/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641396791.jpg)
Odisha Girls Marriage
୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହାର ପୁନଃ ବିଚାର ପାଇଁ ଲୋକସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ଝିଅଙ୍କ ବିବାହ ବୟସ ବୃଦ୍ଧି ନକରି ବରଂ ପୁଅଙ୍କ ବିବାହ ବୟସକୁ ୨୧ରୁ ୧୮ ବର୍ଷ କମାଇବାକୁ ସେ ଅପିଲ୍ କରିଛନ୍ତି ।
ଝିଅଙ୍କ ବିବାହ ବୟସ କେତେ ହେବା ଉଚିତ୍ ? ୨୧ ନା ୧୮ ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ୨୧ । କିନ୍ତୁ ଏହାକୁ ଗ୍ରହଣ କରିପାରି ନାହାନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ତାଙ୍କର ଯୁକ୍ତି ହେଉଛି ଉଭୟ ପୁଅ ଏବଂ ଝିଅଙ୍କ ବିବାହ ବୟସ ୧୮ ବର୍ଷ ହେଉ । ନହେଲେ ବଢିବ ଅବିବାହିତ ମାତୃତ୍ୱ । ଏହି ଯୁକ୍ତି ନେଇ ମହିଳା ଓ ଶିଶୁ ସଂପର୍କିତ ଲୋକସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ସଂଧ୍ୟାବତୀ ।
ପ୍ରୋହିବିସନ ଅଫ୍ ଚାଇଲ୍ଡ ମ୍ୟାରେଜ ବିଲ୍ ୨୦୨୧ ବା ଝିଅଙ୍କ ବିବାହ ବୟସ ବୃଦ୍ଧି ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଚିଠିରେ ଲେଖିଛନ୍ତି । ସେ ପୁନଃ ବିଚାର ପଛରେ ଚିଠିରେ ବଡ଼ ଯୁକ୍ତି ହେଉଛି ୧୮ ବର୍ଷରେ ଝିଅଙ୍କ ପାଇଁ ଶାରିରୀକ ସଂପର୍କ ଅଧିକାର ରହୁଥିବା ବେଳେ ବିବାହ ବୟସ ୨୧ । ତେଣୁ ବଢିବ ଅବିବାହିତ ମାତୃତ୍ୱ ସଂଖ୍ୟା ବରଂ ପୁଅଙ୍କ ବିବାହ ବୟସ ୨୧ ପରିବର୍ତ୍ତେ ୧୮କୁ କମାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ସନ୍ଧ୍ୟାବତୀ ।
ଅନ୍ୟପଟେ ସନ୍ଧ୍ୟାବତୀଙ୍କ ଯୁକ୍ତି ଓ ଚିଠିକୁ ନେଇ ଦେଖା ଦେଲାଣି ବିବାଦ । ମହିଳା ଅଧିକାର ସୁରକ୍ଷା କର୍ମୀ ଓ ଅଭିଭାବକମାନେ ସନ୍ଧ୍ୟାବତୀଙ୍କ ଯୁକ୍ତିକୁ ବିରୋଧ କରୁଛନ୍ତି । ସାମାଜିକ କର୍ମୀଙ୍କ ଯୁକ୍ତି ବାଢ଼ୁଛନ୍ତି ଯେ, ତଥ୍ୟ କହୁଛି ୧୪ ରୁ ୧୮ ବର୍ଷ ମଧ୍ୟରେ ହିଁ ଅବିବାହିତ ମା’ଙ୍କ ସଂଖ୍ୟା ଅଧିକ । ତେଣୁ ବୟସ କମାଇବା ପଛରେ ଏହି ଯୁକ୍ତି ଭିତ୍ତିହୀନ୍ନ । ଏହା ବାଦ୍ ବୟସ କମାଇଲେ ପୁଣି ଥରେ ଝିଅମାନେ ସମାନତା ଏବଂ ଶିକ୍ଷା ଅଧିକାରରୁ ବଞ୍ଚିତ ହେବେ ବୋଲି କହିଛନ୍ତି ସାମାଜିକ କର୍ମୀ । ସେହିପରି ୨୧ ବର୍ଷ ବୟସ ବୃଦ୍ଧି ସପକ୍ଷରେ ଅଛନ୍ତି ଅଧିକାଂଶ ଅଭିଭାବକ ।
ସବୁ ଧର୍ମ ଓ ବର୍ଗ ନିର୍ବିଶେଷରେ ଡିସେମ୍ବର ୧୬ରେ ଝିଅଙ୍କ ବିବାହ ବୟସକୁ ୧୮ରୁ ୨୧ କରିବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର କ୍ୟାବିନେଟ । ଯାହାକୁ ୨୧ରେ ଲୋକସଭାରେ ଉପସ୍ଥାପନ ପରେ ଅଧିକ ଆଲୋଚନା ଦରକାର ବୋଲି ମତ ପ୍ରକାଶ ପାଇବାରୁ ଲୋକସଭା ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)