• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରତ୍ନଭଣ୍ଡାର ଖୋଲିଲା, ଏବେ ରତ୍ନଅଳଙ୍କାର ଗଣତି-ମଣତିକୁ ଅପେକ୍ଷା। ଏସବୁ ଭିତରେ  ମନକୁ ଆସୁଛି ଅନେକ ପ୍ରଶ୍ନ। ରହସ୍ୟମୟ ଭଣ୍ଡାର ଭିତରୁ ମିଳିବ କି ବିଭିନ୍ନ ଗଜପତି ରାଜ୍ୟ ଜୟ କରି ଆଣିଥିବା ଧନରତ୍ନ, ମୁକୁଟ ଓ ସିଂହାସନ। କେବଳ ପ୍ରଥମ ଓ ଦ୍ବିତୀୟ ନୁହେଁ, ଜନଶ୍ରୁତି ଅନୁସାରେ ସମ୍ଭାବ୍ୟ ତୃତୀୟ କୋଠରୀ ଓ ଭୂତଳ ଗୁପ୍ତ ଭଣ୍ଡାରର ଅନୁସନ୍ଧାନ ମଧ୍ୟ ଆବଶ୍ୟକ ବୋଲି କହିଲେ ଐତିହ୍ୟ ଗବେଷକ ।

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ? ମିଳିବ କି ଗୁପ୍ତ ଭଣ୍ଡାର, ୩୪ ମୁକୁଟ, ରଘୁନାଥ ବେଶ ଆଭୂଷଣର ସନ୍ଧାନ ? ଇତିହାସ କହେ, ବିଭିନ୍ନ ସମୟରେ ଗଜପତି ମହାରାଜାମାନେ ୪୬ଟି ରାଜ୍ୟ ଜୟ କରି, ହାତୀ ପିଠିରେ ବୋହି ଆଣିଥିଲେ ବିପୁଳ ଧନରତ୍ନ, ଅଳଙ୍କାର, ରାଜମୁକୁଟ ଓ ସିଂହାସନ । ଆଉ ସେସବୁ ସମର୍ପି ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦ ତଳେ । ଯାହାକୁ ରତ୍ନଭଣ୍ଡାର ଭିତରେ ଗଚ୍ଛିତ କରି ରଖାଯାଇଥିଲା ଅତି ଲୁକ୍କାୟିତ ଅବସ୍ଥାରେ । ତେବେ ଐତିହ୍ୟ ବିଶାରଦଙ୍କ ମତରେ, ଏହି ରତ୍ନଭଣ୍ଡାରର ସିଂହଭାଗ ରହସ୍ୟ, ଏବେ ବି ରହିଛି ଅବୋଧ୍ୟ ଓ ଅଭେଦ୍ୟ ରହସ୍ୟ ଘେରରେ।

ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ସେହିବର୍ଷ ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୧ ଦିନ ଧରି ଚାଲିଥିଲା ଗଣତି ମଣତି । ମିଳିଥିଲା ମସ୍ତକ, କର୍ଣ୍ଣ, ନାକ, ବେକ, ବାହୁ, ମଣିବନ୍ଧ, ଅଙ୍ଗୁଳି, ଅଣ୍ଟା, ପାଦର ଅଳଙ୍କାର ଓ ଅନ୍ୟ ସ୍ବର୍ଣ୍ଣ ଆଭୁଷଣ । ତା’ସହ ରୂପାର ପୂଜା ଉପକରଣ, ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ । ଦସ୍ତାବିଜ କହୁଛି, ଦୈନନ୍ଦିନ ଲାଗୁଥିବା ଆଭୂଷଣ ସମେତ ୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨ ହଜାର ୮୩୮ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨ ହଜାର ୧୫୩ ଭରିର ରୂପା ଅଳଙ୍କାର ଥିଲା। ମୂଲ୍ୟବାନ ପଥର ସମେତ ଅଳଙ୍କାର ଗୁଡ଼ିକର ଓଜନ ମପାଯାଇଥିଲା। ଏବେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ବେଳେ ୧୯୭୮ ମସିହାର ଏହି ତାଲିକା ସହ ମେଳ କରାଯିବ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଏବେ ତଦାରଖ କମିଟି ରତ୍ନଭଣ୍ଡାରର କେବଳ ପ୍ରଥମ ଓ ଦ୍ବିତୀୟ କୋଠରୀ ଖୋଲିବ ନା ସେଠାରେ ଆଉ କୌଣସି କୋଠରୀ ଅଛି ତାର ବି ସନ୍ଧାନ କରାଯିବ ? ଐତିହ୍ୟ ଗବେଷକଙ୍କ ମତରେ ତୃତୀୟ କୋଠରୀ ଶେଷ ଥର ପାଇଁ କେବେ ଖୋଲାଯାଇଥିଲା ଏବଂ ତା ଭିତରେ କଣ ଅଛି, ସେସଂପର୍କରେ କୌଣସି ବି ରେକର୍ଡ ନାହିଁ। ବହୁ ଦଶନ୍ଧି ତଳେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ରତ୍ନଭଣ୍ଡାର ସଂପର୍କରେ ଦେଇଥିଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ। କହିଥିଲେ, ରତ୍ନଭଣ୍ଡାରର ତୃତୀୟ କୋଠରୀରେ ଅଛି ୩୪ଟି ମୁକୁଟ । ସେଠି ଆହୁରି ମଧ୍ୟ ଥାଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶର ଅଳଙ୍କାର । କେବଳ ଏତିକି ନୁହେଁ ଜନଶ୍ରୁତି ଅନୁସାରେ, ରତ୍ନଭଣ୍ଡାର ଉପରକୁ ଯେତିକି ଅଛି, ଗୁପ୍ତଭଣ୍ଡାର ସେତିକି ମାଟି ତଳେ ବି ଲୁଚିଛି।

  • Reported by:
  • MADHUSUDAN MISHRA , PAWAN TIWARI

OTV is now on Whatsapp

Join and get latest news update delivered to you via whatsapp

Join Now