ଭାଇ-ଭଉଣୀ ଛାତ ଉପରେ ଠିଆ ହୋଇ ବାଇନାକୁଲାରରେ ଆକାଶରେ କିଛି ଦେଖୁଛନ୍ତି। ବାପା ତଳେ ଠିଆ ହୋଇ ପଚାରୁଛନ୍ତି, "କଣ ଦେଖୁଛ କିରେ?" ପୁଅ ଉତ୍ତର ଦେଉଛି, "ନର୍ଥ ଷ୍ଟାର୍ ପାପା।" ବାପା ଏଥର ହସି ହସି କହୁଛନ୍ତି, "ଆରେ ବା! ତୁ ତାହେଲେ ବଡ଼ ହୋଇ ଆଷ୍ଟ୍ରୋନଟ୍ ହେବୁ।" ଝିଅ ଏ କଥା ଶୁଣି ପଚାରୁଛି, "ତା' ହେଲେ ମୁଁ ବଡ଼ ହେଲେ କ'ଣ ହେବି ବାପା?" ବାପା ଏଥର ଟିକେ କିଛି ସମୟ ପାଇଁ ଚୁପ୍ ପଡିଯାଇ ଭାବୁଛନ୍ତି ଆଉ ଉତ୍ତର ଦେଉଛନ୍ତି, "ତୁ, ତୁ ବଡ଼ ହୋଇ ଖୁବ୍ ଗୋଟେ ବଡ଼ ଚମକଦାର ଷ୍ଟାର୍, ଫିଲ୍ମଷ୍ଟାର୍ ହେବୁ।" ମଉଳି ଯାଉଛି ଝିଅଟିର ମୁହଁ ବାପାଙ୍କ ଏ ଉତ୍ତର ଶୁଣି।
ଏ ହେଉଛି, କସ୍ମେଟିକ୍ସ ବ୍ରାଣ୍ଡ୍ 'ଓଲେ ଇଣ୍ଡିଆ' ପକ୍ଷରୁ ପ୍ରସ୍ତୁତ 'STEM the gap' କ୍ୟାମ୍ପେନ୍ ଅଧୀନରେ ପ୍ରସ୍ତୁତ ଏକ ବିଜ୍ଞାପନ। ଜାତିସଂଘ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଭାରତରେ STEM (ସାଇନ୍ସ, ଟେକ୍ନୋଲୋଜି, ଇ°ଜିନିୟରି° ଆଣ୍ଡ୍ ମ୍ୟାଥ୍) କ୍ଷେତ୍ରରେ କାମ କରୁଥିବା କର୍ମଜୀବୀମାନଙ୍କ ମଧ୍ୟରେ ମାତ୍ର ୧୪% କର୍ମଚାରୀ ହିଁ ମହିଳା ହୋଇଥାନ୍ତି। ଆଉ ଏ କ୍ଷେତ୍ରରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଥିବା ଏଇ ବ୍ୟବଧାନର ଭରଣା ପାଇଁ ହିଁ ଓଲେ ଇଣ୍ଡିଆ ପକ୍ଷରୁ କ୍ୟାମ୍ପେନଟି ଆରମ୍ଭ କରାଯାଇଥିଲା।
ତେବେ ଖାଲି କ'ଣ ନିଜ କ୍ୟାରିଅର ବାଛିବାରେ ଝିଅମାନଙ୍କୁ ଏଭଳି ଗତାନୁଗତିକ ବା ଷ୍ଟେରିଓଟାଇପ୍ ଚିନ୍ତାଧାରାର ଶିକାର ହେବାକୁ ପଡ଼ିଥାଏ? ଉତ୍ତର - ନା। କାରଣ ସାମାଜିକ ଓ ପାରିବାରିକ ସ୍ତର ବ୍ୟତୀତ ଝିଅଟିଏକୁ ନିଜ କର୍ମକ୍ଷେତ୍ରରେ ମଧ୍ୟ ସର୍ବଦା ଏଭଳି ଭେଦଭାବର ଶିକାର ହେବାକୁ ପଡ଼ିଥାଏ।
ତେବେ ଏ କ୍ଷେତ୍ରରେ ସବୁଠାରୁ ଯାହା ଚିନ୍ତାଜନକ, ତାହା ହେଲା ଦରମା ବା ପାରିଶ୍ରମିକ ବା ସ୍ଥଳ ବିଶେଷରେ ପାରିତୋଷିକ ପାଇବାରେ ପୁରୁଷ ଓ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ଥିବା ପାତରଅନ୍ତର। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମେରିକା ଭଳି ଏକ ଅତି ଉନ୍ନତ ଦେଶରେ ମଧ୍ୟ ମହିଳା କର୍ମଚାରୀମାନେ ସେମାନଙ୍କ ପୁରୁଷ ସହକର୍ମୀଙ୍କ ତୁଳନାରେ ୨୦% କମ୍ ପାରିଶ୍ରମିକ ପାଇଥା'ନ୍ତି। ଅର୍ଥାତ୍ ଗୋଟିଏ କାମ ପାଇଁ ଜଣେ ପୁରୁଷ କର୍ମଚାରୀ ସେଠାରେ ଯଦି ୧ ଡଲାର ପାଆନ୍ତି ତେବେ ସେଇ ସମାନ କାମ ପାଇଁ ଜଣେ ମହିଳା କର୍ମଚାରୀ ଆୟ କରନ୍ତି ୮୦ସେଣ୍ଟ୍। ଏହି ଦେଶର ସବୁ କର୍ମଜୀବୀ ପୁରୁଷ ଓ ସବୁ କର୍ମଜୀବୀ ମହିଳାଙ୍କ ମେଡିଆନ୍ ଆୟକୁ ତୁଳନାତ୍ମକ ଭାବେ ବିଚାର କରାଯାଇ ଏହି ଆୟଗତ ଅସମାନତା ହିସାବ କରାଯାଇଛି।
Also Read
ତେବେ ଇଏ ତ ଆମେରିକାର ଚିତ୍ର। ଯଦି ଆମେ ସମଗ୍ର ବିଶ୍ୱ କଥା ବିଚାରକୁ ନେବା ତା'ହେଲେ ଏଇ ବ୍ୟବଧାନ ଆହୁରି ଅଧିକ ଥିବା ଦେଖିବା। ବିଶ୍ୱ ଦୃଶ୍ୟପଟ୍ଟରେ କୌଣସି କାମ ପାଇଁ ପୁରୁଷଙ୍କ ପ୍ରତି ୧ ଡଲାର ଆୟ ତୁଳନାରେ ମହିଳାଙ୍କ ଆୟ ହେଉଛି ମାତ୍ର ୭୭ ସେଣ୍ଟ୍। ଅର୍ଥାତ୍ ବିଶ୍ଵସ୍ତରରେ ଏହି ଆୟଗତ ବ୍ୟବଧାନ ହେଉଛି ୨୩ ପ୍ରତିଶତ।
ଏଠାରେ ପ୍ରଶ୍ନ ଉଠେ ତେବେ କ'ଣ ପାଇଁ ଏତେ ବାଛବିଚାର? କ'ଣ ପାଇଁ ସମାନ କାମ ପାଇଁ ପୁରୁଷମାନେ ମହିଳାଙ୍କ ଠାରୁ ଅଧିକ ଆୟ କରନ୍ତି! ଦୁଃଖର କଥା ହେଲା, ଏବେବି ମହିଳାମାନଙ୍କୁ ଗର୍ଭଧାରଣ ପାଇଁ ଆୟଗତ ଅସମାନତା ଭୋଗିବାକୁ ପଡୁଛି। କାରଣ ଗର୍ଭବତୀ ମହିଳା କର୍ମଚାରୀ (ଖାସ୍ କରି ମ୍ୟାନେଜରିଆଲ୍ ପୋଷ୍ଟରେ ଥିବା ମହିଳା)ମାନଙ୍କୁ କମ୍ ଉତ୍ପାଦନକ୍ଷମ ତଥା ବେଶି ଭାବପ୍ରବଣ ଓ ଅନ୍ୟ ଉପରେ ଅଧିକ ନିର୍ଭରଶୀଳ ବୋଲି ବିଚାର କରାଯାଏ। ଆଉ ବହୁ ମହିଳାଙ୍କୁ ଗର୍ଭଧାରଣଜନିତ କ୍ୟାରିଅର ଗ୍ୟାପ୍ ପରେ ସେଇ ସମାନ ପାଠପଢ଼ା ଯୋଗ୍ୟତା ଓ ଏକ୍ସପେରିଏନ୍ସ ଥାଇ ମଧ୍ୟ ପୁରୁଷ କର୍ମଚାରୀଙ୍କ ଠାରୁ କମ୍ ଆୟରେ ସନ୍ତୁଷ୍ଟ ହୋଇ ରହିବାକୁ ପଡେ। ଏପରିକି ଗର୍ଭଧାରଣ କରି ନଥିବା ମହିଳାଙ୍କ ଠାରୁ ବି ଏମାନେ କମ୍ ଆୟ କରୁଥିବା ଦେଖାଯାଇଛି।
ଏକ ହିସାବରୁ ଜଣାପଡିଛି ଯେ, ଜଣେ ମହିଳାଙ୍କୁ ତାଙ୍କର ପ୍ରତି ଶିଶୁ ଜନ୍ମ ପାଇଁ ଅନ୍ତତଃ ୫% ୱେଜ୍ ପେନାଲ୍ଟି (ଅନ୍ୟ ଭାଷାରେ ମଦରହୁଡ୍ ପେନାଲ୍ଟି) ଭୋଗିବାକୁ ପଡିଥାଏ। କିନ୍ତୁ ପୁରୁଷମାନେ ବାପା ହେବା ପରେ ଓଲଟା ସେମାନଙ୍କ ଦରମାରେ ବୃଦ୍ଧି ଘଟୁଥିବା ଦେଖାଯାଇଛି। ଆଜି ବି ଅଧିକାଂଶ କ୍ଷେତ୍ରରେ ଏଇ ଧାରଣାଟି ବଳବତ୍ତର ଅଛି ଯେ, ପୁରୁଷମାନଙ୍କୁ ପରିବାର ଚଳାଇବାକୁ ପଡୁଥିବା ଦୃଷ୍ଟିରୁ ପରିବାରକୁ ପିଲାଟିଏ ଆସିଲେ ସେମାନେ ବେଶି ଆୟ କରିବା ଆବଶ୍ୟକ। ମହିଳାମାନଙ୍କର ଆଉ ଏକ ଅସୁବିଧା ହେଲା, ସେମାନଙ୍କର ମେନୋପଜାଲ୍ ଫେଜ୍।
ଏବେକା ସମୟରେ ମଧ୍ୟ ବିଶ୍ୱର ୬୬% କର୍ମକ୍ଷେତ୍ରରେ ଏଭଳି ମହିଳାମାନଙ୍କ ପାଇଁ କୌଣସି ସପୋର୍ଟ ସିଷ୍ଟମ୍ ନାହିଁ। ଏଇ ସମୟରେ ମହିଳାମାନେ ଅନେକ ହରମୋନାଲ୍ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାରୁ ବହୁ ସମୟରେ ଏମାନେ ମାନସିକ ଚାପ ଓ ମୁଡ୍ ସୁଇ° ଆଦିର ଶିକାର ହୋଇଥାନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଏମାନଙ୍କ ପାଇଁ ସମ୍ବେଦନଶୀଳ ବାତାବରଣଟିଏର ଅଭାବ ବହୁ ସମୟରେ ଏମାନଙ୍କୁ ଚାକିରିରୁ ବିରତି ନେବାକୁ ବାଧ୍ୟ କରିଥାଏ।
ଆଉ ଏକ ଚିନ୍ତାର ବିଷୟ ହେଲା, ଆଜି ବି ଅଧିକାଂଶ କମ ଆୟକାରୀ ବୃତ୍ତିରେ ହିଁ ମହିଳାମାନେ ବେଶି ସଂଖ୍ୟାରେ କାମ କରୁଥିବା ଦେଖିବାକୁ ମିଳୁଥିବା ବେଳେ କ୍ଷମତା କୈନ୍ଦ୍ରିକ କ୍ଷେତ୍ରଗୁଡ଼ିକରେ ଅତ୍ୟନ୍ତ କମ୍ ସଂଖ୍ୟକ ମହିଳା ଥିବା ଦେଖାଯାଏ।
ଉଦାହରଣ ସ୍ୱରୂପ, ୧୫୬ଟି ଦେଶର ପାର୍ଲିଆମେଣ୍ଟାରୀ ଆସନଗୁଡ଼ିକ କ୍ଷେତ୍ରରେ ମାତ୍ର ୨୬.୧% ମହିଳା ପ୍ରତିନିଧିତ୍ଵ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୨୨.୬% ହିଁ କୌଣସି ମନ୍ତ୍ରୀ ପଦରେ ଆସୀନ ହୋଇପାରିଥାନ୍ତି। ତଥ୍ୟ ଅନୁଯାୟୀ, ପୃଥିବୀର ୮୧ଟି ଦେଶରେ ଏ ପର୍ଯ୍ୟନ୍ତ କେହି ମହିଳା ମୁଖ୍ୟ ହୋଇପାରି ନାହାନ୍ତି। ୱାର୍ଲ୍ଡ୍ ଇକନୋମିକ୍ ଫୋରମର ହିସାବ ଅନୁଯାୟୀ, ସାମ୍ପ୍ରତିକ ଦୃଷ୍ଟିକୋଣରୁ ବିଶ୍ୱ ରାଜନୀତି କ୍ଷେତ୍ରରେ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ଏଇ ଲିଙ୍ଗଗତ ବୈଷମ୍ୟକୁ ଦୂରକରିବା ପାଇଁ ଆହୁରି ପ୍ରାୟ ୧୪୫ବର୍ଷରୁ ଅଧିକ ଲାଗିଯିବ।
ମହିଳାଙ୍କ ପ୍ରତି ବଳବତ୍ତର ଥିବା ଏସବୁ ମନୋଭାବ ଓ ଚିନ୍ତାଧାରା ସେମାନଙ୍କୁ ଆହୁରି ଅଧିକ ସାମାଜିକ ଅନ୍ୟାୟର ଶିକାର କରାଇଥାଏ। ଏପରିକି ନିଜ ଦରମା ବା ଡ୍ୟୁଟି ସମୟ ଆଦି ନେଇ ନେଗୋସିଏଟ୍ କରୁଥିବା ମହିଳାମାନଙ୍କୁ ପ୍ରାୟତଃ କେହି ପୁରୁଷ ଏମ୍ପ୍ଲୋୟର ବା ନିଯୁକ୍ତିଦାତା ଚାକିରି ଦେବାକୁ ପସନ୍ଦ କରି ନଥାନ୍ତି।
କଲଚର୍ ଏଚ୍ପି ଦ୍ୱାରା କରାଯାଇଥିବା ଏକ ଅନ୍ତରୀଣ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଅନେକ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇଁ ଉଦ୍ଦିଷ୍ଟ ସମସ୍ତ ମାପଦଣ୍ଡକୁ ପୂରଣ କଲା ପରେ ଯାଇ ମହିଳାମାନେ ପ୍ରମୋସନ୍ ପାଇଁ ଆବେଦନ କରୁଥିବା ବେଳେ ପୁରୁଷ କର୍ମଚାରୀମାନେ କେବଳ ୫୦% ମାପଦଣ୍ଡ ପୂରଣ କରିଦେବା ପରେ ପଦୋନ୍ନତି ପାଇଁ ଆବେଦନ କରିଥାନ୍ତି।
ସେଇଭଳି ଆମେରିକୀୟ ବ୍ୟାଙ୍କ୍ ହ୍ୟାରିସ୍ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ଜଣାପଡ଼ିଛି ଯେ, ଜଣେ କର୍ମଜୀବୀ ପୁରୁଷ ଜଣେ କର୍ମଜୀବୀ ମହିଳାଙ୍କ ଠାରୁ ପ୍ରାୟ ୨ଗୁଣ ଅଧିକ ଅର୍ଥ ଏମରଜେନ୍ସି ଫଣ୍ଡ୍ ଆକାରରେ ରଖି ପାରିଥାନ୍ତି। ଟର୍ବୋ ଟ୍ୟାକ୍ସ (ଏକ ଅନଲାଇନ ଟ୍ୟାକ୍ସ ଫାଇଲି° ସ°ସ୍ଥା) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମଗ୍ର ଜୀବନକାଳ ମଧ୍ୟରେ ଜଣେ ମହିଳାଙ୍କ ଅପେକ୍ଷା ଜଣେ ପୁରୁଷ ପ୍ରାୟ ୩ ଗୁଣ ଅଧିକ ଅର୍ଥ ସଞ୍ଚୟ କରିପାରିଥାନ୍ତି। ସେହିପରି ୨୦୧୮ ମସିହାର ଫେଡେରାଲ୍ ରିଜର୍ଭ ଆନାଲିସିସ୍ ଅନୁଯାୟୀ, ଅବିବାହିତ ମହିଳାମାନଙ୍କ ପକ୍ଷରେ ଅଧିକ ଋଣଭାର ଥିବା ଓ ସେମାନେ କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ କରୁଥିବା ଦେଖାଯାଇଛି।
ଆପଣ ମାନେ ହୁଏତ ଏ କଥା ବିଶ୍ୱାସ କରି ନ ପାରନ୍ତି ଯେ, କମ୍ ପାରିଶ୍ରମିକ ସତ୍ତ୍ୱେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ କାମ କରିଥାନ୍ତି। ସେମାନେ ଆନୁପାତିକଭାବେ ପୁରୁଷମାନଙ୍କ ଅପେକ୍ଷା ଦିଆଯାଇଥିବା କାମକୁ ଶୀଘ୍ର ଶେଷ କରିଥାନ୍ତି। ତା' ଛଡା ବହୁ କର୍ମକ୍ଷେତ୍ରରେ ମୋଟ କାମର ୫୫ ପ୍ରତିଶତ ସମ୍ପାଦନ କରିବାର ଦାୟିତ୍ୱ ମହିଳାମାନଙ୍କ ଉପରେ ନ୍ୟସ୍ତ ଥାଏ। ୱାର୍କ୍ ପ୍ଲେସ୍ ସଫ୍ଟୱେର 'ହାଇଭ୍' ପକ୍ଷରୁ ହୋଇଥିବା ବିଶ୍ଳେଷଣରୁ ଏହି ତଥ୍ୟ ଜଣାପଡିଛି।
ଏସବୁ ତ ଗଲା କର୍ମକ୍ଷେତ୍ରରେ ମହିଳାମାନେ ଶିକାର ହେଉଥିବା ଭେଦଭାବର କଥା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସ୍ୱାମୀ-ସ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସେଇ ସମାନ କଥା ପରିଲକ୍ଷିତ ହୋଇଥାଏ।
୧୯୭୩ରୁ ୨୦୧୬ ମଧ୍ୟରେ, ୪୫ଟି ଦେଶରେ, ୨.୮୫ ମିଲିୟନ ଦମ୍ପତି(୧୮ରୁ ୬୫ ବର୍ଷ ବୟସ ମଧ୍ୟରେ )ଙ୍କୁ ନେଇ କରାଯାଇଥିବା ଏକ ବିଶ୍ୱସ୍ତରୀୟ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ, କୌଣସି ଗୋଟିଏ ବି ରାଷ୍ଟ୍ରରେ (ଏପରିକି ଅତି ଉନ୍ନତ ଦେଶମାନଙ୍କରେ ମଧ୍ୟ) ଗୋଟିଏ ସମାନ କାମ ପାଇଁ ଜଣେ ମହିଳା ନିଜ ସ୍ୱାମୀଙ୍କ ତୁଳନାରେ କମ୍ ପାଉଣା ପାଇଥାନ୍ତି। ବରଂ ୨୦୧୮ରେ ଏକ ଇଣ୍ଟରନ୍ୟାସନାଲ୍ ଲେବର ଅର୍ଗାନାଇଜେସନ୍ ପ୍ରଦତ୍ତ ଏକ ରିପୋର୍ଟ ଅନୁସାରେ, ମହିଳାମାନେ ପୁରୁଷମାନଙ୍କ ତୁଳନାରେ ପ୍ରାୟ ୩ଗୁଣ ଅଧିକ ବା ୭୬.୨ % ଅନପେଡ୍ କେୟାର ୱାର୍କ୍ କରିଥାନ୍ତି(ଘର, ପରିବାର ଓ ପିଲାଙ୍କ ସମ୍ପୂର୍ଣ୍ଣ ଦେଖରଖା ଭଳି କାମ)। ଏସୀୟ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମହିଳାମାନଙ୍କ ପାଇଁ ପୁଣି ଏଇ ପାରିଶ୍ରମିକବିହୀନ କାମର ପରିମାଣ ୮୦ ପ୍ରତିଶତ ହୋଇଥାଏ। ଏଥିରୁ ସହଜରେ ଅନୁମେୟ, ଜଣେ ମହିଳା ନିଜ ଜୀବନ କାଳ ଭିତରେ କେତେ ପ୍ରକାର ପାତରଅନ୍ତରର ଶିକାର ହୋଇଥାନ୍ତି।
ଆମେ ଆଗ ଅପେକ୍ଷା ବହୁତ ଉନ୍ନତି କରିଛେ। ଝିଅମାନେ ପାଠ ପଢିବା ପାଇଁ ଅଧିକ ସ°ଖ୍ୟାରେ ସ୍କୁଲକୁ ଆସୁଛନ୍ତି। ମହିଳାମାନେ ମଧ୍ୟ କେବଳ ଘରେ ନ ରହି କାମ କରିବାକୁ ବାହାରକୁ ଆସୁଛନ୍ତି। ତେବେ ଆଜି ବି ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖ ଦିନ କେବଳ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଦେଲେ କିମ୍ବା ଏଇ ଅବସରରେ ମହିଳାମାନଙ୍କୁ ଗୋଲାପ ଫୁଲର ବୁକେ କିମ୍ବା ଘରକରଣା ସାମଗ୍ରୀ ଉପହାର ଭାବରେ ଦେଇଦେଲେ ଚଳିବନି। ବରଂ ଏଥିପାଇଁ ଦରକାର ଗୋଟାଏ ସାମଗ୍ରିକ ଚେତନାଗତ ପରିବର୍ତ୍ତନ। ଆମ ସାମାଜିକ ମାନସିକତାରେ ପରିବର୍ତ୍ତନ।
ଝିଅକୁ କାହା ସହ ତୁଳନା କରି ନୁହେଁ, କିମ୍ବା ତା' ପାଇଁ କୌଣସି ସୀମା ନିର୍ଦ୍ଧାରଣରେ ନୁହେଁ। ବରଂ ଝିଅଟିକୁ ଝିଅ ହୋଇ ରହିବାକୁ ଦେବାରେ ଆଉ ତା'ର କାମ ତଥା ତା'ର ଉଦ୍ୟମ ପ୍ରତିବଦଳରେ ତା’ର ନ୍ୟାଯ୍ୟ ହକ୍ ମିଳିବାରେ ହିଁ ଏ ସମସ୍ୟାର ସମାଧାନ ନିହିତ ନୁହେଁ କି?
ଭୁବନେଶ୍ୱର
(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)