Advertisment

ମୋହର ମାରିଥିଲା କ୍ୟାବିନେଟ୍, ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍

କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ।

author-image
Santosh Kumar Sahoo
undefined

Tribal Land transfer

କ୍ୟାବିନେଟ ମୋହର ମାରିଲା । ଆଉ ୪୮ ଘଣ୍ଟା ପରେ ରୋକ୍ ଲାଗିଲା। ଆଦିବାସୀ ଜମିଜମା ବିକ୍ରୀ ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନ ଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଏହି ଆଦିବାସୀ ମାରଣ ନୀତି ଲାଗି କଡା ଭାଷାରେ ସମାଲୋଚନା କରିଥିଲେ। ଏହାଦ୍ୱାରା ଆଦିବାସୀଙ୍କ ଜମି ସୁରକ୍ଷିତ ରହିବ ନାହିଁ ବରଂ କମ୍ ଦାମରେ ଅନ୍ୟମାନେ ଜମିକୁ ହଡ଼ପ କରିନେବେ। ଖାଲି ସେତିକି ନୁହେଁ, ଏହି ସମ୍ପ୍ରଦାୟ ଯେ ସମ୍ପୂର୍ଣ୍ଣ ଭୂମିହୀନ ହୋଇଯିବେ ସେ ଆଶଙ୍କାକୁ ବି ଏଡ଼ା ଯାଇନପାରେ। ବିରୋଧୀଙ୍କ ବାରମ୍ୱାର ଆକ୍ରମଣ ପରେ ଗତକାଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ୟାବିନେଟର ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି। କ୍ୟାବିନେଟ ନିଷ୍ପତ୍ତିକୁ ସେଦିନ ଭୁରି ଭୁରି ପ୍ରଶଂସା କରିଥିବା ରାଜସ୍ୱ ମନ୍ତ୍ରୀ ଆଜି କିନ୍ତୁ ପୁରା ୟୁଟର୍ଣ୍ଣ ନେଇଛନ୍ତି। କହିଛନ୍ତି କ୍ୟାବିନେଟ ପ୍ରସ୍ତାବଟିକୁ ପାରିତ କରିନଥିଲା, କେବଳ ଆଲୋଚନା ହୋଇଥିଲା।

Advertisment

ରାଜସ୍ୱ ମନ୍ତ୍ରୀଙ୍କ ଏହି ବଦଳୁଥିବା ବୟାନ ହିଁ ସ୍ପଷ୍ଟ କରୁଛି ବ୍ୟବସ୍ଥାରେ କିପରି ତ୍ରୁଟି ରହିଛି। ଯାହାକୁ ସହଜରେ ହଜମ କରିପାରିନାହାଁନ୍ତି ବିରୋଧୀ। ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବଟିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି, ଜମି ଦର ବଢାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବିରୋଧୀ।

ତେବେ ହଠାତ କାହିଁକି ସରକାର କ୍ୟାବିନେଟ ପ୍ରସ୍ତାବ ଉପରେ ରୋକ୍ ଲଗାଇଲେ। ଆଗମୀ ସାଧାରଣ ନିର୍ବାଚନରେ ଆଦିବାସୀ ଭୋଟ୍ ପ୍ରଭାବିତ ହେବା ଭୟ ଘାରିଲା କି ସରକାରଙ୍କୁ ? କାହା ସ୍ୱାର୍ଥରେ ସଂଶୋଧନ ପ୍ରସ୍ତାବ ଅଣାଯାଇଥିଲା? ରାଜନୈତିକ ସମୀକ୍ଷକଙ୍କ ମତରେ, ବିରୋଧୀଙ୍କ ଦାବି ପାଇଁ ଯେତିକି ନୁହେଁ, ପ୍ରସ୍ତାବରେ କିଛି ଆଇନଗତ ସମସ୍ୟା ଥିବା ପରିଲକ୍ଷିତ କରି ସରକାର ଏହାକୁ ସ୍ଥଗିତ କରିଛନ୍ତି। କିନ୍ତୁ କ୍ୟାବିନେଟରେ ପାରିତ ହେବାପରେ ରୋକ୍ ଲାଗିବା ବିଭାଗୀୟ ତ୍ରୁଟି ଆଡକୁ ଇଙ୍ଗିତ କରୁଛି।

Advertisment

ସମାନ ଢଙ୍ଗରେ ୨୦୧୭ରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିବାବେଳେ ଆଦିବାସୀଙ୍କ ଜମି କିଣାବିକା ସମ୍ପର୍କିତ ସାନ୍ତାଳ ପ୍ରଗଣା ଟେନାନସି ଆକ୍ଟ ୧୯୪୯କୁ ଆଣିଥିଲେ। ଆଉ ଏବେର ରାଷ୍ଟ୍ରପତି ତଥା ତତ୍କାଳନୀ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏହାକୁ ଫେରାଇ ଦେଇଥିଲେ। ଏବେ ଓଡ଼ିଶା ସରକାର ଏହାକୁ ସ୍ଥଗିତ ରଖିଥିବା ବେଳେ ପରିବର୍ତ୍ତୀ ଦିଗ କୁଆଡେ ଯାଉଛି ତା ଉପରେ ନଜର।

Odisha Cabinet Meeting
Advertisment
Advertisment