଞ୍ଚଳରେ ୧୯୯୨ରୁ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି ଭୀମସେନ, ତାଙ୍କ ପତ୍ନୀ ଓ ପୁଅ । ଆଉ ପାୱାର ପଲିଟିକ୍ସରେ ଦବ୍‌ଦବା ଥିବା ଏହି ପରିବାରରୁ ଏବେ ପୁଣି ମୁହାଁମୁହିଁ ହୋଇଛନ୍ତି ବାପ-ପୁଅ ।

ରେଢାଖୋଲ ଏନ୍ଏସିରେ ବି ଦୁଇ ଭାଇ ମୁହାଁମୁହିଁ । ୧୦ ନମ୍ବର ୱାର୍ଡର କାଉନସିଲ ପଦବୀ ପାଇଁ ନିର୍ବାଚନୀ ରଣାଙ୍ଗନରେ ସୁବାସ ପାଣ୍ଡେ ଏବଂ ରଂଜନ ପାଣ୍ଡେ । ସୁବାସ ବିଜେଡି ସମର୍ଥନରେ ଏବଂ ରଂଜନ ବିଜେପି ସମର୍ଥନରେ ପ୍ରାର୍ଥୀ ହୋଇଛନ୍ତି । ଉଭୟେ ବଡ଼ ବାପା-ଦାଦା ପୁଅ ଭାଇ । ରୋଚକ କଥା ହେଉଛି, ଏହି ୱାର୍ଡଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ । ତେଣୁ ଆଉ କେହି ନଥିବାରୁ ଏହି ଦୁଇ ଭାଇଙ୍କୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଛନ୍ତି ବିଜେଡି-ବିଜେପି ।

 

ସେହିଭଳି ଭୁବନେଶ୍ୱର ଓ୍ୱାର୍ଡ ନମ୍ବର ୨୯ର ଚା ଦୋକାନୀ ଏ.ରାଜୁ ଓ ୩୧ ନମ୍ବର ଓ୍ୱାର୍ଡର ବି.ଟେକ୍ ଡିଗ୍ରୀଧାରୀ ଯୁବକ ସୂର୍ଯ୍ୟକାନ୍ତ । ଉଭୟଙ୍କ ପାଖରେ ରୋଜଗାରର ବାଟ ଅଛି । କିନ୍ତୁ ଜନତାଙ୍କ ସେବା ପାଇଁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ଆନନ୍ଦବଜାରରେ ଚା’ଦୋକାନ କରିଛନ୍ତି ରାଜୁ ।

ସେହିଭଳି ସୂର୍ଯ୍ୟକାନ୍ତଙ୍କ ପାଖରେ ମଧ୍ୟ ଭଲ ରୋଜଗାରର ପନ୍ଥା ରହିଥିଲା । ସେ ମଧ୍ୟ ବଡ଼ କମ୍ପାନୀରେ ଚାକିରି କରିଥିଲେ । କିନ୍ତୁ ଲକ୍‌ଡାଉନ୍‌ରେ ଘରକୁ ଆସିଲେ ଆଉ ତାପରେ ନିଜ ଅଞ୍ଚଳର ସମସ୍ୟା ଆଉ ଲୋକଙ୍କୁ ଦେଖିଲା ପରେ ସ୍ଥିର କଲେ, ରାଜନୀତିକୁ ଆସିବେ । ସେ ଏବେ ୩୧ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ୱାର୍ଡରେ ଥିବା ରାସ୍ତା, ଡ୍ରେନ୍‌, ଆଲୋକୀକରଣ ସମସ୍ୟା ସହ ବସ୍ତିବାସିନ୍ଦାଙ୍କୁ ରାସନକାର୍ଡ ଏବଂ ଭତ୍ତା ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ।