୧୫ ବର୍ଷ ପୂର୍ବର କଥା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଟିମ୍ ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ସଂସ୍କରଣରେ ଅପ୍ରତ୍ୟାଶିତ ଓ ଅବିସ୍ମରଣୀୟ ସଫଳତା ପାଇଥିଲା।
ସେହି ଟିମ୍ ପାଖରେ ନା ଆନ୍ତର୍ଜାତିକ ଟି-୨୦ ଖେଳିବାର ବିଶେଷ ଅଭିଜ୍ଞତା ଥିଲା ନା ଟିମ୍ ଠାରୁ ବଡ଼ ଆଶା କରାଯାଉଥିଲା; କିନ୍ତୁ ଯୁବ ଖେଳାଳିଙ୍କ ମଧ୍ୟରେ ଥିଲା ଅଦ୍ଭୁତ ଉତ୍ସାହ, ସକାରାତ୍ମକ ମନୋଭାବ, ଜିତିବାର ଅଦମ୍ୟ ଅଭିଳାଷ ଏବଂ ସର୍ବୋପରି ଏଭଳି ଜଣେ ଯାଦୁକର-କପ୍ତାନ, ଯିଏ ଟିମ୍କୁ ଜାଗ୍ରତ କରିବାର ମନ୍ତ୍ର ଜାଣିଥିଲେ।
ଧୋନି କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରେ ନିଜର ଅନଭିଜ୍ଞତାକୁ ପଛରେ ପକାଇ ଦମ୍ଭର ସହ ସମ୍ମୁଖ ଭାଗରୁ ନେତୃତ୍ୱ ନେଇଥିଲେ। ଖେଳାଳିମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁରୂପ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ, ଟି-୨୦ କ୍ରିକେଟ୍ରେ ଅଭିଜ୍ଞ ଦେଶଗୁଡ଼ିକୁ ପଛରେ ପକାଇ ଟିମ୍ ଇଣ୍ଡିଆ ଜିତିଥିଲା ମୁକୁଟ।
ଏହା ପର ଠାରୁ ପ୍ରତି ସଂସ୍କରଣ ପୂର୍ବରୁ ଟିମ୍ ଇଣ୍ଡିଆକୁ ଫେଭରିଟ୍ ବିବେଚନା କରାଯାଇଆସୁଛି ଯଦିଓ ଆଉ ସେଭଳି ସାଫଲ୍ୟ ମିଳିପାରି ନାହିଁ। ଏହା ଭିତରେ କେବଳ ଦୁଇ ଥର - ୨୦୧୪ ଓ ୨୦୧୬ ସଂସ୍କରଣରେ ଟିମ୍ ନକ୍ଆଉଟ୍ ଯାଏଁ ଯାଇପାରିଥିଲା। ତେବେ ପୂର୍ବ (୨୦୨୧) ସଂସ୍କରଣରେ ଟିମ୍ର ପ୍ରଦର୍ଶନ ଥିଲା ଖୁବ ନୈରାଶ୍ୟଜନକ ସେଥିରେ ବି ଟିମ୍ ଥିଲା ଟୁର୍ଣ୍ଣାମେଣ୍ଟ୍-ଫେଭରିଟ୍। ବିଶ୍ୱକପ୍ ୟୁଏଇରେ ଖେଳାଯାଇଥିଲା, ଯାହାର ବାତାବରଣ ସହ ଭାରତୀୟ ଟିମ୍ ପରିଚିତ ଥିଲା; କିନ୍ତୁ ଆରମ୍ଭରୁ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଫଳତା ଯୋଗୁଁ ଟିମ୍ ପରବର୍ତ୍ତୀ ରାଉଣ୍ଡ୍କୁ ଯାଇପାରି ନ ଥିଲା।
Also Read
ଏହି ବିପର୍ଯ୍ୟୟ ଯୋଗୁଁ ମନେ ହେଉଥିଲା ଯେ ଟିମ୍ ବହୁତ ତଳକୁ ଖସିଯାଇଛି, ଉପରକୁ ଉଠିବା ପାଇଁ ଅନେକ ସମୟ ଲାଗିଯିବ। ତତ୍କାଳୀନ ଅଧିନାୟକ ବିରାଟ କୋହଲି ପୂର୍ବ-ଘୋଷଣା ଅନୁଯାୟୀ ଟି-୨୦ ବିଶ୍ୱକପ୍ ପରେ ଟିମ୍ର ନେତୃତ୍ୱ ଛାଡ଼ିଲେ। ଅଧିନାୟକଙ୍କ ସହ ନିଜ କାର୍ଯ୍ୟକାଳର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବି ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଲା। ଅଧିକାଂଶ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ନିଜ ଦକ୍ଷତା ଠାରୁ ଦୁର୍ବଳ ପ୍ରଦର୍ଶନ କରିଥଲା।
ପରବର୍ତ୍ତୀ ସମୟରେ ନୂଆ ଅଧିନାୟକ (ରୋହିତ ଶର୍ମା) ଓ ନୂଆ ପ୍ରଶିକ୍ଷକ (ରାହୁଲ ଦ୍ରାବିଡ଼) ଆସିଲେ। ଉଭୟ ଚାହୁଁଥିଲେ ଯେ ଟିମ୍ ସାହସିକ କ୍ରିକେଟ୍ ଖେଳୁ। ଟିମ୍ ସେଭଳି ମନୋଭାବ ନେଇ ଖେଳିଲା। ଅନେକ ସଫଳତା ବି ପାଇଲା। ବିଭିନ୍ନ ଖେଳାଳି ଓ ଅଧିନାୟକଙ୍କୁ ନେଇ ପରୀକ୍ଷାନିରୀକ୍ଷା ବି ଚାଲିଲା। ଦେଶ ଭିତରେ ଓ ବାହାରେ ଦୁଇଟି ଅଲଗା ଅଲଗା ଟିମ୍କୁ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଖେଳାଗଲା। ସେଥିରେ ବି ସଫଳତା ମିଳିଲା।
କିନ୍ତୁ ଏସିଆ କପ୍ ଟି-୨୦ରେ ହିଁ ଟିମ୍ ଅସଲି ପରୀକ୍ଷାରେ ଉପନୀତ ହେଲା। ଏହା କେବଳ ଟିମ୍ ଇଣ୍ଡିଆର ପରିବର୍ତ୍ତିତ ମନୋଭାବର ପରୀକ୍ଷା ନ ଥିଲା, ବିଶ୍ୱକପ୍ ପୂର୍ବରୁ ନିଜ ପ୍ରସ୍ତୁତିକୁ ପରଖିବା ପାଇଁ ଉଚିତ ମଧ୍ୟ ଥିଲା।
ପୂର୍ବ ଟି-୨୦ ବିଶ୍ୱକପ୍ ପରଠାରୁ କେବଳ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଆସୁଥିବା ଭାରତୀୟ ଟିମ୍ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ବିଫଳ ହେଲା। ଦୁଇ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପାକିସ୍ତାନ ଓ ଏହାପରେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଫାଇନାଲ୍ରୁ ବାଦ୍ ପଡ଼ିବା ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ପ୍ରସ୍ତୁତି ପଦାରେ ପଡ଼ିଲା। ଭାରତୀୟ ଟିମ୍ର ସଫଳତା କେବଳ ଦ୍ୱିପାକ୍ଷିକ ଶୃଙ୍ଖଳା ମଧ୍ୟରେ ସୀମାବଦ୍ଧ ହୋଇଗଲା।
ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍ରା ଓ ପ୍ରତିଭାଶାଳୀ ହର୍ଷଲ ପଟେଲ୍ ଆଘାତଜନିତ କାରଣରୁ ଟିମ୍ରେ ନ ଥିବା ବେଳେ ଅନ୍ୟତମ ଅଭିଜ୍ଞ ପେସର୍ ମହମ୍ମଦ ଶାମୀଙ୍କୁ ଅଣଦେଖା କରି ଟିମ୍ରେ ନିଆଯାଇ ନ ଥିଲା ବୋଲିଂ ବାହିନୀ ବିଶେଷକରି ଦୁର୍ବଳ ପେସ୍ ବାହିନୀ ପରାଜୟ ପଛର ପ୍ରମୁଖ କାରଣ ଥିଲା। ଏହାଛଡ଼ା ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପାକିସ୍ତାନ ବିପକ୍ଷ ଲିଗ୍ ମ୍ୟାଚ୍ରେ ଟିମ୍ର ବିଜୟ ପରେ ଆଘାତ ଯୋଗୁଁ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ସ୍ପଷ୍ଟ ହୋଇଥିଲା ଯେ ଭାରତ ନିଜର ପ୍ରଥମ-ପସନ୍ଦ ଏକାଦଶ ସହ ଖେଳି ନ ଥିଲା।
ଟି-୨୦ ବିଶ୍ୱକପ୍ରେ ମଧ୍ୟ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ସେଠାରେ ବି ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି – ବୁମ୍ର ଓ ଜାଡ଼େଜା ଦୁହେଁ ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଜାଡ଼େଜା ଏସିଆ କପ୍ ଠାରୁ ଟିମ୍ରେ ନାହାନ୍ତି। ତେବେ ବୁମ୍ରାଙ୍କୁ ରିସ୍କରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଏହାପରେ ତାଙ୍କ ଯନ୍ତ୍ରଣା ବଢ଼ିଲା ଓ ସେ ଟିମ୍ରୁ ବାଦ୍ ପଡ଼ିଲେ। ଅନ୍ୟତମ ପ୍ରତିଭାଶାଳୀ ଦୀପକ ହୁଡ଼ା ମଧ୍ୟ ଆଘାତ ଯୋଗୁଁ ଟିମ୍ରୁ ବାଦ୍ ପଡ଼ିଲେ। ଏହା ସହିତ ଟି-୨୦ ବିଶ୍ୱକପ୍ ପୂର୍ବରୁ ପୁଣି ଥରେ ଟିମ୍ର ସନ୍ତୁଳନ ବିଗିଡ଼ି ଗଲା।
ଏପରି ସ୍ଥିତିରେ ବୁମମ୍ରା-ଜାଡ଼େଜାଙ୍କ ବିନା ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ? ଏ ପ୍ରଶ୍ନ ଆନ୍ଦୋଳିତ କରୁଛି ସମସ୍ତଙ୍କ ମନରେ। ଟିମ୍ ମ୍ୟାନେଜ୍ମେଣ୍ଟ୍ର ମୁଣ୍ଡବ୍ୟଥା ବଢ଼ିଯାଇଛି। ବହୁ ପ୍ରତିଭାଶାଳୀ ଖେଳାଳିଙ୍କ ତାଲିକା ଉପଲବ୍ଧ ଥିବା ସତ୍ତ୍ୱେ ବୁମ୍ରା ଟିମ୍ ପାଇଁ ବ୍ରହ୍ମାସ୍ତ୍ର ଭଳି ଆଉ ଜାଡ଼େଜା ସଙ୍କଟମୋଚକ। ଉଭୟଙ୍କ ଅନୁପସ୍ଥିତି ଟିମ୍ ସଂଯୋଜନାକୁ ସୁଦୃଢ଼ କରିପାରୁନି। ବୁମ୍ରା ପିଠି ଯନ୍ତ୍ରଣା ଭୋଗୁଥିବା ବେଳେ ଜାଡ଼େଜାଙ୍କ ଆଣ୍ଠୁ ଯନ୍ତ୍ରଣା।
ଅନ୍ୟପଟେ, ଶାମୀ ଏବେ କରୋନାରୁ ସୁସ୍ଥ ହୋଇଗଲେଣି; ହେଲେ ମ୍ୟାଚ୍ ପ୍ରାକ୍ଟିସ୍ କରି ନ ଥିବାରୁ ତାଙ୍କୁ ଟିମ୍ରେ ନିଆଯିବା ନେଇ ସ୍ଥିତି ସ୍ପଷ୍ଟ ହୋଇନି। ତାଙ୍କୁ ମୂଳ ଟିମ୍ରେ ଷ୍ଟାଣ୍ଡ୍ବାଇ ଭାବେ ରଖାଯାଇଥିଲ।
ପେସର୍ ହର୍ଷଲ ପଟେଲ୍ ସୁସ୍ଥ ହୋଇ ଟିମ୍କୁ ଫେରିଲେଣି; କିନ୍ତୁ ଏଯାବତ୍ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିପାରି ନାହାନ୍ତି। ଅଭିଜ୍ଞ ଭୁବନେଶ୍ୱର କୁମାର ଭଲ ଫର୍ମରେ ନାହାନ୍ତି (ଏସିଆ କପ୍ରେ କେବଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ଚମପ୍ରଦ ବୋଲିଂ କରିଥିଲେ)। ଅର୍ଶଦୀପ ସିଂହ ବିଶ୍ୱକପ୍ ଟିମ୍ରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପେସ୍ ବାହିନୀର ସଦସ୍ୟ ରହିଛନ୍ତି।
ଅନ୍ୟତମ ପେସର୍ ଦୀପକ ଚାହର, ଶାମୀଙ୍କ ଭଳି ଷ୍ଟାଣ୍ଡ୍ବାଇ ଭାବେ ଟିମ୍ରେ ଅଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ଚାହର ଓ ଅର୍ଶଦୀପ ପ୍ରଭାବଶାଳୀ ବୋଲିଂ କରି ଟିମ୍ ମ୍ୟାନେଜ୍ମେଣ୍ଟ୍ ପାଇଁ ଆଶା ସଞ୍ଚାର କରିଛନ୍ତି।
ଏହାଛଡ଼ା ବୁମ୍ରାଙ୍କ ଅନୁପସ୍ଥିତିରେ ଶାମୀଙ୍କୁ ଟିମ୍ରେ ରଖାଯିବା ପାଇଁ ସ୍ୱର ଉଠୁଛି। ଅଷ୍ଟ୍ରେଲିଆର ବାତାବରଣ ଓ ବାଉନ୍ସିଂ ପିଚ୍ରେ ଶାମୀଙ୍କ ବୋଲିଂ ଟିମ୍ ପାଇଁ ଉପଯୋଗୀ ହୋଇପାରେ ଅନ୍ୟପଟେ, ପେସର୍ ମହମ୍ମଦ ସିରାଜଙ୍କୁ ବୁମ୍ରାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଟିମ୍ରେ ନିଆଯାଇଛି। ତାଙ୍କ ପାଇଁ ବି କିଛିଟା ସୁଯୋଗ ରହିଛି।
ବ୍ୟାଟିଂ ଲାଇନ୍-ଅପ୍ ଆପାତତଃ ଠିକ୍ଠାକ୍ ଅଛି। ତେବେ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ପ୍ରମୁଖଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ।
ପ୍ରଶ୍ନ ଘେରରେ ଟିମ୍ ମ୍ୟାନେଜ୍ମେଣ୍ଟ:
ଟି-୨୦ ବିଶ୍ୱକପ୍ ଟିମ୍ରୁ ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି - ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡ଼େଜା ବାଦ୍ ପଡ଼ିବା ପରେ ଟିମ୍ ମ୍ୟାନେଜ୍ମେଣ୍ଟ୍ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହି ଦୁଇ ଜଣ ଆହତ ହେବା ଠାରୁ ଯେଉଁ ସମୟରେ ଆହତ ହେଲେ, ତାହା ଅଧିକ ଗମ୍ଭୀର ପ୍ରସଙ୍ଗ। ଏହା ପଛରେ ଟିମ୍ ମ୍ୟାନେଜ୍ମେଣ୍ଟ୍ର ଦୁର୍ବଳତା ସାମ୍ନାକୁ ଆସିଛି।
ଗତ ବର୍ଷ ଆହତ ହୋଇଥିବା ଜାଡ଼େଜାଙ୍କୁ ଅସ୍ତ୍ରୋପଚାର ପରିବର୍ତ୍ତେ ଇଞ୍ଜେକ୍ସନ୍ ଦେଇ ଖେଳିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ଅନ୍ଫିଟ୍ ବୁମ୍ରାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଖେଳାଇବାକୁ ତରବରିଆ ଭାବେ ନିଷ୍ପତି ନିଆଯାଇଥିଲା।
ବୁମ୍ରା ବାଦ୍ ପଡ଼ିବା ପରେ ଏବେ ଭାରତକୁ ନୂଆ ବୋଲିଂ ସମୀକରଣ ଉପରେ କାମ କରିବାକୁ ପଡ଼ିବ। ଟିମ୍ ପାଖରେ ପ୍ରସ୍ତୁତି ପାଇଁ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା (ଟି-୨୦) ଶୃଙ୍ଖଳା ଶେଷ ଟୁର୍ଣ୍ଣାମେଣ୍ଟ। ଏହାଛଡ଼ା ବିଶ୍ୱକପ୍ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ।
ଯେତେବେଳେ ଟିମ୍ ମ୍ୟାନେଜ୍ମେଣ୍ଟ ବୁମ୍ରାଙ୍କ ଆଘାତ ନେଇ ଅବଗତ ଅଛି, ତାଙ୍କୁ ଆଉ ଟିକେ ବିଶ୍ରାମ ଦେଇ ସିଧା ଅଷ୍ଟ୍ରେଲିଆରେ ଅଭ୍ୟାସ ମ୍ୟାଚ୍ରେ ଖେଳାଇ ପାରିଥା’ନ୍ତା। ଜଣେ ଅନ୍ଫିଟ୍ ପ୍ରମୁଖ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଖେଳାଇ କାହିଁକି ରିସ୍କ ନିଆଗଲା? ତେବେ ଏ କଥା ଠିକ୍ ଯେ ବୁମ୍ରାଙ୍କୁ ପୂର୍ବରୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିଥିଲା; ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନ ଥିଲେ।
ବାମହାତି ଜାଡ଼େଜା ବ୍ୟାଟିଂରୁ ନେଇ ବୋଲିଂ ଓ ଫିଲ୍ଡିଂରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତି। ବିଶ୍ୱକପ୍ ପାଇଁ ଅକ୍ଷର ପଟେଲ୍ଙ୍କୁ ତାଙ୍କ ସ୍ଥାନରେ ପ୍ରସ୍ତୁତ କରାଯାଉଛି। ପଟେଲ୍ ଜଣେ ଭଲ ସ୍ପିନର୍; ତେବେ ଜାଡ଼େଜାଙ୍କ ଆବଶ୍ୟକତାକୁ ସେ କେତେଦୂର ପୂରଣ କରିପାରୁଛନ୍ତି, ତାହା ସମୟ କହିବ।
ଏବେ ଜାଡ଼େଜାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ଗତ ବର୍ଷ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ପରେ ସେ ଆଣ୍ଠୁ ଯନ୍ତ୍ରଣା ଭୋଗିଥିଲେ। ସେଥିପାଇଁ ସେ ଦ୍ୱିତୀୟ ଟେଷ୍ଟ୍ରେ ଖେଳିପାରି ନ ଥିଲେ। ଡାକ୍ତର ତାଙ୍କୁ ସେତେବେଳେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ; କିନ୍ତୁ ସେଥିପାଇଁ ତାଙ୍କୁ ଚାରି-ଛଅ ମାସ କିମ୍ବା ଏହାଠାରୁ ଅଧିକ ଦିନ ପଡିଆରୁ ଦୂରେଇ ରହିବାକୁ ପଡ଼ିଥା’ନ୍ତା।
ଏପରିସ୍ଥଳେ ଟିମ୍ ମ୍ୟାନେଜ୍ମେଣ୍ଟ୍ ଜାତୀୟ କ୍ରିକେଟ୍ ଏକାଡେମୀ ଓ ଅନ୍ୟ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଥିଲା। ତଦନୁଯାୟୀ, କିଛି ମାସ ଅଥବା ବିଶ୍ୱକପ୍ ଯାଏଁ ଯନ୍ତ୍ରଣାକୁ ପ୍ରଶମିତ କରି ରଖିବା ପାଇଁ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଯଦି ସେତେବେଳେ ଅସ୍ତ୍ରୋପଚାର ହୋଇଥା’ନ୍ତା, ଆଜି ଜାଡ଼େଜା ହୁଏତ ସୁସ୍ଥ ହୋଇ ଟିମ୍ରେ ଥା’ନ୍ତେ। ଏବେ ଟିମ୍ ମ୍ୟାନେଜ୍ମେଣ୍ଟ୍ ଏ କଥା ବୁଝିପାରୁଥିବ।
ଏବେ ବାସ୍ତବତା ହେଉଛି, ବୁମ୍ରା ଓ ଜାଡ଼େଜା ଟିମ୍ରେ ନାହାନ୍ତି। ସେମାନଙ୍କ ବିନା ଟି-୨୦ ବିଶ୍ୱକପ୍ ଖେଳିବାକୁ ହେବ। ଟିମ୍ ମ୍ୟାନେଜ୍ମେଣ୍ଟ୍ ଏହା ଠାରୁ ଆଗକୁ ଚିନ୍ତା କରିବା ଦରକାର। ୧୫ ବର୍ଷ ପରେ ପୁନର୍ବାର ମୁକୁଟ ଜିତିବାକୁ ହେଲେ, ଟିମ୍ ଇଣ୍ଡିଆକୁ ଏସିଆ କପ୍ ବିଫଳତାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ହେବ। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ବିଜୟରୁ ପ୍ରେରଣା ନେବାକୁ ହେବ। ଏ କଥାକୁ ବି ଧ୍ୟାନରେ ରଖିବାକୁ ହେବ, ଅଷ୍ଟ୍ରେଲିଆର ବାତାବରଣ ଭିନ୍ନ, ପିଚ୍ ବି ଭିନ୍ନ।