• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ହେଉଛି ସବୁଠାରୁ ବଡ ଜିଲ୍ଲା ଯେଉଁଠି ୨ଟି ଲୋକସଭା (ଆସ୍କା ଓ ବ୍ରହ୍ମପୁର) ଏବଂ ୧୩ଟି ବିଧାନସଭା କ୍ଷେତ୍ର (ଭଞ୍ଜନଗର, ପୋଲସରା, କାବିସୂର୍ଯ୍ୟନଗର, ଖଲିକୋଟ, ଛତ୍ରପୁର, ଗୋପାଳପୁର, ଆସ୍କା, ସୋରଡା, ସାନାଖେମୁଣ୍ଡି, ହିଞ୍ଜିଳି, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି) ରହିଛି। ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ ଏତେ ନିର୍ବାଚନମଣ୍ଡଳୀ ନାହିଁ। ଏହି ଜିଲ୍ଲାରୁ ୫ଟି ପାଳି ହେଲା ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରି ବହୁ ସଂଖ୍ୟକ ବ୍ୟବଧାନରେ ଜିତି ଆସିଛନ୍ତି। ବିଜେଡି କ୍ଷମତାକୁ ଆସିଲା ପରଠୁ ଏଭଳି ସ୍ଥିତି ଉପୁଜିଛି ଯେ ଶାସକ ଦଳକୁ ଟକ୍କର ଦେବା ଭଳି ଦଳ, ନେତା ଓ ନେତୃତ୍ୱର ସଙ୍କଟ ସୃଷ୍ଟି ହୋଇଛି। ଏବେ କିନ୍ତୁ ସ୍ଥିତି ଭିନ୍ନ!

କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୂକୁଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଙ୍କାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ୱାନ ହେବ। ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳି ନେତା କାହାନ୍ତି?

ଜିଲ୍ଲାରେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ଦେଖାଦେଇଛି ! ବିବାଦୀୟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀକାନ୍ତ ସାହୁ। ନିଜ ପୋଲସରା ଆସନ ସମ୍ଭାଳିବା କସରତରେ ଅଛନ୍ତି ଶ୍ରୀକାନ୍ତ। ଏକଦା ବିଜେଡିର ପାୱାରଫୁଲ୍‌ ନେତା ତଥା ମୁଖ୍ୟମନ୍ତ୍ରୀଙ୍କର ଅତି ପ୍ରିୟ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ଘଟଣାକୁ ନେଇ ଏବେ ଶାସକ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ସଚିବଙ୍କ ଗସ୍ତ ଓ ଶ୍ରୀ ପାଣିଗ୍ରାହୀଙ୍କ ‘ଜିଦ୍’ ଘଟଣା ଏବଂ ପରବର୍ତ୍ତୀ ସମୟରେ ବିଜେଡିର ଗୋହି ଖୋଲିବା କଥା ରାଜନୀତିରେ ଉଷ୍ମତା ଲାଗିରହିଛି।

ସୁତରାଂ ଗୋପାଳପୁର ଆସନ ବି ଗଡବଡିଆ ସ୍ଥିତିରେ। ଦିଗପହଣ୍ଡି ଆସନରେ ଛକାପଞ୍ଝା ଲାଗିରହିଛି। ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ଏବଂ ଅତି ଘନିଷ୍ଠଙ୍କ ମଧ୍ୟରେ ଗୋଷ୍ଠୀବିବାଦ ଶାସକ ଦଳ ପାଇଁ ଅଡୁଆ ହେବାରେ ଲାଗିଛି। ବିପିନ ପ୍ରଧାନଙ୍କୁ ଦଳ ନିଲମ୍ବିତ କଲା ପରେ ତାଙ୍କ ଗୋଷ୍ଠୀ ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଜିତିଛି। ଯାହା ଦଳ ପାଇଁ ଆଉ ଏକ ଚିନ୍ତାର କାରଣ। ସେହିପରି ବିଜେଡିର ତୁଙ୍ଗନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଦଳରେ କେଉଁ ବରିଷ୍ଠ ଆଖିଦୃଶିଆ ନେତା ଗଡ ସମ୍ଭାଳିବେ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ଆଉ ଏଭଳି ପରିସ୍ଥିତିରେ ଦକ୍ଷିଣ ବାଆ ହୋଇ ମାଡିଆସିଛି କଂଗ୍ରେସ। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା ବିଜେପିର ସ୍ଥିତି ଏଠାରେ ସେଭଳି ସୁଦୃଢ ନ ଥିଲେ ମଧ୍ୟ ଦଳ ନିଜ ଉଦ୍ୟମ ଜାରି ରଖିଛି।

ଏକ ଜାତୀୟ ଦଳ ଭାବେ ଦୀର୍ଘ ଦଶନ୍ଧି ଧରି ଦେଶର କ୍ଷମତାରେ ଥିବା କଂଗ୍ରେସ ଦେଶର ଏନ୍‌ଡିଏ ଶାସନରେ ବଡ ବିପକ୍ଷଦଳ ଭାବରେ ଠିଆହୋଇଛି। ୯ ବର୍ଷ ମୋଦୀ ସରକାରକୁ ଟକ୍କର ଦେବା ସହିତ ଲୋକଙ୍କ ସମ୍ମୁଖରେ ନିଜକୁ ‘ବିକଳ୍ପ’ ଭାବରେ ପ୍ରସ୍ତୁତ କରିବାର ପୂର୍ଣ୍ଣ ଉଦ୍ୟମ ଜାରିରଖିଛି ଏଥିରେ ହୁଏତ ଦ୍ୱିମତ ନାହିଁ। ସେହିଭଳି ଓଡିଶାରେ ଏକବାର ଦୁର୍ବଳ ହୋଇପଡିଥିବା କଂଗ୍ରେସ ପୁନଃ ଶକ୍ତି ସଂଚାର ପାଇଁ ଉଦ୍ୟମ କଲାଭଳି ଲାଗୁଛି।

ବିଜେଡି ଶାସନ ପରେ କ୍ରମଶଃ ପରାଜୟର ସମ୍ମୁଖିନ ହୋଇ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଥିବା, ଲୋକଙ୍କ ମନରୁ ମୁର୍ଚ୍ଛିଯାଇ ସୁପ୍ତ ଅବସ୍ଥାକୁ ଚାଲିଆସିଥିବା ରାଜ୍ୟ କଂଗ୍ରେସରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦେଖାଦେଇଛି ତତ୍ପରତା।

ନିକଟରେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଦଳ ଏକରକମ ଆଖିଦୃଶିଆ ସ୍ଥିତିକୁ ଆସିଛି। କୋରାପୁଟ ଓ ମାଲକାନଗିରିରେ ଆଦିବାସୀମାନଙ୍କ ଏକ ବିଶାଳ ଜନ ଜାଗରଣ ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରିବା କଂଗ୍ରେସ କ୍ଷମତାକୁ ଫେରିଲେ କ’ଣ ସବୁ କରିବ ପ୍ରତିଶ୍ରୁତି ଦେଇଛି। ତେବେ ଏତେବଡ ବିଶାଳ ଆୟୋଜନ ଭିତରେ ଲୋକେ ସ୍ଥାନୀୟ ଦଳର ସାଂସଦଙ୍କୁ ଦେଖିବାକୁ ପାଇ ନ ଥିଲେ।

ସେହିଭଳି ଏହାର ଦିନକ ପୂର୍ବରୁ ପିସିସି ସଭାପତିଙ୍କ କୋରାପୁଟ ଗସ୍ତ ବେଳେ ଛତ୍ରପୁର ଠାରୁ ଦିଗପହଣ୍ଡି ଯାଏଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଯେଉଁଠି ସ୍ଥାନୀୟ ଜିଲ୍ଲାସଭାପତିଙ୍କୁ ଦେଖିବାକୁ ମିଳି ନ ଥିଲା। ସଂଗଠନ ଭିତରୁ ମଜବୁତ ହେଲେ ଏବେକା ସ୍ଥିତିରୁ କଂଗ୍ରେସ ବେଶ୍ ଫାଏଦା ପାଇପାରିବ ବୋଲି ଅନେକଙ୍କ ମତ ରହିଛି।

ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସରକାର ଓ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ନେତୃତ୍ୱର ଆବଶ୍ୟକତା ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ଚାଷୀ ଆଦି ସମସ୍ୟା ଅନେକ ସମୟରେ ସାମ୍ନାକୁ ଆସେ। ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଶୀଳ ଏମ୍‌କେସିଜି ମେଡିକାଲ ଉପରୁ ଲୋକଙ୍କ ଆଶା ଭରଶା ତୁଟିବାରେ ଲାଗିଛି। ଚିକିତ୍ସା ପାଇଁ ନିକଟ ବିଶାଖାପାଟଣାକୁ ଯାଉଛନ୍ତି ରୋଗୀ। ବହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ। ସାର, ବିହନ, ପାଣି, ମଣ୍ଡି ସମସ୍ୟାରେ ଚାଷୀ। ଦାଦନ ଦୁଃଖ କହିଲେ ନ ସରେ। ଜିଲ୍ଲାରେ ଯୁବକଙ୍କ ନିଯୁକ୍ତି ପାଇଁ ସାଧନ ନାହିଁ; କିନ୍ତୁ ଏଇଠୁ ଶ୍ରମିକ ନଗଲେ ବାହାର ଶିଳ୍ପ କାରଖାନା ଅଚଳ!

କରୋନା ବେଳେ କିଭଳି ଦୟନୀୟ ଅବସ୍ଥାରେ ପ୍ରବାସୀ ଫେରିଲେ ଏବଂ କିଛି ମାସ ପରେ ପୁଣି ଶ୍ରମିକଙ୍କୁ ନେବା ପାଇଁ ଗାଁ’ଗୁଡିକକୁ କିଭଳି କମ୍ପାନୀ ଗାଡି ପଠାଇଲା ତାହା ବି ଦେଖାଗଲା। ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ ହିଂସା, ଲହୁଲୁହାଣ, ହତ୍ୟାକାଣ୍ଡ ଘଟଣା ବଢିବାରେ ଲାଗିଛି। ରାଜ୍ୟରେ ଦୀର୍ଘ ବର୍ଷର ସ୍ଥିର ଶାସନ କାଳରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସ୍ଥିତି ଏମିତି। ଏଭଳି ସ୍ଥିତିରେ ଗଞ୍ଜାମବାସୀଙ୍କ ବିଶ୍ୱାସଭଜନ ହେବାଭଳି ନେତୃତ୍ୱ କିଏ ନେବ ତାହା ଆଗକୁ ଜଣାଯିବ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)