ସରକାରଙ୍କ ଦୃଢ ବିଶ୍ୱାସ ଯେ ରାଜ୍ୟରେ ବିକାଶର ଧାରା ନିରନ୍ତର ବଜାୟ ରହିଛି। ଗାଁରୁ ସହର ସର୍ବତ୍ର ବିକାଶ ହିଁ ବିକାଶ! ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ଗମନାଗମନ, କୃଷି, ପାନୀୟ ଜଳ, ନିଯୁକ୍ତି, ଶିଳ୍ପ... ଏମିତି କେଉଁ କ୍ଷେତ୍ର ନାହିଁ ଯେଉଁଠି ସରକାରଙ୍କ ବିକାଶ ଛୁଇଁ ନାହିଁ! ଏବେ ବି ବିକାଶର ଝଲକ ଦୈନିକ ଖବରକାଗଜଗୁଡିକର ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ବିଜ୍ଞାପନ ଆକାରରେ ଦେଖିବାକୁ ମିଳୁଛି।
ରାଜ୍ୟବାସୀ ସରକାରଙ୍କ ଏହି ‘ନିରନ୍ତର ବିକାଶ’ର ବିଜ୍ଞାପନ ଗତ କେଇମାସ ଧରି ନିଇତି ଦେଖୁଛନ୍ତି। କେବଳ ବିଜ୍ଞାପନ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସବୁ ପ୍ରକଳ୍ପ ଓ ଯୋଜନା ବିଷୟରେ ଲେଖାଥିବା ବଡ ବଡ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦି ସହର-ବଜାର, ଗାଁ-ଗଳି ଆଦି ବିଭିନ୍ନ ସ୍ଥାନରେ ଶୋଭାପାଉଥିବା ପରିଲକ୍ଷିତ ହୁଏ। ଏହି ଯୋଜନା ଫଳରେ ରାଜ୍ୟର କେତେ ଲୋକ ଉପକୃତ ହେବେ ବା ହେଉଛନ୍ତି ତାହା ବି ଏଥିରେ ଉଲ୍ଲେଖ ରହିଥାଏ।
ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରିଥାନ୍ତି, ତେବେ ଏହି ‘ବିକାଶ’ଟି କଣ? ଏହାର ପରିଭାଷା କ’ଣ? କି ପରିବର୍ତ୍ତନ ଘଟୁଛି ? କାହାର ଓ କିଭଳି ବିକାଶ ହେଉଛି? ଏଭଳି ପ୍ରଶ୍ନ ଆମେ କରୁ ନାହୁଁ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ନିକଟରେ ସାମ୍ନାକୁ ଆସିଥିବା ଦୁଇଟି ଦୁଖଦଃ ବିଡମ୍ବିତ ଚିତ୍ର ବ୍ୟବସ୍ଥା ଓ ‘ବିକାଶ’ ଉପରେ ଏଭଳି ପ୍ରଶ୍ନ ଉଠାଇଛି।
Also Read
ଦଶମ ଶ୍ରେଣୀରେ ପାଠ ପଢୁଥିବା ଝିଅଟି ଯେତେବେଳେ ଅସୁସ୍ଥ ଅବସ୍ଥାରେ ବାପା(ଶମ୍ଭୁନାଥ ସେଠୀ)ଙ୍କୁ ନନ୍ଦୀ ଗାଁରୁ ୩୦ କିଲୋମିଟର ଦୂର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଟ୍ରଲିରେ ଟାଣି ଟାଣି ନେଇ ଯାଉଥିଲା ସେତେବେଳେ ସେ ରାସ୍ତା କଡରେ ଲାଗିଥିବା ଅନେକ ପୋଷ୍ଟର ଓ ବ୍ୟାନରକୁ ଅତିକ୍ରମ କରିଥିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଥିବା ‘ବିକାଶ’ର ବ୍ୟାନର ଲାଗିଥିବ। ହେଲେ ସେଗୁଡିକ ତା’ପାଇଁ ଥିଲା ମୂଲ୍ୟହୀନ! ତାପାଇଁ ନିରର୍ଥକ ଥିଲା କୋଟି କୋଟି ଟଙ୍କାର ସରକାରୀ ପ୍ରକଳ୍ପ ଆଉ ଯୋଜନା।
ସ୍କୁଲ ପଢୁଆ ଝିଅଟିର କଅଁଳ ପାଦ ରାସ୍ତାରେ ଚାଲୁଥିଲା ଆଉ ହାତ ଟ୍ରଲିକୁ ଜାବୁଡି ଧରିଥିଲା; ସେ ସମୟରେ ବାପାଙ୍କୁ ଯେକୌଣସି ମତେ ହସ୍ପିଟାଲରେ ପହଞ୍ଚାଇବା ଥିଲା ଝିଅଟିର ଏକମାତ୍ର ଲକ୍ଷ୍ୟ। ଏଭଳି ଚିତ୍ର ଦେଖିବାରେ ଆମେ ବେଶ ଅଭ୍ୟସ୍ତ!
ଗର୍ଭବତୀ ମହିଳା, ରୋଗୀଙ୍କୁ ଖଟିଆରେ ପାହାଡ଼ ବିଲମାଳ ଦେଇ ଲୋକେ ଡାକ୍ତରଖାନାକୁ ବୋହି ନେଉଥିବା ଘଟଣା ଦେଖାଯାଏ l ହେଲେ ଏ କେଉଁ ଉପାନ୍ତ ଅପହଞ୍ଚ ଅଞ୍ଚଳ ନୁହେଁ; ଭଦ୍ରକ ସହର ଠାରୁ ମାତ୍ର ୩୦ କିମି ଦୂର ରାସ୍ତାl ଝିଅଟି ବାପାଙ୍କୁ ମେଡିକାଲରୁ ଘରକୁ ଆଣିବା ବେଳେ ମଧ୍ୟ ସେହି ଟ୍ରଲି ଖଣ୍ଡିକ ସାହାରା ହୋଇଥିଲା। ଟାଇଁ ଟାଇଁ ଖରାରେ ଝିଅଟି ବାପାଙ୍କୁ ଟ୍ରଲିରେ ବସାଇ ଘରକୁ ନେଉଥିବା ଦୃଶ୍ୟ ସହରରେ ଚହଳ ସୃଷ୍ଟିକଲା। ମିଡିଆରେ ଏହି ଚିତ୍ର ପ୍ରକାଶ ପାଇଲା। ସୋସିଆଲ ମିଡିଆରେ ଭାଇରଲ ହେବା ସହିତ ସରକାରଙ୍କ ବ୍ୟବସ୍ଥାକୁ ଅନେକ ସମାଲୋଚନା କରାଗଲା।
ଝିଅଟି ଯେତେବେଳେ ତା’ ବାପାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସଂଘର୍ଷ କରୁଥିବା ଆମ୍ବୁଲାନ୍ସ, ସରକାରୀ ଯୋଜନା ଆଦି କିଛି ତା’ କାମରେ ଆସି ନ ଥିଲା।
ଗଣମାଧ୍ୟମ ଯେବେ ଏ ବିଷୟରେ ଝିଅଟିକୁ ପଚାରିଲା ତା'ର ଉତ୍ତର ଥିଲା, ଯୋଜନା ନିକଟରେ ପହଞ୍ଚିବାକୁ ତା'ର ସାଧନ ନ ଥିଲା। ପାଖରେ ବୋମାଇଲ ନାହିଁ। ଭଡାରେ ଅଟୋ କରିବାକୁ ପଇସା ନାହିଁ। ଦେଶ ୫-ଜିରୁ ୬-ଜି ଆଡକୁ ଗତିକରୁଛି। ଅଥଚ ଆମ ରାଜ୍ୟରେ ଏଭଳି ମଧ୍ୟ ସ୍ଥିତି ଦେଖିବାକୁ ମିଳୁଛି ଯେଉଁଠି ଲୋକଙ୍କ ପାଖେ ଯୋଗାଯୋଗର ସାଧନ ନାହିଁ? ଭଦ୍ରକ ଜିଲ୍ଲାର ଏହି ଘଟଣା ହେଉଛି ଆମ ବ୍ୟବସ୍ଥାର ଏକ ନଗ୍ନ ନମୁନା।
ସେହିପରି ୨୦୧୬ ଅଗଷ୍ଟ ମାସରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା କଳାହାଣ୍ଡିର ସେହି ଦାନ ମାଝି ଘଟଣା। ପରେ ଏଭଳି ଅନେକ ଦୁଃଖଦ ଚିତ୍ର ଦେଖାଯାଏ। ସେହିଭଳି ରାଜ୍ୟରେ ଏବେ ଚହଳ ସୃଷ୍ଟି କରିଥିବା ଅନ୍ୟତମ ବିଷୟ ହେଉଛି “ଦୟାକରି ଅଧିକ ଆଶା କରନ୍ତୁ ନାହିଁ।”
ନବମ ଶ୍ରେଣୀର ବିଦ୍ୟାର୍ଥୀ ଜଣେ ନିଜ ପରୀକ୍ଷା ଖାତାରେ ଲେଖିଥିବା ଏହି ଧାଡିଟି ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି। ରାଜ୍ୟର ସ୍କୁଲଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ନିକଟରେ ଯେଉଁଭଳି ମାରାଥନ ରୂପାନ୍ତରିକରଣ କାର୍ଯ୍ୟ କଲେ, ପ୍ରଚାର ପ୍ରସାର ହେଲା, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା, ହେଲେ ନବମଶ୍ରେଣୀ ପିଲାଟିର ଏହି ଧାଡିଟି ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି!
ରିପୋର୍ଟ ଅନୁସାରେ, ୬ମାସ ତଳେ ଯାଜପୁର ଜିଲ୍ଲା ଅଙ୍ଗଡ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ହାଇସ୍କୁଲର କିଛି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତା’ବଦଳରେ ଏଠାକୁ ଆଉ ଶିକ୍ଷକ ଆସି ନ ଥିଲେ। ଯାହାଫଳରେ ପିଲାଙ୍କ ପାଠପଢା ହୋଇପାରି ନ ଥିଲା। ତେଣୁ ପରୀକ୍ଷାରେ ବିଦ୍ୟାର୍ଥୀଜଣକ ନିଜ ଉତ୍ତର ଖାତାରେ ଲେଖିଥିଲେ “ଆମର ସଂସ୍କୃତ ପଢା ଯାଇ ନାହିଁ। ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ। ଦୟାକରି ଅଧିକ ଆଶା କରନ୍ତୁ ନାହିଁ।”
କେବଳ ଯାଜପୁର ଓ ଭଦ୍ରକ ଜିଲ୍ଲା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଗଣ୍ଡା ଗଣ୍ଡା ଘଟଣା ନଜର ଗୋଚର ହୁଏ ଯାହା ବ୍ୟବସ୍ଥା ଉପରେ କେବଳ ଯେ ପ୍ରଶ୍ନ କରେ ତା'ନୁହେଁ, ‘ବିକାଶ’ର ପରିଭାଷାକୁ ବୁଝିବାର ପ୍ରୟାସ ମଧ୍ୟ କରେ!
ଓଡ଼ିଶାରେ ରହିଥିବା ଏହିଭଳି କିଶୋର/ କିଶୋରୀମାନେ ଜାଣିବା ଦିନରୁ ଏକମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି ସେ ହେଲେ ନବୀନ ପଟ୍ଟନାୟକ। 'ନବୀନ ଓଡିଶା'ରେ ସେମାନେ ଯେଉଁ ବିକାଶକୁ ଦେଖୁଛନ୍ତି ତା’ର ପରିଭାଷା କ’ଣ ବୁଝିବେ?
ଏହା ବ୍ୟତୀତ ଆଉ ଜଣଙ୍କ ନାଁ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି! ରାଜ୍ୟ ବିକାଶର ଗତିକୁ ଆହୁରି ଦ୍ରୁତ ବେଗରେ ଆଗେଇ ନେବାକୁ ଏହି ସର୍ବୋଚ୍ଚପଦସ୍ତ ଅଧିକାରୀ ରାତି ଦିନ ଏକକରି କାର୍ଯ୍ୟ କରୁଥିବା କୁହାଯାଏ; ଯାହାଙ୍କୁ ଏବେ ‘ବିକାଶ ପୁରୁଷ’ ବୋଲି ମଧ୍ୟ କୁହାଗଲାଣି! ପ୍ରକୃତ ବିକାଶ ସହିତ ସେହି କିଶୋର/ କିଶୋରୀମାନଙ୍କୁ ପରିଚିତ କରିବା ଆବଶ୍ୟକ ରହିଛି। ସେମାନଙ୍କ ଭବିଷ୍ୟତକୁ ସଜାଡିବା ଓ ବ୍ୟବସ୍ଥାର ସମୀକ୍ଷା କରିବାର ଆବଶ୍ୟକ ରହିଛି। ନଚେତ ଅବ୍ୟବସ୍ଥା ହିଁ ସେମାନଙ୍କ ମଧ୍ୟରେ ବିକାଶର ଭ୍ରମ ସୃଷ୍ଟି କରିପାରେ!
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)