• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ସମ୍ପ୍ରତି ପୁଲିସ କର୍ମଚାରୀ/ ଅଧିକାରୀଙ୍କ ମାନସିକ ଚାପ ଓ ଅତ୍ମହତ୍ୟା ଭଳି ଘଟଣା ଏବେ ସମାଜ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । କୌଣସି ଦେଶ ବା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପୁଲିସ ଉପରେ ନିର୍ଭର କରେ। ଶାସନ ପ୍ରକ୍ରିୟାରେ ମହତ୍ୱପୂର୍ଣ୍ଣ ଯୋଗଦାନ, ସମାଜରେ ଶାନ୍ତି ସ୍ଥାପନ ଓ ଅପରାଧ ନିୟନ୍ତ୍ରଣରେ ପୁଲିସର ଭୂମିକା ବିଶେଷ ଗୁରୁତ୍ୱ ବହନକରେ ।

ଯେଉଁ ସହର ବା ଅଞ୍ଚଳର ପୁଲିସ ଯେତେ ଶକ୍ତିଶାଳୀ ଓ ସଙ୍ଗଠିତ ସେଠାକାର ଆଇନ ଶୃଙ୍ଖଳା ସେତିକି ସୁସ୍ଥ ଓ ମଜବୁତ। ସେଥିପାଇଁ ପୁଲିସକୁ କେବଳ ଶାରିରୀକ ନୁହେଁ, ମାନସିକ ସ୍ତରରେ ମଧ୍ୟ ଶକ୍ତିଶାଳୀ ରହିବାର ଆବଶ୍ୟକତା ରହିଛି। ତେବେ ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍‌ବେଗ ଓ ଚିନ୍ତାଜନକ ହୋଇପଡିଛି।

ଅନେକ ସମୟରେ ଉଚ୍ଚ ପଦସ୍ତ ଅଧିକାରୀ ପୁଲିସର ଯୋଗ, ବ୍ୟାୟାମ ଓ ଫିଟ୍‌ନେସ୍‌ ପାଇଁ କଡା ନିଷ୍ପତ୍ତି ଗ୍ରହଣ କରୁଛନ୍ତି; କିନ୍ତୁ ଏହା ପଛରେ ଯେଉଁ ବିଶେଷ କାରଣ ଥିବା କୁହାଯାଏ ସେଗୁଡିକ ହେଲା- ରାଜ୍ୟରେ ଆବଶ୍ୟକତା ଠାରୁ ପ୍ରାୟ ଅଧାଭାଗ କମ୍ କର୍ମଚାରୀଙ୍କୁ ନେଇ କାମ ଚଳାଇବା, କର୍ମକ୍ଷେତ୍ରରେ ମାତ୍ରାଧିକ ଚାପ, ପ୍ରାୟ ୧୮ ଘଣ୍ଟା ଧରି ଡ୍ୟୁଟି, ପାରିବାରିକ ଅସନ୍ତୋଷ ଓ ଚାପ ଆଦି ପ୍ରମୁଖ କାରଣ ବୋଲି ଧରାଯାଏ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ପୁଲିସ୍‌ କର୍ମଚାରୀମାନଙ୍କ ସ୍ୱାର୍ଥ ପାଇଁ ଗଠିତ ସଂଘଗୁଡିକ ପ୍ରାୟ ୪ ବର୍ଷ ଧରି ଅଚଳ ହୋଇରହିଛି। ସେପଟେ ସାମାଜିକ, ରାଜନୈତିକ ହିଂସା, ଅପରାଧ ବଢିଚାଲିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟର ସୁରକ୍ଷାବଳକୁ ସବୁ କ୍ଷେତ୍ରରେ ସୁଦୁଢ କରିବା ସରକାରଙ୍କ ପାଇଁ ବଡ ଆହ୍ୱାନ ହେବ ।

ଓଡ଼ିଶା ପୁଲିସରେ ଆତ୍ମହତ୍ୟା :

ଗତ ବର୍ଷ ମାର୍ଚ୍ଚ ୨୫ରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ନିଜ ସର୍ଭିସ୍‌ ରିଭଲ୍‌ବର୍‌ରେ ସେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଲା। ଏହି ଘଟଣାରେ ଜିଲ୍ଲା ଏସ୍‌ପି କହିଥିଲେ ଆଇଆଇସି ଦେବ ଗତ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଏହା ପରେ ଟିକାବାଲି ଥାନା ପୁଲିସ କନେଷ୍ଟବଳ ଶ୍ରୀନିବାସ ଘୋଟାଲ, ଜି.ଉଦୟଗିରି ଥାନା ଏସ୍ଆଇ ସ୍ୱାଗତିକା ବେହେରା, ବାରଙ୍ଗ ଥାନା ଏଏସ୍ଆଇ ଅଶୋକ କୁମାର ପ୍ରଧାନ, କେନ୍ଦୁଝରରୁ କନଷ୍ଟେବଳ ପ୍ରେମାନନ୍ଦ ନାଏକ, ନୟାପଲ୍ଲୀ ରେଂଟାଲ କଲୋନୀରୁ ପୁଲିସ ବାଟାଲିୟନର କୃଷ୍ଣଚନ୍ଦ୍ର , ମାଲକାନଗିରିରୁ କନଷ୍ଟେବଳ ସୁଶାନ୍ତ ହାଲଦାର; ଗତ ବର୍ଷକ ମଧ୍ୟରେ ଏଭଳି କିଛି ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ଆତ୍ମହତ୍ୟାଜନିତ ଘଟଣା ସାମ୍ନାକୁ ଆସିଛି । ଏଥିରେ କର୍ମକ୍ଷେତ୍ରରେ ଅଧିକ ଚାପ, ଛୁଟି ନ ମିଳିବା, ସେ କାରଣରୁ ପରିବାରରେ ଅଶାନ୍ତି, ମାନସିକ ଚାପ ଭଳି ଆତ୍ମହତ୍ୟାର ଅନେକ କାରଣ ବୋଲି କୁହାଯାଇଛି।

ପୁଲିସ ଉପରେ ପଡୁଛି ଚାପ:

ରାଜ୍ୟ ସରକାରଙ୍କ ସଦ୍ୟ ପ୍ରକାଶିତ ସ୍ୱରାଷ୍ଟ୍ର ବିଭାଗର ଶ୍ୱେତପତ୍ର, ଏନ୍‌ସିଆର୍ବି ରିପୋର୍ଟରୁ ଜଣାପଡୁଛି ଓଡିଶାରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପ ପୂର୍ବବର୍ଷ ତୁଳନାରେ ବଢିଛି। ତା’ରି ଭିତରେ ସାଇବର, ଅନ୍‌ଲାଇନ୍‌ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ନେଇ ଘଟୁଥିବା ଅପରାଧ ପୁଲିସ ପାଇଁ ଅନେକ ସମୟରେ ଚିନ୍ତା ଓ ଆହ୍ୱାନ ସୃଷ୍ଟିକରୁଛି ।

ସେପଟେ ପୁଣି ରାଜନୈତିକ ହିଂସା, ଦଙ୍ଗା, ରାସ୍ତାରୋକ, ଆନ୍ଦୋଳନ, ବିକ୍ଷୋଭ, ଅନଶନ, ବନ୍ଦ, ଘେରାଉ ଭଳି ସ୍ଥିତିକୁ ସାମ୍ନା କରୁଛି ପୁଲିସ । ଏହା ବାଦ ପୁଣି ବିଧାନସଭା ଅଧିବେଶନ ବେଳେ ସୁରକ୍ଷା, ଦଶହରା ଭଳି ବିଭିନ୍ନ ପାର୍ବଣରେ ସୁରକ୍ଷାକର୍ମୀଙ୍କ ନିୟୋଜିତ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଗସ୍ତ ସୁରକ୍ଷା ଆଦି ପାଇଁ ପୁଲିସ ଫୋର୍ସ ଆବଶ୍ୟକ ପଡୁଛି। ରାଜ୍ୟରେ ଆବଶ୍ୟକତା ଠାରୁ କମ ପୁଲିସ ଥିବାରୁ ସେମାନଙ୍କୁ ଚାପଗ୍ରସ୍ତ ଭାବେ କାମ କରିବାକୁ ପଡୁଛି ।

ଭାରତୀୟ ଗୃହ ମନ୍ତ୍ରାଳୟର ବ୍ୟୁରୋ ଅଫ୍‌ ପୁଲିସ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପମେଣ୍ଟ୍ (ପୁଲିସ ଅନୁସନ୍ଧାନ ଓ ବିକାଶର ବ୍ୟୁରୋ) ଅନୁସାରେ ଜାତୀୟ ସ୍ତରରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପୁଲିସ ୮ ଘଣ୍ଟା ବଦଳରେ ୧୮ ଘଣ୍ଟା ଖଟୁଛି । ଯାହାଦ୍ୱାରା ସେମାନଙ୍କ କାର୍ଯ୍ୟଗତ ଜୀବନ ଓ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରହିପାରୁ ନାହିଁ। ଫଳରେ ସେମାନେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଉଛନ୍ତି ।

ରାଜ୍ୟରେ ବର୍ଷ ବର୍ଷ ଧରି ପୁଲିସ ପଦବୀ ଖାଲି:

୨୭ ଫେବୃଆରୀ ୨୦୨୩ରେ ଓଡିଶା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ରାଜ୍ୟରେ ୨୮,୦୭୪ ପୁଲିସ ପଦବୀ ଖାଲି ପଡିଛି; ଅତି ଶୀଘ୍ର ସେଗୁଡିକ ପୂରଣ କରିବାକୁ ସରକାର ପ୍ରୟାସ କରୁଛନ୍ତି ।

ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୧ରେ ତତ୍କାଳୀନ ମନ୍ତ୍ରୀ ୧୧,୪୫୬ ପଦବୀ ଖାଲି ଥିବା ସୂଚନା ଦେଇଥିଲେ ଏବଂ ଭରଣା ବ୍ୟବସ୍ଥା କଥା ମଧ୍ୟ କହିଥିଲେ । ଜୁଲାଇ ୨୦୧୯ରେ ରାଜ୍ୟ ପୁଲିସ ପଦବୀରେ ପ୍ରାୟ ୧୦,୩୨୨ ଖାଲି ରହିଥିଲା । ଅର୍ଥାତ ପ୍ରତିବର୍ଷ ଖାଲି ପଦବୀ ସଂଖ୍ୟା ବଢି ବଢି ଯାଉଥିବା ଏଥିରୁ ସ୍ପଷ୍ଟ ହେଉଛି।

ବ୍ୟବସ୍ଥା ଅନୁସାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୪୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ହେବା କଥା। କିନ୍ତୁ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପାଇଁ ମଞ୍ଜୁରୀପ୍ରାପ୍ତ ପୁଲିସ ପଦବି ମାତ୍ର ୯୮ ରହୁଥିବାବେଳେ ଅନେକ ସମୟରେ ଏଥିରୁ ମଧ୍ୟ ଖାଲି ପଡୁଛି ।

ତେବେ ମଞ୍ଜୁରୀ ପ୍ରାପ୍ତ ୯୮ ଜଣ ପୁଲିସରୁ ମାତ୍ର ୫୭ଜଣ ପୁଲିସ କର୍ମଚାରୀ/ଅଧିକାରୀ ରହିଥିବା ହାଇକୋର୍ଟରେ ଆବେଦନ ଏକ ଜନସ୍ୱାର୍ଥ ମାମଲାରୁ ଜଣାପଡିଛି ।

୯ ଫେବୃଆରୀ ୨୦୨୩ରେ ଏହି ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ପୁଲିସରେ ମାନସିକ ଚାପରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆବେଦନକାରୀ ଏହି ମାମଲାରେ ଦର୍ଶାଇଥିଲେ, ରାଜ୍ୟ ପୁଲିସରେ ୭୫ ହଜାର ୩ ଶହ ବିଭିନ୍ନ ପଦପଦବୀ ରହିଛି । ଏବେ ପ୍ରାୟ ୧୧ ହଜାର ପଦବୀ ଖାଲି ରହିଛି । ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫୭ଜଣ ପୁଲିସ କର୍ମଚାରୀ ତଥା ଅଧିକାରୀ ରହିଛନ୍ତି । ବହୁ ଅଧିକାରୀ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବା ଆବେଦନକାରୀ ଜଣାଇଥିଲେ ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)