ଜମ୍ମୁ-କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଗୋଟିଏ ପରେ ଗୋଟିଏ ପ୍ରତିଶୋଧମୂଳକ ପଦକ୍ଷେପ ନେଇଛି । ଏଥିରେ ୱାଘା ସୀମା ବନ୍ଦ କରିବା, ସାର୍କ ଭିସା ସୁବିଧାକୁ ସ୍ଥଗିତ କରିବା ଏବଂ ଭାରତୀୟ ବିମାନ ପାଇଁ ଏହାର ଆକାଶପଥ ବନ୍ଦ କରିବା ଭଳି ନିଷ୍ପତ୍ତି ଆଦି ସାମିଲ ରହିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ଦିନ ତରବରିଆ ଭାବରେ ଜାତୀୟ ସୁରକ୍ଷା କମିଟି (NSC) ର ଏକ ବୈଠକ ଡାକିଛନ୍ତି। ଏଥିରେ ପାକିସ୍ତାନ ଅନେକ ନିଷ୍ପତ୍ତି ନେଇଛି। ପାକିସ୍ତାନ ଭାରତ ଉପରେ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ପ୍ରସ୍ତାବ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ସିମଲା ଚୁକ୍ତିନାମାକୁ ସ୍ଥଗିତ ରଖିଛି।
ପାକିସ୍ତାନର ଏହି ଧମକ ପରେ ସିମଲା ଚୁକ୍ତିନାମା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନିର୍ଣ୍ଣାୟକ ଯୁଦ୍ଧ ପରେ ଶାନ୍ତି ଫେରାଇ ଆଣିବା ପାଇଁ ଏହା ୧୯୭୨ ମସିହାରେ ସ୍ୱାକ୍ଷରିତ ହୋଇଥିଲା ଏହି ଚୁକ୍ତିନାମା । ଆସନ୍ତୁ ଜାଣିବା ସିମଲା ଚୁକ୍ତିନାମା କ'ଣ? ଏହାର ଗୁରୁତ୍ୱ କ'ଣ? ପାକିସ୍ତାନ ଏହାକୁ ବାତିଲ କରିପାରିବ କି?
Also Read
ସିମଲା ଚୁକ୍ତିନାମାର ପୃଷ୍ଠଭୂମି: ୧୯୭୧ ଯୁଦ୍ଧ
ପୂର୍ବ ପାକିସ୍ତାନ (ଆଜିର ବାଂଲାଦେଶ)ର ସ୍ୱାଧୀନତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ ମସିହାରେ ଯୁଦ୍ଧ ହୋଇଥିଲା । ପାକିସ୍ତାନୀ ସେନା ପୂର୍ବ ପାକିସ୍ତାନ ଉପରେ ଦମନଲୀଳା ଚଳାଇଥିଲା, ବର୍ବରତାର ସବୁ ସୀମା ପାର କରିଥିଲେ । ଫଳରେ ଲକ୍ଷ ଲକ୍ଷ ଲୋକ ଆଶ୍ରୟ ନେବାକୁ ଭାରତ ଆସିଥିଲେ। ଏହାର ଜବାବରେ ଭାରତ ହସ୍ତକ୍ଷେପ କରି ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
ଏହି ଯୁଦ୍ଧ ଭାରତର ନିର୍ଣ୍ଣାୟକ ବିଜୟରେ ସମାପ୍ତ ହୋଇଥିଲା। ପାକିସ୍ତାନୀ ସେନାର ପ୍ରାୟ ୯୩,୦୦୦ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ଏବଂ ବିଶ୍ୱ ମାନଚିତ୍ରରେ ଏକ ନୂତନ ଦେଶ ବାଂଲାଦେଶର ଉଦୟ ହୋଇଥିଲା । ସେସମୟରେ ଭାରତ, ପାକିସ୍ତାନ ଉପରେ କଠିନ ସର୍ତ୍ତ ଲଗାଇ ପାରିଥାଆନ୍ତା , କିନ୍ତୁ ଏହାର ବିପରୀତ ଭାରତ ଶାନ୍ତି ଏବଂ ସ୍ଥିରତାକୁ ପ୍ରାଥମିକତା ଦେଇଥିଲା। ଏହି ଚିନ୍ତାଧାରା ଅନୁଯାୟୀ ଭାରତ ପାକିସ୍ତାନକୁ ଆଲୋଚନା ପାଇଁ ଡାକିଥିଲା ଏବଂ ସିମଲା ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।
ସିମଲା ଚୁକ୍ତିନାମା: କେବେ, କେଉଁଠି ଏବଂ କାହା ମଧ୍ୟରେ?
ଭାରତର ସିମଲା ସହରରେ ୨ ଜୁଲାଇ ୧୯୭୨ରେ ସିମଲା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଭାରତ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନ ପକ୍ଷରୁ ତତ୍କାଳୀନ ରାଷ୍ଟ୍ରପତି ଜୁଲଫିକର ଅଲି ଭୁଟ୍ଟୋ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମା କେବଳ ୧୯୭୧ ଯୁଦ୍ଧ ପରେ ପରିସ୍ଥିତିର ସମାଧାନ ପାଇଁ ନୁହେଁ, ବରଂ ଭବିଷ୍ୟତର ସମ୍ପର୍କକୁ ଉନ୍ନତ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଏକ ଐତିହାସିକ ପ୍ରୟାସ ଥିଲା।
ସିମଲା ଚୁକ୍ତିନାମାର ମୁଖ୍ୟ ନିୟମ ଏବଂ ବ୍ୟବସ୍ଥା
୧. ଦ୍ୱିପାକ୍ଷିକର ନୀତି: ଭାରତ ଏବଂ ପାକିସ୍ତାନ ପାରସ୍ପରିକ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ତ ବିବାଦର ସମାଧାନ କରିବାକୁ ରାଜି ହୋଇଥିଲେ। ଅର୍ଥାତ୍ ଜାତିସଂଘ, ଆମେରିକା କିମ୍ବା ଅନ୍ୟ କୌଣସି ବାହ୍ୟ ଶକ୍ତି ଭଳି ଯେକୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ଭାରତ ପାଇଁ ଏକ କୂଟନୈତିକ ବିଜୟ ଥିଲା, କାରଣ ପାକିସ୍ତାନ ବାରମ୍ବାର ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛି।
୨. ବଳ ପ୍ରୟୋଗ ହେବ ନାହିଁ : ଉଭୟ ଦେଶ ପରସ୍ପର ବିରୋଧରେ ହିଂସା କିମ୍ବା ସାମରିକ ଶକ୍ତି ବ୍ୟବହାର କରିବେ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୩. ନିୟନ୍ତ୍ରଣ ରେଖା (LoC) ପୁନଃପ୍ରତିଷ୍ଠା: ୧୯୭୧ ଯୁଦ୍ଧ ପରେ ସ୍ଥିତି ଅନୁସାରେ ଏକ ନୂତନ ନିୟନ୍ତ୍ରଣ ରେଖା (Line of Control) ନିର୍ଣ୍ଣୟ କରାଯାଇଥିଲା, ଯାହାକୁ ଉଭୟ ଦେଶ ସ୍ୱୀକୃତି ଦେଇଥିଲେ। ଏହା ସେହି ନିୟନ୍ତ୍ରଣ ରେଖା ଯାହା, ଏବେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାକୁ ପରିଭାଷିତ କରେ।
୪. ଯୁଦ୍ଧବନ୍ଦୀ ଏବଂ ଅଧିକୃତ ଜମି ଫେରସ୍ତ: ଭାରତ କୌଣସି ଅତିରିକ୍ତ ସର୍ତ୍ତ ବିନା ପ୍ରାୟ ୯୩,୦୦୦ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଥିଲା। ଏହା ସହିତ ଯୁଦ୍ଧ ସମୟରେ ଭାରତ ଯେଉଁ ସ୍ଥାନ ଦଖଲ କରିଥିଲା, ତାହା ମଧ୍ୟ ପାକିସ୍ତାନକୁ ଫେରାଇ ଦିଆଯାଇଥିଲା।
ସିମଲା ଚୁକ୍ତିନାମାର ଗୁରୁତ୍ୱ: ଭାରତ ପାଇଁ କୂଟନୈତିକ ବିଜୟ
- ସିମଲା ଚୁକ୍ତିନାମା ମାଧ୍ୟମରେ, ଭାରତ କାଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଘୋଷଣା କରିଥିଲା। ଏହାର ଅର୍ଥ ହେଉଛି ଯେ ଏବେ ପାକିସ୍ତାନ ଜାତିସଂଘ କିମ୍ବା କୌଣସି ତୃତୀୟ ଦେଶଠାରୁ ମଧ୍ୟସ୍ଥତା ଆଶା କରିପାରିବ ନାହିଁ।
- ଗୋଟିଏ ପଟେ ପାକିସ୍ତାନର ପରାଜୟ ଏବଂ ସୈନ୍ୟଙ୍କ ଆତ୍ମସମର୍ପଣ ଥିଲା, ଅନ୍ୟପଟେ ଭାରତର ପରିପକ୍ୱ ଏବଂ ଶାନ୍ତିପ୍ରିୟ ଆଭିମୁଖ୍ୟ ଥିଲା। ଏହା ଅନ୍ତର୍ଜାତୀୟ ସମୁଦାୟରେ ଭାରତର ପ୍ରତିଛବିକୁ ଆହୁରି ମଜବୁତ କରିଥିଲା ।
କାଶ୍ମୀର ଏବଂ ସିମଲା ଚୁକ୍ତିନାମା
ସିମଲା ଚୁକ୍ତିନାମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ କାଶ୍ମୀର ପ୍ରସଙ୍ଗରେ ଥିଲା। ପାକିସ୍ତାନ ପ୍ରାୟତଃ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚକୁ ନେବାକୁ ଚେଷ୍ଟା କରେ, କିନ୍ତୁ ସିମଲା ଚୁକ୍ତିନାମା ଏହାକୁ ଦ୍ୱିପାକ୍ଷିକ ଆଲୋଚନା ପର୍ଯ୍ୟନ୍ତ ସୀମିତ କରେ। ଭାରତ ଏହାକୁ ଏକ ଆଇନଗତ ଆଧାର ଭାବରେ ବ୍ୟବହାର କରେ ଯେ କାଶ୍ମୀର ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ନୁହେଁ। ୧୯୪୮ ମସିହାରେ, ଜାତିସଂଘ ସୁରକ୍ଷା ପରିଷଦ କାଶ୍ମୀର ଉପରେ ଏକ ପ୍ରସ୍ତାବ ପାସ୍ କରିଥିଲା, ଯେଉଁଥିରେ ଜନମତ ଉଲ୍ଲେଖ କରାଯାଇଥିଲା। ୧୯୭୨ ମସିହାରେ ଶିମଲା ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନ ଦ୍ୱିପାକ୍ଷିକତାକୁ ଗ୍ରହଣ କରିଥିଲା ଏବଂ ଏହି ପ୍ରସ୍ତାବଗୁଡ଼ିକର ପ୍ରାସଙ୍ଗିକତାକୁ ସମାପ୍ତ କରିଥିଲା। ଏହି କାରଣରୁ ଭାରତ ଜାତିସଂଘର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରୁଛି।
ପାକିସ୍ତାନ ବାରମ୍ବାର ସିମଲା ଚୁକ୍ତିର ସର୍ତ୍ତାବଳୀ ଉଲ୍ଲଂଘନ କରିଛି
ପାକିସ୍ତାନ ଭାରତକୁ ଏକ ଫମ୍ପା ପ୍ରତିଶ୍ରୁତି ଦେଇଥିଲା । ଭାରତର ମୂଲ୍ୟ ନା ସେ ଦେଶ ବୁଝିଛି ନା ଚୁକ୍ତିର ମାନ ରଖି ପାରିଛି । ପାକିସ୍ତାନ ବାରମ୍ବାର ସିମଲା ଚୁକ୍ତିରେ ଅନ୍ତର୍ଭୁକ୍ତ ପ୍ରତିଶ୍ରୁତି ଉଲ୍ଲଂଘନ କରିଛି। ଇତିହାସ ସାକ୍ଷୀ, ପାକିସ୍ତାନ କାଶ୍ମୀର ପରି ସମ୍ବେଦନଶୀଳ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଜାତିସଂଘ ଠାରୁ ଆରମ୍ଭ କରି ଇସଲାମିକ ସହଯୋଗ ସଂଗଠନ ପର୍ଯ୍ୟନ୍ତ ଅନେକ ବିଶ୍ୱ ମଞ୍ଚରେ ଉଠାଇଛି ଓ ପ୍ରତ୍ୟେକ ଥର ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ମଧ୍ୟ ହୋଇଛି । ଏହା ବ୍ୟତୀତ ଏହାର ସବୁଠାରୁ ସ୍ପଷ୍ଟ ଏବଂ ଜ୍ୱଳନ୍ତ ପ୍ରମାଣ ହେଉଛି ୧୯୯୯ ମସିହାରେ ଘଟିଥିବା କାରଗିଲ ଯୁଦ୍ଧ। ଏହି ଯୁଦ୍ଧ ସେହି ସମୟରେ ଘଟିଥିଲା ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ଲାହୋର ବସ୍ ସେବା ଭଳି ପଦକ୍ଷେପ ନିଆଯାଉଥିଲା। ଭାରତ ବନ୍ଧୁତାର ହାତ ବଢ଼ାଇଥିଲା, କିନ୍ତୁ ଏହି ଯୁଦ୍ଧ ଆରମ୍ଭ କରି ପାକିସ୍ତାନ ଭାରତ ପିଠିରେ ଛୁରୀ ଭୁଶିଥିଲା ।
ସିମଲା ଚୁକ୍ତିନାମା ବାତିଲ କରିପାରିବ କି ପାକିସ୍ତାନ ?
୨୦୨୫ ମସିହାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଦୃଢ଼ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଏହାର ଜବାବରେ ପାକିସ୍ତାନ, ସିମଲା ଚୁକ୍ତିନାମାର ବାହାନା କରି କହିଛି ଭାରତ ସହ ସମସ୍ତ ଦ୍ୱିପାକ୍ଷିକ ବୁଝାମଣାକୁ ସ୍ଥଗିତ କରାଯାଉଛି , ଯେ ପର୍ଯ୍ୟନ୍ତ ଭାରତ ସଂଯୁକ୍ତ ରାଷ୍ଟ୍ର ପ୍ରସ୍ତାବ ଏବଂ ଆନ୍ତର୍ଜାତୀୟ ଆଇନକୁ ପାଳନ କରୁନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ କ’ଣ ଏହି ଚୁକ୍ତିନାମାକୁ ବାତିଲ କରିପାରିବ?
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ବୈଷୟିକ ଭାବରେ ଯେକୌଣସି ଦେଶ ଯେକୌଣସି ଚୁକ୍ତି/ସନ୍ଧିରୁ ଓହରି ଯାଇପାରିବ। ତଥାପି ଏପରି କରିବା ଦ୍ୱାରା ଏହାର ଅନ୍ତର୍ଜାତୀୟ ବିଶ୍ୱସନୀୟତା ଉପରେ ଗଭୀର ପ୍ରଭାବ ପଡ଼େ। ପାକିସ୍ତାନ ସିମଲା ଚୁକ୍ତିକୁ ସ୍ଥଗିତ ରଖିଛି କିନ୍ତୁ ଯଦି ସେ ଏହାକୁ ବାତିଲ କରେ, ତେବେ ଏହାର ସିଧାସଳଖ ଅର୍ଥ ହେବ ଆଲୋଚନା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ଚାହେଁ ନାହିଁ ପାକିସ୍ତାନ । ଏହି ସ୍ଥିତିରେ ଭାରତ ସ୍ପଷ୍ଟ ଭାବରେ କହିପାରିବ, ସେ କୌଣସି ବନ୍ଧନରେ ରହିବ ନାହିଁ । ଯଦି ପାକିସ୍ତାନ ସିମଲା ଚୁକ୍ତିନାମା ବାତିଲ କରେ, ତେବେ ଏହା ଦ୍ୱିପାକ୍ଷିକ ଆଲୋଚନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇପାରେ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଉତ୍ତେଜନା ଆହୁରି ବୃଦ୍ଧି ପାଇପାରେ।
ଏହା ସହିତ ସିମଲା ଚୁକ୍ତିନାମାରେ, ନିୟନ୍ତ୍ରଣ ରେଖା ପାଳନ କରିବା ଉଭୟ ଦେଶର ଦାୟିତ୍ୱ। ଏହି ଚୁକ୍ତିନାମା ବାତିଲ ହେଲେ ଉଭୟ ଦେଶର ସେନା ନିୟନ୍ତ୍ରଣ ରେଖାରେ ଅଧିକ ଆକ୍ରମଣାତ୍ମକ ହୋଇପାରନ୍ତି ଏବଂ ସଂଘର୍ଷର ସମ୍ଭାବନା ବୃଦ୍ଧି ପାଇପାରେ। ଏହା ସହିତ ଭବିଷ୍ୟତରେ ଯୁଦ୍ଧବନ୍ଦୀ କିମ୍ବା ସଂଘର୍ଷ ମାମଲାରେ ବିଶ୍ୱାସର ଅଭାବ ଦେଖାଦେଇପାରେ।