• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାଗବତ ଓଡ଼ିଆ ଭାଷାର ସର୍ବଶ୍ରେଷ୍ଠ ଲୋକପ୍ରିୟ ରଚନା ଓ ଜଗନ୍ନାଥ ଦାସ ଲୋକପ୍ରିୟ କବି। ସେ ଉତ୍କଳ ବ୍ୟାସ। ଓଡ଼ିଶାରେ ଦିବ୍ୟଜ୍ଞାନ ପ୍ରଚାର କରିଛନ୍ତି। ଭାଗବତର ଏକ ସ୍ୱାତନ୍ତ୍ର୍ୟ ରହିଛି। ତାହା ହେଉଛି ମହାଭାରତ ଓ ରାମାୟଣ ପରି ଆଖ୍ୟାନଧର୍ମୀ।

ବେଦ, ଉପନିଷଦର ନିଗୂଢ଼ ଆଧ୍ୟାତ୍ମ ତତ୍ତ୍ୱକୁ ଆମ ପାଖରେ ପହଞ୍ଚାଇଥିଲେ ଜଗନ୍ନାଥ ଦାସ- ଭାଗବତ ମାଧ୍ୟମରେ। ଓଡ଼ିଆଙ୍କୁ ଷୋଡ଼ଶ ଶତାବ୍ଦୀର ବେଦାନ୍ତ ଚିନ୍ତା ସହିତ ଭାଗବତ ହିଁ ପରିଚିତ କରିଛି। ଭକ୍ତି-ଦର୍ଶନ ଓ କାବ୍ୟର ତ୍ରିବେଣୀ ସଂଗମ ହେଉଛି ‘ଭାଗବତ’ । ଆମ କର୍ମ, ଧର୍ମ, ସାହିତ୍ୟ, ଶିକ୍ଷା, ଆଚାର ବ୍ୟବହାର ସର୍ବୋପରି ସାମାଜିକ ଜୀବନଧାରାର ସୁଦୃଢ଼ ଭିତ୍ତିଭୂମି ହେଉଛି ଓଡ଼ିଆ ଭାଗବତ। ଯେତେ ଦିନଯାଏ ଓଡ଼ିଆ ଭାଷା ଜୀବିତ ରହିଥିବ ସେତେଦିନ ଭାଗବତର ସ୍ଥିତି ମଧ୍ୟ ରହିଥିବ। ଉତ୍କଳମଣି କବି ଗୋପବନ୍ଧୁ ସେଥିପାଇଁ ଲେଖିଥିଲେ –

“ଥିବା ଯାଏ ଭାଷା ଗାଇବ ଓଡ଼ିଶା

କହେ ଜଗନ୍ନାଥ ଦାସ।”

ସଂସ୍କୃତ ଭାଗବତ ଓ ଓଡ଼ିଆ ଭାଗବତ :

ସଂସ୍କୃତ ଭାଗବତର ଶ୍ଳୋକ ସଂଖ୍ୟା ୧୮,୦୦୦ ବୋଲି ସେହି ଭାଗବତରେ ଲେଖାଅଛି। କିନ୍ତୁ ଗୀତା ପ୍ରେସ୍ ଦ୍ୱାରା ପ୍ରକାଶିତ ଭାଗବତର ଶ୍ଳୋକ ସଂଖ୍ୟା ୧୩,୦୦୦ ଓ ଗଦ୍ୟାଂଶ ମାତ୍ର ୧,୦୦୦। ଜଗନ୍ନାଥ ଦାସ ଅନୁବାଦ କରିଥିବା ମୂଳ ଗ୍ରନ୍ଥର ଶ୍ଳୋକ ସଂଖ୍ୟା ପ୍ରାୟ ସେତିକି।

ସଂସ୍କୃତ ଭାଗବତ ୩୩୨ ଅଧ୍ୟାୟ ବିଶିଷ୍ଟ ଥିଲା। କିନ୍ତୁ ବର୍ତ୍ତମାନ ଉପଲବ୍ଧ ସଂସ୍କୃତ ଭାଗବତରେ ୩୩୫ଟି ଅଧ୍ୟାୟ ରହିଛି। ଜଗନ୍ନାଥ ଦାସ ବ୍ୟବହାର କରିଥିବା ଶ୍ରୀଧର ସ୍ୱାମୀଙ୍କ ଟୀକାରେ ମଧ୍ୟ ୩୩୫ ଅଧ୍ୟାୟ ରହିଛି। ଜଗନ୍ନାଥ ଦାସ ବ୍ୟବହାର କରିଥିବା ଶ୍ରୀଧର ସ୍ୱାମୀଙ୍କ ଟୀକାରେ ମଧ୍ୟ ୩୩୫ ଅଧ୍ୟାୟ ରହିଛି।

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ୭ଟି ଅଧ୍ୟାୟ ଅଧିକ ରହିଛି। ଜଗନ୍ନାଥ ଦାସ ଓ ଭାଗବତର ୧୦ମ ସ୍କନ୍ଧରେ ୬ଟି ଅଧ୍ୟାୟ ଓ ୧୧ଶ ସ୍କନ୍ଧରେ ଗୋଟିଏ ଅଧ୍ୟାୟ ଅଧିକ ଯୋଡ଼ିଛନ୍ତି। ଦଶମ ସ୍କନ୍ଧକୁ ଜଗନ୍ନାଥ ଦାସ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋପଲୀଳା ଓ ଦ୍ୱାରକାଲୀଳା। ଦୁଇଟିଯାକ ୪୮ ଅଧ୍ୟାୟ ବିଶିଷ୍ଟ। ମୂଳ ସଂସ୍କୃତ ଭାଗବତରେ ଏପରି ଅଧ୍ୟାୟ ସଂଖ୍ୟା ନାହିଁ।

ଏକାଦଶ ସ୍କନ୍ଧ ଅନୁବାଦ କରୁଥିବା ସମୟରେ ଜଗନ୍ନାଥ ଦାସଙ୍କର ଦେହାନ୍ତ ହୋଇଛି। ଦ୍ୱାଦଶ ସ୍କନ୍ଧର ଅନୁବାଦ ସେଇ ନବାକ୍ଷରୀ ଛନ୍ଦରେ ବିପ୍ର ମହାଦେବ ଦାସ କରିଛନ୍ତି।

ଓଡ଼ିଆ ଭାଗବତକୁ ନେଇ କିମ୍ବଦନ୍ତୀ :

ଜଗନ୍ନାଥ ଦାସ ଭାଗବତ ରଚନା କରିବା ସମୟରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ବାତାବରଣ ପରିପୁଷ୍ଟ ଥିଲା। ଜଗନ୍ନାଥ ଦାସ ପଣ୍ଡିତ ଥିବାରୁ ସଂସ୍କୃତ ଭାଷାକୁ ବୁଝିବା ଓ ପ୍ରାଞ୍ଜଳ ଭାବରେ ବୁଝାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ନଥିଲା।

ଏହା ବ୍ୟତୀତ ଧର୍ମଶାସ୍ତ୍ର ଆଲୋଚନାରେ ସେ ସମୟରେ ପୁରୁଷ ବ୍ରାହ୍ମଣମାନଙ୍କର ଏକଚାଟିଆ ଅଧିକାର ସ୍ୱରୂପ ଏକ କଠୋର ନିୟମ ରହିଥିଲା। ପୁଣି ସେ ସମୟରେ ପଣ୍ଡିତମାନେ ପୁରୀରେ ସଂସ୍କୃତ ଚର୍ଚ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ଜନତା ସଂସ୍କୃତ ଚର୍ଚ୍ଚାଠାରୁ ଦୂରରେ ଥିଲେ। ତେଣୁ ଜଗନ୍ନାଥ ଦାସ ସହଜ ସରଳ ଓଡ଼ିଆ ଭାଷାରେ ଭାଗବତ ଲେଖିଲେ।

ଆଉ ଏକ କିମ୍ବଦନ୍ତୀରୁ ଜଣାଯାଏ, ଜଗନ୍ନାଥ ଦାସଙ୍କର ମା’ ପଦ୍ମାବତୀ ଦେବୀ ପ୍ରତିଦିନ କପିଳେଶ୍ୱର ଶାସନରୁ ଜଗନ୍ନାଥ ଦର୍ଶନ ନିମିତ୍ତ ପୁରୀ ଆସୁଥିଲେ। ନାରୀମାନଙ୍କର ସେ ଅଧିକାର ନଥିବା ଦର୍ଶାଇ ବ୍ରାହ୍ମଣ ପଣ୍ଡିତମାନେ ତାଙ୍କୁ ତାତ୍ସଲ୍ୟ କରିଥିଲେ। ମା'ଙ୍କ ଦୁଃଖ ମୋଚନ ପାଇଁ ଜଗନ୍ନାଥ ଦାସ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ନବାକ୍ଷରୀ ବୃତ୍ତରେ ଭାଗବତର ଅନୁବାଦ କଲେ।

ଧୀରେ ଧୀରେ ଏହି ଭାଗବତ ସର୍ବସାଧାରଣରେ ବେଶ୍ ଆଦୃତ ହେଲା। ଭାଗବତର ଏ ପ୍ରକାର ଲୋକପ୍ରିୟତା ଦେଖି ବ୍ରାହ୍ମଣ ପଣ୍ଡିତମାନେ ଈର୍ଷାଯୁକ୍ତ ହୋଇ ଏହାକୁ ‘ତେଲି ଭାଗବତ’ ବୋଲି କହି ଅପପ୍ରଚାର କଲେ। ଷୋଡ଼ଶ ଶତାବ୍ଦୀର ଓଡ଼ିଆ ଭାଗବତ ଓଡ଼ିଆ ସାହିତ୍ୟର ଇତିହାସ ପାଇଁ ଏକ କ୍ରାନ୍ତିକାରୀ ସୃଷ୍ଟି ଥିଲା। ବ୍ରାହ୍ମଣ ପଣ୍ଡିତମାନଙ୍କର ପ୍ରତିଷ୍ଠିତ ପରଂପରା ବିରୋଧରେ ଯାଇ, ଓଡ଼ିଆ ଭାଗବତ ସାଧାରଣ ଜନତାଙ୍କ ଜୀବନର କଥା କହିଲା। ତେଣୁ ଓଡ଼ିଆ ଭାଗବତ ପାଲଟିଗଲା ଆମ ପ୍ରାଣର ଅବିଚ୍ଛିନ୍ନ ସତ୍ତା। ଆମ ଜାତିର ଅସ୍ମିତା।

ଭାଗବତରେ ସାମାଜିକ ଜୀବନ ଚିତ୍ର :

ଭାଗବତରେ ଜଗନ୍ନାଥ ଦାସ ନୂତନ ଚିନ୍ତାଦର୍ଶର ପରିକଳ୍ପନା କରିଛନ୍ତି । ଧର୍ମ ଆଧାରିତ ସମସମାଜ ସେ ଚାହିଁଛନ୍ତି । ମଣିଷର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାଗବତରେ ଭୋଗ ନୁହେଁ ତ୍ୟାଗ ଓ ଇନ୍ଦ୍ରିୟ ସଂଯମ ଉପରେ ଗୁରୁତ୍ୱ, କ୍ଷମତା ଓ ଧନ ମଣିଷକୁ କିପରି ଅହଂକାରୀ କରାଏ, ପତନର ମାର୍ଗ ଖୋଲିଦିଏ ସେ ସମ୍ପର୍କରେ ବର୍ଣ୍ଣନା ରହିଛି। ଏଗୁଡିକ ସମାଜ ପାଇଁ ଆତଙ୍କ ସୃଷ୍ଟି କରନ୍ତି।

ଅନ୍ୟାୟ, ଅସତ୍ୟ, ଅଧର୍ମ ପ୍ରଭାବ ବିସ୍ତାର କଲେ ସମାଜ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼େ । ଧର୍ମ ବା ଆଧ୍ୟାତ୍ମିକତାର ଉତ୍ତରଣ ଘଟିଲେ ମଣିଷ ସତ୍ୟ, ଶାନ୍ତି, ଦୟା, କ୍ଷମା ଆଚରଣ କରେ। ସକଳ ମଣିଷକୁ ସମାନ ଦୃଷ୍ଟିରେ ଦେଖେ। ମଣିଷ ମଣିଷ ଭିତରେ ଆନ୍ତରିକ ସଂପର୍କ ପ୍ରତିଷ୍ଠା ପାଇଁ ପ୍ରେରଣା ପ୍ରଦାନ କରେ।

ଭାଗବତରେ କୌଳିକ କର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। ଧନକୁ ଧର୍ମ ଓ ସତ୍ୟ ମାର୍ଗରେ ବ୍ୟୟ କରିବାକୁ କୁହାଯାଇଛି। ରାଜା ଓ ପ୍ରଜା ମଧ୍ୟରେ ସୁସଂପର୍କ, ଆଦର୍ଶ ରାଜଧର୍ମ, ମଦ୍ୟପାନର ଅପକାରିତା, ନାରୀ-ସଂଗମର ପରିଣତି, ବ୍ରାହ୍ମଣର ସମାଜ ପ୍ରତି କର୍ତ୍ତବ୍ୟ ସଂପର୍କରେ ଗୁରୁତ୍ୱ ଦିଆଯାଇଛି। ନିମ୍ନ ପଂକ୍ତିରେ ଏହା ସୁସ୍ପଷ୍ଟ।

“ଧନ ଅର୍ଜନେ ଧର୍ମ କରି।

ଧର୍ମେ ପ୍ରାପତ ନରହରି।”(୧୧ଶ ସ୍କନ୍ଧ / ୨ୟ ଅଧ୍ୟାୟ)

“କାମିନୀ ସଂଗେ କଲେ ଭାବ

କେବଳ ଦୁଃଖ ମାତ୍ର ଲାଭ୍ୟ

ମରଣ ପଥ ହେତୁ ଧନ।

ତା’ର ଅର୍ଜନେ ନିତ୍ୟ ମନ।” (୧୧ଶ ସ୍କନ୍ଧ / ୨ୟ ଅଧ୍ୟାୟ)

“ଦମ୍ଭ ଆଚରି କାମ ଲୋଭୀ

ନିରତେ କ୍ରୋଧେ ପରାଭବି।

କୁତ୍ସିତ ବୁଦ୍ଧି ତା’ର ହୀନ

ନାନା ପ୍ରକାରେ ସଂଚେ ଧନ ।” (୧୨ଶ ସ୍କନ୍ଧ / ୨ୟ ଅଧ୍ୟାୟ)

ଶିଶୁହତ୍ୟା, ନାରୀହତ୍ୟା, ନାରୀ ନିର୍ଯାତନା, ରଥଶସ୍ତ୍ରହୀନ ବ୍ୟକ୍ତିକୁ ହତ୍ୟା, ଶରଣାଗତକୁ ସୁରକ୍ଷା ନଦେବା ଯେ ଘୋର ପାପ ଏ ସଂପର୍କରେ କୁହାଯାଇଛି।

“ମତ୍ତ ପ୍ରମତ୍ତ ଉନମତ୍ତ

ବାଳ ବନିତା ନିଦ୍ରାଗତ।

ଶରଣାଗତ ରଥହୀନ

ସଂଗ୍ରାମେ ଦେଖି ରଘୁଜନ।

ଏହାଙ୍କୁ ବଧ ଯେ କରନ୍ତି

ବନ ଥାଇ ସେ ମରନ୍ତି।”(୧ମ ସ୍କନ୍ଧ/୭ମ ଅଧ୍ୟାୟ)

ଭାଗବତ କେବଳ ଏକ ଜ୍ଞାନଶାସ୍ତ୍ର ନୁହେଁ। ବ୍ୟକ୍ତି, ପରିବାର ଓ ସମାଜ ପାଇଁ ଏକ କ୍ରାନ୍ତିକାରୀ ମହୌଷଧି। ବିବିଧ କାହାଣୀ, ଚରିତ୍ର, କଥାବସ୍ତୁ ପ୍ରସଙ୍ଗ ମଧ୍ୟ ଦେଇ ସୁସ୍ଥ ସୁନ୍ଦର ସମାଜ ଗଠନର ବାଣୀରେ ଏହା ପରିପୂର୍ଣ୍ଣ।

ଡ. ବିଜୟଲକ୍ଷ୍ମୀ ଦାଶ

(ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ)

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)