• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଥିଲେ ବାବୁ, ହେଲେ ନେତା। ଭୁବନେଶ୍ବର ନୁହେଁ ଦିଲ୍ଲୀରେ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।  ବିଜୟଙ୍କ ମିଶ୍ରଣ ପର୍ବରେ ସାଙ୍ଗରେ ଥିଲେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର, ଏଆଇସିସି ଜେନେରାଲ ସେକ୍ରେଟାରୀ କେ.ସି. ବେଣୁଗୋପାଳ ଓ ପିସିସି ସଭାପତି ଶରତ ପଟ୍ଟନାୟକ। ଆଉ ହାତର ହାତ ଧରୁ ଧରୁ ବିଜୟଙ୍କ ସିଧା ନିଶାନାରେ ଥିଲେ ରାଜ୍ୟ ସରକାର।

ରାଜ୍ୟରେ ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି। ଏବେ ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରୁନି। ତେଣୁ ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର ବୋଲି କହି ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଥିଲେ। ସେହିପରି ବିଜେଡି କେବଳ ଭୋଟ୍ ସର୍ବସ୍ବ ରାଜନୀତି କରୁଥିବା କହି ବର୍ତ୍ତମାନର ଅବସ୍ଥାରେ ପରିବର୍ତ୍ତନ ପାଇଁ ରାଜନୀତିକୁ ଆସିଛି, ଆଗକୁ ପ୍ରତ୍ୟକ୍ଷ ରାଜନୀତିକୁ ବି ଆସିବାର ସଂକେତ ଦେଇଛନ୍ତି ବିଜୟ।

୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ପଟ୍ଟନାୟକ ୨୦୧୦ ସେପ୍ଟେମ୍ବରରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁବ୍ ପାଖ ଲୋକ ଥିଲେ ବୋଲି ଚର୍ଚ୍ଚା ହେଉଥିଲେ। ଏପରିକି ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଅପେକ୍ଷା ବିଜୟଙ୍କ ଉପରେ କୁଆଡ଼େ ବେଶି ବିଶ୍ବାସ କରୁଥିଲେ ନବୀନ।

କୁହାଯାଏ ୨୦୧୨ ମେ ୨୯ ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା। ଏପରିକି ଅବସର ପରେ ମଧ୍ୟ ଷ୍ଟାଫ୍ ସିଲେକ୍ସନ୍ ଅଧ୍ୟକ୍ଷଠୁ ନେଇ ମାନବାଧିକାର କମିଶନ୍ ମେମ୍ବର ଭଳି ଗୁରୁତ୍ବ ପୂର୍ଣ୍ଣ ପଦରେ ତାଙ୍କୁ ଅବସ୍ଥାପିତ କରିଥିଲେ ରାଜ୍ୟ ସରକାର। ପରେ ସେ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ। ହେଲେ ନିରଞ୍ଜନ ପଟ୍ଟନାୟକଙ୍କ ପିସିସି ସଭାପତିତ୍ବ କାଳରେ ୨୦୨୨ରେ ବିଜୟଙ୍କ କଂଗ୍ରେସରେ ଯୋଗଦାନ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଯାହା ଆଜି ସତ ହୋଇଛି।

ହେଲେ ଏଠି ପ୍ରଶ୍ନ ଉଠୁଛି ଏକଦା ନବୀନଙ୍କ ଅତି ବିଶ୍ବସ୍ତ ଏବଂ ଦକ୍ଷ ଅଫିସର ଥିବା ବିଜୟ ବିଜେଡିକୁ ଛାଡ଼ି ନିଜ ରାଜନୈତିକ କ୍ୟାରିୟର ପାଇଁ ଏତେ ବିଳମ୍ବରେ ପୁଣି ରାଜ୍ୟରେ ନିଜ ଅସ୍ତିତ୍ବ ଖୋଜୁଥିବା କଂଗ୍ରେସକୁ ବାଛିଲେ କାହିଁକି? ତାଙ୍କଠୁ କି ଆଶା ରଖିଛି ରାଜ୍ୟ କଂଗ୍ରେସ? ଗୋଷ୍ଠୀ କନ୍ଦଳ ଓ ଦୁର୍ବଳ ସଂଗଠନ ଯୋଗୁଁ ଅତି ଖରାପ ସ୍ଥିତିରେ ଥିବା କଂଗ୍ରେସ ପାଇଁ ସେ କି ସଂଜିବନୀ ଦେବେ? ରାଜ୍ୟ ରାଜନୀତି ଏବଂ ବିଶେଷ କରି ଶାସକ ବିଜେଡି ଉପରେ ଏହାର କି ପ୍ରଭାବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା।

(ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ବରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)