• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଘନ ଘନ ଘୋଷଣା, ତୁହାକୁ ତୁହା ଯୋଜନାର ବର୍ଷା; ପୁନରୁଦ୍ଧାର, ଭିତ୍ତିପ୍ରସ୍ତର ସ୍ଥାପନ, ରୂପାନ୍ତରୀକରଣ, ଶିଳାନ୍ୟାସ ଆଦିର ଝଡ...!! ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ପ୍ରତିଶ୍ରୁତିର ମହାପର୍ବ ଆରମ୍ଭ ହୋଇଛି। ପିଲାଠୁ ବୟସ୍କ ଓ ମହିଳା, ଗାଁରୁ ସହର, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ, ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସରକାର ଯେମିତି ଭଣ୍ଡାର ଘର ଖୋଲିଦେଇଛନ୍ତି। ଯାହାକୁ ନେଇ ଅନେକ ତାଜୁବ!

ନିର୍ବାଚନକୁ ଆଖି ଆଗରେ ରଖି ଯେତେ ସବୁ ଘୋଷଣା ହେଲାଣି ସେତିକି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟର ସେଭଳି ନିଜସ୍ୱ ଆଦାୟର ମାଧ୍ୟମ ଅଛି କି? ତା’ହେଲେ ଏତେ ସବୁ ଟଙ୍କା ଆସିବ କେଉଁଠୁ? ସରକାର କୌଣସି ଏକ କୁହୁକ ପେଡି କିବା ମ୍ୟାଜିକ୍‌ ଷ୍ଟିକ୍‌ର ସନ୍ଧାନ ପାଇଛନ୍ତି କି? ଯଦି ଏଭଳି କୌଣସି ଅଲୌକିକ ଘଟଣା ଘଟୁ ନାହିଁ ତା’ହେଲେ ଏତେ ସବୁ ଘୋଷଣା, ନୂଆ ପୁରୁଣା ସ୍କିମ୍‌ ଚାଲିବ କେମିତି? ନିଇତି ରାତି ପାହିଲେ ନୂଆ ନୂଆ ସ୍କିମ୍‌ ଭର୍ତ୍ତି ପୃଷ୍ଠା ପୃଷ୍ଠା ବିଜ୍ଞାପନ? ନିର୍ବାଚନ ପରେ ମଧ୍ୟ ବିଜେଡି ଯଦି ଶାସନ କ୍ଷମତାକୁ ଫେରେ ତା’ହେଲେ ଏସବୁ ପ୍ରତିଶ୍ରୁତି ରକ୍ଷା କରିବ ତ, ନା’ ଅଧାରୁ ବନ୍ଦ ହେବ?

ଇତି ମଧ୍ୟରେ ଷୋଡଶ ବିଧାନସଭାର ଅନ୍ତିମ ବଜେଟ୍‌ ଅଧିବେଶନ ସରିଯାଇଛି। ଏହା ପରେ ଯେତେସବୁ ଘୋଷଣା ଚାଲିଛି ଏଥିରେ ଆର୍ଥିକ ବ୍ୟୟବରାଦ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇବାର ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି। ଘୋଷଣା ଯେତେ ବଢିବ, ବ୍ୟୟ ମଧ୍ୟ ସେହି ଅନୁପାତରେ ବଢିଚାଲିବ। ତେବେ ଏ ଟଙ୍କା ସବୁ ସରକାର ଆଣିବେ କେଉଁଠୁ? ରାଜ୍ୟ ସରକାର ଋଣଗ୍ରସ୍ତ ହେବେ ନତୁବା ନିର୍ବାଚନ ପରେ ଅନେକ ଯୋଜନା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କହିବା ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହାକୁ ସରକାରଙ୍କ ‘ନିର୍ବାଚନୀ ପ୍ରତାରଣା’ ବୋଲି କୁହନ୍ତି।

Also Read

ଓଡ଼ିଶାର ବାର୍ଷିକ ଋଣଭାର ହାରାହାରି ୧୬ରୁ ୨୦ ହଜାର କୋଟି ପଡୁଛି। ସେହି ଅନୁସାରେ ଏବଂ ବଜେଟ୍‌ ଆକାର ଅନୁସାରେ ରାଜ୍ୟର ନିଜସ୍ୱ ଆଦାୟ ବଢୁ ନାହିଁ। ଯାହାକୁ ନେଇ ଅର୍ଥନୀତିଜ୍ଞମାନେ ଗଲା ୨୦୧୯ ନିର୍ବାଚନ ପରେ ଚିନ୍ତା ପ୍ରକଟ କରିଆସିଛନ୍ତି।

ବିଶେଷକରି ସରକାର ଯେତେବେଳେ ବିଭିନ୍ନ ଲୋକାଭିମୁଖି ଯୋଜନା ବା ସ୍କିମ୍‌ ଘୋଷଣା କରୁଛନ୍ତି, ଯେଉଁଥିପାଇଁ ଅନେକ ଅର୍ଥ ଖର୍ଚ୍ଚ କରାଯାଉଛି... ସେଗୁଡିକୁ ବଜାୟ ରଖିବା ପାଇଁ ସରକାରଙ୍କ ପାଖରେ ସେତିକି ଶକ୍ତି ଆଉ ସାମର୍ଥ୍ୟ ଅଛି କି ନାହିଁ ତା’ର ତର୍ଜମା କରିବା ଆବଶ୍ୟକ। ନୂଆ ନୂଆ ସ୍କିମ୍‌ ସବୁ ସରକାର ହାତକୁ ନେବା ପୂର୍ବରୁ ପ୍ରଚଳିତ ଯୋଜନାର ଆୟ ଏବଂ ବ୍ୟୟକୁ ଧ୍ୟାନରେ ରଖି ପଦକ୍ଷେପ ନେବା ଏକ ଉତ୍କୃଷ୍ଟ ଅର୍ଥନୀତିର ଲକ୍ଷଣ। ରାଜ୍ୟ ସରକାର ଏହାକୁ ଆପଣାଇବାର ନିହାତି ଆବଶ୍ୟକତା ରହିଛି ବୋଲି ଅର୍ଥନୈତିଜ୍ଞମାନଙ୍କ ମତ।

ବସି ଖାଇଲେ ନଈବାଲି ସରିବା ସଦୃଶ ରାଜ୍ୟର ପ୍ରାକୃତିକ ସମ୍ପଦ ଖଣି ଖାଦାନ ଜଙ୍ଗଲ ଆଦି ଗତ ୨୪ ବର୍ଷରେ ଯେତିକି ଖନନ ବା ବିନିଯୋଗ ହୋଇଛି ତା’ ପ୍ରତିବଦଳରେ ସେଭଳି ସ୍ଥାୟୀ ଆମଦାନୀର ମାଧ୍ୟମ ସୃଷ୍ଟି ହୋଇଛି କି?

ନିକଟରେ ନିତି ଆୟୋଗଙ୍କ ପାରିବାରିକ ଉପଭୋଗ ବ୍ୟୟ ସର୍ବେକ୍ଷଣ ରିପୋର୍ଟ-୨୦୨୨-୨୩ ରାଜ୍ୟ ସରକାରଙ୍କ ବିକାଶର ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରେ। ଗ୍ରାମାଂଚଳରେ ଲୋକଙ୍କ ପାରିବାରିକ ମାସିକ ଖର୍ଚ୍ଚ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ତଳଆଡୁ ୩ ନମ୍ବର ଏବଂ ସହରାଂଚଳ ପାରିବାରିକ ଖର୍ଚ୍ଚ ତଳଆଡୁ ୭ ନମ୍ବର ସ୍ଥାନରେ ରହିଛି। ଅର୍ଥାତ ଗ୍ରାମାଂଚଳରେ ଏକ ପରିବାର ମାସକୁ ସର୍ବନିମ୍ନ ହାରାହାରି ୨୯୯୬ ଏବଂ ସହରାଞ୍ଚଚଳରେ ୫୨୨୩ ଟଙ୍କା ଖର୍ଚ୍ଚ କରେ।

କଥାରେ ଅଛି- “ଯାହା ନ ହୋଇଛି ବାଳୁତ କାଳେ, ତାହା କି ହୋଇବ ପାଚିଲା ବାଳେ?” ଏଭଳି ଏକ ପ୍ରଶ୍ନ ଏଠାରେ ଉପସ୍ଥାପିତ କରିବାର ଅର୍ଥ ହେଉଛି, ବିଗତ ୨୪ ବର୍ଷ ମଧ୍ୟରେ ନବୀନଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା, ବିକାଶର ଯେଉଁ ସ୍ତରରେ ପହଂଚିବା କଥା ତାହା ହୋଇପାରି ନାହିଁ।

ଏକ ରାଷ୍ଟ୍ର ତଥା ରାଜ୍ୟକୁ ସୁଦୃଢ, ବିକଶିତ, ସ୍ୱାବଲମ୍ବୀ କରିବାରେ ଦୀର୍ଘ ୨୪ ବର୍ଷ କିଛି କମ୍ ସମୟ ନୁହେଁ! ତେବେ ଏହି ସମୟ ମଧ୍ୟରେ ରାଜ୍ୟର ମୌଳିକ ଚିତ୍ରରେ ଆଜି ବି ପରିବର୍ତ୍ତନ ଘଟିଛି କି? ଗାଁରୁ ସହର ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ଆଜି ବି ହନ୍ତସନ୍ତ ହେଉଥିବା ଘଟଣା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରେ। ଅନେକ ଗ୍ରାମକୁ ଏବେ ବି ଅପହଞ୍ଚ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଆମ୍ବୁଲାନ୍ସର ସ୍ୱପ୍ନରେ ରୋଗୀ ଖଟିଆରେ ବୁହା ହେଉଛନ୍ତି।

ଏମିତି ଅନେକ ଅବ୍ୟବସ୍ଥାକୁ ଲେଖି ଚାଲିଲେ ବିରାଟ ଅଧ୍ୟାୟ ହେବ! ଆଉ କେତେ ବର୍ଷ ପରେ ବଦଳିବ ଏ ଚିତ୍ର? ସେପଟେ କିନ୍ତୁ ଘୋଷଣାର ଅଧ୍ୟାୟ ଲମ୍ବିବାରେ ଲାଗିଛି!

ଜାନୁଆରୀ ୨୨ରୁ ଫେବୃଆରୀ ୨୨ ମଧ୍ୟରେ ୫ ଥର ରାଜ୍ୟ କ୍ୟାବିନେଟ୍‌ ମିଟିଂ ବସି ବହୁ ଘୋଷଣା ଓ ନିର୍ଣ୍ଣୟ ନିଆଯାଇଛ। ଏହା ବାଦ୍ ସରକାର ପ୍ରାୟ ଦୈନିକ ଏକାଧିକ ଯୋଜନା, ପ୍ରକଳ୍ପ, ଭିତ୍ତିଭୂମି, ଘୋଷଣା ଆଦି କରୁଛନ୍ତି। ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ରାଜ୍ୟ ସରକାର କାଳିଆ ଯୋଜନା ଅବଧିକୁ ଆଉ ୩ ବର୍ଷ ବଢାଇଛନ୍ତି। ଏଥିପାଇଁ ଖର୍ଚ୍ଚ କରାଯିବ ପ୍ରାୟ ୬୦୩୦ କୋଟି ଟଙ୍କା। ଭୂମିହୀନଙ୍କୁ ଅତିରିକ୍ତ ୨ ହଜାର ସହାୟତା ରାଶି ମିଳିବ।

ବିରୋଧୀ କହିଛନ୍ତି ଚାଷୀଙ୍କ ଇନ୍‌ପୁଟ୍‌ ସବ୍‌ସିଡି, ଋଣ ଛାଡ କରିବା ଏବଂ ଶୀତଳ ଭଣ୍ଡାର ସ୍ଥାପନ ଆଦି ମୂଳ ବ୍ୟବସ୍ଥାକୁ ସରକାର ଅଣଦେଖା କରୁଛନ୍ତି।

ସେହିଭଳି ସବୁ ଭତ୍ତାରେ ୫ଶହ ଟଙ୍କା ବୃଦ୍ଧି, କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ୫୦ ପ୍ରତିଶତ ବୋନସ, ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଓ ୨ଟି ଝୋଟ ବ୍ୟାଗ, ବେକାରୀଙ୍କୁ ସ୍ୱୟଂ ଯୋଜନାରେ ବିନା ସୁଧରେ ଲକ୍ଷେ ଟଙ୍କା ଯାଏଁ ଋଣ, ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଶିକ୍ଷାବୃତ୍ତି ଦ୍ୱାରା ବାର୍ଷିକ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ, ୩୦୦ କୋଟିର କର୍ପସ୍‌ ଫଣ୍ଡ୍‌ ଗଠନ କରି ଛାତ୍ରଛାତ୍ରୀଙ୍କୁ ମ୍ୟାଜିକ୍‌ ସ୍ମାର୍ଟ କାର୍ଡ ଘୋଷଣା।

ସେହିପରି ଐତିହାସିକ ବାରବାଟୀ ଦୁର୍ଗ ରୂପାନ୍ତରୀକରଣ, ୧୯୯୯ ମହାବାତ୍ୟା ପରଠାରୁ ଅଚଳ ହୋଇ ପଡିଥିବା ଓଟିଏମ୍‌ ପୁନରୁଦ୍ଧାର ପାଇଁ ୩୦୮୦ କୋଟିରେ ଟେକ୍ସଟାଇଲ୍‌ ପାର୍କର ଶିଳାନ୍ୟାସ ଏମିତି କେତେ କ’ଣ। ତେବେ ଏ ସବୁକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ଏଥିପାଇଁ ଅର୍ଥର ମାଧ୍ୟମ କ’ଣ? ନା ବିଜେଡି ସରକାରଙ୍କ ଏହା କେବଳ ନିର୍ବାଚନୀ ରଣ କୌଶଳ?

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)