/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664700832.jpg)
Side effects of hair straightening
ପୋଷ୍ଟର, ହୋର୍ଡି°, ଟିଭି, ଫିଲ୍ମର ମଡେଲ୍, ହିରୋଇନ୍ କିମ୍ବା ସ୍କ୍ରିନ୍ ଉପରେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରମାନଙ୍କର ଲମ୍ବା, ଚିକଚିକ ଆଉ ସୁନ୍ଦର ସିଧା କେଶ ଦେଖିଲେ ସବୁ ଝିଅମାନଙ୍କର ଇଚ୍ଛା ହୁଏ ସେମାନଙ୍କ କେଶ ବି ଠିକ୍ ସେମିତି ଦେଖାଯାଉ। ଆଉ ଏହାର ତୁରନ୍ତ ତଥା ସହଜ ଉପାୟ ସେମାନଙ୍କ ଘରପାଖ ଗଳି କିମ୍ବା ମାର୍କେଟରେ ଥିବା ସେଲୋନ୍ କିମ୍ବା ପାର୍ଲରରେ ତୁରନ୍ତ ମିଳିଯାଏ।
ସେଲୋନ୍/ ପାର୍ଲରଗୁଡିକ ଗ୍ରାହକଙ୍କୁ ସିଧା, ଲମ୍ବା, ଅଡୁଆବିହୀନ କେଶ ପାଇବା ପାଇଁ ହେୟାର ଷ୍ଟ୍ରେଟନିଙ୍ଗ କରାଇଥାନ୍ତି। ଏହା ବ୍ରାଜିଲିଆନ୍, ଜାପାନିଜ୍, କେରାଟିନ୍ ଟ୍ରିଟମେଣ୍ଟ ଆଦି ଅନେକ ପ୍ରକାରର ହୋଇଥାଏ। ହେଲେ ସବୁ ପଦ୍ଧତିରେ ପ୍ରଥମେ କେଶରେ ରସାୟନିକ ଦ୍ରବ୍ୟ ବା କେମିକାଲ ଲଗାଯାଇ କେଶରେ ପ୍ରୋଟିନର ପ୍ରାକୃତିକ ଆରେଞ୍ଜମେଣ୍ଟ ବା ଆୟୋଜନକୁ ବଦଳାଯାଏ। ଏହାଦ୍ୱାରା କେଶ ତା’ର ପ୍ରାକୃତିକ ଗଠନ ଓ ଆୟୋଜନ ହରାଇଥାଏ ଏବଂ ନୂଆ ରୂପ ଗ୍ରହଣ କରିବା ପାଇଁ ନମନୀୟ ହୋଇଯାଏ।
କେମିକାଲ ଲଗାଇବାର କିଛି ସମୟ ପରେ, ଥର୍ମାଲ୍ ଏନର୍ଜି ବା ହଟ୍ ପ୍ଲେଟ୍, ଆଇରନ୍ ବା ଷ୍ଟ୍ରେଟନର୍ ଦ୍ୱାରା କେଶକୁ ରିସେପ୍ ବା ସିଧା କରାଯାଏ। ଏହାପରେ କେଶକୁ ସଫା କରାଯାଇ, ବ୍ଲୋ-ଡ୍ରୟର ସାହାଯ୍ୟରେ ଶୁଖାଇ ଦିଆଯାଏ। ଏହାପରେ କେଶରେ ସେରମ୍ ଓ ଅନ୍ୟ କେମିକାଲ ଲଗାଇ, ତାକୁ ଚିକ୍କଣ ଓ ଚିକଚିକ ଲୁକ ଦିଆଯାଏ। କିନ୍ତୁ ଏହି ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା କେମିକାଲଗୁଡିକ କେଶକୁ କେବଳ ନମନୀୟ କିମ୍ବା ରିସେପ୍ ପାଇଁ ପ୍ରସ୍ତୁତ କରନ୍ତିନି, ଏହା ଦ୍ୱାରା କେଶର ପ୍ରୋଟିନର ପ୍ରାକୃତିକ ଆୟୋଜନ ନଷ୍ଟହୋଇ କେଶକୁ ଦୁର୍ବଳ କରିଦିଏ। ତଥା କେଶର ଉପରି ଭାଗରେ ଥିବା ଲିପୋପ୍ରୋଟିନର ପ୍ରୋଟେକ୍ଟିଭ୍ ଆବରଣକୁ ମଧ୍ୟ ନଷ୍ଟ କରିଦିଏ।
ହେୟାର ଷ୍ଟ୍ରେଟନର୍ ବା ଆଇରନରେ ବ୍ୟବହାର କରାଯାଉଥିବା ଅତ୍ୟଧିକ ତାପମାତ୍ରା ଦ୍ବାରା କେଶରେ ଥିବା ଆଲଫା-କେରାଟିନ୍, ବିଟା-କେରାଟିନ୍ (୩୦୦° ଫାରେନହାଇଟରୁ ଅଧିକ ତାପମାତ୍ରା) ରେ ପରିବର୍ତ୍ତିତ ହୋଇଯାଏ, ଏହା ଦ୍ୱାରା କେଶ କମଜୋର ଓ ଭଙ୍ଗୁର ହେବା ସହ, ନମନୀୟତା ହରାଇ ଥାଏ।
ଏହି ବୈଜ୍ଞାନିକ ବିଶ୍ଳେଷଣକୁ ପଢିସାରିଲା ପରେ ବି ଯଦି ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ଏହାପରେ ଦେଖାଯାଉଥିବା ନିମ୍ନୋକ୍ତ କେତୋଟି ସମସ୍ୟାକୁ ଭେଟିବେ ବୋଲି ନିଜକୁ ମାନସିକ ରୂପରେ ପ୍ରସ୍ତୁତ କରନିଅନ୍ତୁ:
୧. ଡ୍ରାଏ ହେୟାର:
କେମିକାଲ୍ ୱାସ୍, ବାରମ୍ବାର ଧୋଇବା ଏବଂ ଉଚ୍ଚ ତାପମାତ୍ରା ଆପଣଙ୍କ କେଶର ପ୍ରାକୃତିକ ପ୍ରୋଟେକ୍ଟିଭ୍ ଆସ୍ତରଣ ବା ଲେୟାରଟିକୁ ନଷ୍ଟ କରିଦିଏ। ଏହା କେଶର ପ୍ରାକୃତିକ ମସୃଣତା, ନମନୀୟତା ନଷ୍ଟ କରିଦିଏ, ହାତକୁ କେଶ ରଫ୍ ଲାଗେ। କେଶଗୁଡିକ ଶୁଷ୍କ, ଭଙ୍ଗୁର ହୋଇଯାଏ। ବାରମ୍ବାର ହେୟାର ଷ୍ଟ୍ରେଟନର୍ ବା ଆଇରନର ବ୍ୟବହାର ବନ୍ଦ କରନ୍ତୁ। କେଶ ଓଦା ଥିବା ସମୟରେ ଷ୍ଟ୍ରେଟନର୍ ବ୍ୟବହାର କରନ୍ତୁ ନାହିଁ, ଏହା କେଶକୁ ଫ୍ରାଏ ବା ସନ୍ତୁଳିବା ସହ ସମାନ।
୨. ଫ୍ରିଜ୍ଜି ହେୟାର:
କେଶଗୁଡିକ ଶୁଷ୍କ ହେବା ଦ୍ୱାରା ଏବଂ ଇଲାଷ୍ଟିସିଟି ନଷ୍ଟହେବା ଦ୍ୱାରା, ଜଲ୍ଦି ଏବଂ ସହଜରେ ଅଡ଼ୁଆ (ଫ୍ରିଜ୍) ହୋଇଯାଆନ୍ତି। ବାୟୁମଣ୍ଡଳରେ ଆପେକ୍ଷିକ ଆର୍ଦ୍ରତା କମ ଥିଲେ, ଏହି ସମସ୍ୟା ଆହୁରି ଉତ୍କଟ ହୁଏ। କେଶ ସଫା କରିବା ସମୟରେ ତଳ ଅଧାଭାଗ ବା ଷ୍ଟ୍ରାଣ୍ଡରେ କଣ୍ଡିସନର୍ ବ୍ୟବହାର କରନ୍ତୁ। ଦହି, ନଡିଆ ତେଲ କିମ୍ବା ଅଲିଭ୍ ତେଲର ପ୍ୟାକ୍ ପ୍ରସ୍ତୁତ କରି ମଧ୍ୟ ଲଗାଇପାରିବେ।
୩. ସ୍ପ୍ଲିଟ୍ ଏଣ୍ଡ୍ ଓ ହେୟାର ବ୍ରେକେଜ୍:
କେମିକାଲ୍ ଏବଂ ଉଚ୍ଚ ତାପମାତ୍ରା କାରଣରୁ କେବଳ ପ୍ରୋଟିନ୍ ରିସେପ୍ ବା ଆରେଞ୍ଜମେଣ୍ଟ ହୁଏନି। ଏହି କେରାଟିନ୍ ଡିନାଚୁରାଲାଇଜେସନ୍ ପ୍ରକ୍ରିୟା ଦ୍ୱାରା କେଶର ପ୍ରାକୃତିକ ନମନୀୟତା ବା ଇଲାଷ୍ଟିସିଟି ନଷ୍ଟ ହୋଇଯାଏ। ଏହା ଦ୍ୱାରା କେଶ ଅଗ ଫାଟିବା ବା ସ୍ପ୍ଲିଟ୍ ଏଣ୍ଡ୍ ଏବଂ ଚୁଟି ଅଧାରୁ ଛିଣ୍ଡିଯିବା ବା ହେୟାର ବ୍ରେକେଜ୍ ଦେଖାଯାଏ। ଏହାଛଡା ବ୍ଲୋ-ଡ୍ରାଏର୍, ଓଭର ବ୍ରସିଙ୍ଗ୍ (ବାରମ୍ବାର ପାନିଆ ବ୍ୟବହାର), ଓଦା ଚୁଟିକୁ ଝାଡିବା ଓ କୁଣ୍ଡାଇବା ଏହି ସ୍ପ୍ଲିଟ୍ ଏବଂ ବ୍ରେକେଜ୍ ସମସ୍ୟାକୁ ବଢାଇଦିଏ।
୪. ଡଲ୍ ହେୟାର:
କେଶର ପ୍ରାକୃତିକ ତୈଳିୟ ଆବରଣ ନଷ୍ଟ ହୋଇଯିବା, ଆଦ୍ରତା ହରାଇବା ଏବଂ ଶୁଷ୍କ ହେବା କାରଣରୁ, କେଶଗୁଡିକ ନିଜର ଉଜ୍ଜ୍ୱଳତା ହରାଇ ଥାଏ। କେଶ ନିର୍ଜୀବ ବା ଡଲ୍ ବା ନଡିଆ କତା ପରି ଦେଖାଯାଏ। ନଡିଆ, ଅଲିଭ୍, ଆରଗନ୍ ତେଲ ସହ ଟି-ଟ୍ରି ଏସେନସିଆଲ୍ ଅଏଲର ଗୋଟିଏ ମିଶ୍ରଣ ପ୍ରସ୍ତୁତ କରି କେଶର ସମ୍ପୂର୍ଣ୍ଣ ଲେନ୍ଥ ଉପରେ ଲଗାଇଲେ ଭଲ ଫଳାଫଳ ମିଳେ।
୫. ହେୟାର ଲସ୍ ଆଣ୍ଡ୍ ଥିନିଙ୍ଗ୍:
କେମିକାଲଗୁଡିକ ହେୟାର ଫଲିକଲଗୁଡିକୁ ମଧ୍ୟ କମଜୋର ଏବଂ ନଷ୍ଟ କରିଦିଏ, ଯାହାଦ୍ୱାରା ସେମାନେ କେଶଗୁଡିକୁ ନିଜ ସ୍ଥାନରେ ଧରି ରଖିବାକୁ ଅସମର୍ଥ ହୁଅନ୍ତି ତଥା ଫଲିକଲ୍ ଡାମେଜ୍ କାରଣରୁ ନୂଆନ କେଶ ଉଠିବା ମଧ୍ୟ କଷ୍ଟକର ହୋଇଯାଏ। ଶୁଷ୍କ, ଅଡ଼ୁଆ, ଭଙ୍ଗୁର କେଶଗୁଡିକ ସହଜରେ ଭାଙ୍ଗି, ଉପୁଡି ଯାଆନ୍ତି। ବାଥରୁମ, ତକିଆଠୁ ଆରମ୍ଭ କରି ଘରର ରୋଷେଇ ଏବଂ ଲିଭିଂ ରୁମରେ ମଧ୍ୟ ମେଞ୍ଚାମେଞ୍ଚା ଚୁଟି ପଡିଥିବା ନଜରରେ ଆସେ।
୬. ଖପୁରୀ ଚମଡା ବା ସ୍କାଲ୍ପ ଇଚି°:
କେମିକାଲ୍ ୱାସ୍, ବାରମ୍ବାର ଧୋଇବା ଏବଂ ହିଟ୍ ଦ୍ଵାରା ଖପୁରୀ ଚମଡା ବା ସ୍କାଲ୍ପର ପ୍ରାକୃତିକ ତୈଳ ନଷ୍ଟ ହୋଇଯାଏ। ଏହାଦ୍ୱାରା ଚମଡା ଆଦ୍ରତା ବା ମଏଶ୍ଚର ଧରି ରଖିପାରେନି। ଖପୁରୀର ଚମଡା ଶୁଷ୍କହୋଇ କୁଣ୍ଡାଇ ହୁଏ ଏବଂ କାତି ପରି ଚମଡା ଛାଡେ। ସମୟ ସମୟରେ କପାଳ ଏବଂ ବେକରେ ମଧ୍ୟ ଚମଡା ଛାଡିବା ଏବଂ କୁଣ୍ଡାଇହେବା ଦେଖାଯାଏ।
୭. ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା:
ଷ୍ଟ୍ରେଟନିଙ୍ଗ ପାଇଁ ବ୍ୟବହାର କରାଯାଉଥିବା କେମିକାଲ୍ ଏବଂ ହିଟ୍ ଯେ କେବଳ କେଶର ସ୍ୱାସ୍ଥ୍ୟ ପାଇଁ ଖରାପ ତା' ନୁହେଁ। ଆମେରିକୀୟ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନର ତଥ୍ୟ ଅନୁସାରେ, କେଶକୁ ମସୃଣ ବା ସ୍ମୁଦେନି° କରିବା ପାଇଁ ବ୍ୟବହାର କରାଯାଉଥିବା କିଛି କେମିକାଲ୍, ବ୍ୟବହାର କରାଯାଉଥିବା ହିଟ୍ ବା ଆଇରନର ସସ୍ପର୍ଷରେ ଆସି ଫର୍ମାଲ୍-ଡିହାଇଡ୍ ରିଲିଜ୍ କରନ୍ତି। ଏହା ଆଖି, ନାକ, ଗଳା, ଫୁସଫୁସ ଏବଂ ଚମଡା ପାଇଁ କ୍ଷତିକାରକ ବା ଆଲର୍ଜିକ୍ ରିଆକସନ୍ କରେ। କିଛିକିଛି ସମୟରେ ଏହା ନାସୋଫାରିଞ୍ଜିଆଲ୍ କ୍ୟାନସର ପାଇଁ ମଧ୍ୟ ଦାୟୀ ହୋଇଥାଏ।
ସୁନ୍ଦର, ସୁସ୍ଥ, ଶାଇନି ବା ସିଲ୍କି କେଶ ପାଇଁ ପ୍ରାକୃତିକ ତୈଳ ବ୍ୟବହାର କରିବା ସହ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଯୋଗ, ବ୍ୟାୟାମ କରି ନିଜକୁ ଚିନ୍ତାମୁକ୍ତ ରଖନ୍ତୁ।
ମନେରଖନ୍ତୁ ବିଜ୍ଞାପନ ଏବଂ ସ୍କ୍ରିନରେ ଦେଖାଯାଉଥିବା ମଡେଲ୍ ଏବଂ ହିରୋଇନମାନଙ୍କର ସୁନ୍ଦର, ଲମ୍ବା, ସିଧା, ଚିକ୍କଣ କେଶ ପାଇଁ ଗ୍ରାଫିକ୍ସ ଏବଂ ଏଡିଟି°ର ସାହାଯ୍ୟ ନିଆଯାଏ; ତା'ଛଡା ଅନେକ ଅନେକ ସମୟରେ ସେମାନେ ୱିଗ୍ ମଧ୍ୟ ବ୍ୟବହାର କରନ୍ତି।
ଭୁବନେଶ୍ୱର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)