• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ ? ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି କଣ ? ଏସବୁ ଜାଣିବା ପାଇଁ ଆସନ୍ତା ମେ ୧ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ସର୍ଭେ । ଏନେଇ ପ୍ରକାଶ ପାଇଛି ବିଜ୍ଞାପନ । ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କୁ ନେଇ ଏହି ସର୍ଭେ କରାଯିବ। ଏଥିପାଇଁ ନିକଟସ୍ଥ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ରକୁ ସର୍ଭେ ସେଣ୍ଟର କରାଯିବ । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରେ ଦେଇ ପାରିବେ ।

ପରିବାରର ରାସନ କାର୍ଡ ସହିତ ସମସ୍ତ ସଦସ୍ୟଙ୍କର ଯେ କୌଣସି ଗୋଟିଏ ପରିଚୟ ପତ୍ର ଯେମିତିକି ଆଧାର, ପାନ୍, ପାସପୋର୍ଟ କିମ୍ବା ଭୋଟର୍ କାର୍ଡ ନେଇ ସର୍ଭେ ସେଣ୍ଟରକୁ ଯିବେ । ରାସନ କାର୍ଡ ନଥିବା ପଛୁଆ ବର୍ଗ ଲୋକେ ମଧ୍ୟ ସେଣ୍ଟରରେ ତଥ୍ୟ ଦେଇପାରିବେ । ଅନଲାଇନ୍ ଜରିଆରେ ମଧ୍ୟ ବିନା ମୂଲ୍ୟରେ ଫର୍ମ ପୂରଣ କରିହେବ, କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ସ୍ଥିରିକୃତ ଦେୟ ପ୍ରଦାନ କରି ଅନଲାଇନ୍ ଫର୍ମ ପୂରଣ କରିପାରିବେ । ଜୁଲାଇ ୧୨ ତାରିଖ ସୁଦ୍ଧା ଓବିସି ଗଣନାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନର ଏକ ବର୍ଷ ପୂର୍ବରୁ ଏ କସରତ କାହିଁକି ? ରାଜ୍ୟରେ ପଛୁଆ ବର୍ଗ ସଂଖ୍ୟା ବହୁତ ଅଧିକ ଥିବାରୁ ସେମାନଙ୍କ ଭୋଟ୍ ନେବା ପାଇଁ ଏ ଉଦ୍ୟମ ନୁହେଁ ତ ? ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଲାଗି ସଂରକ୍ଷଣ ବ୍ୟବସ୍ଥା ନକରି କେବଳ ଭୋଟ୍ ପାଇଁ ଏହି ସର୍ଭେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ସେପଟେ ଓଡ଼ିଶାରେ ଜାତି ରାଜନୀତି ପାଇଁ ଭିତ୍ତି ପଡୁଛି ବୋଲି ଚର୍ଚ୍ଚା ହେଉଛି । କାରଣ ପଦ୍ମପୁର ଉପନିର୍ବାଚନରେ ଜାତି କାର୍ଡ ଖେଳି ବିଜେଡି ସଫଳତା ପାଇଥିଲା ବୋଲି କୁହାଯାଉଛି । ଅ୍ୟପକ୍ଷରେ ୨୩ ବର୍ଷ କ୍ଷମତାରେ ରହିବା ପରେ ବିଜେଡି ସରକାର ବିରୋଧରେ ଯେଉଁ ହାୱା ରହିଛି, ତାକୁ ପ୍ରତିହତ କରିବାକୁ ସର୍ଭେ ପରେ ଓବିସିଙ୍କ ପାଇଁ କିଛି ନୂଆ ସ୍କିମ୍ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଓବିସି ସଂଘ କହିଛି, ଡୋର୍ ଟୁ ଡୋର୍ ସର୍ଭେ କରାଗଲେ ପ୍ରକୃତ ତଥ୍ୟ ଆସିପାରିବ ।

ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୬.୨୫ ଓ ଓବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ପଛୁଆ ବର୍ଗଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ଅଧାରୁ ଅଧିକ ହୋଇଥିବାରୁ ସେମାନଙ୍କ ଲାଗି ସଂରକ୍ଷଣ ହାର ବଢ଼ାଇବାକୁ ଦାବି ହୋଇଆସୁଛି ।