• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାଟିରେ ନଡ଼ା, ହାତ ଦୁଇଟି ବନ୍ଧା । ଗୋରୁ ଭଳି ଅଭିନୟ, ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗୁହାରି । ନୟାଗଡ଼ ଜିଲ୍ଲା ର ଚାଷୀ, ଧାନ ମଣ୍ଡିରେ ଚାଲିଥିବା କଟ୍‌ନୀ ଛଟନୀରେ ଅଣନିଶ୍ୱାସୀ ହୋଇ ସିଧା କଲେକ୍ଟରଙ୍କ ଅଫିସ୍ ଆଗରେ ଶୋଇ ରହି ଏଭଳି ପ୍ରତିବାଦ କରିଛନ୍ତି । ନବନିର୍ମାଣ କୃଷକ ସଂଗଠନ ଡାକରାରେ ଅଭିନବ ଢଙ୍ଗରେ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ଆସି ଜଣାଇଛନ୍ତି ସମସ୍ୟା । ସେମାନଙ୍କ ଅଭିଯୋଗ ମଣ୍ଡିରେ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ଧାନ କଟାଯାଉଛି ଯାହାକି ଘୋର ଅନ୍ୟାୟ ।

ବାରିପଦାରେ ଚାଷୀ ଆନ୍ଦୋଳନର ତିତ୍ର ଆହୁରି ଚିନ୍ତାଜନକ । ସିଧା ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖ ରାସ୍ତାକୁ ଧାନ ବସ୍ତା ରଖି ଅବରୋଧ । ମୟୂରଭଞ୍ଜ ଜିଲ୍ଲା ର ଚାଷୀଙ୍କ ଅଭିଯୋଗ ଏଫଏକ୍‌ସକୁ ମାନ ଆଳରେ ମଣ୍ଡିରେ ଚାଲିଛି ଗୁରୁତର ଶୋଷଣ । ଏହା ବନ୍ଦ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ । ସେମିତି ଜଗତସିଂହପୁର କଲେକ୍ଟରଙ୍କ ଆବାସିକ ଅଫିସ୍ ଆଗରେ ସିଧା ଧାନ ଢାଳି ଚାଷୀ ପ୍ରତିବାଦ କରିଥିଲେ । ଅନ୍ନଦାତା, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଧାନ କ୍ୱିଣ୍ଟାଲ ପିଛା ୨୯୫୦ ଟଙ୍କା ପ୍ରଦାନ ସହ ମଣ୍ଡିରେ ଚାଲିଥିବା ଅନିୟମିତତା ବନ୍ଦ ଦାବିରେ ଦେଇଥିଲେ ଧାରଣା । ପୋଲିସ୍ ଆସି ସେମାନଙ୍କୁ ବଳପୂର୍ବକ ଉଠାଇ ନେଇଥିଲା ।

ସେମିତି ରାଜ୍ୟର ଅଧିକାଂଶ ସ୍ଥାନରୁ ବି ଆସିଛି ଧାନମଣ୍ଡି ବିରୋଧରେ ଚାଷୀ ଅସନ୍ତୋଷର ପୁଳା ପୁଳା ଚିତ୍ର । ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନବସ୍ତା ରଖି ଚାଷୀ ଜୋରଦାର ପ୍ରତିବାଦ କରିଥିବାବେଳେ କେନ୍ଦୁଝରରେ ବି ଧାନ ଢ଼ାଳି ହକ୍ ମାଗିଛନ୍ତି । କେନ୍ଦୁଝର ରେ ଆନ୍ଦୋଳନରତ ଚାଷୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ଭେଟି ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ମଣ୍ଡିରେ ଚାଷୀ ଶୋଷଣକୁ ନେଇ ରାଜନୀତି ବି ତେଜିଛି । ରାଜ୍ୟ ସରକାର ମିଲ୍ ମାଲିକ ଓ ଦଲାଲଙ୍କ ସହ ମିଶି ସଲାସୁତରା କରୁଥିବା ଅଭିଯୋଗ କରିଛି ବିଜେପିକଂଗ୍ରେସ ଅଭିଯୋଗ କରିଛି ମଣ୍ଡିରେ ମହାଦୁର୍ନୀତି ଚାଲିଛି । ଜବାବରେ ବିଜେଡି କହିଛି ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି । ଏବେ ଦେଖିବାର କଥା, କେତେ ଶୀଘ୍ର ମଣ୍ଡିରେ ସୁବ୍ୟବସ୍ଥିତ ହେଉଛି ଧାନ କିଣା ?