• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ସମାଜରେ ଏବେ ଯେଉଁ ଅର୍ଥନୈତିକ ବୈଷମ୍ୟତା ବିଷୟରେ କୁହାଯାଉଛି ତା’ର ଜୀବନ୍ତ ଉଦାହରଣ ଗତ କିଛି ବର୍ଷ ହେଲା ଆମେ ଦେଖିଆସୁଛୁ। ଖଣ୍ଡିଏ ଚାକିରି ଓ ମୁଠାଏ ଚାଉଳ ପାଇଁ ଯେଉଁଠି ଲମ୍ବା ଲାଇନ୍ ଲାଗୁଛି; ଶିକ୍ଷା, ସ୍ୱାସ୍ଥ୍ୟର ସୁବିଧା ଟିକେ ପାଇଁ ଗରିବ, ଖଟିଖିଆ, ମଜୁରିଆ ଯେଉଁଠି କଲବଲ ହେଉଛନ୍ତି ସେହି ରାଜ୍ୟର ଦୁର୍ନୀତିରେ ଡୁବିଥିବା ସରକାରୀବାବୁମାନଙ୍କ ଘରୁ କୋଟି କୋଟି, ପେଟି ପେଟି ଟଙ୍କାର ବିଡା ବିଡା ନୋଟ୍ ବାହାରିବା ଦେଖୁଛୁ।

ସରକାରୀ ଆସନରେ ବସି କିଭଳି ସୁନା, ଗହଣା ଆଦି ଅଳଙ୍କାର, ବଡ ବଡ କୋଠା, ଜାଗା ବାଡି କରି କୁବେର ଜୀବନ ବଞ୍ଚୁଛନ୍ତି। ହେଲେ ଦୁର୍ନୀତିର ମୂଳ ଉପୁଡୁ ନାହିଁ। ବିନା ଲାଞ୍ଚରେ ଲୋକଙ୍କ ସେବା ଅତି ସଚୋଟତା ସହିତ କରିବାର ଶପଥ ପ୍ରତିବର୍ଷ ନିଆଯାଉଛି ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ! କାରଣ ଗତ ୫ ବର୍ଷ ଭିତରେ ପ୍ରାୟ ଅଢେଇ ହଜାର ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ୧ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ ହେଲାଣି ଆଉ ୯୦୦ରୁ ଅଧିକ କର୍ମଚାରୀ ଗିରଫ ବି ହେଲେଣି।

ତେବେ ସେହି ଅଢେଇ ହଜାର କର୍ମଚାରୀ କ’ଣ ଶପଥ ନେଇ ନ ଥିଲେ? ଶପଥ ନେଇ ସୁଦ୍ଧା ଯଦି ଦୁର୍ନୀତି କରନ୍ତି ତେବେ ସେମାନଙ୍କ ବିରୋଧରେ ଯେଉଁ ସବୁ ମାମଲା ଲାଗୁଛି, ମିଥ୍ୟା ଶପଥପାଠ ପାଇଁ ମଧ୍ୟ ମାମଲା ଲାଗିବା ଦରକାର ନା ନାହିଁ?

ପ୍ରତିବର୍ଷ ଭଳି ଏଥର ମଧ୍ୟ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ଅକ୍ଟୋବର ୩୦ରୁ ଆରମ୍ଭ ହୋଇଛି। ବ୍ଲକ୍‌ରୁ ଆରମ୍ଭ କରି ‘ଲୋକ ସେବା ଭବନ’ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସବୁ ସରକାରୀ ଅଧିକାରୀ ଓ କର୍ମଚାରୀ ଦୁର୍ନୀତି ନ କରିବାର ଶପଥପାଠ କରିଛନ୍ତି। ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଆଶାକର୍ମୀ, ଅଙ୍ଗନବାଡ କର୍ମୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥପାଠ କରାଇଥିଲେ।

ସବୁଥର ଭଳି ଏଥର ମଧ୍ୟ ସରକାରୀ କର୍ମଚାରୀଗଣ ବାହୁ ପ୍ରସାରଣ କରି ଶପଥ ନେଇ କହିଛନ୍ତି; “ମୁଁ ବିଶ୍ୱାସ କରେ ଯେ ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ସବୁଠାରୁ ବଡ ପ୍ରତିବନ୍ଧକ। ମୁଁ ସେଥିପାଇଁ ଶପଥ ନେଉଅଛି ଯେ; ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ପାଳନ କରିବି। ଲାଞ୍ଚ ନେବି ନାହିଁ କି ଦେବି ନାହିଁ। ସମସ୍ତ ଦାୟିତ୍ୱକୁ ସ୍ୱଛତା ଓ ସାଧୁତାର ସହ ସମ୍ପାଦନ କରିବି। ନିଜର ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବି। ଦୁର୍ନୀତି ସମ୍ପର୍କିତ ଯେ କୌଣସି ଘଟଣା ଜାଣିଲେ ତାହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବି।”

ଚଳିତ ବର୍ଷ (୨୦୨୩) ଜାନୁଆରୀରୁ ଅକ୍ଟୋବର ଗତ ୧୦ ମାସ ମଧ୍ୟରେ ୩୬୫ ଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଭିଜିଲାନ୍ସ ଗ୍ରହଣ କରିଛି। ମୋଟ ୨୦୨ଟି ଦୁର୍ନୀତି ମାମଲାରେ ୧୧୧ଜଣ କର୍ମଚାରୀ ଗିରଫ ହୋଇଛନ୍ତି ଏବଂ ୯୪ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ସେହିଭଳି ଗତ ବର୍ଷ (୨୦୨୨) ରାଜ୍ୟ ଭିଜିଲାନ୍ସ ୫୪୪ ଜଣଙ୍କ ବିରୋଧରେ ୨୮୫ ମାମଲା ରୁଜୁକରି ୨୦୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହି ବର୍ଷ ୧୭୪.୮୩ କୋଟିର ସମ୍ପତ୍ତି ଜବତ ହୋଇଥିଲା। ୨୦୨୧ରେ ୪୭୫ ଜଣଙ୍କ ବିରୋଧରେ ୨୮୭ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ୧୭୫ ଜଣ ଗିରଫ ହୋଇଥିଲେ ଏବଂ ପ୍ରାୟ ୧୦୭.୬୦ କୋଟିର ସମ୍ପତ୍ତି ଜବତ ହୋଇଥିଲା।

ସେହିଭଳି ୨୦୨୦ରେ ଭିଜିଲାନ୍ସ ୩୮୧ଜଣଙ୍କ ବିରୋଧରେ ୨୪୫ଟି ମାମଲା ରୁଜୁ କରିଥିଲା, ଯେଉଁଥିରେ ୧୮୭ ଜଣ ଦୁର୍ନୀତିଖୋରଙ୍କୁ ଗିରଫ କରାଯାଇଥିଲା ଏବଂ ପ୍ରାୟ ୧୨୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ତେବେ ୨୦୧୮ ମସିହାରେ ସର୍ବାଧିକ ୪୨୯ଟି ମାମଲାରେ ୭୦୭ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଏବଂ ୨୪୧ ଜଣ ଗିରଫ ହୋଇଥିଲେ ଓ ପ୍ରାୟ ୯୫ କୋଟିର ସମ୍ପତ୍ତି ଉଦ୍ଧାର ହୋଇଥିଲା।

ଦୁର୍ନୀତି ଆଧାରରେ ଯଦି ଜଣେ ନିଯୁକ୍ତି ପାଇଥାଏ ତାହେଲେ ତା’ରି ଭିତରେ ମଧ୍ୟ ଦୁର୍ନୀତିର ଭାଇରସ୍‌ ଦେଖାଯିବା ସ୍ୱାଭାବିକ! ଆଉ ଆଜି କାଲି କିଭଳି ନିଯୁକ୍ତି ଦିଆଯାଉଛି ଏବଂ ଚାକିରି ଖଣ୍ଡେ ପାଇବା କେତେ ତପସ୍ୟାର ଫଳ ତାହା ରାଜ୍ୟବାସୀ ବେଶ ଭଲଭାବେ ଜାଣନ୍ତି। ତେବେ ଏଥିରେ କେତେ ସତ୍ୟତା ଓ ଶଠତା ଅଛି? ଏହି ଶପଥ ଧର୍ମକୁ ଆଖିଠାର ନୁହେଁ କି?

ତେବେ ଏତିକି କୁହାଯାଇପାରେ ଯେ, ଭିଜିଲାନ୍ସ ବିଭାଗ ଓ ସରକାରଙ୍କ ଉଦ୍ୟମରେ ଅନ୍ତତଃପକ୍ଷେ କିଛି ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀମାନଙ୍କ ଅସଲ ଚେହେରା ସାମ୍ନାକୁ ଆସୁଛି, ଯାହାଦ୍ୱାରା ଲାଞ୍ଚ ଦବାନବାରେ ‘ଭୟ’ ସୃଷ୍ଟି ହୋଇପାରିବ। ତେବେ ସରକାର ଯେକୌଣସି କ୍ଷେତ୍ରରେ ଏହାକୁ ଅସ୍ତ୍ର କିମ୍ବା ‘ଆକ୍ରୋଶ’ ଭାବେ ବ୍ୟବହାର ନ କରିବା ଉଚିତ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)