ପହଲଗାମରେ ଧର୍ମାନ୍ଧ ଆତଙ୍କୀଙ୍କ ବର୍ବର ଆକ୍ରମଣର ଦୁଃଖ ଆଉ କ୍ରୋଧ ମନରୁ ଲିଭୁନି । ଦିନ ଯେତିକି ଯେତିକି ଯାଉଛି, କ୍ଷତ ସେତିକି ଗଭୀର ହେଉଛି । ସେଦିନର ଭୟଙ୍କର ଦୃଶ୍ୟ ମନେ ପଡିଗଲେ ଛାତି ଥରି ଯାଉଛି । ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ହୁଏତ ଏହି ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇ ପାରିଥାନ୍ତା । ଯଦି ଭାଗ୍ୟ ସାଥ ଦେଇ ନ ଥାନ୍ତା ତେବେ ମୃତକଙ୍କ ସଂଖ୍ୟା କେତେ ହୋଇଥାନ୍ତା କିଏ ଜାଣେ ।! ହୁଏତ ମଟନ ରେଗନ ଜୋଶର ଲୁଣିଆ ସ୍ୱାଦ କାହାପାଇଁ ଦେବଦୂତ ହୋଇ ବାଟ ଅଟକାଇଥିଲା ତ କାହାପାଇଁ ଭେଲପୁରୀ, ଘୋଡା ସବାରର ଅଭାବ ସେ ରକ୍ତାକ୍ତ ମୈଦାନକୁ ଯିବାକୁ ଦେଇ ନ ଥିଲା । ଆଉ ସେଥିପାଇଁ ଅଳ୍ପକେ ବଞ୍ଚି ଯାଇଥିଲା ଅନେକ ଜୀବନ । ଏବେ ସେହି ମଟନ ରେଗନ ଜୋଶ, ଭେଲପୁରୀ ଆଉ ଘୋଡାସବାରକୁ ମନେ ମନେ କୃତଜ୍ଞତା ଜଣାଉଛନ୍ତି ଏହି ପରିବାର ।
ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ । ଧର୍ମର ଦ୍ୱାହି ଦେଇ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କଲେ । ଖୋଜି ଖୋଜି ହିନ୍ଦୁମାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କଲେ । ଖୁବ ସାହାସ ଦେଖାଇଥିଲେ ଜଣେ ଘୋଡା ଚାଳକ । ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଲଢି ଯାଇଥିଲେ ଆତଙ୍କୀଙ୍କ ସହ । ଆତଙ୍କୀଙ୍କ ହତିଆର ଛଡାଇ ଆଣିବାକୁ ଉଦ୍ୟମ କରିଥିଲେ । ହେଲେ ବିଫଳ ହୋଇଥିଲେ ଏବଂ ଆତଙ୍କୀଙ୍କ ଟାର୍ଗେଟ ପାଲଟି ଯାଇଥିଲେ । ଆତଙ୍କୀ ଗୁଳିରେ ସେଠାରେ ଟଳି ପଡିଥିଲେ ଏହି ସାହାସୀ ଘୋଡା ଚାଳକ ।
ପହଲଗାମ ଘାଟି ବୁଲିବାକୁ ଯିବାବେଳେ ଅନେକ ପର୍ଯ୍ୟଟକ ଛୋଟମୋଟ ବ୍ୟତିକ୍ରମକୁ ସାମ୍ନା କରିଥିଲେ । ଏଥିପାଇଁ ସେମାନେ ସେହି ମୁହୂର୍ତ୍ତରେ ଭାଗ୍ୟକୁ ଦୋଷ ଦେଉଥିଲେ । ଭାବୁଥିଲେ ଓହୋ ! ଆମ ସହ କାହିଁକି ଏମିତି ହେଉଛି ? ହେଲେ ଏହି ବ୍ୟତିକ୍ରମ ହିଁ ସେମାନଙ୍କ ଜୀବନ ବଞ୍ଚାଇ ଦେଇଥିଲା । ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଥିଲେ କେରଳର ଏକ ପରିବାରର ୧୧ ଜଣ ସଦସ୍ୟ ।
Also Read
ବୈସରନ ଘାଟି ବାହାରୁଥିଲୁ, ମଧ୍ୟାହ୍ନ ଭୋଜନ ପାଇଁ ବାଧ୍ୟ କରାଗଲା
କୋଚିର ଏହି ପରିବାର ଏପ୍ରିଲ ୧୯ ତାରିଖରେ କାଶ୍ମୀର ଆସିଥିଲେ । ଦୁଇ ଦିନ ଧରି ଗୁଲମାର୍ଗ, ସୋନମାର୍ଗର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିସାରିବା ପରେ ମଙ୍ଗଳବାର ପହଞ୍ଚିଥିଲେ ପହଲଗାମରେ । ଦୁଇ ଦିନ ଧରି ସେମାନେ ଲଞ୍ଚ କରି ନ ଥିଲେ । ପହଲଗାମରେ ପହଞ୍ଚି ଘାଟି ବୁଲିବାକୁ ବାହାରିଥିଲେ । ଠିକ ୧୫ ମିନିଟର ବ୍ୟବଧାନ । ବୈସରନର ସବୁଜ ଗାଲିଚା ବୁଲି ଦେଖିବା ପୂର୍ବରୁ ମଧ୍ୟାହ୍ନ ଭୋଜନ କରିଦେବା ପାଇଁ ଠିକ କଲେ । ହେଲେ ଚଟପଟା ରୋଗନ ଜୋଶର ସ୍ୱାଦ ସେମାନଙ୍କୁ ଯିବାକୁ ଦେଇ ନ ଥିଲା । ସତେ ଯେମିତି ଦେବଦୂତ ସାଜି ଏହି ଖା୍ୟର ପ୍ଲେଟ ହାତ ଭିଡି ସେମାନଙ୍କୁ ଅଟକାଇ ଦେଇଥିଲା । ଏହି ପରିବାରର ସଦସ୍ୟ ଲାବଣ୍ୟାଙ୍କ କହିବା ଅନୁସାରେ, ମୋର ସ୍ୱାମୀ ବାଧ୍ୟ କରି ଆମେକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ନେଇ ଯାଇଥିଲେ । ମନେ ମନେ ବିରକ୍ତ ହେଲେ ବି ଖାଇବାକୁ ଯାଇଥିଲୁ । ହେଲେ ସେହି ମଟନ ରୋଗନ ଜୋଶ ଏମିତି ଆମ ସମସ୍ତଙ୍କ ଜୀବନ ବଞ୍ଚାଇ ଦେବ, ଭାବି ନ ଥିଲୁ ।’
ଲାବଣ୍ୟା ମିଡିଆକୁ ଏକ ସାକ୍ଷତ ଦେଇ କହିଥିଲେ, ‘ମଙ୍ଗଳବାର ସକାଳେ ଟିକେ ଡେରିରେ ଆମେ ବୁଲିବାକୁ ବାହାରିଥିଲୁ । ଦୁଇ ଦିନର ବ୍ୟସ୍ତତା ଭିତରେ ମଧ୍ୟାହ୍ନ ଭୋଜନ କରି ପାରି ନ ଥିଲୁ । ସେଥିପାଇଁ ସ୍ୱାମୀ ବାଧ୍ୟ କଲେ, ବୈସରନ ମାତ୍ର ୧୫ ମିନିଟର ରାସ୍ତା । ତେଣୁ ମଧ୍ୟାହ୍ନ ଭୋଜନ କରି ତା’ ପରେ ଯିବା । ’
ପୂରା ପରିବାର ରାସ୍ତା କଡରେ ଥିବା ଏକ ଭୋଜନାଳୟରେ ଅଟକି ଥିଲେ । ସେଠାରେ ମଟନ ରୋଗନ ଜୋଶ ଖାଇବାକୁ ଦିଆ ଯାଇଥିଲା । ହେଲେ ଅତ୍ୟଧିକ ଚଟପଟା ହୋଇଥିବାରୁ ଏହି ଖାଦ୍ୟ ପରିବାର ଲୋକେ ଖାଇ ପାରି ନ ଥିଲେ । ହୋଟେଲ କର୍ମଚାରୀ ତାଙ୍କୁ ଅନ୍ୟ ଖାଦ୍ୟ ଅର୍ଡର କରିବା ପାଇଁ କହିଥିଲେ । ସେମାନେ ଅନ୍ୟ ଖାଦ୍ୟ ଅର୍ଡର କରିଥିଲେ । ଖାଦ୍ୟ ଆସୁ ଆସି ପ୍ରାୟ ଘଣ୍ଟାଏ ଡେରି ହୋଇ ଯାଇଥିଲା । ମନେ ମନେ ବିରକ୍ତ ହେଉଥିଲେ । କିନ୍ତୁ ଉପାୟ ବା କ’ଣ ? ଖାଇ ସାରିବା ପରେ ବାହାରିଥିଲେ । ଆଉ ମାତ୍ର ଦୁଇ କିଲୋମିଟର ଦୂର ବାକି ଥାଏ ବ୍ୟେସରନ ଘାଟିରେ ପହଞ୍ଚିବା ପାଇଁ । ଗଣ୍ଡଗୋଳ ଦୃଶ୍ୟ ଦେଖି ପାରିଥିଲେ ।
ଲାବଣ୍ୟ କହିଛନ୍ତି, ‘ ସେମାନେ ଦେଖିବାକୁ ପାଇଲେ, ଘୋଡାମାନେ ପଛକୁ ଫେରୁଛନ୍ତି । ଟ୍ୟାକ୍କିଗୁଡିକ ଦ୍ରୁତ ଗତିରେ ତଳକୁ ଫେରୁଛନ୍ତି । ଲୋକମାନେ ଚିତ୍କାର କରୁଛନ୍ତି । ସ୍ଥାନୀୟ ଭାଷା ଆମେ କିଛି ବୁଝି ପାରିଲୁ ନାହିଁ ।’
କ’ଣ ହେଲା ବୋଲି କିଛି ଲୋକଙ୍କୁ ସେମାନେ ପଚାରିଥିଲେ । ସେମାନେ କହିଲେ, ଗଣ୍ଡଗୋଳ ହୋଇଥିଲା । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।’ ତାଙ୍କର ଡ୍ରାଇଭର ଯିଏ କି ସ୍ଥାନୀୟ ଲୋକ ଥିଲେ, କହିଲେ, ଏବେ ସେଠାରେ ସ୍ଥିତି ସ୍ୱାଭାବିକ ଅଛି । ତଥାପି ବିପଦର ଆଶଙ୍କା କରି ପରିବାର ଲୋକେ ଫେରି ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ପ୍ରାୟ ସାଢେ ୪ଟା ଯାଏ ସେମାନେ ଏକ ଝିଲ ନିକଟରେ କଟାଇଲେ । ହେଲେ ଉତ୍ତେଜନା ଲାଗି ରହିଥିବାରୁ ସ୍ଥାନୀୟ ଦୋକାନୀ ସେମାନଙ୍କୁ ଫେରି ଯିବା ପାଇଁ କହିଥିଲେ । ଫଳରେ ସେମାନେ ନିଜ ହୋଟେଲକୁ ଫେରି ଆସିଥିଲେ । ହୋଟେଲରେ ପହଞ୍ଚିବା ପରେ ସେମାନଙ୍କୁ ଫୋନ ଆସିଲା କି ବୈସରନ ଘାଟିରେ ଆତଙ୍କୀ ଆକ୍ରମଣ ହୋଇଛି ।
ଘୋଡା ସବାରର ଅଭାବ ଜୀବନ ବଞ୍ଚେଇ ଦେଲା
ଘୋଡା ସବାରର ଅଭାବ ମହାରାଷ୍ଟ୍ରର ୨୮ ଜଣ ପର୍ଯ୍ୟଟକଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ଏଇ ସମାନ୍ୟ ଜିନିଷ ସେମାନଙ୍କୁ ଯେ ନିଶ୍ଚିତ ମୃ୍ତ୍ୟୁରୁ ବଞ୍ଚାଇ ଦେଇଛି ଏକଥା ଭାବିଲେ ଏକ କାହାଣୀ ପରି ଲାଗୁଛି । ଏହି ପର୍ଯ୍ୟଟକମାନେ କୋହ୍ଲାପୁରୀ, ସାଙ୍ଗଲି, ରତ୍ନାଗିରି ଏବଂ ପୁଣେରୁ ଆସିଥିଲେ ବ୍ୟେସରନ ଘାଟିର ସବୁଜ ଗାଲିଚାରେ କିଛି ସମୟ କଟେଇବେ, ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ବୋଲି । ସୁଯୋଗ ହେଉ ବା ଦୁର୍ଯୋଗ, ସେ ମୁହୂର୍ତ୍ତ ସେମାନଙ୍କ ପାଇଁ ଆସି ନ ଥିଲା । କାରଣ ସେଠାକୁ ଯବା ପାଇଁ ସେହି ସମୟରେ ଘୋଡା ଉପଲବ୍ଧ ନ ଥିଲା । ଏହି ରାସ୍ତାରେ ଗାଡିରେ ଯିବା ବି ସମ୍ଭବ ନ ଥିଲା । ତେଣୁ ଲୋକେ କେବଳ ଘୋଡା ଗାଡି କିମ୍ବା ପାଦରେ ଚାଲି ଚାଲି ଯାଇଥାନ୍ତି । ଘୋଡା ନ ମିଳିବାରୁ ବ୍ୟେସରନ ଯିବା ଯୋଜନାକୁ ସ୍ଥଗିତ ରଖିଥିଲେ ଏହି ପରିବାର ସଦସ୍ୟ । ଅପେକ୍ଷା କରିଥିଲେ, କେତେବେଳେ ଘୋଡା ଆସିବ ଆଉ ସେମାନେ ବୈସରନ ଯିବେ ।
ଏହି ବିଳମ୍ବ ପାଇଁ ମନେ ମନେ ଭାଗ୍ୟକୁ ନିନ୍ଦୁଥିଲେ । ହେଲେ ଏହା ପଛରେ ଯେ ଭଗବାନଙ୍କ ଅପାର କରୁଣା ବର୍ଷୁଥିଲା ସେମାନେ ପରେ ବୁଝି ପାରିଥିଲେ । କୋହ୍ଲାପୁର ଗରଗୋଟି ଗାଁର ସୁରେନ୍ଦ୍ର ଦତ୍ତାତ୍ରେୟଙ୍କ କହିବା ଅନୁଯାୟୀ, ‘ଠିକ ସମୟରେ ଘୋଡା ନ ମିଳିବାରୁ ଆମେ ବଞ୍ଚିଗଲୁ । ଯଦି ଠିକ ସମୟରେ ସେଠାରେ ପହଞ୍ଚିଥାନ୍ତୁ ନିଶ୍ଚୟ ଆତଙ୍କୀ ଆକ୍ରମଣର ଶିକାର ହୋଇଥାନ୍ତୁ । ’
ଏହି ଅପେକ୍ଷା କରିବା ସମୟରେ ତାଙ୍କର ଡ୍ରାଇଭର ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା ଓ ୨୮ ସଦସ୍ୟ ବୈସରନ ନ ଯାଇ ଫେରି ଆସିଥିଲେ ।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ‘ଘୋଡା ମାଲିକ ପ୍ରତି ବ୍ୟକ୍ତିଙ୍କ ପାଇଁ ୩୨୦୦ ଟଙ୍କା ମାଗୁଥିଲା । ସେ ନେଇ ଆମର ମୂଲଚାଲ କରିବାରେ ୧୫ ମିନିଟ ଲାଗି ଯାଇଥିଲା । ତା ଛଡା ଅଧିକ ଘୋଡା ବି ନ ଥିଲା । ତେଣୁ ସେଥିପାଇଁ ୧୫ ମିନିଟ ଅପେକ୍ଷା କରିବାକୁ ପଡିଥିଲା । ଏମିତିରେ ୩୦ ମିନିଟ ଡେରି ହୋଇ ଯାଇଥିଲା । ଘୋଡା ଆସିବା ପରେ ମାତ୍ର ୫୦୦ ମିଟର ଯାଇଛୁ, ଆମ ଡ୍ରାଇଭର ଚିତ୍କାର କରି କହିଲେ, ଆଗରେ ଗୁଳି ମାଡ ହେଉଛି, ଯାଅନି ।’
ଏକାନ୍ତରେ ଭେଲପୁରୀ ଖାଇବାର ଇଚ୍ଛା ନବଦମ୍ପତିଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିଲା
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକାନ୍ତ ସ୍ଥାନରେ ବସି ଭେଲପୁରୀ ଖାଇବାର ଲାଳସା ଜୟପୁରର ନବ ବିବାହିତା ଦମ୍ପତି ମିହିର ଏବଂ କୋମାଲ ସୋନିଙ୍କ ଜୀବନ ବଞ୍ଚାଇ ଦେଲା । ଏଇ ନବବିବାହିତ ଦମ୍ପତି ପହଲଗାମର ବୈସରନ ଘାଟିରେ ପହଞ୍ଚିଥିଲେ । ବୁଲିବା ପୂର୍ବରୁ ପ୍ରଥମେ ଜଳପାନ କରିବା ପାଇଁ ମନସ୍ଥ କରିଥିଲେ । ସେମାନେ ଭେଲପୁରୀ ଖାଇ ବୈସରନର ଶାନ୍ତ ପରିବେଶକୁ ଆହୁରି ଗଭୀର ଭାବେ ଅନୁଭବ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ମିହିରଙ୍କ କହିବା ଅନୁଯାୟୀ, ‘ଖୁବ ସୁନ୍ଦର ପରିବେଶ ଥିଲା । ଗୋଟିଏ କଣରେ ବସି ଭେଲପୁରୀର ମଜା ନେଉଥିଲୁ । ହଠାତ ଗୁଳି ଶବ୍ଦ ଶୁଭିଲା । ଆଉ ତା ପରେ ବିକଳ କାନ୍ଦ ଆଉ ଚିତ୍କାର । ଦେଖିଲୁ, ଲୋକେ ଦୌଡାଦୌଡି ହେଉଛନ୍ତି ।’
ମିହିର କହିଛନ୍ତି, ଯଦି ଆମେ ଜଳଖିଆ ନ ଖାଇ ଥାନ୍ତୁ କିମ୍ବା ଏହି ଶାନ୍ତ କୋଣରେ ବସି ନ ଖାଇଥାନ୍ତୁ ତେବେ ନିଶ୍ଚିତ ଭାବେ ଆତଙ୍କୀ ଆକ୍ରମଣକୁ ସାମ୍ନା କରିଥାନ୍ତୁ । ମିହିରଙ୍କ ପତ୍ନୀ କୋମଳ କହିଛନ୍ତି, ‘ସେମାନେ ଆସିବାର ଠିକ ପୂର୍ବରୁ ଆତଙ୍କୀ ଗୁଳିରେ ସହିଦ ନୌସେନା ଅଧିକାରୀ ବିନୟ ନରୱାଲା ଓ ତାଙ୍କ ପତ୍ନୀ ଆସିଥିଲେ ଏବଂ ଆମ ପୂର୍ବରୁ ସେହି ଦୋକନରୁ ଭେଲପୁରୀ କିଣି ଖାଇଥିଲେ ।’
କୋମଳ କହିଛନ୍ତି, ‘ଆମରି ସାମ୍ନାରେ ସେମାନେ ବାହାରିଗଲେ । ପରେ ଜାଣିବାକୁ ପାଇଲୁ ବିନୟ ଆତଙ୍କୀ ଗୁଳିରେ ଟଳି ପଡିଛନ୍ତି ।’ ସେ କହିଛନ୍ତି, ଆସେ ସେହି ଘାସର ସବୁଜ ଗାଲିଚାରୁ ବାହାରକୁ ଯିବା ପାଇଁ ମାତ୍ର ୧୦ ପାଦ ଦୂରରେ ଥିଲୁ । ଜଣେ ଘୋଡା ଚାଳକଙ୍କୁ କହିଥିଲୁ ତଳକୁ ନେଇ ଯିବା ପାଇଁ । ୪ ହଜାର ଟଙ୍କାରେ ସେ ରାଜି ହୋଇଯାଇଥିଲେ । ଯେତେ ଶିଘ୍ର ସମ୍ଭବ ଆମେ ପହଲଗାମ ବଜାର ଅଭିମୁଖେ ବାହାରି ଯାଇଥିଲୁ । ସେଠାରେ କୌଣସି ସୁରକ୍ଷା କର୍ମୀ ନ ଥିଲେ । ସାହାଯ୍ୟ କରିବାକୁ କେହି ବି ନ ଥଲେ ।’
ଯାହା ବି ହେଉ, ଏକଥା ନିଶ୍ଚୟ କୁହାଯାଇ ପାରିବ, ଭାଗ୍ୟ, ସୁଯୋଗ ଏବଂ ତ୍ୱରିତ ନିର୍ଣ୍ଣୟ ପହଲଗାମର ଆତଙ୍କୀ ଗୁଳିରୁ ଅନେକ ଲୋକଙ୍କୁ ବଞ୍ଚାଇ ଦେଇଥିଲା । ଏଥିରେ ଚଟପଟା ରୋଗନ ଜୋଶ, ଭେଲପୁରୀ ଏବଂ ଘୋଡା ସବାରର ଭୂମିକା ବି ରହିଛି ।