• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ କପିଲ ଶର୍ମା ସୋରେ ବ୍ରହ୍ମପୁରର ଦିବ୍ୟାଙ୍ଗ ଡ୍ୟାନସର ପଦ୍ମନାଭ ସାହୁଙ୍କୁ ନେଇ ଚର୍ଚ୍ଚା । ଦିବ୍ୟାଙ୍ଗ ପଦ୍ମନାଭଙ୍କ ନାଚରେ ତାଜୁବ କପିଲ ଶର୍ମା । ନିଜ ଗୋଡ଼ରେ ଚାଲିବାର ଶକ୍ତି ନଥିଲେ ବି ତାଙ୍କ ମନୋବଳ କେତେ ଦୃଢ ଏହା ପ୍ରମାଣ କରି ଦେଖାଇଛନ୍ତି । ଏମିତିକି ଅହମ୍ମଦବାଦରେ ୪୦ରୁ ଅଧିକ ପିଲାଙ୍କୁ ସେ ନୃତ୍ୟ ବି ଶିଖାଉଛନ୍ତି । ପୂର୍ବରୁ ପ୍ରିନସ ଡ୍ୟାନ୍ସ ଗ୍ରୁପରେ ଭାଗ ନେଇ ଚର୍ଚ୍ଚାରେ ଥିବା ପଦ୍ମନାଭ ଗତ ୩ ତାରିଖରେ ବିଶ୍ୱ ଦିବ୍ୟାଙ୍ଗ ଦିବସରେ କପିଲ ଶର୍ମାଙ୍କ ସୋରେ ନିଜର କଳା ଦେଖାଇ ବେଶ ପ୍ରଶଂସା ସାଉଁଟିଛନ୍ତି ।

ବ୍ରହ୍ମପୁରର ଦିବ୍ୟାଙ୍ଗ କଳାକାର ପଦ୍ମନାଭ ସାହୁ । ଗତ ୨୦୦୯ରେ ଇଣ୍ଡିଆଜ୍ ଗଟ୍ ଟାଲେଣ୍ଟରେ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଏହି ଦିବ୍ୟାଙ୍ଗ କଳାକାର ଜଣଙ୍କ ଏବେ କପିଲ ଶର୍ମା ସୋରେ ଭାଗ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସୋ ପରେ ଜଜଙ୍କ ଠାରୁ ଆରମ୍ଭ କରି ନିଜେ କପିଲ ଶର୍ମା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୂୟସି ପ୍ରଶଂସା କରିଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ଯୁକ୍ତ ଦୁଇ ପାଠ ପରେ ସୁନ୍ଦର ସ୍ୱାସ୍ଥ୍ୟ ଓ ନାଚ ପ୍ରତି ଆଗ୍ରହ ବଢ଼ାଇଥିଲେ ପଦ୍ମନାଭ ।

ଅହମ୍ମଦବାଦରେ କିଛି ବର୍ଷ ରହିବା ପରେ ସେଠାରେ ଏକ ଡ୍ୟାନ୍ସ କୋଚିଂ ସେଣ୍ଟର ବି ଖୋଲିଛନ୍ତି । ପିଲାମାନଙ୍କୁ ସେଠାରେ ନାଚ ଶିକ୍ଷା ଦେଉଛନ୍ତି ପଦ୍ମନାଭ । କେବଳ ନୃତ୍ୟ ନୁହେଁ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସେ ବି ବହୁ ପୁରସ୍କାର ପାଇଛନ୍ତି । ଆଉ ତାଙ୍କର ଏହି ସଫଳତା ପାଇଁ ବେଶ ଖୁସି ଅଛନ୍ତି ବ୍ରହ୍ମପୁରର ତାଙ୍କ ସାଙ୍ଗସାଥି ସହ ପରିବାର ବର୍ଗ ।

ପିଲା ବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ପଦ୍ମନାଭ । ଏହାସତ୍ତ୍ୱେ ସଂଘର୍ଷ ଜାରି ରଖି ନିଜେ ସଫଳତାର ପାଇ ପାରିଛନ୍ତି । ଦିବ୍ୟାଙ୍ଗମାନଙ୍କ ପାଇଁ ପଦ୍ମନାଭ ନିଶ୍ଚୟ ପ୍ରେରଣା କହିଲେ ଅତ୍ୟୁକ୍ତି ହେବ ନାହିଁ ।