• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଉତ୍କଚକ ତୀର୍ଥରୁ ବ୍ରାହ୍ମଣ ଧୌମ୍ୟଙ୍କୁ ସାଙ୍ଗରେ ଧରି ପାଣ୍ଡବ ପାଞ୍ଚଭାଇ ଓ କୁନ୍ତୀ ପାଞ୍ଚାଳ ଦେଶର ଦକ୍ଷିଣ ଦିଗକୁ ଚାଲିଲେ । ଆଚାର୍ଯ୍ୟ ଦ୍ରୋଣଙ୍କ ଦ୍ୱାରା ଦେଶ ଦୁଇଭାଗ ହେଲାପରେ, ଦକ୍ଷିଣ ଭାଗରେ ହିଁ ଦ୍ରୁପଦ ଶାସନ କରୁଥା'ନ୍ତି । କେହି ବି ସେମାନଙ୍କୁ ଚିହ୍ନି ପାରିବେନି ବୋଲି ପଣ୍ଡୁ ପରିବାରର ସମସ୍ତେ ବ୍ରାହ୍ମଣର ଛଦ୍ନବେଶରେ ଥାଆନ୍ତି । ପାଞ୍ଚାଳ ଦେଶରେ ପହଞ୍ଚି ସେମାନେ ଦେଖିଲେ ତାଙ୍କ ପରି ଆହୁରି ଅନେକ ବ୍ରାହ୍ଣଣ ରାଜାଝିଅର ସ୍ୱୟଂମ୍ବର ଦେଖିବାକୁ ଚାଲିଛନ୍ତି । ସେମାନେ ପାଣ୍ଡବମାନଙ୍କୁ ଦେଖି ପରିଚୟ ମାଗିଲେ । ପ୍ରକୃତ ପରିଚୟ ଗୋପନ ରଖି ଯୁଧିଷ୍ଠିର କହିଲେ ସେମାନେ ପାଞ୍ଚ ବ୍ରହ୍ମଚାରୀ, ମାଆଙ୍କୁ ସାଙ୍ଗରେ ଧରି ଉତ୍କଚକ ତୀର୍ଥରୁ ପାଞ୍ଚାଳ ବୁଲି ଆସିଛନ୍ତି । ସେଉଠୁ ବ୍ରାହ୍ମଣମାନେ କହିଲେ ତେବେ ଠିକ ଅଛି, ତୁମେମାନେ ବି ଆମ ସାଙ୍ଗରେ ଆସ । ଆମେ ପାଞ୍ଚାଳ ନରେଶଙ୍କ ଝିଅର ସ୍ୱୟଂବରକୁ ଯାଉଛୁ । ଝିଅ ଯାଜ୍ଞସେନୀର ବିବାହ ସୁରୁଖୁରୁରେ ହେଇଗଲେ, ଖୁସିରେ ରାଜା ନିଶ୍ଚୟ ଭଲ ଭୋଜି ଦେବା ସହ ଧନ ରତ୍ନାଦି ବ୍ରାହ୍ମଣମାନଙ୍କୁ ଉପହାରରେ ଦେବେ ।

ପାଞ୍ଚାଳରେ ପହଞ୍ଚିଲା ପରେ ପଞ୍ଚୁ ପାଣ୍ଡବ ଓ କୁନ୍ତୀ ଜଣେ କୁମ୍ଭାରର ଘରେ ଆଶ୍ରୟ ନେଲେ । ସବୁଦିନ ପାଞ୍ଚ ଭାଇ ଭିକ୍ଷା ମାଗିବାକୁ ବାହାରକୁ ଯାଆନ୍ତି ଓ ସଞ୍ଜରେ ଘରକୁ ଫେରନ୍ତି । ଯାହା ଭିକ୍ଷା ମିଳେ ସବୁ ଆଣି ମାଆ କୁନ୍ତିଙ୍କୁ ଦିଅନ୍ତି ଓ କୁନ୍ତୀ ହାତରେ ରୋଷେଇ କରି ପୁଅମାନଙ୍କୁ ଖାଇବାକୁ ଦିଅନ୍ତି ।

ସେପଟେ ରାଜା ଦ୍ରୁପଦ ଝିଅର ସ୍ୱୟଂବର ପାଇଁ ବିଭିନ୍ନ ଦେଶର ନରପତିମାନଙ୍କୁ ନିମନ୍ତ୍ରଣ କରିଥା'ନ୍ତି । ସେମାନେ ଥାଟ ବାଟ ସହ ଜଣ ଜଣ କରି ପାଞ୍ଚାଳରେ ପହଞ୍ଚୁଥାନ୍ତି । ହାସ୍ତିନାପୁରରୁ ଦୁର୍ଯ୍ୟୋଧନ ଓ ତାଙ୍କର କିଛି ଭାଇ ଏବଂ ଶଲ୍ୟ ଆଦି ଆସିଥାନ୍ତି । ଅଙ୍ଗ ନରେଶ କର୍ଣ୍ଣ ବି ଆସି ପହଞ୍ଚିଥାନ୍ତି । ସ୍ୱୟଂବର ସ୍ଥଳକୁ ଅତି ରୂଚିପୂର୍ଣ୍ଣ ଓ ମନୋରମ କରି ସଜାସଜି କରାଯାଇଥାଏ । ସମସ୍ତଙ୍କ ପାଇଁ ଅଲଗା ଓ ସ୍ୱତନ୍ତ୍ର କରି ଆସନ ଏବଂ ମଣ୍ଡପମାନ ନିର୍ମାଣ ହୋଇଥାଏ ।

ସବୁ ପ୍ରକାର ଆୟୋଜନ ପରେ ଦିନେ ସେ ସ୍ୱୟଂବରର ଦିନ ଆସି ପହଞ୍ଚିଲା । ରାଜାମାନେ ସେମାନଙ୍କ ଥାଟ ବାଟ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ ଓ ଆସନ ଗ୍ରହଣ କଲେ । ସ୍ୱୟଂବର ଦେଖିବାକୁ ସ୍ୱର୍ଗର ଦେବତାମାନେ ବି ସେମାନଙ୍କ ସୁସଜ୍ଜିତ ରଥ ଧରି ପହଞ୍ଚିଥାନ୍ତି । ସେମାନଙ୍କ ସାଙ୍ଗରେ ଅନେକ ଯକ୍ଷ, ଗନ୍ଧର୍ବ ଓ ଅପ୍ସରୀ ବି ଆସିଥାନ୍ତି । ଆକାଶରେ ରହି ସେମାନେ ସ୍ୱୟଂବର ପ୍ରତିଯୋଗିତା ଦେଖୁଥାନ୍ତି । କୃଷ୍ଣ ଓ ବଳରାମ ମଧ୍ୟ ସେମାନଙ୍କ ଯାଦବ ବାହିନୀଙ୍କୁ ଧରି ପହଞ୍ଚିଥାନ୍ତି । ପଞ୍ଚୁପାଣ୍ଡବ ବ୍ରାହ୍ମଣ ବେଶ ଧାରଣ କରି ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିଥା'ନ୍ତି ।

Story About five brothers marrying one woman ପାଞ୍ଚ ଭାଇଙ୍କର ଜଣେ ସ୍ତ୍ରୀକୁ ବିବାହର କଥା

କିଛି ସମୟ ପରେ ସ୍ୱୟଂବର ସ୍ଥଳକୁ ଯୁବରାଜ ଧୃଷ୍ଟ୍ରଦ୍ୟୁମ୍ନ ଆସିଲେ ଓ ସ୍ୱୟଂବରର ନୀୟମ ବୁଝାଇଲେ । ସଭାସ୍ଥଳର ମଝିରେ ଏକ ବିରାଟ ତେଲଭର୍ତ୍ତି ଥାଳି ରହିଥିଲା । ଥାଳି ଉପର ଛାତରେ ଝୁଲି ରହିଥିଲା ଏକ ବିରାଟ ଚଳାୟମାନ ଚକ । ଚକରେ ଲାଗି ରହିଥିଲା ଏକ ମାଛ । ସ୍ୱୟଂବରର ନୀୟମ ହେଲା, ଜଣେ ସେଠାରେ ରଖା ଯାଇଥିବା ଧନୁରେ ପ୍ରଥମେ ଗୁଣ ଚଢେଇବ, ତାପରେ ତେଲ ଥାଳିରେ ଦିଶୁଥିବା ପ୍ରତିବିମ୍ବ ଦେଖି ଉପରେ ବୁଲୁଥିବା ଚକରେ ଲାଗିଥିବା ମାଛର ଆଖିକୁ ଲକ୍ଷ୍ୟ କରି ତୀର ସନ୍ଧାନ କରିବ । ଯିଏ ମାଛ ଆଖିରେ ତୀର ଭେଦିବାରେ ସଫଳ ହେବ ସେ ହିଁ ରାଜକନ୍ୟାର ପାଣି ଗ୍ରହଣ କରିବ ।

ରାଜା ଦ୍ରୁପଦଙ୍କ ମନ ତଳେ ଇଚ୍ଛା ଥାଏ ଅର୍ଜୁନ ଯଦି ତାଙ୍କ କନ୍ୟାର ପାଣି ଗ୍ରହଣ କରିଥାନ୍ତେ, ଭଲ ହୋଇଥା'ନ୍ତା। ସେଇଥିପାଇଁ ସେ ସ୍ୱୟଂବର ପାଇଁ ଏକ ବଳିଷ୍ଠ ଧନୁ ତିଆରି କରିଥାନ୍ତି । ସେମିତିକା ବୀର ଧର୍ନୁଧର ନହେଲେ ତୀର ସନ୍ଧାନ ଦୂରର କଥା ଧନୁରେ ଗୁଣ ବି ଚଢେଇ ପାରିବନି । ଶେଷରେ ସେଇଆ ହିଁ ହେଲା । ଭାଗ୍ୟ ପରଖିବାକୁ ଯାଇ ଅନେକ ରାଜା ସେ ଶକ୍ତିଶାଳୀ ଧନୁରେ ଗୁଣ ଚଢେଇ ପାରିଲେନି । ଯିଏ ବି ଚଢେଇଲେ ପ୍ରତିବିମ୍ବକୁ ଦେଖି ତୀରରେ ଲକ୍ଷ୍ଯ ଭିଡୁ ଭିଡୁ ତେଲ ଥାଳରେ ପଡିଗଲେ ଅବା ସେମାନଙ୍କ ତୀର ଅନ୍ୟ କେଉଁଠି ଯାଇ ବାଜିଲା ।

ଅନ୍ୟମାନେ ଅସଫଳ ହେଲାପରେ ଅଙ୍ଗ ନରେଶ କର୍ଣ୍ଣ ଯେତେବେଳେ ଧନୁ ଉଠେଇବାକୁ ବାହାରିଲେ, ସେତବେଳେ ଯାଏଁ ଚୁପ ଚାପ ବସି ପ୍ରତିଯୋଗିତା ଦେଖୁଥିବା ଦ୍ରୌପଦୀ ଛିଡାହେଲେ ଓ କହିଲେ, ନା ନା ଜଣେ ସୂତପୁତ୍ର ମୋ ସ୍ୱୟଂବର ପ୍ରତିଯୋଗିତାରେ କଦାପି ଭାଗ ନେଇପାରିବନି । ମୁଁ ଏମିତିକା ଜଣେ ମଣିଷକୁ କେବେବି ମୋ ସ୍ୱାମୀ ଭାବରେ ଗ୍ରହଣ କରିପାରିବିନି। ଚରମ ଅପମାନରେ ମୁହଁ ତଳକୁ କରି କର୍ଣ୍ଣ ନିଜ ଆସନକୁ ଫେରିଆସିଲେ ।

ଜଣ ଜଣ କରି ଉପସ୍ଥିତ ସବୁ ରାଜା ଅସଫଳ ହେଲେ । କେହି ଜଣେ ବି ମାଛର ଆଖିକୁ ତୀର ଦ୍ୱାରା ବିଦ୍ଧ କରିପାରିଲେନି । କ୍ଷତ୍ରୀୟମାନଙ୍କ ଅସଫଳତା ପରେ ବ୍ରାହ୍ମଣମାନଙ୍କ ଭିତରେ ବସିଥିବା ଅର୍ଜୁନ ଧିରେ ଧିରେ ଆଗକୁ ବଢିବାକୁ ଲାଗିଲେ । ସେଠି ଉପସ୍ଥିତ ଥିବା ବ୍ରାହ୍ମଣ ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁଥା'ନ୍ତି। ଅନେକ ଭାବୁଥା'ନ୍ତି ବଡ ବଡ ବୀରମାନେ ଅସଫଳ ହେଲାପରେ ଏ ବ୍ରାହ୍ମଣ ଯୁବକର ସାହାସ ଦେଖ ।

ଅର୍ଜୁନ କିନ୍ତୁ ଚୁପ ଚାପ ଧନୁ ପାଖରେ ପହଞ୍ଚି ଧନୁ ଉଠେଇଲେ ଓ ଧନୁରେ ଗୁଣ ଚଢେଇଲେ । ତାପରେ ତୀର ଧରି ଲକ୍ଷ୍ଯ ସାଧନ କଲେ । ତୀର ଠିକ୍ ଯାଇ ଉପରେ ଘୁରୁଥିବା ଚକ୍ରସହ ଲାଗିଥିବା ମାଛର ଆଖିରେ ବାଜିଲା । ହଠାତ୍ କରତାଳିରେ ସ୍ୱୟଂବର ସ୍ଥଳ ମୁଖରିତ ହୋଇ ଉଠିଲା । ଦେବତାମାନେ ଅର୍ଜୁନଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ । ରାଜା ଦ୍ରୁପଦ ତାଙ୍କ ଆସନ ଛାଡି ବ୍ରାହ୍ମଣ ବେଶୀ ଅର୍ଜୁନଙ୍କ ପାଖରେ ପହଞ୍ଚି ତାଙ୍କୁ ଆଲିଙ୍ଗନ କଲେ ।

ଅର୍ଜୁନଙ୍କ ସଫଳତା ପରେ ଯୁଧିଷ୍ଠୀର ଭୀମଙ୍କୁ ଉପସ୍ଥିତ ରହିବାକୁ କହି ନିଜ ସାଙ୍ଗରେ ନକୁଳ ଓ ସହଦେବଙ୍କୁ ଧରି ସ୍ୱୟଂବର ସ୍ଥଳରୁ ବାହାରିଗଲେ । ଜଣେ ବ୍ରାହ୍ମଣ ଯୁବକ ସାଙ୍ଗରେ ସର୍ବଶ୍ରେଷ୍ଠ ସୁନ୍ଦରୀ ଯାଜ୍ଞସେନୀଙ୍କର ବିବାହକୁ ସେଠାରେ ଉପସ୍ଥିତ ଥିବା ରାଜାମାନେ କିନ୍ତୁ ସହଜରେ ଗ୍ରହଣ କରିପାରୁନଥାନ୍ତି । ଏତେ ବଡ ବଡ ବୀର ଥାଉ ଥାଉ ଜଣେ ସାମାନ୍ୟ ବ୍ରାହ୍ମଣ ଯୁବକ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜକୁମାରୀକୁ ବିବାହ କରିବ, ଏ କଥାଟିକୁ ସେମାନେ ସେମାନଙ୍କ ଅପମାନ ବୋଲି ଭାବୁଥା'ନ୍ତି ।

Story About five brothers marrying one woman ପାଞ୍ଚ ଭାଇଙ୍କର ଜଣେ ସ୍ତ୍ରୀକୁ ବିବାହର କଥା

ସେମାନେ କଥା ହେଉଥାନ୍ତି ପାଞ୍ଚାଳ ନରେଶ ସେମାନଙ୍କୁ ସ୍ୱୟଂବରକୁ ଡାକି ସେମାନଙ୍କ ଅପମାନ କରିଛନ୍ତି । ସ୍ୱୟଂବର କେବଳ କ୍ଷତ୍ରୀୟମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ସେଥିରେ ଜଣେ ଅନାମଧେୟ ବ୍ରାହ୍ମଣ ଯୁବକକୁ ଭାଗ ନେବାର ସୁଯୋଗ ଦିଆଗଲା କାହିଁକି? ରାଜା ତାଙ୍କ ଝିଅକୁ ଆମ ଭିତରୁ କାହା ସହ ଯଦି ବିବାହ ନଦିଅନ୍ତି, ତେବେ ଯଜ୍ଞ କୁଣ୍ଡରୁ ଜନ୍ମ ନେଇଥିବା ସେ ରାଜକୁମାରୀକୁ ଚାଲ ସେଇ ଯଜ୍ଞକୁଣ୍ଡର ନିଆଁ ଭିତରକୁ ଫିଙ୍ଗିଦେବା । କେହି କେହି ରାଜା ଦ୍ରୁପଦଙ୍କ ଉପରେ ଆକ୍ରମଣ କଥା ବି କହିଲେ । ଏମିତି ପରସ୍ପର ଭିତରେ ବିଚାର ଭିତରେ ରାଜାମାନେ ସେମାନଙ୍କ ବସିବା ମଣ୍ଡପ ଛାଡି ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ଦ୍ରୁପଦ ଓ ଦ୍ରୌପଦୀଙ୍କ ଆଡକୁ ଝପଟି ଆସିଲେ।

ରାଜାମାନଙ୍କ ସମବେତ ଆକ୍ରମଣକୁ ପ୍ରତିହତ କରିବାକୁ ଓ ଦ୍ରୁପଦ ଏବଂ ଦ୍ରୌପଦୀଙ୍କୁ ରକ୍ଷା କରିବାକୁ ମଝିରେ ଆସି ଠିଆହେଲେ ଅର୍ଜୁନ, ଭୀମ ଓ ଧୃଷ୍ଟଦ୍ୟୁମ୍ନ । ଭୀମସେନ ସିଧା ପାଖରେ ଥିବା ଗୋଟେ ବଡ ଗଛ ଉପାଡିଲେ ଓ ଆକ୍ରମଣକାରୀଙ୍କୁ ପ୍ରତିଆକ୍ରମଣ କରି ପିଟିବାକୁ ଲାଗିଲେ । ଅର୍ଜୁନଙ୍କ ତୀର ବର୍ଷାକୁ ସାମ୍ନା କରିବାକୁ ସେଠି କାହା ପାଖରେ ବଳ ନଥିଲା । କର୍ଣ୍ଣ ଓ ଅନ୍ୟ ବୀରମାନେ ଅର୍ଜୁନଙ୍କୁ ସାମ୍ନା କରିନପାରି ଛତ୍ର ଭଙ୍ଗ ଦେଲେ । ସଲ୍ୟ ଓ ଭୀମସେନଙ୍କ ଭିତରେ ପ୍ରବଳ ଯୁଦ୍ଧ ଲାଗିଥାଏ । ଶେଷରେ ପରାଜିତ ହୋଇ ସମସ୍ତେ ସେଠୁ ଛତ୍ରଭଙ୍ଗ ଦେଲେ ।

ଏତେସବୁ ଯୁଦ୍ଧ, ଆକ୍ରମଣ ଓ ପ୍ରତିଆକ୍ରମଣକୁ ବସି ବାସୁଦେବ କୃଷ୍ଣ ଓ ବଳରାମ ଦେଖୁଥା'ନ୍ତି । ସେଠି ଉପସ୍ଥିତ ଅନ୍ୟ ସମସ୍ତେ ଭାବୁଥିଲେ ଜଣେ ଧର୍ନୁଦ୍ଧର ବୀର ବ୍ରାହ୍ମଣ ଯୁବକ ପାଞ୍ଚାଳର ରାଜକୁମାରୀଙ୍କୁ ବିବାହ କଲେ । କିନ୍ତୁ କୃଷ୍ଣ ପାଣ୍ଡବ ଭାଇମାନଙ୍କୁ ଠିକରେ ଚିହ୍ନି ସାରିଥିଲେ । କୃଷ୍ଣ ପାଖରେ ବସିଥିବା ତାଙ୍କ ବଡ ଭାଇ ବଳରାମଙ୍କୁ ଧୀର ସ୍ୱରରେ କହିଲେ ଭାଇ, ପାଞ୍ଚାଳୀକୁ ଯିଏ ବିବାହ କଲେ ସେ ବୀର ଅର୍ଜୁନଙ୍କ ଛଡା ଆଉ କେହି ନୁହଁନ୍ତି । ଗଛ ଉପାଡି ଆକ୍ରମଣ କରୁଥିବା ସେ ବିଶାଳ ବପୁଧାରୀ ବ୍ରାହ୍ମଣ ବେଶରେ ଥିବା ଯୁବକ ନିଶ୍ଚୟ ଭୀମସେନ । ମଝିରେ ଯେଉଁ ତିନିଜଣ ସଭାସ୍ଥଳ ଛାଡି ଚାଲିଯାଇଥିଲେ ସେମାନେ ନିଶ୍ଚୟ ଯୁଧିଷ୍ଠିର, ନକୁଳ ଓ ସହଦେବ । ତାମାନେ ଆମ ପିଇସି ମା କୁନ୍ତୀ ଓ ପଞ୍ଚୁପାଣ୍ଡବ ବଞ୍ଚିଛନ୍ତି । ଦୁର୍ଯ୍ୟୋଧନର ଷଡ଼ଯନ୍ତ୍ରରୁ ଖସି ଆସିଛନ୍ତି । ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ଅର୍ଜୁନ ଓ ଭୀମସେନ ମାଆ କୁନ୍ତୀ ଏବଂ ଅନ୍ୟଭାଇମାନଙ୍କୁ ଭେଟିବାକୁ ବାହାରିଗଲା ପରେ କୃଷ୍ଣ ଓ ବଳରାମ ସେମାନଙ୍କୁ ଚୁପ ଚାପ ଅନୁସରଣ କଲେ।

ଅର୍ଜୁନ ଓ ଭୀମସେନ ସାଙ୍ଗରେ ଦ୍ରୌପଦୀଙ୍କୁ ଧରି କୁମ୍ଭାର ଘରେ ପହଞ୍ଚିଲା ବେଳକୁ କୁନ୍ତୀ ଘର ଭିତରେ ଥିଲେ । ସେ ସେଯାଏଁ କିଛିବି ଖବର ପାଇନଥା'ନ୍ତି । ଦୁଆର ମୁହଁ ପାଖରେ ପହଞ୍ଚି ଅର୍ଜୁନ ବଡ ପାଟି କରି କୁନ୍ତୀଙ୍କ ଉଦ୍ଦେଶ୍ୟରେ କହିଲେ - ମାଆ ଦେଖ ଆମେ ଆଜି କ'ଣ ଆଣିଛୁ । ପୁଅମାନେ କ'ଣ ସାଙ୍ଗରେ ଆଣିଛନ୍ତି ନଦେଖି ସେଇ ଘର ଭିତରୁ କୁନ୍ତୀ କହିଲେ, ଭଲ କଥା ଯିଏ ଯାହା ଆଣିଥାଅ, ସମସ୍ତଙ୍କ ଭିତରେ ସମାନକରି ବାଣ୍ଟି ନିଅ ।

କୁନ୍ତୀଙ୍କ କଥାରେ ସେଇ ଦୁଆର ମୁହଁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଗଲେ । ସ୍ୱୟଂ କୁନ୍ତୀ ଘର ବାହାରକୁ ଆସି ଦେଖିଲେ ଅତୀବ ସୁନ୍ଦରୀ ଜଣେ ନାରୀ ପୁଅ ପାଖରେ ଠିଆ ହୋଇଛନ୍ତି । ତାପରେ ପୁରା ଘଟଣା ଜାଣିଲା ପରେ କୁନ୍ତୀ ବଡ ଧର୍ମସଙ୍କଟରେ ପଡିଗଲେ । କିନ୍ତୁ ତାଙ୍କ କହିସାରିଥିବା କଥାକୁ ଅନ୍ୟଥା ନକରିବାକୁ ପୁଅମାନେ ତାଙ୍କ କଥା ମାନିନେଲେ ଓ ଜଣ ଜଣ କରି ଅଗ୍ନିକୁ ସାକ୍ଷୀ ରଖି ଦ୍ରୌପଦୀଙ୍କୁ ବିବାହ କଲେ ।

କିଛି ସମୟ ପରେ ସେମାନଙ୍କ ପାଖରେ କୃଷ୍ଣ ଓ ବଳରାମ ଆସି ପହଞ୍ଚିଲେ । କୁନ୍ତୀଙ୍କ ପାଦ ଛୁଇଁ ଦୁଇ ଭାଇ ସେମାନଙ୍କ ପରିଚୟ ଦେଲେ । ଯୁଧିଷ୍ଠିର ପଚାରିଲେ ସେମାନେ ଛଦ୍ମ ବେଶରେ ଅଛନ୍ତି ତଥାପି ସେମାନଙ୍କୁ କୃଷ୍ଣ ଚିହ୍ନିଲେ କେମିତି? କୃଷ୍ଣ ଏକ ରହସ୍ୟମୟ ହସ ହସିଲେ ଓ କହିଲେ ନିଜ ଲୋକମାନଙ୍କୁ ଚିହ୍ନିବାରେ ମୋର ଅସୁବିଧା ହୁଏନି । ଭଲ ହେଲା ତୁମେ ସବୁ ଦୁର୍ଯ୍ୟୋଧନର ଷଡ଼ଯନ୍ତ୍ରରୁ ଖସି ଆସିଛ । ବ୍ୟସ୍ତ ହୁଅନି । ସମୟ ଅନୁସାରେ ସବୁକିଛି ଠିକ୍ ହୋଇଯିବ । ତୁମମାନଙ୍କ ସହିତ ଆମର ସଦିଚ୍ଛା ସବୁବେଳେ ରହିଛି । ତାପରେ ଅଳ୍ପ ସମୟ ପରେ କୃଷ୍ଣ ବଳରାମ ସେ ସ୍ଥାନ ଛାଡି ଚାଲିଗଲେ ।

କେବଳ କୃଷ୍ଣ ଓ ବଳରାମ ନୁହଁନ୍ତି, ସେଦିନ ଆଉ ଜଣେ ବି ଅର୍ଜୁନ, ଭୀମ ଓ ଦ୍ରୌପଦୀଙ୍କୁ ପିଛା କରି ସେମାନଙ୍କ ପଛେ ପଛେ ଆସିଥିଲେ । ସେ ଜାଣିବାକୁ ଚାହୁଁଥିଲେ ପ୍ରକୃତରେ ଏମାନେ କିଏ। ସତରେ କ'ଣ ଜଣେ ବ୍ରାହ୍ମଣ ଯୁବକ ସମସ୍ତଙ୍କୁ ପରାଜିତ କରି ପ୍ରତିଯୋଗିତା ଜିତିଲେ? ନା ବ୍ରାହ୍ମଣର ଛଦ୍ମ ବେଶରେ ଏମାନେ ଆଉ କିଏ? ସେ ଦିନ ବେଳା କେବଳ ଘରଟି ଦେଖି ଦୂରରୁ ଚାଲିଯାଇଥିଲେ । ରାତିର ଅନ୍ଧାରରେ ସେ ପୁଣି ଥରେ ପାଣ୍ଡବମାନେ ରହୁଥିବା ସେ କୁମ୍ଭାର ଘର ପାଖକୁ ଫେରି ଆସିଲେ । ଝରକା ପାଖରେ ଲୁଚି ରହି ସେ ଜାଣିବାକୁ ଚେଷ୍ଟା କରୁଥିଲେ ଏ ଘରେ ରହୁଥିବା ବ୍ରାହ୍ଣଣମାନଙ୍କ ପ୍ରକୃତ ପରିଚୟ କଣ? ସତରେ କିଏ ଏମାନେ?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now