• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଟେଲ ଚୌକ୍‌ରୁ ପାର୍ଟି ଅଫିସ୍ । ଦିଲ୍ଲୀରେ ବିଶାଳ ରୋଡ୍ ସୋ । ବନ୍ଦେ ମାତରମ୍ ଓ ମୋଦି ମୋଦି ନାରାରେ କଂପିଲା ପରିବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ରୋଡ୍ ସୋରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍ । ତାସହ ଏ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ ବି ପଡିଛି ରଣନୀତିର ମୂଳଦୂଆ । ଚଳିତ ବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ଼ ସହ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ । ଏହାବାଦ୍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ବି ହୋଇପାରେ ଇଲେକ୍ସନ ।

ଏସବୁ ରାଜ୍ୟରେ ଯେପରି ପଦ୍ମ ଫୁଟିବ ସେଥିପାଇଁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଆଜିଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ । ଏଥିସହ ମୋଦିଙ୍କ ନେତୃତ୍ୱରେ ୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ଦଳ କିଭଳି ବହୁମତ ହାସଲ କରି କ୍ଷମତା ବଜାୟ ରଖିବ, ସେଥିପାଇଁ ବି ଚାଲିଛି ଷ୍ଟ୍ରାଟେଜି ମେକିଂ । ଦଳର ସମସ୍ତ ପ୍ରଦେଶ ଅଧ୍ୟକ୍ଷ, ସଂଗଠନ ମହାମନ୍ତ୍ରୀ ଓ ପ୍ରଭାରୀମାନଙ୍କୁ ମଞ୍ଚ ଉପରୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ।

ଅଧିକ ପଢ଼ନ୍ତୁ:୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

୧୬ ଓ ୧୭, ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ବିଜେପି ପଦାଧିକାରୀ ବୈଠକ । ଯେଉଁଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ସାଂଗଠନିକ ମଜଭୁତ ଉପରେ ଜୋର ଦେବା ସହ ମୋଦି ସରକାରଙ୍କ ବିକାଶର ନାରା- ସବ୍‌କା ସାଥ୍, ସବକା ବିକାଶ ସହ ସବ୍‌କା ବିଶ୍ୱାସ ସ୍ଲୋଗାନ୍‌କୁ ବୁଥ୍ ସ୍ତରରେ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଥିଲେ । ଏଥିସହ ଯେଉଁ ସବୁ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଶାସନରେ ଅଛି, ସେଠି ପୁଣି କ୍ଷମତା ବଜାୟ ରଖିବା । କ୍ଷମତାରେ ନଥିବା ରାଜ୍ୟରେ କିପରି ବିଜୟ ଧ୍ୱଜା ଉଡ଼ାଇବ ସେ ନେଇ ବି ଦେଇଛନ୍ତି ଟାସ୍କ । ଏହାଛଡ଼ା ଯେଉଁ ସଂସଦୀୟ କ୍ଷେତ୍ରରେ ଦଳ ୨୦୧୯ରେ ଅଳ୍ପ ଭୋଟ୍‌ରେ ହାରିଥିଲା, ତାକୁ ଫୋକସ୍‌ରେ ରଖିବାକୁ ବି କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଏଥିପାଇଁ ପ୍ରବାସ ଯୋଜନାକୁ ସକ୍ରିୟତାର ସହ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ତା’ସହ ସବୁ ରାଜ୍ୟର ଦଳୀୟ ପ୍ରଭାରୀ ଦାୟିତ୍ୱରେ ଥିବା ସାଧାରଣ ସଂପାଦକମାନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ସାଂଗଠନିକ ଓ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସ୍ପଷ୍ଟ ଚିତ୍ର ଆସିବ ।

ବିଜେପି ର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଦଳର ରାଜନୈତିକ ଓ ଆର୍ଥିକ ଚିଠା ପ୍ରସ୍ତାବ ସହ ଅନ୍ତର୍ଜାତୀୟ ବ୍ୟାପାରରେ ପ୍ରସ୍ତାବ ପାରିତ ହେବ । ଏଥିସହ ଜି-୨୦ ବୈଠକ ଆୟୋଜନକାରୀ ରାଷ୍ଟ୍ରର ମୁଖ୍ୟ ହେବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ଶୁଭକାମନା ପ୍ରସ୍ତାବ ବି ଗୃହିତ ହେବାର କାର୍ଯ୍ୟକ୍ରମ ରହିଛି ।