• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେଡିରେ ତୀବ୍ର ହେଉଛି ଅନ୍ତଃକନ୍ଦଳ । ଗତକାଲି ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଏକଥା ଆହୁରି ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରୁ ରାୟଗଡ଼ା ଯାଏଁ ସବୁଠି ଦେଖିବାକୁ ମିଳିଛି ବିଜେଡି ବନାମ୍ ବିଜେଡି ଲଢ଼େଇ । ତେବେ ରାଜ୍ୟର ୩୧୪ ବ୍ଲକ୍‌ରୁ ୨୭୮ଟି ବିଜେଡି ଦଖଲ କରିଥିବା ଦାବି କରିଛି ଦଳ । ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ଲାଗି ବିଜେଡି ନେତାଙ୍କ ଭିତରେ ଯେଭଳି ଛକାପଞ୍ଝା ଲାଗି ରହିଲା, ତାହା ଆଗକୁ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ବେଳେ ଫୁଟି ବାହାରିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଭିନ୍ନ ବ୍ଲକରେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଏ ଯେମିତି ସୁନ୍ଦରଗଡ଼ର ବାଲିଶଙ୍କରା ପଂଚାୟତ ସମିତି ଅଧ୍ୟକ୍ଷା ଲାଗି ମୁହାଁମୁହିଁ ହୋଇଥିଲେ । ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ ଓ କଂଗ୍ରେସ୍‌ରୁ ଆସି ବିଜେଡିରେ ସାମିଲ ହୋଇଥିବା ପ୍ରଫୁଲ ମାଝୀ । ପ୍ରଫୁଲ, ନିଜ ପତ୍ନୀ ତ୍ରିବେଣୀ ମାଝୀଙ୍କୁ ବ୍ଲକ ଅଧ୍ୟକ୍ଷା ଆସନରେ ବସାଇବା ଲାଗି ସବୁ ପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ବାଜି ମାରି ନେଇଛନ୍ତି ବିନୟ ସମର୍ଥନ କରୁଥିବା କୁଞ୍ଜଲତା ଭିତିରିଆ ।

ସେପଟେ ଗଞ୍ଜାମ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଗତକାଲି ଏକ ବିବାଦୀୟ ପରିସ୍ଥିତିରେ ସ୍ଥଗିତ ରହିଥିଲା । ୬ ଜଣ ସମତି ସଭ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଦର୍ଶାଇ ନିର୍ବାଚନକୁ ଟାଳି ଦିଆଯାଇଥିଲା । ଏଠାରେ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ ଓ ଏବେକାର ବିଧାୟକ ସୁବାସ ବେହେରାଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁଁ ଏଭଳି ସ୍ଥିତି ଉପୁଜିଲା ବୋଲି କୁହାଯାଉଛି । ତେଣେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଲାଗି କେନ୍ଦ୍ରାପଡା ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି । ଶଶି ବେହେରା ଅନ୍ନପୂର୍ଣ୍ଣା ମଲ୍ଲିକଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଥିବା ବେଳେ ଧ୍ରୁବ ସାହୁ, ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କୁ ସମର୍ଥନ କରୁଥିଲେ । ଶେଷରେ ଧ୍ରୁବଙ୍କ ସମର୍ଥକ ବାଜି ମାରିନେଇଛନ୍ତି ।

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକ୍ ମଧ୍ୟରୁ ୯ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଛନ୍ତି । ତେବେ ରାମନାଗୁଡା ଓ ଗୁଣପୁର ବ୍ଲକରେ ଦଳ ଫେଲ୍ ମାରିଛି । ରାମନାଗୁଡାରେ କଂଗ୍ରେସ୍ ଓ ଗୁଣପୁରରେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି । ବିଜେଡିର ରାଜ୍ୟସଭା ସଦସ୍ୟ ଏନ୍. ଭାସ୍କର ରାଓ ଓ ରାୟଗଡ଼ା ଜିଲ୍ଲା ସଭାପତି ସୁଧୀର ଦାସଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି ।

ସେପଟେ ବାଲେଶ୍ୱର ଶିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି । ଏହି ନିର୍ବାଚନ ମଣ୍ଡଳୀର ଖଇରା ଓ ଶିମୁଳିଆ ପଞ୍ଚାୟତ ସମିତିକୁ ଅକ୍ତିଆର କରିଛି । ବିଜେପି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିର ଏଭଳି ନୈରାଶଜନକ ପ୍ରଦର୍ଶନକୁ ନେଇ ମନ୍ତ୍ରୀ ଓ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ପରୋକ୍ଷରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି ।

୩୧୪ ବ୍ଲକ୍‌ରୁ ୨୭୮ଟି ଦଖଲ କରିଥିବା ଦାବି କରିଛି ବିଜେଡି । ତେବେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ଲାଗି ଯେଭଳି ବିଜେଡିର ନିଜ ନେତାଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଲା, ତାହା ଆଗକୁ ସମସ୍ୟା ସୃଷ୍ଟି କରିପାରେ । ତେବେ ଆଗକୁ କୌଣସି ଅସୁବିଧା ହେବ ନାହିଁ ବୋଲି ବିଜେଡି ସାଂସଦ ମୁନ୍ନା କାଁ କହିଛନ୍ତି ।