• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦଙ୍କ ସଂଗୀନ ଅଭିଯୋଗ ।

  • ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ।

  • ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଅଭିୟୋଗ କରିଥିବା କହିଛନ୍ତି ।

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟିର ବୈଠକରେ ମହୁଆ ତାଙ୍କୁ ଏଭଳି କହିଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି । ଏନେଇ ନିଶିକାନ୍ତ ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଅଭିୟୋଗ କରିଥିବା କହିଛନ୍ତି ।

ଅନ୍ୟପଟେ ନିଶିକାନ୍ତଙ୍କ ଏ ଅଭିଯୋଗକୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ର ଖଣ୍ଡନ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ହେଉଥିବା ଅଭିଯୋଗ ଆଧାରହୀନ । ଆଇଟି ସଂସଦୀୟ କମିଟି ବୈଠକ ଆଦୌ ହୋଇନାହିଁ । ତା’ହେଲେ ବୈଠକରେ ସେ ଗାଳି ଦେଲେ କିପରି ବୋଲି ମହୁଆ ପ୍ରଶ୍ନ କରିଛନ୍ତି ।

ଆଜି ସକାଳେ ନିଶିକାନ୍ତ ଏ ସଂପର୍କରେ କହିଥିଲେ ଯେ, ହିନ୍ଦୀ ଭାଷାଭାଷି ଲୋକଙ୍କ ପ୍ରତି ଟିଏମ୍‌ସିର ଆଲର୍ଜି ରହିଛି । ଯେଉଁଥିପାଇଁ କି ଟିଏମ୍‌ସି ସାଂସଦ ତାଙ୍କୁ ବିହାରୀ ଗୁଣ୍ଡା ବୋଲି କହିଥିଲେ । ତେବେ ସେ ଏନେଇ ସମସ୍ତ କାଗଜପତ୍ର ବାଚସ୍ପତି ଓମ୍ ବିର୍ଲାଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ନିଶିକାନ୍ତ କହିଛନ୍ତି । କେବଳ ଏତିକି ନୁହେଁ, ନିଶିକାନ୍ତ ଏକ ଟ୍ୱିଟ୍‌ରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟ୍ୟାଗ୍‌ କରି ମହୁଆଙ୍କ ବିରୋଧରେ ଅଭିୟୋଗ ଆଣିଛନ୍ତି । ଏଥିରେ ନିଶିକାନ୍ତ ଲେଖିଛନ୍ତି ଯେ, ଆପଣଙ୍କ ସାଂସଦ ମୋତେ ଏଭଳି ଢଙ୍ଗରେ ଗାଳି ଦେଇ ଟିଏମ୍‌ସିର ଉତ୍ତର ଭାରତୀୟଙ୍କ ପ୍ରତି ଥିବା ଘୃଣା ଭାବ ଦର୍ଶାଇଛନ୍ତି ।

ନିଶିକାନ୍ତଙ୍କ ଟ୍ୱିଟ୍ ପରେ ମହୁଆ ମୈତ୍ର ଟ୍ୱିଟ୍ କରି ଏହାର ଜବାବ ଦେଇଛନ୍ତି । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ନେଇ ସେ ଆଶ୍ଚର୍ଯ୍ୟାନ୍ୱିତ ।କୋରମ ଅଭାବରୁ ଆଇଟି ବୈଠକ ହୋଇପାରିଲା ନାହିଁ । ସଭ୍ୟମାନେ ଏଥିରେ ଯୋଗ ଦେଇନଥିଲେ । ତା ଛଡ଼ା ଯେଉଁ ବ୍ୟକ୍ତି ବୈଠକକୁ ଆସିନଥିଲେ, ତାଙ୍କୁ ସେ କିପରି ଗାଳିଦେବେ ବୋଲି ମହୁଆ ଓଲଟି ପ୍ରଶ୍ନ କରିଛନ୍ତି ।

ସେପଟେ ମହୁଆ ମିତ୍ରଙ୍କ ବିରୋଧରେ ନଶିିକାନ୍ତଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ସେ କହିଛନ୍ତି, ଯଦି କେହି ଜଣେ ଏଭଳି କଥା କହିଥିବ, ତାହା ଅତ୍ୟନ୍ତ ଦୁଖଦ ଘଟଣା । ଜଣେ ଏଭଳି ଭାଷା ପ୍ରୟୋଗରୁ ନିବୃତ ରହିବା ଉଚ୍ଚିତ ।

ତେବେ ଗତକାଲି ଯେତେବେଳେ ବୈଠକ ହୋଇନାହିଁ, ସେ ବୈଠକରେ ଜଣେ କାହାକୁ କଣ କହିଲା, ସେନେଇ ସେ କିପରି ଜାଣିବେ ବୋଲି ଶଶି ଥରୁର ପ୍ରଶ୍ନ କରିଛନ୍ତି । ଆଇଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶଶି ଥରୁରଙ୍କ କହିବା ଅନୁସାରେ, କୋରମ ଅଭାବରୁ ଓ ବିଜେପି ସଦସ୍ୟ ଦସ୍ତଖତ ନ କରିବାରୁ ଗତକାଲି ବୈଠକ ହୋଇପାରିନଥିଲା । ଅନ୍ୟପକ୍ଷରେ ଆଇଟି ଷ୍ଟାଣ୍ଡିଂ କମିଟିରୁ ତାଙ୍କୁ ବହିଷ୍କାର କରିବା ଲାଗି ବିଜେପିର ସ୍ୱାଧିକାର ପ୍ରସ୍ତାବ ସଂପର୍କରେ ଶଶି କହିଛନ୍ତି ଯେ, ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ଲାଗି ସାମ୍ବିଧାନିକ ପ୍ରକ୍ରିୟା ଗ୍ରହଣ କରାଯାଇନାହିଁ । ଏଥିଲାଗି ବାଚସ୍ପତି ଗୃହର ଅନୁମୋଦନ ନେବେ । ୨୫ ଜଣ ସଦସ୍ୟ ସ୍ୱାଧିକାର ପ୍ରସ୍ତାବକୁ ସମର୍ଥନ କରିବା ଆବଶ୍ୟକ ବୋଲି ଶଶି କହିଛନ୍ତି ।