ଖୋଲୁଛି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି । ଯେତେ ଖୋଳିଲେ ସେତେ ବାହାରୁଛି ଗୁମର । କେବଳ ଇଡ୍କୋ କି ଜିଏ ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି ଛାଡ଼ିନାହାନ୍ତି ଅଚ୍ୟୁତ ସାମନ୍ତ । ୨୦୧୬ରେ ବିଧାନସଭାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ୧୮.୧ ଏକର ଜଙ୍ଗଲ କିସମ ଜମିକୁ ଦଖଲ କରିଛି କିଟ୍ ସଂସ୍ଥା ।
ଏହି ଜଙ୍ଗଲ ଜମିକୁ ସରକାରୀ ତହବିଲକୁ ଫେରାଇ ନେବାକୁ ଓଡ଼ିଶା ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁସାରେ ମାମଲା ହୋଇଛି । ସରକାର ଅବରୋଧ ମୁକ୍ତ କରିବାକୁ ପଦକ୍ଷେପ ବି ନେଇଛନ୍ତି । ଖାଲି ସେତିକି ନୁହେଁ, ପଥରଗାଡ଼ିଆ ଅଞ୍ଚଳରେ କିସ୍ ପକ୍ଷରୁ ୪.୦୩୨ ହେକ୍ଟର ବା ୧୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ନେଇ, ୨୦୧୬ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାଖଲ ହୋଇଥିଲା । ଯାହାକୁ ନେଇ କିସ୍କୁ ବାଜିଥିଲା ଏନଜିଟି ଛାଟ । ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି, ୨୦୧୭ ମାର୍ଚ୍ଚ ୨୧ରେ କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ସହ ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Also Read
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...
କେବଳ ଏତିକି ନୁହେଁ, ଅନୁମତି ନମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ଯ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ ଏନଜିଟି । ତେବେ ବିଡ଼ମ୍ବନା, ଏହି ନିର୍ଦ୍ଦେଶକୁ ତତ୍କାଳୀନ ବିଜେଡି ସରକାର କାର୍ଯ୍ୟକାରୀ କରିବା ତ ଦୂରର କଥା, ବରଂ ଏହାକୁ ଭୃକ୍ଷେପ ନକରି କିସ୍ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଠିକ୍ ୨୦୨୪ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ, କିସ୍ ଦଖଲରେ ଥିବା ୧୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି ବୋଲି ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ଖବର କାଗଜରେ ବିଜ୍ଞାପନ ଜାରି ହୋଇଥିଲା ।
ତେବେ ନିର୍ବାଚନ ସରିବା ପରେ ଏହି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । ଚିଠିରେ ଉଲ୍ଲେଖଥିଲା କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନଥିବା ଅଭିଯୋଗ ଆସିଛି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଯାହାପରେ ଏବେ ଉକ୍ତ ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ସ୍ଥଗିତ ରଖାଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ସୂଚନା ଅଧିକାରୀ କର୍ମୀ କହିଛନ୍ତି ତତ୍କାଳୀନ ବିଜେଡି ସରକାରର ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଫିସରଙ୍କ ସହଯୋଗ ଯୋଗୁ ଜମି ଦୁର୍ନୀତିର ପାହାଡ଼ରେ ଛିଡ଼ା ହୋଇଛନ୍ତି ଅଚ୍ୟୁତ । ଅଚ୍ୟୁତ କେମିତି କଲେ ଏତେ ବଡ଼ ଜମି ଦୁର୍ନୀତି ? ଏହା ପଛରେ ଅଛି କି ବଡ଼ବଡ଼ିଆଙ୍କ ହାତ ? ବର୍ତ୍ତମାନର ମୋହନ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ବା ଏସ୍ଆଇଟି ତଦନ୍ତ କରି, ବାସ୍ତବ ତଥ୍ୟ ଲୋକଲୋଚନକୁ ଆଣିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ।
ଅପରପକ୍ଷେ ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁଠି ଜମି ଜବରଦଖଲ ହୋଇଛି । ତାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହି ପଦକ୍ଷେପ ନିଆଯିବ । ତେବେ ଜଙ୍ଗଲ ଜମି କ୍ଷେତ୍ରରେ ବ୍ୟାବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ ଜବରଦଖଲ, ସେ ବାବଦରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : 'କିଟ୍ରେ ଚାଲିଛି ସାମ୍ପ୍ରଦାୟିକ ବିଭେଦ': ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
- Reported by:
- KAPILENDRA PRADHAN