Advertisment

ଅପମାନଜନକ ବୟାନ କ’ଣ ଚର୍ଚ୍ଚାରେ ରହିବା ପାଇଁ...

ଦେଶରେ ଚାଲିଛି ଅପମାନଜନକ ଓ ଅଭଦ୍ରୋଚିତ ବୟାନର ଖେଳ। ସେ ସାଧୁ ସନ୍ଥ ହୁଅନ୍ତୁ କି ରାଜନେତା ସମସ୍ତଙ୍କ ମୁହଁରୁ ଏଭଳି ଭାଷା ଶୁଣାଯାଉଛି। ନିଜକୁ ଜଣେ ସାଧୁ କହୁଥିବା ବାବା ରାମଦେବ ମଧ୍ୟ ଏଥିରୁ ମୁକ୍ତି ପାଇ ନାହାନ୍ତି। ହେଲେ ଏମିତି ବୟାନ କାହିଁକି…

author-image
Pramod Behera
ଅଦ୍ୟତନ ହୋଇଛି
why an insulting statement

why an insulting statement

ଆମ ଦେଶରେ ଧର୍ମ-କର୍ମ, ନୈତିକତା-ମର୍ଯ୍ୟାଦା, ମାନ-ସମ୍ମାନ, ଆଦର-ସତ୍କାର, ଶିଷ୍ଟାଚାର-ପରୋପକାର, ସରଳତା ଓ ମୃଦୁଭାଷି ଆଦି କଥାକୁ ନେଇ ଅନେକ କଥା କୁହାଯାଇଥାଏ। ଏପରିକି ଏସବୁ କଥାକୁ ନେଇ ଆମେ ଯେତେ କଥା ସବୁ କହିଥାଉ ବିଶ୍ୱର କୌଣସି ଦେଶରେ ଏସବୁ କଥାକୁ ନେଇ ଏତେ ଆଲୋଚନା ହୋଇ ନଥାଏ।

Advertisment

ବିଭିନ୍ନ ସ୍ଥାନରେ ପ୍ରବଚନମାନଙ୍କରେ ପ୍ରବଚକମାନେ ଏସବୁ କଥାକୁ ଉପସ୍ଥିତ ଲୋକଙ୍କୁ ଭାବଗର୍ଭକ ଭାବେ ଶୁଣାଇଥାନ୍ତି। ନେତାମାନେ ମଧ୍ୟ ସେମାନଙ୍କ ପଦ ଓ ପ୍ରସିଦ୍ଧି ଅନୁସାରେ ଲୋକଙ୍କୁ ସଭାମାନଙ୍କରେ ଏକତ୍ରିତ କରି ଏଭଳି କଥା କହିଥାନ୍ତି। ଲୋକେ ମଧ୍ୟ ଶୁଣିଥାନ୍ତି। କିନ୍ତୁ ପ୍ରବଚକମାନଙ୍କ ଠାରୁ ବା ନେତାମାନଙ୍କ ଠାରୁ ଏସବୁ ପ୍ରସଙ୍ଗରେ ଭାଷଣ ଶୁଣିବା ପରେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ କି?

ଅନ୍ୟପକ୍ଷରେ ପ୍ରବଚନ ଦେଉଥିବା ପ୍ରବଚକ ଓ ଭାଷଣ ଦେଉଥିବା ନେତା ଏସବୁ କଥାକୁ ନିଜେ ଆପଣେଇ ଥାଆନ୍ତି କି? ଭାଷଣ ବା ପ୍ରବଚନ ଶୁଣୁଥିବା ଲୋକଙ୍କ ଭବିଷ୍ୟତ ନିର୍ମାଣରେ ଭାଷଣ ବା ପ୍ରବଚନ ସହାୟକ ହୋଇଥାଏ କି? ଦେଶର ଯୁବକମାନେ ଭାଷଣ ଓ ପ୍ରବଚନରୁ ମର୍ଯ୍ୟାଦା ଓ ନୈତିକତା ଶିକ୍ଷା କରିଥାନ୍ତି କି?

Advertisment

ଆମ ଦେଶ ଏବେ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି କୁହାଯାଉଛି, ଅନ୍ୟପକ୍ଷରେ ଶୀର୍ଷ ସ୍ତରରେ ଥିବା ବିଶିଷ୍ଟ ବ୍ୟକ୍ତିମାନେ ଅନେକ ସମୟରେ ତୃଟିପୂର୍ଣ୍ଣ, ଅନୈତିକ, ନିରର୍ଥକ ଓ ଦାୟୀତ୍ୱହୀନ ମନ୍ତବ୍ୟ ଦେଇଥାନ୍ତି। ଏପରିକି ଦ୍ୱେଷପୂର୍ଣ୍ଣ ବୟାନ ମଧ୍ୟ ଦେଇଥାନ୍ତି। ଅନେକ ବିଶିଷ୍ଟ ବୋଲି କୁହାଯାଉଥିବା ବ୍ୟକ୍ତି ସେମାନଙ୍କ ଅନୁଗାମୀ ଓ ସମର୍ଥକଙ୍କୁ ଏଭଳି ଉପଦେଶ (କଥା) ଦେଇଥାନ୍ତି ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦାର ଅନୁରୂପ ନୁହେଁ।

ଏଣୁ ଚିନ୍ତା କରାଯିବା ସ୍ୱାଭାବିକ ଯେ ନିରର୍ଥକ, ତୃଟିପୂର୍ଣ୍ଣ ଓ ଦାୟୀତ୍ୱହୀନ ବୟାନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ପଦବୀରେ ଅବସ୍ଥାପିତ କରି ସାଧାରଣ ଲୋକେ କିଛି ଭୁଲ କରିନାହାଁନ୍ତି ତ?

ମହାରାଷ୍ଟ୍ରର ଠାଣେ ଠାରେ କିଛିଦିନ ତଳେ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା। ଏହି ପ୍ରଶିକ୍ଷଣ ବେଳେ ବାବା ରାମଦେବ ମହିଳାମାନଙ୍କ ବସ୍ତ୍ର (ପିନ୍ଧିବା)କୁ ନେଇ ଅମର୍ଯ୍ୟାଦିତ ବୟାନ ଦେଇଥିଲେ। ବାବା ରାମଦେବ କହିଥିଲେ ଯେ ମହିଳାମାନେ ଶାଢୀ ପିନ୍ଧିଲେ ସୁନ୍ଦର ଦେଖାଯାଆନ୍ତି ଓ ସାଲ୍‌ୱାର – ସୁଟ୍‌ରେ ମଧ୍ୟ ଭଲ ଦେଖାଯାଆନ୍ତି କିନ୍ତୁ ଯଦି କିଛି ନ ପିନ୍ଧିବେ ଅର୍ଥାତ୍ ବିନା ବସ୍ତ୍ର ବା ପୋଷାକରେ ମଧ୍ୟ ଭଲ ଲାଗିବେ।

ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ ସମୟରେ ପ୍ରଶିକ୍ଷଣ ମଞ୍ଚରେ ତାଙ୍କ ସହ ଅନେକ ନେତା ଏବଂ ପୁରୁଷ - ମହିଳା ଉପସ୍ଥିତ ଥିଲେ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟକୁ ଘୋର ବିରୋଧ କରାଯାଉଛି। ଅନେକ ରାମଦେବଙ୍କୁ ସାମାଜିକ ସ୍ତରରେ ବହିଷ୍କାର କରାଯିବା ପାଇଁ ଦାବି କରୁଥିବା ବେଳେ ଅନେକ ରାମଦେବଙ୍କ ବୟାନକୁ ତାଙ୍କର କାମୁକତା ଓ ପିତୃସଭାର ପ୍ରତୀକ ବୋଲି କହୁଛନ୍ତି।

ରାମଦେବଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଉଠିଲାଣି। ସାମାଜିକ ଗଣମାଧ୍ୟମରେ ବାବା ରାମଦେବଙ୍କ ୨୦୧୧ ମସିହା ଜୁନ୍ ମାସର ଘଟଣା ଭାଇରାଲ୍ ହେବାର ଲାଗିଛି। ୨୦୧୧ର ଜୁନ୍ ମାସରେ ବାବା ରାମଦେବ ଦିଲ୍ଲୀର ରାମଲୀଳା ମୈଦାନରୁ ମହିଳାଙ୍କ ପୋଷାକ ପିନ୍ଧି ପଳାଇ ଯାଉଥିବା ବେଳେ ଧରାପଡ଼ି ଥିଲେ। ବିରୋଧ ପରେ ବାବା ରାମଦେବ ଠାଣେର ଯୋଗ ପ୍ରଶିକ୍ଷଣ ବେଳେ ମହିଳାମାନଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଏବେ କ୍ଷମା ମାଗିଛନ୍ତି।

ସେହିଭଳି କିଛିଦିନ ପୂର୍ବେ ହରିୟାଣାର କରନାଲ୍ ଠାରେ ଜଣେ ସାମ୍ବାଦିକ ରାମଦେବଙ୍କୁ ଡିଜେଲ୍ ଓ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ଦେଇଥିବା ବୟାନ୍ କଥା ଶୁଣାଇ ଏବେ ଏହାର ଦରବୃଦ୍ଧିକୁ କାହିଁକି ବିରୋଧ କରୁ ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଉତ୍ତର ଦେବା ବଦଳରେ ରାମଦେବ ସାମ୍ବାଦିକ ଜଣକୁ ଧମକାଇ ଥିଲେ।

ବାବା ରାମଦେବ ଅନେକ ସମୟରେ ଅମର୍ଯ୍ୟାଦିତ ବୟାନ ଦେଇଥାନ୍ତି। କେତେବେଳେ ମହିଳାଙ୍କ ବିରୁଦ୍ଧରେ ତ ଆଉ କେତେବେଳେ ଏଲୋପାଥିକ ଟୀକାର ବିଶ୍ୱସନୀୟତାକୁ ନେଇ ତୃଟିପୂର୍ଣ୍ଣ କଥା କହିଥାନ୍ତି। ନିଜକୁ ଯୋଗାଚାର୍ଯ୍ୟ ଓ ସନ୍ନ୍ୟାସୀ ବୋଲି କହୁଥିବା ରାମଦେବ ନିଜ ଭାଷାର ମର୍ଯ୍ୟାଦା ରଖୁନାହାଁନ୍ତି କାହିଁକି?

ଅନ୍ୟ ଦଳ ବିଶେଷକରି କଂଗ୍ରେସରୁ ଆସି ବିଜେପିରେ ସାମିଲ୍ ହୋଇଥିବା ଅନେକ ନେତା ଏବେ ବିଶ୍ୱସ୍ତତା ଦେଖାଇବା ପାଇଁ ନେହରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରୁଛନ୍ତି। ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ ଏଭଳି କିଛି ନେତା ରାହୁଳ ଗାନ୍ଧୀଙ୍କୁ ସଦାମ ହୁସେନ୍‌ଙ୍କ ସହ ତୁଳନା କରିଥିଲେ।

ନେତାମାନେ ବେଳେ ବେଳେ ଏଭଳି ବୟାନ ଦେଉଛନ୍ତି ଯାହା କଳ୍ପନା କରାଯାଇପାରିବ ନାହିଁ। ଏହା ଦେଶର ଦୁର୍ଭାଗ୍ୟ। ନିକଟରେ ଓଡ଼ିଶାର ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡିର ମହିଳା ପ୍ରାର୍ଥିଙ୍କ ବାବଦରେ ବିଜେପି ନେତାମାନେ ମଧ୍ୟ ଅହେତୁକ ବୟାନ ଦେଇଥିଲେ ଯାହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିଲା।

ଭାରତଯୋଡ ଯାତ୍ରା ବେଳେ ସାବରକରଙ୍କୁ ନେଇ ରାହୁଳଙ୍କ ବୟାନ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମୋଦୀଙ୍କୁ ରାବଣ ସହ ତୁଳନା କରିବା ଘଟଣା ମଧ୍ୟ ଅମର୍ଯ୍ୟାଦିତ ବୋଲି କୁହାଯାଇପାରେ। ବିଜେପି ନେତାମାନେ ମଧ୍ୟ ଏଭଳି ଘଟଣାରୁ ବାଦ୍ ପଡୁନାହାଁନ୍ତି।

ଦୁର୍ଭାଗ୍ୟ ଯେ ଅମର୍ଯ୍ୟାଦିତ ବା ଦାୟୀତ୍ୱହୀନ ଭାଷାର ଖେଳ ଦେଶର ସର୍ବୋଚ୍ଚ ସ୍ତରରେ ଖେଳାଯାଉଛି। ଧର୍ମ, ଜାତି, ଲିଙ୍ଗ ବିଶେଷରେ ଲୋକଙ୍କୁ ଟାର୍ଗେଟ୍ କରାଯିବା ଓ ସେମାନଙ୍କୁ ଅପମାନିତ କରାଯିବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଶୀର୍ଷ ସ୍ତରରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କ ଏଭଳି ନକରାତ୍ମକ ପ୍ରବୃତ୍ତି ଦେଶ ପାଇଁ କ୍ଷତିକାରକ ନିଶ୍ଚୟ।

ନିଜର ବିରୋଧିମାନଙ୍କୁ ବଦନାମ କରିବା ପାଇଁ ତୃଟିପୂର୍ଣ୍ଣ ଅଡ଼ିଓ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏବେ ଦେଶରେ ଏମିତି ଏକ ସମୟ ଉପସ୍ଥିତ ହୋଇଛି ଓ ନେତାମାନଙ୍କ ମଧ୍ୟରେ ଏମିତି ମାନସିକତା ବଢିଛି ଯେ ଏ ସମୟରେ ମର୍ଯ୍ୟାଦା ଓ ନୈତିକତାର କଥା କହିବା ଅନୈତିକ ଭଳି ମନେହେଉଛି। ଅମର୍ଯ୍ୟାଦିତ ବୟାନ ବା ବିବାଦିତ ବୟାନ ଦେଇ ନେତାମାନେ ଚର୍ଚ୍ଚାରେ ରହିବାକୁ ବୋଧହୁଏ ଚାହୁଁଛନ୍ତି। କିନ୍ତୁ ଏଭଳି ନେତା ବା ବାବାଙ୍କ ଭାଷାକୁ ଠିକ ବୋଲି କୁହାଯାଇ ପାରିବ ନାହିଁ।

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Abusive Content
Advertisment
Advertisment