• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ଷେତରେ ବର୍ଷ ତମାମ ହାଡ଼ଭଙ୍ଗା ଖଟଣି ପରେ ରାଜରାସ୍ତାରେ ଲଢ଼େଇ କରୁଛନ୍ତି ଅନ୍ନଦାତା । ହକ୍ ମାଗୁଛନ୍ତି, ନିଜେ ଫଳାଇଥିବା ସୁନାର ଉଚିତ ଦର ଦାବି କରୁଛନ୍ତି । କଟ୍‌ନୀ ଛଟ୍‌ନୀର ଦାଉ ଆଉ ଟୋକନ୍‌କୁ ନେଇ ଟେନ୍‌ସନ୍ ଦାଉ ସାଧୁଛି ଚାଷୀକୂଳକୁ । ମଣ୍ଡିରେ ଘୋର ଅବ୍ୟବସ୍ଥା । ଚାଷୀଙ୍କ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ ।

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମଣ୍ଡି ଖୋଲୁନଥିବାରୁ ଏବଂ ଧାନର ଅଭାବୀ ବିକ୍ରି ଅଭିଯୋଗ ଆଣି ଗର୍ଜନ କରିଛି ନବନିର୍ମାଣ କୃଷକ ସଂଗଠନ । ପରେ ଶୋଭାଯାତ୍ରାରେ ଯାଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇଛି ସଂଗଠନ । ସେପଟେ ସୁବର୍ଣ୍ଣପୁର ଜିଲ୍ଲା ହିଲୁଙ୍ଗ ପେକ୍ସରେ ଧାନ ଉଠୁନଥିବାରୁ ପ୍ରାୟ ୨୦ ହଜାର ପ୍ୟାକେଟ ଧାନ ପଡିରହିଛି l ଏହାର ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ବଡ଼ ଚିନ୍ତା, ମଣ୍ଡି ଖୋଲୁନି ଧାନ ବିକ୍ରି ହେଉନି..!

ଚାଷୀଙ୍କ ଏଭଳି ବିକ୍ଷୋଭ କାହିଁକି ବା ନହେବ । ପଶ୍ଚିମରୁ ପୂର୍ବ ଓଡ଼ିଶା ଯାଏଁ ଖରା, ବର୍ଷା ଆଉ ଶୀତକୁ ସହି ଫସଲ ଫଳାଇଥିବା ଚଷାପୁଅ ଠିକ ଧାନ ଅମଳ ବେଳକୁ ଶୀକାର ହେଉଛି ଅଭାବୀ ବିକ୍ରିର । ନୂଆପଡ଼ା ଜିଲ୍ଲା ବୋଡେନ୍‌ରେ ମଣ୍ଡିରେ ଖୋଲାମେଲା ଅବସ୍ଥାରେ ପଡ଼ିରହିଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ ଧାନ । ପଲିଥିନ୍ ଖଣ୍ଡେ ବି ଢଙ୍କାଯାଇନି । ଦିନେ ଦୁଇ ଦିନ ମଧ୍ୟରେ ଧାନ ନଉଠିଲେ ଟୋକନ ଲ୍ୟାପ୍‌ସ ହୋଇଯିବାର ଆଶଙ୍କା ଦେଖାଦେଇଛି । ସମାନ ଅବସ୍ଥା କନ୍ଧମାଳ ଜିଲ୍ଲା ଚକାପାଦ ଲ୍ୟାମ୍ପ ମଣ୍ଡିରେ । ହଜାରେରୁ ଅଧିକ କୁଇଣ୍ଟାଲ ଧାନ ଚକାପାଦ ଲ୍ୟାମ୍ପସର ମଣ୍ଡିରେ ରଖାଯାଇଥିଲେ ବି ଧାନ ଉଠାଯାଉନାହିଁ । କନ୍ଧମାଳ CSO ଚାଷୀଙ୍କ ଠାରୁ ଦୈନିକ ଏତେ ପରିମାଣର ଧାନ କିଣିବାକୁ ଅନୁମତି ଦେଇନଥିବାରୁ ଧାନ କ୍ରୟ କରାଯାଇ ପାରୁନାହିଁ ବୋଲି ଲ୍ୟାମ୍ପ୍ସ MD କହିଛନ୍ତି ।

ଧାନ ବିକ୍ରିର ଏଭଳି ଅବ୍ୟବସ୍ଥାର ଅଭିନବ ପ୍ରତିବାଦ କ୍ରମରେ ଗତ କିଛିଦିନ ତଳେ ବଲାଙ୍ଗିର ଭାଲୁଡୁଙ୍ଗୁରୀ ଗାଁର ଜଣେ ଚାଷୀ ଧାନ ବଦଳରେ ଗଂଜେଇ ଚାଷ ପାଇଁ ଅନୁମତି ମାଗି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଏପରିକି କିଛି ସ୍ଥାନରୁ ଆତ୍ମହତ୍ୟା ଭଳି ସଂଗୀନ ଅଭିଯୋଗ ବି ସାମ୍ନାକୁ ଆସୁଛି । ଅଥଚ ନିଦାବିଷ୍ଣୁ ସାଜିଥିବା ରାଜ୍ୟ ସରକାର ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଥିବା କହୁଛନ୍ତି । କିନ୍ତୁ ବାସ୍ତବସ୍ଥିତି ଅଲଗା । ଦିନ କେଇଟା ପରେ ସରିଯିବ ଖରିଫ ଧାନ ସଂଗ୍ରହ ଋତୁ । ହେଲେ କେବେ ମଣ୍ଡିରୁ ଧାନ ଉଠୁଛି ଏବଂ ଚାଷୀ କେତେ ହକ୍ ପାଉଛି, ତାକୁ ଅପେକ୍ଷା ।